ଅନୁତାପ
ଅନୁତାପ
ପାହାଡ଼ର ପାଦ ଦେଶରେ ଏକ ଶବର ବସ୍ତି । ବସ୍ତିରେ ରୁହୁଥିଲେ ଆଠରୁ ଦଶ ପରିବାର । ଜଙ୍ଗଲରୁ ଫଳ ମୂଳ, ଲାଖ ଝୁଣା, ଜଙ୍ଗଲୀ ଚେରମୁଳିକା ସଂଗ୍ରହ କରି ତାକୁ ବିକି ନିଜର ଜୀବିକା ପ୍ରତିପୋଷଣ କରୁଥିଲେ ସେ ବସ୍ତିର ଲୋକମାନେ । ତତ୍ସହିତ ପାହାଡ଼ ଉପରେ କିଛି କିଛି ଜାଗାକୁ ପୋଡି ମାଣ୍ଡିଆ, ସୁଆଁ, କାଙ୍ଗୁ ଆଦି ଆଦାୟ କରୁଥିଲେ ପୋଡ଼ୁ ଚାଷ ଦ୍ୱାରା । ସେଇ ଆଠରୁ ଦଶ ପରିବାର ମଧ୍ୟରେ ବାସ କରୁଥିଲା ଅଜୟ ହେମ୍ବ୍ରମ ନିଜ ପରିବାରକୁ ନେଇ, ପରିବାର କହିଲେ ସେ ତା ତିରିଲା ଆଉ ତାର ଗୋଟେ ନନୀ । ଭାରି ଆଦର କରୁଥାଏ ନନୀକୁ ସିଏ । ପାଠ ଦୁଇ ଅକ୍ଷର ପଢେଇବା ପାଇଁ ସବୁବେଳେ ଚେଷ୍ଟା କରୁଥାଏ ନନୀକୁ ତାର । ନିଜେ ତ ସିଏ ମୂର୍ଖ କିନ୍ତୁ ତାର ଆଶା ତାର ନନୀ କେମିତି ଦୁଇ ଅକ୍ଷର ପଢିବ ।
ଅନୁନ୍ନତ ଅଞ୍ଚଳରେ ବିଦ୍ୟାଳୟର ବ୍ୟବସ୍ଥା ନ ଥିବାରୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲେ ମଧ୍ୟ ସେ ନିଜ କାନ୍ଧରେ ବୋହି ବୋହି ନିଜ ନନୀକୁ ନେଇ ଦୂରରେ ଥିବା ଏକ ଛୋଟିଆ ସହରର ପ୍ରାଥମିକ ବିଦ୍ୟାଳୟରେ ପାଠ ପଢେଇବାକୁ ମନସ୍ତ କରିଥିଲା ହେମ୍ବ୍ରମ ।
ସୂରୁଜ ନ ଉଉଁଣୁ ଯାଉ ଲୁଣ ଟିକେ ଖାଇ ବାପା ଝିଅ ପଟା ମୁଣା ଧରି ବାଟ ଚଲା ଆରମ୍ଭ କରୁଥିଲେ ।
ବାଟ ସାରା ଜଙ୍ଗଲୀ ଫୁଲ ତୋଳି ତୋଳି ନନୀ ତାର କେତେବେଳେ ଚାଲି ତ ଆଉ କେତେବେଳେ ତାର ବୁଆର କାନ୍ଧରେ ବସି ବାଟ ଚାଲୁଥାଏ ।
ନନୀକୁ ବିଦ୍ୟାଳୟରେ ଛାଡି ଜଣେ ବାବୁ ଘରେ କାମ କରେ ଅଜୟ ହେମ୍ବ୍ରମ । କାମ ସରିଲା ପରେ ବାବୁ ଘରୁ ରୁଟି କି ଭାତ ମୁଠେ ନେଇ ନନୀକୁ ଦେଇ ଆସେ । ଏବଂ ସନ୍ଧ୍ୟା ବେଳେ କାମ ସାରି ନନୀକୁ ଧରି ନିଜ ଶବର ବସ୍ତି ଅଭିମୁଖେ ଫେରି ଆସୁଥିଲା ହେମ୍ବ୍ରମ ।
