ଅପେକ୍ଷା ତତେ
ଅପେକ୍ଷା ତତେ
ରାୟଗଡା ଷ୍ଟେସନ ସମୟ ତିନିଟା । ହାତରେ ଟିଫିନ ବକ୍ସ ଧରି ଅପେକ୍ଷା କରିଛି ସ୍ୱପ୍ନା ତା ଭାବି ସ୍ୱାମୀଙ୍କୁ । ବାରମ୍ବାର ତାଗିଦ କରିଛନ୍ତି ଅର୍ଣ୍ଣବ, ଟ୍ରେନ ମାତ୍ର ପନ୍ଦର ମିନଟ ରହିବ ଷ୍ଟେସନରେ, ତୁମେ ଚିଲି ଚିକେନ୍ ବନେଇ ନେଇ ଆସିଥିବ ମୋ ପାଇଁ ସ୍ୱପ୍ନା । ମୁଁ ଅପେକ୍ଷା କରିଥିବି ତୁମ ହାତ ରନ୍ଧା ଖାଇ ମୁଁ ଗାଁକୁ ଯିବି । ଟ୍ରେନ ଆସିଛି କିନ୍ତୁ, ଅର୍ଣ୍ଣବ ଆସିନଥାନ୍ତି । ପୁରା ବଗିଟାକୁ ଚାରିଥର ବୁଲି ସାରି ଲାଣି ସ୍ୱପ୍ନା, ଅର୍ଣ୍ଣଵଙ୍କୁ କେଉଁଠାରେ ଦେଖିବାକୁ ପାଉନାହିଁ । ବିଚଳିତ ହୋଇପଡୁଛି । ଆଖିରୁ ଧାର ଧାର ଲୁହ ଗଡେଇ ବାରମ୍ବାର ପଚାରୁଛି ବାପାଙ୍କୁ(ଅବିନାଶ ବାବୁଙ୍କୁ) ଅର୍ଣ୍ଣବ କାହାନ୍ତି ବାପା --ମତେ ଆସିବାକୁ କହି ଆସିଲେନି କାହିଁକି ? ସେ କଣ ମତେ ଠକି ଦେଲେ!!ଏପରି ସବୁଦିନ ସେ ଷ୍ଟେସନକୁ ଟିଫିନ ନେଇ ଆସି ଅପେକ୍ଷା କରେ ।
ଅବିନାଶ ବାବୁ ସ୍ୱପ୍ନାକୁ ବୁଝେଇ ଶୁଝେଇ ଘରକୁ ନେଇ ଆସନ୍ତି । ତାଙ୍କ ପାଟିରେ ଝିଅକୁ ବୁଝେଇବାକୁ ଭାଷା ହିଁ ନଥାଏ । କଣ କହି ବୁଝେଇବେ ଝିଅକୁ ? କହିପାରିବେ ??? -ଅର୍ଣ୍ଣବ ଆଉ ନାହିଁ ---ତୁ ତାକୁ ଭୁଲି ଯା ମା --
ସବୁଦିନ ସକାଳେ ସ୍ୱପ୍ନାର ପାଗଳାମି ଆରମ୍ଭ ହୁଏ । ବିବାହ ଉପଲକ୍ଷେ ଆସିଥିବା ନାଲି ପାଟ ପିନ୍ଧି ସଜେଇ ହୋଇ ବସେ, ମେହେନ୍ଦୀ ଲଗାଏ, ଅଳତା ପିନ୍ଧେ ସମସ୍ତଙ୍କୁ ଡାକି ଡାକି କହେ ଆଜି ମୋର ବାହାଘର । ଡିଜେ ଵାଲାକୁ ଜଳଦି ଡାକ, ସିଏ ଏ ଯାଏଁ ଆସିନି କାହିଁକି । ବେଦୀ ସଜ୍ଜା ସଜ୍ଜି ସବୁ ଜଲଦି କର । ଭୋଜି ରନ୍ଧା ସରିଲାଣି କି ନାହିଁ ସେପଟୁ ସବୁ ବହାରିଲେଣି, ଆଉ କିଛି ସମୟ ପରେ ବରଯାତ୍ରୀ ଆସି ପହଞ୍ଚିବେ, ଅର୍ଣ୍ଣଵ ଜଷ୍ଟ୍ କଲ କରିଥିଲେ ମୋ ପାଖକୁ, ରୋଷଣୀ ନେଇ ବlହାରିଲେଣି