Sanjaya Panda

Drama Tragedy

3  

Sanjaya Panda

Drama Tragedy

ଅପା

ଅପା

4 mins
30



ବାଁ ପାଖ ତଳିପେଟରେ ହାଲ୍କା ହାତଚାପି ଗୋଟିଏ ଜାଗାରେ ବସିପଡି଼ଲା ସେ। ଆଖି ପାଉନଥିବା ଅପର୍ଯ୍ୟାପ୍ତ ବାଲୁକା ରାଶି, କଅଁଳା ବାଛୁରୀ ଡେଇଁଲା ଭଳିଆ

ଉଛୁଳି ପଡୁଥିବା ସେ ଢେଉମାନେ, ଡୁବି ଆସୁଥିବା ଦରପାଚିଲା ସୂର୍ଯ୍ୟର ମନକିଣା ରଙ୍ଗ, ସମୁଦ୍ରର ପେଟ ଉପରେ ଓହଳି ପଡ଼ିଥିବା ଆକାଶ; ସବୁ ଯେମିତି ଏକ ସ୍ୱରରେ ପଚାରୁଥିଲେ।

 -କ'ଣ ହେଲା !


ଉତ୍ତର ଦେବାକୁ ଚାହୁଁ ନଥିଲା ଚନ୍ଦ୍ରିକା, ତାହା ନୁହେଁ। ବରଂ ସେହି ଏକା ପ୍ରଶ୍ନର ବୁଢ଼ିଆଣୀ ଜାଲରେ ସେ ଛନ୍ଦିହୋଇ ଏବେ ଏବେ ହସ୍ପିଟାଲ ଛାଡ଼ି ଚାଲିଆସିଛି ସମୁଦ୍ର କୂଳକୁ। କାହିଁକି କେଜାଣି ଏ ସମୁଦ୍ର କୂଳ ତାକୁ ଭାରି ଭଲ ଲାଗେ। କେଉଁ ଯୁଗର ତା ସହିତ ସମ୍ପର୍କ ବି ଜାଣେନା । ହେଲେ ଜୀବନର ଅଙ୍କ କଷୁ କଷୁ ଯେବେବି କିଛି ଅବୁଝା ରହିଯାଏ ସେ ଆସି ଏହି ସମୁଦ୍ର କୂଳରେ ବସିପଡ଼ି ମନକୁ ମନ ସମୁଦ୍ରକୁ ପଚାରେ ।

ଆଜିବି ସେମିତି ଏକ ଜଟିଳ ପ୍ରଶ୍ନ !

କଣ ହେବ ଏବେ ?

କଣ ହେବ ମୁଁ ଜାଣେନା । ଆଶାକରିବା ବି ମୁଁ ଛାଡି଼ଦେଇଛି । ମୋ ଅତୀତ ପୃଷ୍ଠା ଓଲଟାଇଲେ ଭାସିଆସେ କେବଳ ତ ନିରାଶାର ଗନ୍ଧ । ତେଣୁ ଆଶା କରିବାର ସାହସ ଜୁଟେଇ ପାରୁନି ।