ଏମିତି ଦିନ ସବୁ ଗଡି ଚାଲୁଥିଲାଏ । ନନୀ ବି ବହୁତ ଭଲ ପାଠ ପଢୁଥିଲା ବିଦ୍ୟାଳୟରେ । ବୁଆକୁ ତାର ଅଙ୍କ ମାନଙ୍କର ହିସାବ ବତେଇଦେଲା ବେଳକୁ ଖୁସିରେ ଦୁଇ ଟୋପା ଲୁହ ଝରି ପଡୁଥିଲା ଅଜୟ ହେମ୍ବ୍ରମର ।
ବଜାର ବାଟ ଓ ସାଉକାରକୁ ସୁଧ ଗଣିଲା ବେଳକୁ ତାର ଆଉ ଅସୁବିଧା କିଛି ହେବନି ଭାବି । ବିଦ୍ୟାଳୟରେ ପ୍ରଥମ ହେଉଥିଲା ନନୀ । ମଝିରେ ମଝିରେ ବାବୁ ଘର ଆଡ଼େ ମଧ୍ୟ ବୁଲେଇ ନେଉଥିଲା ନନୀକୁ ଅଜୟ ହେମ୍ବ୍ରମ । ବାବୁ ବାବୁଆଣୀ ଖୁବ ସ୍ନେହ କରୁଥିଲେ ନନୀକୁ ।
। ନନୀକୁ ମଧ୍ୟ ବାବୁ ଘର ପରିବାର ବହୁତ ଭଲ ଲାଗେ । ଛୁଆ ବେଳୁ ପତ୍ର କୁଡ଼ିଆରେ ବଢି ଆସୁଥିବା ନନୀକୁ ବାବୁ ଘର ସହରୀ ସଭ୍ୟତାର ଚକଚକ୍ୟ ଭରା ଘର ବହୁତ ଭଲ ଲାଗୁଥିଲା । ମଝିରେ ମଝିରେ କେବେ କେବେ ସେ ତାଙ୍କ ଘରେ ରହିଯାଉଥିଲା ଖୁସିରେ, ବୁଆ ସହ ତା ବସ୍ତିକୁ ନ ଯାଇ ।
ଖୁସୀର ଦୁନିଆ ଏମିତି ଚାଲିଥିବା ବେଳେ ଦୁଃଖର କଳା ବାଦଲ ମାଡି ଆସିଥିଲା ବାବୁ ଘର ପରିବାର ଉପରକୁ । ଗୋଟିଏ ସଡ଼କ ଦୁର୍ଘଟଣାରେ ବାବୁ ହୋଇଯାଇଥିଲେ ଆକାଶର ଚିକି ମିକ ତାରା । ବାବୁଆଣୀଙ୍କ ସହ ମିଶି ସେଦିନ ବହୁତ କାନ୍ଦିଥିଲା ନନୀ । ତା ପର ଠାରୁ ସେ ବାବୁଆଣୀଙ୍କ ଅନୁରୋଧରେ ବାବୁ ଆଣିଙ୍କ ପାଖରେ ରହିଯାଇଥିଲା ତାଙ୍କୁ ସହାଚର୍ଯ୍ୟ ଦେବା ପାଇଁ । ବୁଆ କେବଳ କାମ ସାରି ଏକା ଗାଁକୁ ଚାଲିଯାଉଥିଲା,
,ଘରେ ତା ମା ଏକା ରୁହେ । ବାବୁଆଣୀଙ୍କ ଠାରୁ କେତେ ସ୍ନେହ ପାଇଲେ ମଧ୍ୟ ତାର ମାର ପଣତ କାନିର ବାସ୍ନାକୁ ଝୁରି ହେଉଥିଲା ନନୀ ।
