Himalini Hota

Tragedy

3  

Himalini Hota

Tragedy

ଅପେକ୍ଷା ଚିଠିର

ଅପେକ୍ଷା ଚିଠିର

4 mins
193


Idea ଥିମ ବକ୍ସରୁ ଚିଠିର ମହକ ଦେଖି କଲେଜ ବେଳର ଗୋଟିଏ ଘଟଣା ମନକୁ ଆସିଗଲା । ମୋର କଲେଜ ବେଳରର ସାଙ୍ଗ ଥିଲେ ସୁରଭି ଓ ସଂକେତ । ସଂକେତ ଆମ ଗାଁ ପିଲା ଥିଲା କିନ୍ତୁ ସୁରଭି ଅନ୍ୟ କଲେଜରୁ ଆସିଥିଲା ଆମ କଲେଜକୁ ପଢିବା ପାଇଁ ତା ବାପାଙ୍କ ଟ୍ରାନ୍ସଫର ବେସିସରେ । ସୁରଭି ଦେଖିବାକୁ ଥିଲା ବହୁତ ସୁନ୍ଦର । ତୋଫା ଗୋରା, ମଧ୍ୟମ ଉଚ୍ଚ, ଛୋଟ ଛୋଟ କୁଞ୍ଚୁକୁଞ୍ଚିଆ ଚୁଟିରେ ତାର ଗୋଟେ ଛୋଟ ବେଣୀ କରି କଲେଜ ଆସେ ସବୁବେଳେ । ସଂକେତ ବି ଦେଖିବାକୁ ଥିଲା ସୁନ୍ଦର ଉଚ୍ଚତା ପାଞ୍ଚ ଫୁଟ ଆଠ ଇଞ୍ଚ ବର୍ଣ୍ଣ ଶ୍ୟାମଳ । ପ୍ରେମ କଣ ଦେଖେ ଉଚ୍ଚ, ନୀଚ୍ଚ ଜାତି, ଅଜାତି କଳା, ଗୋରା । ପ୍ରେମର ଫଗୁଣ ପ୍ରାୟ ସମସ୍ତଙ୍କ ଜୀବନରେ ଆସିଥାଏ । ଏମିତି କେହି ନାହିଁ ଏ ସଂସାରରେ ଯେ ସିଏ ଜୋର କରି କହି ପାରିବ ଯେ ସେ କେବେ ପ୍ରେମ କରି ନାହିଁ ବୋଲି । ହଁ କେତେ ନିଷ୍ଠୁର ଥିବେ ବୈରାଗୀ ଥିବେ କିନ୍ତୁ ସେମାନଙ୍କ ସଂଖ୍ୟା ବହୁତ କମ କହିଲେ ଚଳେ । ଛାଡ଼ନ୍ତୁ ଟପିକକୁ ଯିବା । ପ୍ରଥମ ଦେଖାରେ ଉଭୟେ ପ୍ରେମରେ ପଡି ଯାଇଥିଲେ । । ଆମ ସମାଜ କିନ୍ତୁ ଏ ପ୍ରେମ ଫ୍ରେମକୁ ମାନେ ନାହିଁ । ପ୍ରେମ ସବୁବେଳେ ଚକ୍ଷୁଶୂଳ ସମାଜ ଦ୍ୱାରା । ଯାହାର ଆମେ ବହୁତ ଉଦାହରଣ ପାଇ ପାରିବl ଇତିହାସର ପୃଷ୍ଠା ରୁ । କେଦାର-ଗୌରୀ, ହୀର-ରଂlଝା, ଲେଲା-ମଜନୁ, ଇତ୍ୟାଦି ଅନେକଙ୍କ ଜୀବନୀ କାହାଣୀ ପଢି । ପ୍ରେମ ଲୋକ ଲୋଚନକୁ ଆସିଗଲେ ପ୍ରେମିକଯୁଗଳଙ୍କୁ ନାକେଦମ ହେବାକୁ ପଡିଥଏ । ଅପରାଧୀ ପରି ତାକୁ ବିଭିନ୍ନ ପ୍ରକାର ଦଣ୍ଡ ସହିବାକୁ ହୋଇଥାଏ, ଉଭୟ ପରିବାର ଓ ବାହାର ଲୋକ ଦ୍ୱାରା ଅତ୍ୟାଚାରିତ ହୋଇଥାନ୍ତି ସେମାନେ । ଯେଉଁ ସମୟର କଥା କହୁଛି ସେତେବେଳେ ମୋବାଇଲର ବ୍ୟବହାର ନଥିଲା । କାଁ ଭାଁ କେତେ ଜଣଙ୍କ ଘରେ ଲେଣ୍ଡ ଲାଇନ ଫୋନ ଥିଲା । ମନର ଭାବନାକୁ ଅନ୍ୟ ଆଗରେ ପରିପ୍ରକାଶ କରିବାକୁ ଚିଠି ଉପରେ ନିର୍ଭର କରିବାକୁ ପଡୁଥିଲା ସମସ୍ତଙ୍କୁ । 

