ଅଫେରା ଫଗୁଣ

ଅଫେରା ଫଗୁଣ

4 mins
501



  ତରୁଣ ବୟସ ରେ ପ୍ରେମ ହୁଏ,କିଛି ପ୍ରେମ ସାର୍ଥକ ହୁଏ,କିଛି ପ୍ରେମ ଉଦାହରଣ ପାଲଟି ଯାଏ ଆଉ କିଛି କୁ ହୃଦୟରେ ସମାଧି ଦେଇଦେବାକୁ ହୁଏ ,ସବୁଦିନ ପାଇଁ।ଓଡ଼ିଶାରେ ପି.ଜି.ପରେ କୌଣସି ମତେ ଚାକିରୀ ଟିଏ ମିଳିଯାଏ ଶାନ୍ତିନିକେତନରେ।ଦୁଇ ତିନିଟା ସାର୍ଟ ପ୍ୟାଣ୍ଟ ନେଇ ବାହାରି ପଡ଼ିଲି।


   ସେଠାରେ ଦର୍ଶନ ବିଭାଗରେ ଅଧ୍ୟାପକ ହୁଏ।ଅନେକ ଛାତ୍ରୀ ଆକର୍ଷିତ ହୋଇଯାନ୍ତି ମୋ ପ୍ରତି।ଲାଜକୁଳା ସ୍ୱଭାବ ଯୋଗୁ ଚାହିଁପାରେନି ଜମା ସେମାନଙ୍କୁ କଳାପଟାକୁ ଚାହିଁ ପଢାଏ ଓ ଫେରିଆସେ।କିଛି ଝିଅ ଟେବୁଲରେ ଗୋଲାପ ଫୁଲ ରଖି ଚାହିଁରୁହଁନ୍ତି।ମୋ ଆଖି କିନ୍ତୁ ଅଟକି ଯାଏ ଦୁଇଟି କଥାକୁହା ଆଖିପାଖେ।ତା ଆଖିରେ ମୋ ଆଖି ପଡ଼ିବା ମାତ୍ରେ ସେ ଲଜ୍ଜାରେ ମୁଁହ ତଳକୁ କରିଦିଏ।ରୁମକୁ ଯିବା ପୂର୍ବରୁ ବହୁତ ଆଶା ନେଇ ଅପେକ୍ଷା କରେ ତାକୁ।କିନ୍ତୁ ସେ ଚାଲିଯାଏ ସେଇ ନଳ ପରି ଲମ୍ବା ଝିଅଟି ସହ।ଲମ୍ବା ଝିଅଟି ନା ଶ୍ୟାମା।ରଙ୍ଗ ବି ଶ୍ୟାମା।

   ଦିନେ ଶ୍ୟାମାକୁ ପଚାରିଲି ,ତୁମ ସହ ଆସୁଥିବା ଶାଢ଼ୀ ପିନ୍ଧା ଝିଅଟିର ନାଁ କଣ?


  ଶାରଦା ଘୋଷ ,ଶ୍ରୀମତୀ ଶାରଦା ଘୋଷ।ମୁଁ ତାଠାରୁ ଓଡ଼ିଆ ଶିଖୁଛି।ସେ ବଙ୍ଗାଳି ...କିନ୍ତୁ ଓଡ଼ିଆ ଜାଣେ....।କିଛି ଶୁଭୁନଥିଲା ମତେ,ତରବରିଆ ଭାବେ ଚାଲି ଆସିଲି ସତ।କିନ୍ତୁ କାନରେ ପ୍ରତିଧ୍ବନିତ ହଉଥାଏ ଗୋଟିଏ ଶବ୍ଦ ଶ୍ରୀମତୀ ଶାରଦା ।


    ସେହି ମଧ୍ୟରେ ଶାରଦା ମୋର ଏକାନ୍ତ ନିଜର ହୋଇଉଠିଥାଏ।ସ୍ବପ୍ନରେ ନିତି ଆସେ ମୋର।ଚୁପଚାପ ବସେ ପାଖେ।ପ୍ରଗଳ୍ଭତା ଭରିଯାଏ ଶାରଦାକୁ ଦେଖି।ହୃଦୟରେ ସାଇତିଥିବା ସବୁ ପ୍ରେମ ଅଜାଡିଦିଏ ତା ଉପରେ।ତାର ଘନ କୃଷ୍ଣ କବରୀରେ ଲମ୍ବାଇ ଦିଏ ଗଜରାର ମାଳ।ରଜନିଗନ୍ଧା ଫୁଲ ଦେଖି ଖିଲି ଖିଲି ହସି ଉଠେ ମୋ ଶାରଦା।ଲାଜକୁଳା ସ୍ୱଭାବ ହେଲେବି ଶାରଦା ପାଇଁ ହୋଇଉଠୁଥିଲି ବ୍ୟାକୁଳ। ଯଦି ଚିତ୍ରକରଟିଏ ହୋଇଥାନ୍ତି ଆଙ୍କିଦିଆନ୍ତି ମୋ ପ୍ରେୟସୀକୁ କାନଭାସରେ ରଙ୍ଗ ତୁଳି ଧରି।କିନ୍ତୁ....