ବାବୁଆଣୀ ବହୁତ ଥର ପ୍ରସ୍ତାବ ଦେଇଥିଲେ,
ତା ବୁଆକୁ ତିରିଲାକୁ ଆଣି ଏଠାରେ ରଖିବା ପାଇଁ, ମା କିନ୍ତୁ ମନା କରିଦିଏ, ତାକୁ ଏ ସହରର ଚlକଚକ୍ୟ ଭରା ଜୀବନ ଆଦୌ ଭଲ ଲାଗେ ନାହିଁ । ତା ଜଙ୍ଗଲ ଭଲ ତ ସେ ଭଲ । ଜଙ୍ଗଲ ତାରି ମା । ସେମାନେ ସହରକୁ ଗଲା ପରେ ଦିନସାରା କାଠ ପତର ଜଙ୍ଗଲୀ ଫଳ ଶାଗ ପତର ସଂଗ୍ରହରେ ଦିନ ବିତି ଯାଏ ତାର । ସହରୀ ଲୋକଙ୍କର ମାନସିକତାକୁ ଘୃଣା କରେ ସେ । କିନ୍ତୁ ଝିଅ ଯେହେତୁ ପାଠ ପଢୁଛି ସହରରେ ସେ ସବୁକୁ ଆଖି ବୁଜି ସହି ଯାଉଥିଲା ସେ ।
ବାବୁଆଣୀ ଏଥର ତା ପଢା ଖର୍ଚ୍ଚ ସବୁ ତୁଲାଉ ଥିଲେ । ତା ବୁଆକୁ ମଧ୍ୟ ଆଗ ଠାରୁ ଅଧିକ ଟଙ୍କା ଦେଉଥିଲେ ଘର ଖର୍ଚ୍ଚ ପାଇଁ ।
ବୁଆ ଏବେ ହେଇଯାଇଥିଲା ବାବୁଆଣୀଙ୍କ ହାତର କାଷ୍ଠ ପୁତ୍ତଳିକା । ଏମିତି କି ତାଙ୍କର ବିନା ଆଜ୍ଞାରେ ନିଜର ତିରିଲା ପାଖକୁ ମଧ୍ୟ ଯାଉ ନଥିଲା ।
ଛୋଟ ଝିଅ ନନୀ ଏସବୁ କିଛି ବୁଝି ନ ପାରିଲେ ମଧ୍ୟ ତାକୁ କେମିତି ଗୋଟେ ଖାପଛଡା ଲାଗୁଥିଲା । ବାବୁ ଆଣିଙ୍କ ତା ବୁଆ ପ୍ରତି ଅତ୍ୟଧିକ ସ୍ନେହ, ଆଉ ଆଖିର ଚାହାଣି କେଜାଣି କାହିଁକି ତାକୁ ବହୁତ ଖରାପ ଲାଗୁଥିଲା । ଦିନେ ଦିନେ ତ ତା ବୁଆ ପାଞ୍ଚରୁ ସାତ ଦିନ ଯାଏଁ ଘରକୁ ଯାଉନଥିଲା । ମା ତାର ସେଠି ଆଖିରୁ ଲୁହ ଗଡେଇ ବସି ରହୁଥିଲା ବୁଆର ବାଟ ଚାହିଁ ଚାହିଁ ।
ଦିନେ ବୁଆ ସହ ତାଙ୍କ ବସ୍ତିକୁ ଯାଇଥିବା ସମୟରେ ମାର ଆଖିର ଲୁହ ଓ ବୁଆର ଦେଶୀ ମହୁଲି ପିଇ ମାଆକୁ ବାଡ଼ିଆପିଟା ଦେଖି ପରିସ୍ଥିତି ବିଷୟରେ କିଛି କିଛି ବୁଝିବାକୁ ସକ୍ଷମ ହୋଇଥିଲା ତାର ପିଲା ମନ ।