ସଂକେତ ଓ ସୁରଭି ଥିଲେ ଆମ କଲେଜର ବେଷ୍ଟ ଯୋଡି । ପାଠରେ ଶାଠରେ ସବୁଥିରେ ଆଗୁଆ ଦୁହେଁ, ବିନା ଟିଉସନରେ ମଧ୍ୟ ସେମାନେ ଶ୍ରେଣୀର ପ୍ରଥମ ରହୁଥିଲେ । କଲେଜର ଶେଷ ବର୍ଷର କଥା-- ଦିନେ ଉଭୟ ରାସ୍ତାରେ ହସ ଖୁସୀରେ କଥା ହେଇ କଲେଜ ଆସୁଥିବା ସମୟରେ ବାପାଙ୍କ ସାମ୍ନାରେ ପଡିଯାଇଥିଲା ସୁରଭି । ଆଜିକା ସମୟ ଭଳି ସେତେବେଳେ ପୁଅ ଝିଅ କଥାବାର୍ତ୍ତା ଉପରେ ଏତେ ସ୍ୱାଧୀନତା ନଥିଲା । ଗୋଟିଏ ପୁଅ ଓ ଝିଅ ସାଙ୍ଗ ପରି ଭଲ କଥା ହେଲେ ମଧ୍ୟ ଲୋକଙ୍କ ଚକ୍ଷୁରେ ଚକ୍ଷଶୂଳ ହେଇ ଯାଉଥିଲା । ଆଉ କିଏ ଦେଖିଥିଲେ ହୁଏତ ବୁଝେଇ ହୋଇ ପାରି ଥାନ୍ତା କିନ୍ତୁ ସୁରଭିର ବାପାଙ୍କୁ କେହି ବୁଝେଇ ପାରିବ ନାହିଁ ସେ ଥିଲେ ପ୍ରଚଣ୍ଡ ରାଗୀ ଓ ରକ୍ଷଣଶୀଳ ମଣିଷ । ଘରକୁ ଆସିଲା ପରେ ବିନା ପ୍ରଶ୍ନ ଉତ୍ତରରେ, ସେଦିନ ବହୁତ ମାଡ଼ ବସିଥିଲା ସୁରଭିକୁ ଏବଂ ସୁରଭିର ପାଠ ପଢା ସେଦିନ ଠାରୁ ବନ୍ଦ କରିଦେଇଥିଲେ ପରିବାର ଲୋକ ଏବଂ ତାକୁ ମାମୁଁ ଘରକୁ ପଠେଇ ଦେବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା । ବହୁତ ଭଲ ପାଠ ପଢୁଥିଲା ସୁରଭି ଏଇ ଛୋଟ ଘଟଣା (କେବଳ ଟିକେ କଥା ) ପାଇଁ ପରିବାର ଲୋକଙ୍କର ଏ ନିଷ୍ଠୁର ନିଷ୍ପତ୍ତିରେ ଭାଙ୍ଗି ପଡିଥିଲା ସୁରଭି । କିନ୍ତୁ ବାପାଙ୍କ ସାମ୍ନାରେ ପାଟି ଖୋଲିବାର ସାହସ ନ ଥିଲା ତାର । ମନରେ ତାର ଅନେକ ଭାବନା, ଏମିତି କଣ ସିଏ ଭୁଲ କରିଦେଲା !!!କାହାକୁ ଭଲ ପାଇବା କଣ ଭୁଲ? ଭଲ ପାଇଲା ବୋଲି କଣ ପରିବାର ଲୋକେ ତାର କେରିଅର ନଷ୍ଟ କରିଦେବେ? ବୋଉଙ୍କୁ କାନ୍ଦି କାନ୍ଦି ବହୁତ କହିବା ପରେ ମଧ୍ୟ ସେ ସୁରଭିର କଥାକୁ କର୍ଣ ପାତ କରିନଥିଲେ ଓଲଟି ତାକୁ ଅଧିକ ମାଡ଼ ମାରି ତାଙ୍କ ଭାଇଙ୍କୁ ତୁରନ୍ତ ଆସି ନେଇ ଯିବାକୁ କହିଥିଲେ । 

ସାଙ୍ଗର ଦୁଃଖ ସହିନପାରି ଆମେ ତିନି ଜଣ ସାଙ୍ଗ ଖବର ପାଇ ଯାଇ ମାଉସୀଙ୍କୁ ବୁଝେଇବା ପାଇଁ ବହୁତ ଚେଷ୍ଟା କରିଥିଲୁ, କିନ୍ତୁ ମାଉସୀ ଆମକୁ ଅପମାନିତ ଓ ତିରସ୍କାର କରି ଘରୁ ବାହାରି ଯିବାକୁ କହିଥିଲେ ସୁରଭିକୁ ସାହାଯ୍ୟ କରୁଥିବାରୁ । 