ମନେ ମନେ ସେହି ନିର୍ଜୀବ ବାଟୋଇ ମାନଙ୍କୁ ଉତ୍ତର ଦେବାର ନିଷ୍ଫଳ ଚେଷ୍ଟା କରୁଥିଲା ଚନ୍ଦ୍ରିକା ।


ଡାକ୍ତରଖାନାରେ ନର୍ସ ହୋଇ ରହିବା ଦିନ ଠାରୁ ଏମିତି କେତେ ରୋଗୀ ଆସିଛନ୍ତି, କେତେ ରୋଗୀଙ୍କ ଅପରେସନରେ ସେ ଡାକ୍ତର ବାବୁଙ୍କ ସହ ଆସିଷ୍ଟାଣ୍ଡ ହୋଇ ସହଯୋଗ କରିଛି। କେତେ ଯନ୍ତ୍ରଣା, କଷ୍ଟ, ବୁକୁଫଟା ଚିତ୍କାରକୁ ସେ ହଜମ କରିଛି। ଆଉ ଦରକାର ପଡି଼ଲେ ରୋଗୀର ପରିବାର ଲୋକଙ୍କୁ ସେ ତୁନି ବି କରିଛି । ଡାକ୍ତରଖାନାରେ ଏକଥା ସମସ୍ତେ ଜାଣନ୍ତି । ସେ ଭାରି ସାହସୀ ଆଉ ପରୋପକାରୀ । କିନ୍ତୁ ଆଜି ସମସ୍ତେ ଆଚମ୍ବିତ ହୋଇଥିଲେ ସେ ଅଜଣା, ଆଉ ଠିକଣା ନଥିବା କିଡିନି ରୋଗୀର ଯନ୍ତ୍ରଣା ତା ଆଖିରେ କେମିତି ନେଇ ଆସିଥିଲା ଅସରାଏ ବାଦଲ ଫଟା ବର୍ଷାର ଲୁହ । ସେ ଲୁହ କିନ୍ତୁ ଗାଉନଥିଲା କେବଳ ପରୋପକାରର ସ୍ୱର । ସେଥିରେ ଥିଲା କିଛି ସ୍ନେହ,ଭଲପାଇବା ମିଶା ଅନୁତାପର ରାଗିଣୀ ।


  ଜଣାପଡିଲା ସେ ଲୋକର ଗୋଟେ କିଡିନି ସମ୍ପୂର୍ଣ ନଷ୍ଟ ହୋଇଛି ଆଉ ତାହା ପୁଣି ଅତ୍ୟଧିକ ମଦ୍ୟପାନ ଯୋଗୁଁ ।

  -ତାକୁ ବଞ୍ଚେଇବାକୁ ହେଲେ ଆଜି ହିଁ ନିହାତି କିଡିନି ଟ୍ରାନ୍ସପ୍ଲାଣ୍ଟ କରିବା ଉଚିତ୍ । 

ଡାକ୍ତର ଶ୍ରୀନିବାସ ଯେତେବେଳେ ରୋଗୀର ପରିବାର ଲୋକଙ୍କୁ ଖୋଜୁଥିଲେ। 

  - ସାର ! ମୁଁ ଦେବି କିଡିନି । ବଞ୍ଚେଇଦିଅନ୍ତୁ ତାକୁ ।

ଏକ ନିଶ୍ୱାସରେ କହିଗଲା ଚନ୍ଦ୍ରିକା। 

  - କିନ୍ତୁ... ଚନ୍ଦ୍ରିକା ଜଣେ ଅନ୍ୟ ଲୋକ ପାଇଁ...ଏତେ ବଡ଼ ରିସ୍କ !

  - ବହୁତ ଲେଟ ହୋଇଯିବ ସାର୍ । ପ୍ଲିଜ୍...

 ଗଣ୍ଡଦେଶରେ ବୋହି ଆସୁଥିବା ଲୁହକୁ ସାମାନ୍ୟ ପୋଛିଦେଇ ବ୍ୟସ୍ତ ବିବ୍ରତ ଭାବରେ ଅନୁରୋଧ କଲା ଚନ୍ଦ୍ରିକା ।

  - ଓକେ ଓକେ ରିଲାକ୍ସ ।

 

ମନ ଖୋଲି କହିଦେବାକୁ ଇଛା ହେଲେ ବି ତାକୁ ଚୁପ ରହିବାକୁ ପଡୁଥିଲା ଅତୀତର ସେହି ଝଡ଼ ପାଇଁ । କେମିତି କହିପାରିଥାନ୍ତା ସେ ରୋଗୀ ଜଣକ କେହି ପର ନୁହେଁ ତା'ର ଅତି ପ୍ରିୟ ସାନଭାଇ ଚନ୍ଦନ ବୋଲି । ସମ୍ପର୍କର ସୁତା ଖିଅକୁ ତ ସେ ହିଁ ନିଜେ ଟାଣି ଓଟାରି ଛିଡେ଼ଇ ଦେଇଥିଲା ଦିନେ । ବାପା ମାଆଙ୍କର ଅକାଳ ବିୟୋଗ ପରେ ଘରର ବଡ଼ ଝିଅ ହିସାବରେ ତାର ଦାଇତ୍ୱ ଥିଲା ସାନ ଭାଇକୁ ବଡ଼ ମଣିଷ କରିବାର । କିନ୍ତୁ ସେ କଲା କଣ ! ଭାଇର ସବୁ ସ୍ନେହ ପ୍ରେମକୁ ପଛରେ ପକେଇ ସେ ବାଛି ନେଇଥିଲା ତା ନିଜ ସୁଖକୁ, ନିଜ ସ୍ୱାର୍ଥକୁ,ନିଜ ପ୍ରେମକୁ । 