ସେ ଦିନ ତ ଏପରି ହୋଇଥିଲା ଘର ଭିତରୁ ତାର ମାଆକୁ ବାଡେଇ ବାଡେଇ ବାହାରକୁ କାଢ଼ିଦେଇଥିଲା ତାର ବୁଆ,ଏ ଘରେ ତାର ଜାଗା ନାହିଁ କହି । ନନୀ ମାକୁ ଧରି କାନ୍ଦିବାରୁ ନନୀକୁ ମଧ୍ୟ ଭୀଷଣ ମାଡ଼ ପଡିଥିଲା । ମାଡ଼ ଖାଇ ଗୋଡ଼ ହାତ ଦରଜ କରୁଥିଲା ତାର, ମାର ପଣତ କାନିରେ ଲୁହ ଭିଜେଇ ଶୋଇପଡିଥାଏ ନନୀ । ଆଉ ତାର ପାଠ ପଢିବାକୁ ସହରରେ ଯାଇ ବିଲକୁଲ ଇଚ୍ଛା ନ ଥିଲା । ସେଇ ଜଙ୍ଗଲରେ ଜନ୍ମ ତାର ସେ ଜଙ୍ଗଲରେ ସେ ମରିବ ଦି ଅକ୍ଷର ତ ସିଏ ପଢ଼ିସାରିଥିଲା ଆଉ ତାର ପାଠ ପଢା ଦରକାର ନାହିଁ । ତାର ପାଠ ପଢିବା ଯୋଗୁଁ ସେ ତା ବୁଆକୁ ହରେଇ ସାରିଥିଲା ବୋଲି ମନେ ମନେ ବହୁତ ଦୁଃଖିତ ହୋଇ ତା ନିଜର ପଢା ହିଁ ସବୁ ଅନର୍ଥର କାରଣ ଥିଲା ବୋଲି ଭାବୁଥିଲା ସେ । । ସେ ଆଉ କେବେ ତା ମାକୁ ଛାଡି ଯିବ ନାହିଁ ନିଷ୍ପତ୍ତି କରିଥିଲା ମନେ ମନେ । ଯେଉଁ ସହରର ଚାକଚକ୍ୟ ସଭ୍ୟତା ତା ଠାରୁ ଓ ତା ମା ଠାରୁ ତା ବୁଆକୁ ଛଡେଇ ନେଇଥିଲା ସେ ସହରକୁ ଯାଇ ତାର ଆଉ ପାଠ ପଢିବାକୁ ଜମା ଇଚ୍ଛା ନ ଥିଲା ।
ସେ ଯେ ବୁଆର କଥା ମାନି ପାଠ ପଢି ବହୁତ ବଡ଼ ଭୁଲ କରିଛି ସେ ପାଇଁ ବହୁତ ଅନୁତାପ ବି କରୁଥିଲା । ଏବଂ ତାର ମାକୁ ବୁଝେଇବାକୁ ବହୁତ ଚେଷ୍ଟା କରିଥିଲା ।
ବୁଆ ତାର ଯେତେ ବାଧ୍ୟ କରିଥିଲେ ମଧ୍ୟ ସେ ଆଉ ପଢିବାକୁ ଯାଇ ନଥିଲା ବରଂ ଯେତିକି ପଢ଼ିଛି ସେତିକିରେ ହିଁ ରହିଯିବାକୁ ଉଚିତ ମନେ କରିଥିଲା । ସେ ମନା କରିବା ପରେ ବୁଆ ତାର ଏକା ଏକା ସହରକୁ ଚାଲିଯାଇଥିଲା । ଏବଂ ବାବୁଆଣୀଙ୍କ ଘରେ ସବୁଦିନ ପାଇଁ ରହିଯିବ କହି ଚାଲିଯାଇଥିଲା । ବାବୁଆଣୀଙ୍କ ପ୍ରଦତ୍ତ ପୁଳା ପୁଳା ଟଙ୍କା ଓ ବାବୁଆଣୀଙ୍କ ମିଛ ପ୍ରେମ ତାକୁ ଅନ୍ଧ କରି ସାରିଥିଲା ।