  ଶ୍ରୀମତୀ ଶାରଦା ଘୋଷ..!


  ସ୍ଥିତପ୍ରଜ୍ଞ ହୋଇପାରିନଥିଲି ,ସାରା ରାତି ଝରିଥିଲା ଅମାନିଆ ଲୁହ,ପ୍ରଥମ ଥର ପାଇଁ କାନ୍ଦିଥିଲି ରାତିସାରା।ତିନି ଦିନ ଧରି କମ୍ପିଥିଲି ଜ୍ୱରରେ।ତଥାପି ଆସୁଥିଲା ଶାରଦା ସ୍ୱପ୍ନରେ।ଅସ୍ଥିର କରୁଥିଲା ମୋତେ ପ୍ରତିଟି ମୁହୂର୍ତ୍ତ।


  ଅନେକ ସାହସ ସଞ୍ଚୟ କରି ଯାଇଥିଲି କ୍ଲାସକୁ।ପଢ଼ାଇବା ସମୟରେ ଲକ୍ଷ୍ୟ କରୁଥିଲି ଶାରଦାକୁ।ଅପରୁପା ସୁନ୍ଦରୀ, ମଥାରେ ଟିକିଲି ଆଉ ହାତରେ ସୁନା ଚୁଡି ଇଛା ହୋଉଥିଲା ଟିକିଲିଟି କାଢି ପିନ୍ଧାଇ ଦିଅନ୍ତି ସିଦୂର ଟିପାଟେ।କହିବାକୁ ଗଲେ ଈର୍ଷା ତୁର ହୋଇପଡିଥିଲି ଶାରଦାର ସ୍ୱାମୀ ପ୍ରତି।ଜିଇଁବାକୁ ଚାହିଁଥିଲି ଚିରଦିନ ଶାରଦାକୁ ହୃଦୟରେ ରଖି।୨୫ବର୍ଷ ବୟସରେ ଚିର କୁମାର ରହିବାକୁ ପ୍ରତିଜ୍ଞା ବି କରିନେଲି।

   ହଠାତ ନନା ଅସୁସ୍ଥ ହେଲେ ଆଉ ଶାନ୍ତିନିକେତନରେ ରହିବାକୁ ଇଚ୍ଛା ନଥିଲା। ରିଜାଇନ କରି ଆସିବାକୁ ଚାହିଁଲି।ମନେ ପଡୁଛି ଆସିବା ଦିନ ପ୍ରଥମ ଥର ପାଇଁ ଶାରଦା ମୋ ସହ କଥା ହୋଇଥିଲା ,ରୁମରୁ ବ୍ୟାଗ ନେଇ ଆସିବା ଦିନ ଡାୟରୀଟି ଛାତିରେ ଜାକି ମୋ ପାଖରେ ଆସି ଠିଆ ହେଲା ଆଉ କହିଲା ,ସତରେ ଆଉ ଫେରିବେନି ମିଷ୍ଟର ଚୌଧୁରୀ ?


    ଘରର ଅବସ୍ଥା କିଛି ଅଲଗା ଥିଲା,ନନା ନିଜ ବନ୍ଧୁ ଝିଅ ସହ ମୋର ବାହାଘର ତାରିଖ କାଢ଼ିସାରିଥିଲେ।ନିର୍ବନ୍ଧ ବି ସାରିଥିଲା।ନନାଙ୍କ ସାମ୍ନାରେ ମୁଣ୍ଡ ଟେକି କିଛି କହିପାରିନଥିଲି।ଘରକୁ ବୋହୂ ହୋଇ ଆସିଲା ପ୍ରୀତିନନ୍ଦା ,ପ୍ରୀତିର ମନ୍ଦାକିନୀ ଧାରା ଟିଏ ହୋଇ ।ଅଜାଡ଼ିଦେଇଥିଲା ନିଜର ସବୁକିଛି ମୋତେ।ତାକୁ ସ୍ତ୍ରୀ ରୂପେ ଯେ କେହି ପାଇଲେ ଖୁସି ହୋଇଥାନ୍ତା।ସ୍ତ୍ରୀଟିଏ ପ୍ରେମିକା ହୋଇପାରିନି କାହିଁକି ! ସେ ନିଜର ସବୁ ସମୟ ପରିବାର ପାଇଁ ବିତାଉଥିଲା ଆଉ ମାତ୍ର ୧୯ବର୍ଷ ରେ ବିବାହର ବର୍ଷକ ପରେ ଶାଶୁ ଶଶୁରଙ୍କୁ ଉପହାର ଦେଇଥିଲା ନାତିଟିଏ ,ଆହୁରି ଦୁରେଇ ଯାଇଥିଲା ମୋ ଠାରୁ।ସିପୁନର ଜନ୍ମ ପରେ ଆହୁରି ସୁନ୍ଦରୀ ହୋଇଉଠିଥିଲା ପ୍ରୀତି ,ହାତରେ ମୁଠାଏ ଚୁଡି ଆଉ ସୀମନ୍ତର ନାଲି ସିନ୍ଦୁର ପିନ୍ଧି ଅପରୁପା ଲାଗୁଥିଲା।