କହି । ସେମାନଙ୍କ ଚର୍ଚ୍ଚାରେ ଯେମିତି କିଛି ଏପଟ ସେପଟ ନ ହୁଏ । କିନ୍ତୁ ବରଯାତ୍ରୀ ନ ଆସିବାରୁ ଅପେକ୍ଷା କରି କରି, ବ୍ୟତିବ୍ୟସ୍ତ କରିପକାଉଛି ସମସ୍ତଙ୍କୁ ବରଯାତ୍ରୀ କାହିଁକି ଆସିଲେନି କହି । ଅତ୍ୟଧିକ ଜିଦ କରି ରାହା ଧରି କାନ୍ଦୁଛି । ବେଳେ ବେଳେ ପାଗଲାମୀ ଅଧୁକ ବଢିଲେ ଓ ତାକୁ ବୁଝେଇବାରେ ଅସମର୍ଥ ହେଲେ ନିଶା ଇଞ୍ଜେକ୍ସନ ଦ୍ୱାରା ଶୁଆଇ ଦିଆଯାଉଛି ତାକୁ ।
ସ୍ୱପ୍ନା, ଅବିନାଶ ବାବୁଙ୍କ ଏକମାତ୍ର ଅଲିଅଳି ଗେଲା ଝିଅ । ଅର୍ଣ୍ଣବ ହେଉଛନ୍ତି ଦେବଦତ୍ତ ବାବୁଙ୍କ ପୁଅ । ଉଭୟେ ହେଉଛନ୍ତି ବନ୍ଧୁ । ଗୋଟିଏ ଗ୍ରାମର ନ ହେଲେ ବି ସହରରେ ଗୋଟିଏ ଶିକ୍ଷାଅନୁଷ୍ଠାନରେ ପଢା ସାରିଛନ୍ତି ଉଭୟେ । ପଢାବେଳର ବନ୍ଧୁ କିନ୍ତୁ ଉପଯୁକ୍ତ ବୟସରେ ପଦାର୍ପଣ ପରେ ବନ୍ଧୁର ସଂଜ୍ଞା ବଦଳି ପ୍ରେମର ରୂପ ନେଇଥାଏ । ପ୍ରେମର ବୀଜ ବଢି ବଢି ବିଶାଳ ବୃକ୍ଷ ହୋଇସାରିବା ପରେ ଆଉ ଦୁହେଁ ଦୁହିଁଙ୍କୁ ଛାଡି ଅଲଗା ରହିବା ମୁସ୍କିଲ ହୋଇ ପଡିଥାଏ । ଦୈଵ ଯୋଗକୁ ଅର୍ଣ୍ଣବଙ୍କର ଚାକିରୀ ବି ହୋଇ ଯାଇଥାଏ ଅହମ୍ମଦାବାଦ ଠାରେ । ଉଭୟ ପରିବାର ତ ଦୁଇଜଣଙ୍କ ପ୍ରେମ ବିଷୟରେ ଅବଗତ ଥାନ୍ତି । ଅର୍ଣ୍ଣବ ଙ୍ର ଚାକିରୀ ହେଇଯିବା ପରେ ଆଉ ବିଳମ୍ବ ନ କରି ଉଭୟଙ୍କର ବାହାଘର ପାଇଁ ମନସ୍ଥ କରି ଆୟୋଜନରେ ଲାଗିପଡ଼ିଥାନ୍ତି ଦୁଇ ପରିବାର । ସବୁ ପ୍ରସ୍ତୁତି ସରିଥାଏ । ଗୁଆ ଅନୁକୂଳ, ମାମୁଁ ନିମନ୍ତ୍ରଣ ବନ୍ଧୁ ବାନ୍ଧବ ଡକା ସବୁ ସରିଥାଏ । ସାନ ପୁଅ, ନିଜର ଶେଷ କାର୍ଯ୍ୟ ଭାବି ଖୋଜି ଲୋଡି ସମସ୍ତଙ୍କୁ ନିମନ୍ତ୍ରଣ କରିଥାନ୍ତି ଦେଵଦତ୍ତ ବାବୁ । ଅବିନାଶ ବାବୁ ବି ଏକମାତ୍ର ଝିଅର ବାହାଘର ପାଇଁ କୌଣସି ଉଣା ରଖି ନଥାନ୍ତି । ବାହାଘର ଯୋଡ଼ ବି କିଣା ସରିଥାଏ । ନିକଟ ସମ୍ପର୍କୀୟ କେତେଜଣ ବି ଆସି ସାରିଥାନ୍ତି ଉଭୟ ପରିବାରର । ଖାଲି ବାକି ଥାଏ ବେଦିରେ ବସି ବାହାଘରର । ଆଠ ତାରିଖରେ ବାହାଘର । ଅର୍ଣ୍ଣବଙ୍କର ଚାରି ତାରିଖରେ ଆସିବାର ଥାଏ ।