ନିଜର ପରିବାରକୁ ବଞ୍ଚେଇବା ପାଇଁ ତିଳେ ମଧ୍ୟ ଇଚ୍ଛା ନ ଥିଲା ତାର ବୁଆର । ଏପଟେ ନିଜର ବୁଆକୁ ନିଜ ହସ ଖୁସୀର ପରିବାରକୁ ଫେରେଇ ଆଣିବା ପାଇଁ ଅପ୍ରାଣ ଚେଷ୍ଟା ଚଳେଇଥାଏ ନନୀ । କିନ୍ତୁ ଛୋଟ ପିଲା ଯେହେତୁ ତାର କଥା ବା କିଏ ଶୁଣିବ କାହିଁକି ।
ନନୀ ଥିଲା ବହୁତ ଚାଲାକ ବସ୍ତି ମୁଖିଆଙ୍କ କାନରେ କଥା ପକେଇଥିଲା ସେ ଏବଂ ବସ୍ତିର ନିୟମ ଅନୁସାରେ ବସ୍ତିର କିଛି ଲୋକ, ମୁଖିଆ ଓ ତା ମାକୁ ଧରି ସହରଭିମୁଖେ ବାବୁଆଣୀଙ୍କ ଘରକୁ ବାହାରିଥିଲେ ସେମାନେ ।
କିନ୍ତୁ ବାବୁଆଣୀ ଥିଲେ ନଛୋଡବନ୍ଧା, ତାଙ୍କ ଆଖିକୁ ମା ଝିଅର କାନ୍ଦ ଦେଖାଯାଇନଥିଲା କେତେ ଆକୁଳ ହୋଇ ବାବୁ ଆଣିଙ୍କ ଗୋଡ଼ ତଳେ ପଡି କାନ୍ଦି ଥିଲା ସେ । ବସ୍ତି ମୁଖିଆଙ୍କର ଧମକ ବି କିଛି କାମରେ ଆସିନଥିଲା । ଶେଷରେ ନିରୁପାୟ ହୋଇ ମା ଝିଅ ଲେଉଟି ଥିଲେ ଘରକୁ ଆଖିରେ ଆଖିଏ ଲୁହ ଧରି । ତା ବୁଆର ପଥର ହୃଦୟ ବିଲକୁଲ ବି ତରଳି ନ ଥିଲା । ସେ ଯେମିତି ବାବୁଆଣୀଙ୍କ ପ୍ରେମରେ ଅନ୍ଧ ହୋଇ ତାଙ୍କର ଗୁଲାମ ପାଲଟି ଯାଇଥିଲା ।
ବାବୁଆଣୀଙ୍କୁ ସିନା ବୁଆ ଏତେ ଭଲ ପାଉଥିଲା । ବାବୁ ଆଣିଙ୍କର କିନ୍ତୁ ଉଦେଶ୍ୟ ଥିଲା କିଛି ଅଲଗା ତାଙ୍କର ଦରକାର ଥିଲା କେବଳ ସାନ୍ନିଧ୍ୟ । ଦୈହିକ ବାସନାରେ ଅନ୍ଧ ହୋଇ ଯାଇଥିଲେ ବାବୁଆଣୀ । ଆଉ ସେଇ ନିଆଁରେ ପତଙ୍ଗ ସାଜି ଝାସ ଦେଉଥିଲା ତା ବୁଆ ।
ଠାକୁରଙ୍କୁ ଡାକିବା ଛଡା ଆଉ କିଛି ଉପାୟ ନ ଥିଲା ତାଙ୍କ ପାଖରେ ।
ନିଜ ବସ୍ତିରେ ଅତି ଦୁଃଖରେ ପର ଘରେ କାମ ପାଇଟି କରି ଅତି ଦୁଃଖରେ ଜୀବନ ଅତିବାହିତ କରୁଥିଲେ ମା ଝିଅ ।
ଦୁଃଖ ପରେ ସୁଖ ଆସେ । କାହା ପାଖରେ ଦୁଃଖ କିମ୍ବା ସୁଖ ବେଶି ଦିନ ରହେ ନାହିଁ ।