   ସିପୁନ ଧୀରେ ଧୀରେ ବଡ ହେଉଥିଲା ତାକୁ ପ୍ଲସ ଟୁ ପାଇଁ ହଷ୍ଟେଲରେ ଛାଡି ଆସିବା ପରେ ବହୁତ କାନ୍ଦିଥିଲା ପ୍ରୀତି ଆଉ ମୋ କୋଳରେ ଶୋଇ ସେଦିନ ସିପୁନ କଥା ହୋଉ ହୋଉ ଅଚେତ ହୋଇଗଲା।କଟକରୁ ଦିଲ୍ଲୀ ଏମ୍ସ ନେଲୁ।ବ୍ରେନ ଟ୍ୟୁମର ,ଅପରେସନ ରିସ୍କଫୁଲ ।କିନ୍ତୁ ପ୍ରୀତିନନ୍ଦାର ଜିଦ ଅପେରେସନ ହେବ।ମାନିବାକୁ ବାଧ୍ୟ ହୋଇଥିଲୁ ସବୁ କିନ୍ତୁ ବଞ୍ଚିପାରିଲେନି।ପାଦ ତଳୁ ମାଟି ଖସିଯାଇଥିଲା ନନା ବୋଉର ।ଜୀବନରେ ଦ୍ଵିତୀୟ ଥର ପାଇଁ ବହୁତ କାନ୍ଦିଥିଲି।


   ନିଜର ସବୁ ସ୍ନେହ ଦେଇ ପ୍ରୀତିର ଉପହାରକୁ ନନା ବୋଉ ବଢ଼ାଇ ଥିଲେ।ଯେଉଁ ଦିନ ସିପୁନ ସାଉଥ ଆଫ୍ରିକା ଯିବା ଠିକ ହେଲା ତାହା ପରେ ବୋଉ ଚାଲିଗଲା ହାର୍ଟଷ୍ଟ୍ରୋକରେ ।ସିପୁନ ମୋ ଗେଲ୍ହାପୁଅକୁ ତା ପିଲାଦିନ ସାଙ୍ଗ ମୁଗ୍ଧାକୁ ବାହା କରେଇଥିଲେ ବାପା।ଚିନ୍ତା ମୁକ୍ତ ହୋଇ ନନା ଚାଲିଗଲେ ୮୫ବର୍ଷରେ।


  ଭାରି ମନେ ପଡନ୍ତି ଶାରଦା,ପ୍ରୀତିନନ୍ଦା, ନନା ,ବୋଉ ଆଉ ମୁଁ ସମ୍ପୂର୍ଣ୍ଣ ଏକୁଟିଆ ଏଇ ବିଶାଳ ପୃଥିବୀରେ ..ପ୍ରୀତିର ଶେଷ କଥା-: ମୋ ବିନା ତୁମେ କେମିତି ରହିବ କୁହ,ତୁମକୁ ଦୁଃଖରେ ଦେଖିଲେ ମୋ ଆତ୍ମା ଶାନ୍ତି ପାଇବନି ଜମା।


  ରିଟାୟର୍ଡ ପରେ ସମୟ ସରେନି।ଅନେକ ଥର ଶାନ୍ତିନିକେତନରୁ କଲ ଆସେ।ଯିବାକୁ ଇଛା ହୁଏନି।୩୬ ବର୍ଷ ତଳେ ଶପଥ କରିଥିଲି କେବେ ଜୀବିନି ସେଠାକୁ ।ସେଠିକା ସବୁ ସ୍ମୃତିକୁ ଛାଡ଼ିଆସିଥିଲି।କିନ୍ତୁ ସେହି ସବୁ ସ୍ମୃତି ମୋ ପିଛା ଛାଡୁନଥିଲା।ବାହାରିଲି ଶାନ୍ତିନିକେତନ।ଦୁଇଦିନିଆ ସେମିନରରେ ଚିଫ ଗେଷ୍ଟ ଥିଲି ମୁଁ ,ଭାରତର କୋଣ ଅନୁକୋଣରୁ ଆସିଥିଲେ ଦର୍ଶନ ଶାସ୍ତ୍ରର ପ୍ରଫେସର ମାନେ।