  ସେ ନିଜକୁ ଦାୟୀ କରୁଥିଲା ତା ଭାଇର ଏମିତି ଅବସ୍ଥା ପାଇଁ । ଆଜି ସେ ପଶ୍ଚାତାପର ନିଆଁରେ ଡହ ଡହ ହୋଇ ଖୁବ ଜଳୁଥିଲା । ହୃଦୟ ଭିତରେ କେଉଁ କାଳରୁ ସାଇତା ହୋଇ ରହିଥିବା ଲୁହର ଏକ ବିରାଟ ପିଣ୍ଡୁଳା ବରଫ ଭଳି ତରଳିବାକୁ ଲାଗିଥିଲା । 


ଇଛା ହେଉଥାଏ ସେ ଶୋଇ ଯାଆନ୍ତା ଅମାପ ବାଲୁକା ରାଶିର ବିସ୍ତୀର୍ଣ୍ଣ ସେ ଛାତି ଉପରେ। ସେଇଠି ଅଜାଡି଼ ଦିଅନ୍ତା ସେ ତାର ସବୁ ଦୁଃଖକୁ । ଆଉ ଏ ସମୁଦ୍ର ଚାଟି ନିଅନ୍ତା ତାକୁ ତା ନେଳିଆ ଜିଭରେ । ତାପରେ ଭୁଲି ଯାଆନ୍ତା ଫେରେଇ ବାକୁ ।


ଠିକ ଯେମିତି ଫେରେଇବାକୁ ଭୁଲି ଯାଇଛି ନେଇଥିବା ତା ଖୁସିର ଦିନ ସବୁକୁ । କାଲି ଭଳି ଲାଗୁଛି। 

ନର୍ସିଙ୍ଗ ଟ୍ରେନିଂ ନେଲା ବେଳର ଦିନ ସବୁ । ସମ୍ବିତ୍, ଚନ୍ଦନ ଆଉ ସେ, କେତେ ଥର ଆସିଛନ୍ତି ଏଠାକୁ। ସନ୍ଧ୍ୟାରୁ ରାତି ହେବାଯାଏ କେତେ ବୁଲା, କେତେ ଖେଳ, ମଜାମସ୍ତି, ଗପସପ, ବାଦାମ ଭଜାର ସ୍ୱାଦ, ଏବେ ବି ମନେ ପଡ଼ିଯାଏ ସବୁକିଛି । ସମ୍ବିତ୍ କେବଳ ଚନ୍ଦନର ଅତି ପ୍ରିୟ ସାଙ୍ଗ ନଥିଲା, ଚନ୍ଦ୍ରିକାର ମଧ୍ୟ ଥିଲା ଅତି ପ୍ରିୟ। ପ୍ରିୟଠୁଁ ଆହୁରି ବଳି କହିଲେ ଚଳେ। ବୟସରେ ସାନ ହେଲେବି ସମ୍ବିତ୍ ଚନ୍ଦ୍ରିକାକୁ ନେଇ ସ୍ବପ୍ନ ଦେଖିବା ଆରମ୍ଭ କରିଥିଲା ମନେ ମନେ। ସେ ସ୍ୱପ୍ନର ବେଗ ଏତେ ତୀବ୍ର ଥିଲାଯେ ତାହା ଖୁବ୍ କିଛିବାଟ ଆଗେଇ ଯାଇଥିଲା ବାସ୍ତବତାଠାରୁ । କୁହାଯାଏ ପ୍ରେମ ବୟସ ଦେଖେନି । ବୋଧହୁଏ ଏଇକଥା ସତ ପ୍ରମାଣିତ ହୋଇଥିଲା ଚନ୍ଦ୍ରିକା ପାଖରେ । ନିଜ ଅଜାଣତରେ ସେ ବି ନିଜ ମନ ଆଉ ହୃଦୟରେ ଜାଗାଟିଏ ତିଆରି କରିସାରିଥିଲା ସମ୍ବିତ୍ ପାଇଁ । 