ଦିନେ ମଧ୍ୟ ରାତ୍ରୀରେ କବାଟରେ କାହାର କରା ଘାତରେ ମା ଝିଅ ଚମକି ଉଠି କବାଟ ଖୋଲି ଦେଖିଲା ବେଳକୁ, ଦୁଆର ପାଖରେ ଠିଆ ହେବାର ଦେଖିବାକୁ ପାଇଥିଲେ ଅଜୟ ହେମ୍ବ୍ରମକୁ ରକ୍ତାକ୍ତ ଅବସ୍ଥାରେ । ଦୁଆର ଖୋଲିଦେବା କ୍ଷଣି କଚାଡି ହୋଇ ପଡିଯାଇଥିଲା ସେ ଚେତା ହୀନ ହୋଇ । ମୁଣ୍ଡରେ ତାର ଲାଗିଥିଲା ଆଘାତ । ରକ୍ତ ଝରି ପଡୁଥାଏ ଦେହ ସାରା ।
ରକ୍ତ ବୋହି ଆସୁଥିଲା ଦେହରେ ହୋଇଥିବା
ଛୋଟ ବଡ଼ ଆଘାତରୁ । ମା ଝିଅ ସେ ଫେରିଆସିଥିବାରୁ ଯେତିକି ଖୁସୀ ହେଇଥିଲେ ତା ଠାରୁ ଅଧିକ ଦୁଃଖୀ ହେଇଥିଲେ ତାର ଏପରି ଅବସ୍ଥାକୁ ଦେଖି ।
ସାଙ୍ଗେ ସାଙ୍ଗେ ନନୀ ଯାଇ ବସ୍ତି ମୁଖିଆଙ୍କୁ ଡାକି ଆଣିଥିଲା ଏବଂ ତାଙ୍କ ସହ ବଇଦକୁ ମଧ୍ୟ । ଚେରମୁଳି ଓଷ ଓ ସେବା ଶୁଶ୍ରୁଷା ପରେ କିଛି ଦିନ ଭିତରେ ସୁସ୍ଥ ଲାଭ କରିଥିଲା ସେ । ଏବଂ ନିଜ ବାଟ ନିଜେ ଖୋଜି ଜୀବନ ଧରି ପଳେଇଆସିଥିବାରୁ ତାଙ୍କର କୁଳଦେବୀଙ୍କୁ ପ୍ରଣିପାତ ଜଣାଇଥିଲା ।
ଘଟଣାର ଅନ୍ତ ରାଳରେ ଥିଲା ଏମିତି କିଛି କଥା--- ଯାହାକି ଅଜୟ ହେମ୍ବ୍ରମ ଟିକେ ସୁସ୍ଥ ଲାଭ କଲା ପରେ ସମସ୍ତଙ୍କ ଆଗରେ ପ୍ରକାଶ କରିଥିଲା । ଘଟଣା ଦିନ ବାବୁଆଣୀ ଡେରି ରାତିରେ ତାଙ୍କରର ଜଣେ ପୁରୁଷ ବନ୍ଧୁଙ୍କ ସହ ଫେରି ମଦ ପିଇ ମାତାଲ ଅବସ୍ଥାରେରେ ପ୍ରବଳ ଗାଳି ଗୁଲଜ କରିଥିଲେ ତା ଉପରେ ଏବଂ ପୁରୁଷ ବନ୍ଧୁଙ୍କ ସହ ରାତି ବିତେଇଥିଲେ ଯାହାକୁ ଦେଖି ସହିବାର ଅବସ୍ଥାରେ ନ ଥିଲା ହେମ୍ବ୍ରମ । କାରଣ ବାବୁଙ୍କ ପରେ ତାକୁ ସେହି ଅଧିକାର ମିଳିଥିଲା । ରାଗରେ ଅନ୍ଧ ହୋଇ ଯାଇଥିଲା ସେ ।