ଶେଷରେ ଲୋତକ ପୂର୍ଣ ନେତ୍ରରେ ଆମ ସାଙ୍ଗ ଆମ ଠାରୁ ବିଦାୟ ନେଇଥିଲା । କିନ୍ତୁ ମାଉସୀଙ୍କ ଅପାର କରୁଣାରୁ ସୁରଭିକୁ ତାଙ୍କ ମାମୁଁଙ୍କ ଗାଁ କଲେଜରେ ପଢିବାକୁ ଅନୁମତି ମିଳିଥିଲା । ସେତିକି ଥିଲା ଆମ ପାଇଁ ବହୁତ ଖୁସିର କଥା । ସେଦିନର ସୁରଭିକୁ ବିଦାୟ ଦେବା ବେଳର ଦୃଶ୍ୟ ମନ ପଡିଲେ ଏବେ ବି ହୃଦୟ କୋରି ହେଲା ପରି ଲାଗେ । 

ସଂକେତ କଥା ତ କହିଲେ ନ ସରେ ପ୍ରାୟ ପାଞ୍ଚ / ସାତ ଦିନ ଯାଏଁ ସେ ପାଗଳ ପରି କଲେଜ ଆସି, ରୁମରେ ସୁରଭି ବସୁଥିବା ଜାଗାରେ ବସି କାନ୍ଦୁଥାଏ । ଆଗକୁ ବୋର୍ଡ଼ ଫାଇନାଲ ଏକଜାମ ଥିବାରୁ ଆମେ ବହୁତ ବୁଝେଇବା ପରେ ଯାଇ ପଢା ପଢିରେ ଧ୍ୟାନ ଦେଲା ସେ । ଏବେ ପରି ଆମେ ପଢ଼ୁଥିବା ସମୟରେ ଟେଲିଫୋନ ବ୍ୟବସ୍ଥା ନ ଥାଏ । 

ଚିଠି ମାଧ୍ୟମରେ ଯାହା କଥାବାର୍ତ୍ତା । ସଂକେତ ଗୋଟିଏ ଉପାୟ ପାଞ୍ଚିଲା, ସୁରଭି ସହିତ ସହଯୋଗ ପାଇଁ, ଆମେ ସବୁ ବି ତା କଥାରେ ସମର୍ଥନ କରିଥିଲୁ । କଥା ହେଲା ସଂକେତ ଆମ ତିନି ଜଣ ସାଙ୍ଗଙ୍କ ନାମରେ ଚିଠି ପଠେଇବ ପ୍ରତି ମାସରେ ଏବଂ ସୁରଭି ଆମ ପାଖକୁ ଚିଠି ପଠେଇବ ସଂକେତ ନାମରେ । ଆମେ ସଂକେତକୁ ଦେବୁ । ଯେହେତୁ ଆମ ନାମରେ ଚିଠି ଯାଏ ତା ମାମୁଁ ଘରକୁ, ମାମୁଁ ଘରେ ମଧ୍ୟ ସନ୍ଦେହ କରିବାର ଅବକାଶ ନ ଥାଏ । କେବଳ ଅକ୍ଷର ଦ୍ୱାରା ହିଁ ଜାଣିପାରୁଥିଲା ସୁରଭି ସଂକେତର ଚିଠିକୁ । ଏବଂ ପ୍ରତିମାସରେ ଅପେକ୍ଷା କରି ରହୁଥାଏ ଆମ ମାନଙ୍କ ନାମରେ ପ୍ରେରିତ ସଂକେତର ଚିଠିକୁ । ସଂକେତ ବି ସୁରଭିର ଚିଠିକୁ ଅପେକ୍ଷା କରିଥାଏ ଆମ ମାନଙ୍କ ପାଖରୁ । 

ଏମିତିରେ ଗୋଟିଏ ବର୍ଷ ବିତିଗଲା । ଏକଜାମ ପରେ ପରେ ସଂକେତ ଚାଲିଗଲା ସୁଦୂର ହାଇଦ୍ରାବାଦ ଉଚ୍ଚ ଶିକ୍ଷା ପାଇଁ ଏବଂ ସୁରଭିର ମଧ୍ୟ ବାହାଘର ମଧ୍ୟ ଠିକ ହୋଇଯାଇଥିଲା । ଗ୍ରାଜୁଏସନ ପରେ ପରେ ଯିଏ ଯୁଆଡେ ଅଲଗା ହେଇଯାଇଥିଲୁ । ଶୁଣିଥିଲି ସୁରଭିର ବାହାଘର ଦିନ ପ୍ରଚୁର ଡ୍ରିଙ୍କ କରି ସଂକେତ ତା ବାପାଙ୍କ ଠାରୁ ବହୁତ ମାଡ଼ ଖାଇଥିଲା ବୋଲି । 



Rate this content
Log in

Similar oriya story from Tragedy