   ଶେଷ ଦିନ ହଠାତ କାହାର କଣ୍ଠସ୍ୱର ଶୁଣି ରକ୍ତ ପ୍ରବାହ ଟିଏ ଖେଳିଗଲା ସର୍ବାଙ୍ଗରେ ଚିର ପରିଚିତ ସେ ଡାକ ମିଷ୍ଟର ଚୌଧୁରୀ....…


   ଶାରଦା !!ଶ୍ରୀମତୀ ଶାରଦା ଘୋଷ ଏତେ ଦିନ ପରେ 


   ଅନେକଟା ଚୁପଚାପ ରହୁଥିବା ଶାରଦା ପ୍ରଗଳ୍ଭ ହୋଇଉଠୁଥିଲା ମୋତେ ଦେଖି।ପଚାରୁଥିଲା ମୋ ପରିବାର ପିଲା ଛୁଆ କଥା।

ବୟସର ଛାପ ସ୍ପଷ୍ଟ ଦିଶୁଥିଲେ ବି ତା ମଧୁର୍ଯ୍ୟ ଟିକେ ବି ଉଣା ହୋଇନଥିଲା। ମୁଁ ପଚାରି ବସିଲି ତା ପରିବାର କଥା....

 ମୋ ପରିବାର କଣ ମିଷ୍ଟର ଚୌଧୁରୀ...ଆଗରୁ ଯେମିତି ଏବେବି ସେମିତି.....ବାବୁଜି ଚାଲିଗଲା ପରେ ସମ୍ପୂର୍ଣ୍ଣ ଏକା।


 ଆଉ ସ୍ୱାମୀ...?


ସ୍ୱାମୀ ସୋହାଗିନୀ ହେବାର ସୌଭାଗ୍ୟ ମୋର କାଇଁ ତୁମେ କଣ ଜାଣନା ତୁମ ଛାତ୍ରୀ ଥିବା ବେଳେ ମୁଁ ଥିଲି ବିଧବା।ଇଛା ଥିଲା ଦ୍ଵିତୀୟ ବିବାହ ପାଇଁ କିନ୍ତୁ ମୁଁ ମୋ ମନ କଥା କହିପାରିନଥିଲି ,ମୋତେ ଛାଡ଼ି ସେ ଚାଲିଯାଇଥିଲେ ବହୁତ ଦୂରକୁ ମୋ ଜୀବନରେ ଫଗୁଣ ଫେରିନଥିଲା ଖାଲି ଯାହା ତାର ସ୍ମୃତି ଏଇ ଡାୟରୀର କବିତାକୁ ମୋ ନିଃସଂଗ ଜୀବନର ସାଥି କରି ବଞ୍ଚିଛି ଆଉ ବି ବଂଚିଯିବି ଅବଶିଷ୍ଟ ତକ।କିନ୍ତୁ ମୋତେ ଭଲ ପାଉଥିବା ମଣିଷଟି ମୋତେ ଏଇ ୩୬ ବର୍ଷରେ ଥରେ ବି ମନେ ପକାଇ ନଥିଲେ.... ଶାରଦା ହାତରେ ଅକ୍ଷୁର୍ଣ୍ଣ ଭାବେ ଥିଲା ୩୬ବର୍ଷ ତଳେ ରୁମରେ ଛାଡିଯାଇଥିବା କବିତା ଡାୟରୀ।ତା ମାନେ କଣ ଶାରଦା ତୁମେ ବି ମୋତେ.......


ସିପୁନକୁ ସବୁ କହିଲା ପରେ ଫେରିଥିଲି ଓଡିଶା,ଫ୍ଲାଇଟରେ ସିପୁନ ବୁକ କରିଥିଲା ଦୁଇଟି ଟିକେଟ।


   ଆଜି ପ୍ରୀତିନନ୍ଦାର ଶ୍ରାଦ୍ଧ ପାଇଁ ସିପୁନ ଆଉ ମୁଗ୍ଧା ଓଡିଶା ଆସିଥାନ୍ତି।ଶ୍ରାଦ୍ଧ ସରିବା ପରେ ପ୍ରୀତିନନ୍ଦାର ଫୋଟୋକୁ ଦେଖି ପଛକୁ ଫେରେ ତ ଶାରଦା ଚା କପ ଧରି ଠିଆ ହୋଉଥିଲା ,ପ୍ରୀତିନନ୍ଦାର ଫୋଟୋରେ ମୁଁ ଦେଖୁଥିଲି ଆତ୍ମତୃପ୍ତିର ହସଟିଏ ।ଶାରଦା ଆଉ ମୋ ମୁଁହରେ ଲୁହ ମିଶା ଦୀର୍ଘଶ୍ଵାସ।

 


Rate this content
Log in

Similar oriya story from Tragedy