କ୍ରୋଧନ୍ଧ ହୋଇ ସେ ଯୁବକ ଯିଏ କି ତା ବାବୁଆଣୀଙ୍କ ସହ ଆସିଥିଲା ତା ଉପରକୁ ହାତ ବି ଉଠେଇଦେଇଥିଲା, ସେଦିନ । ବାବୁଆଣୀଙ୍କ ମୁଣ୍ଡକୁ ରକ୍ତ ଚଢିଯାଇଥିଲା ହେମ୍ବ୍ରମର ଏପରି ଅନାଧିକାର ଆଚରଣରେ । ସେ ବି ଓଲଟା ଜବାବରେ ତାକୁ ମାଡ଼ ମାରିଥିଲେ । ଏହା କେବେ ବି ଆଶା କରିନଥିଲା ହେମ୍ବ୍ରମ ବାବୁଆଣୀଙ୍କ ଠାରୁ । ତା ରକ୍ତରେ ନିଆଁ ଲାଗିଯାଇଥିଲା । ଗୋଟିଏ ବିରାଟ ବଡ଼ ପଥର ଉଠେଇ ଆଣି ବାବୁଆଣୀଙ୍କୁ ମାରିବାକୁ ଉଦ୍ୟତ ହେଉଥିବା ସମୟରେ ବାବୁଆଣୀଙ୍କ ପେଶାଦାର ଗୁଣ୍ଡାଙ୍କ ଦ୍ଵାରା ଆଘାତ ପ୍ରାପ୍ତ ହୋଇଥିଲା ସେ । ଭୟଙ୍କର ଭାବେ ମାଡ଼ ମାରି ଜୀବନ ନେଇଯିବାକୁ ଚେଷ୍ଟା କରିଥିଲେ ସେମାନେ । ଏବଂ ତାକୁ ମୃତ ଭାବି ନିକଞ୍ଚାନ ଜାଗାରେ ପକେଇ ଦେଇ ଚାଲିଯାଇଥିଲେ ସେମାନେ । କିଛି ସମୟ ଅତିବାହିତ ହେବା ପରେ ସେ ଚେତା ପାଇ ସେଠାରୁ ଜୀବନ ବିକଳରେ ରାତା ରାତି ପଳେଇଆସିଥିଲା ପ୍ରାଣ ବଞ୍ଚେଇ ନିଜ ବସ୍ତିକୁ ।
ନିଜର ସ୍ଥିତି ସମ୍ବନ୍ଧରେ ଅଜ୍ଞ ହୋଇ ମସ୍ତ ବଡ଼ ଭୁଲ କରିଥିବାରୁ ଅନୁତାପର ଅନଳରେ ଦଗ୍ଧୀଭୂତ ହେଇଥିଲା ସେ । ବାବୁଆଣୀଙ୍କର ସ୍ୱାର୍ଥ ଜଡିତ କାମନାକୁ ତା ପରି ସରଳ ନିରୀହ ଆଦିବାସୀ ମୁଣ୍ଡା ବୁଝିବାକୁ ଅସମର୍ଥ ଥିଲା । ବାମନ ହୋଇ ଚନ୍ଦ୍ରକୁ ହାତ ବଢେଇବାର ଦୁଃସାହସ କରିବାର ଦଣ୍ଡ ପାଇସାରିଥିଲl ହେମ୍ବ୍ରମ ।
ବସ୍ତିକୁ ନିଜ ପ୍ରାଣ ଧରି ଚାଲିଆସିବା ପରେ ନିଜ ସଂସାରକୁ ପୂର୍ବ ଭଳି ସଜେଇ ଆଗେଇ ନେବାରେ ପ୍ରୟାସ କରିଥିଲା ହେମ୍ବ୍ରମ । ଏବଂ ତାର ପୂର୍ବ ଦୋଷା ଦୋଷକୁ ନ ଧରି ମା ଝିଅ ମଧ୍ୟ ସଂସାର ରୂପକ ସମୁଦ୍ରରେ ଭାସୁଥିବା ତରୀକୁ ଠିକ ରୂପେ ଚଳେଇବାରେ ସାହାଯ୍ୟ କରିଥିଲେ ।