ଚାରି ତାରିଖ ଦିନ ଘରୁ ବାହାରି ଷ୍ଟେସନ ଆସିବା ପୂର୍ବରୁ ସ୍ୱପ୍ନାକୁ କହିରଖିଥାନ୍ତି ଅର୍ଣ୍ଣବ,ତାଙ୍କ ମନ ପସନ୍ଦର ଖାଇବା ବନେଇ ଆଣିଥିବା ପାଇଁ ଷ୍ଟେସନକୁ । ଅହମ୍ମଦାବାଦରୁ ଟ୍ରେନ ବାହାରିଲେ ରାୟଗଡା ଠାରେ ମାତ୍ର ପନ୍ଦର ମିନଟ ରହେ ଟ୍ରେନ । ସେହି ସ୍ୱଳ୍ପ ସମୟ ଭିତରେ ମନର ମାନସୀକୁ ଦେଖା କରି ନିଜ ଗାଁକୁ ଯିବା ପାଇଁ ଇଚ୍ଛା ଥାଏ ଅର୍ଣ୍ଣବଙ୍କର । କିନ୍ତୁ ନିଜ କର୍ମସ୍ଥଳୀରୁ ବାହାରି ବାଇକ ଯୋଗେ ଷ୍ଟେସନ ଆସିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶିକାର ହୋଇ ଥିଲେ ଅର୍ଣ୍ଣବ । ଅଜଣା ଜାଗା, ପରିବାର ଲୋକ କେହି ଅବଗତ ନ ଥାନ୍ତି ଦୁର୍ଘଟଣା ବିଷୟରେ । ସେମିତି ରାସ୍ତା ଉପରେ ପଡି ଛଟପଟ ହେଉଥିବା ସମୟରେ କେହି ଜଣେ ସହୃଦୟ ବ୍ୟକ୍ତି ହସ୍ପିଟାଲ ନେଇ ଯାଇଥାନ୍ତି ଅର୍ଣ୍ଣବଙ୍କୁ । କିନ୍ତୁ ବହୁତ ବିଳମ୍ବ ହୋଇଯାଇଥାଏ ସେତେବେଳେକୁ । ହସ୍ପିଟାଲ ଯିବା ବାଟରେ (ମସ୍ତିଷ୍କ ଆଘାତ ଲାଗିଥିବା ଯୋଗୁଁ ଓ ରକ୍ତ ମସ୍ତିଷ୍କରେ ଜମାଟ ବାନ୍ଧିବା କାରଣ )ରୁ ପ୍ରାଣ ବାୟୁ ଉଡି ଯାଇଥାଏ ଅର୍ଣ୍ଣବ ଙ୍କର । ମୋବାଇଲଟି କିନ୍ତୁ ସୁରକ୍ଷିତ ଥାଏ ପକେଟରେ ।
ମୋବାଇଲରେ ଶେଷ କଲରେ ସ୍ୱପ୍ନାର ନାମ ଥିବାରୁ ହସ୍ପିଟାଲ କର୍ମଚାରୀମାନେ ଓ ସ୍ୱପ୍ନl ପରିବାର ଲୋକଙ୍କୁ ପ୍ରଥମେ ଅବଗତ କରେଇଥାନ୍ତି ଅର୍ଣ୍ଣବଙ୍କର ମୃତ୍ୟୁ ବିଷୟରେ । କେହି କିନ୍ତୁ ବିଶ୍ୱାସ ହିଁ କରି ନଥାନ୍ତି ଏ ଖବର ପାଇ । କିଏ ବା କାହିଁକି ବିଶ୍ୱାସ କରିବ । ଅର୍ଣ୍ଣଵ କିଛି ଘଣ୍ଟା ପୂର୍ବରୁ ସମସ୍ତଙ୍କ ସହ ବହୁତ ଖୁସୀରେ କଥା ହୋଇଥାନ୍ତି ।
ତା ପରେ ପରେ ସ୍ୱପ୍ନାର ଏ ଅବସ୍ଥା ।