  ଏ ସମ୍ପର୍କ କିନ୍ତୁ ପାଚେରୀ ହୋଇ ଠିଆ ହେଲା ଗୋଟେ ଭାଇ ଓ ଭଉଣୀର ସମ୍ପର୍କ ମଝିରେ । ଗୋଟେପଟେ ବନ୍ଧୁତା ଆଉ ଭଉଣୀର ସ୍ନେହ ଅନ୍ୟପଟେ ଲୋକ ଲଜ୍ଜାକୁ ତଉଲିବାକୁ ଯାଇ ଚନ୍ଦନ କିନ୍ତୁ ବାଛିନେଇଥିଲା ସେଦିନ ମଦ ଆଉ ନିଃସଙ୍ଗତାକୁ । 

 ଏଥିରେ କିଛି ଫରକ ପଡ଼ିନଥିଲା ଚନ୍ଦ୍ରିକାର । ବରଂ ସେ ବେଶ୍ ସହଜରେ ନିଜ ଭାଇ ପରିବାରକୁ ଭୁଲି ସମ୍ବିତ୍ ସହ ସଂସାର ଡଙ୍ଗାକୁ ଆଗକୁ ବାହିନେଇଥିଲା । କିନ୍ତୁ ହେଲା କଣ ! ଯାହାପାଇଁ ଚନ୍ଦ୍ରିକା ଦୁନିଆଁ ଛାଡ଼ିଥିଲା, ନିଜ ଭାଇକୁ ପର କରିଥିଲା ସେ ଏତେ ସହଜରେ ତା ହାତ ଛାଡି଼ଦେଇପାରିଲା !


କଥାରେ ଅଛି ଦେହ ପୋଡ଼ିଗଲେ ସମସ୍ତେ ଜାଣନ୍ତି କିନ୍ତୁ ମନ କଥା ମନରେ ରହେ । ଅନ୍ୟକୁ ପୋଡା଼ ବାସ୍ନା ନହେଲେବି ନିଜକୁ ଖୁବ୍ ବାସେ । ଖୁବ୍ ବାଧେ । ଏମିତି ଦିନେ ପୋଡି଼ଗଲା ଚନ୍ଦ୍ରିକାର ହୃଦୟ । ସମ୍ବିତର ମୋବାଇଲ୍ ଗ୍ୟାଲେରୀ ଦେଖୁ ଦେଖୁ ହଟାତ୍ ଯେବେ ଆଖିରେ ପଡି଼ଯାଇଥିଲା କେତେଟା ଅତି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ କେଉଁ ଜଣେ ଅଚିହ୍ନା ଯୁବତୀ ସହ । 

ହଟାତ୍ ମୋବାଇଲ ବାଜିଉଠିବାର ଶବ୍ଦ। ସ୍କ୍ରିନ ଉପରେ ସିଷ୍ଟର ତନୁସାର ନମ୍ବର।

- ଚନ୍ଦ୍ରିକା....ସେ ଲୋକର ସେନ୍ସ ଫେରିଛି । ଆଉ ସେ ଖାଲି ଅପା ଅପା ବିଳ୍-ବିଳାଉଛି। 

ଆଉ କିଛି କହିବା ପୂର୍ବରୁ କଲ୍ କାଟିଦେଇ ଡାକ୍ତରଖାନା ଆଡ଼କୁ ମୁହେଁଇଲା ଚନ୍ଦ୍ରିକା। 

ଏବେ ଅନୁଭବ ହେଉଥିଲା ସତରେ ବୋଧେ ଏ ସମୁଦ୍ର ଯାହା ନିଏ ସବୁ ପୁଣି ଫେରେଇ ଦିଏ ।


Rate this content
Log in

More oriya story from Sanjaya Panda

Similar oriya story from Drama