ଅନ୍ଧୁଣୀ
ଅନ୍ଧୁଣୀ


ତାକୁ ଗୋଡ଼ ଠାରୁ ମୁଣ୍ଡ ପର୍ଯ୍ୟନ୍ତ ହାତ ମାରି ଅନୁଭବ କରୁଥିଲି ମୁଁ ।
ସେ କାନ୍ଦୁଥିଲା ଖୁବ ଜୋରେ.....
କାଇଁକି କାନ୍ଦୁଛୁ,ବାବୁ??
ମୋତେ କେହି ଭଲ ପାଉ ନାହାନ୍ତି।ମୋତେ ଭଲ ପାଇବାକୁ ମୋ ସଂଗେ କିଛି ସମୟ ବିତେଇବାକୁ କାହା ପାଖେ ସମୟ ନାହିଁ।
ଛିଃ ସେମିତି କୁହନ୍ତି,ବାବୁ? ତୋତେ ସମସ୍ତେ ଭଲ ପାଆନ୍ତି। ତୁ ପରା ସଭିଙ୍କ ପ୍ରିୟତମ !
ଛେନା ଗୁଡ଼ ନା....ମୋତେ ଭଲ ପାଉଛନ୍ତି ;ମୁଁ ଜାଣି ପାରୁନି?
ଆରେ ପାଗଳା ତୋତେ ଭଲ ନ ପାଇଁ ଗତି ନା ପ୍ରଗତି ନା ବିକାଶ ସମ୍ଭବ?
ତୁ ମୋତେ ଭୁଲେଇବା ପାଇଁ ଏମିତି କହୁଛୁ? ଜାଣିଛୁ "ପାଠିକା" ମୋତେ ଲାଗୁଛି ଆଉ କିଛି ଦିନ ପରେ ମୋ ବଂଶ ଡାଓନୋସର ପରି ଲୁପ୍ତ ହୋଇଯିବ। ତୋର ଉତ୍ତର ପିଢ଼ି ମୋତେ ଦେଖି ଗୁଗୁଲ୍ ସର୍ଚ୍ଚ କରିବେ ମୋ ଅର୍ଥ ଜାଣିବାକୁ। ମୋତେ କଷ୍ଟ ଲାଗୁଛି ଲୋ ପାଠିକା।
ସେ ଛାତି ଫଟା ହୃଦୟ ବିଦାରକ କାନ୍ଦଣା କାନ୍ଦିଲା।ମୁଁ ଭାଷା ପାଇଲି ନାହିଁ କେମିତି ବୁଝାଇବି ଯେ ଆମେ ତାକୁ ଭଲ ପାଉ,ନିହାତି ନିଜର କରୁ।ତା ପାଇଁ ଆମ ଛାତିତଳେ କିଛି କିଛି ହେଉଛି। ଯାହାର ସଙ୍ଗ,ସ୍ପର୍ଶ,ଆମକୁ ରୋମାଞ୍ଚିତ କରି ଆନମନା କରୁଛି।ତାକୁ କୋଳେଇ ନେଇ ଛାତିରେ ଭିଡି ଧରି ଆମେ ସ୍ବର୍ଗୀୟ ଆନନ୍ଦ ଉପଭୋଗ କରୁଛୁ। ସେ ଆମ ମନ ମସ୍ତିଷ୍କକୁ ସମ୍ପୂର୍ଣ୍ଣ କାବୁ କରି ରଖିଛି। ମୁଁ ସତ ଟି ଜାଣେ...। କଣ କରିବି। ସେ କାନ୍ଦୁଥିଲା ବନ୍ଦ ହେବାର ନାଁ ନ ନେଇ।
ଏ ଏ ବାବୁ "ପୁସ୍ତକ"କାନ୍ଦେନା। ଦେଖ୍ ମୁଁ ତୋତେ ଭଲ ପାଉଛି। ଏତେକ କହି ମୁଁ ତାକୁ ମୋ ଛାତିରେ ଜାକି ଧରିଲି। ଵୋକ ପରେ ଵୋକ ଦେଲି ତା ମଥା,ଗାଲ,ଓଠ,ବେକ ,ପାପୁଲି ସବୁ ...ସବୁ ଆଡେ, ସାରା ଶରୀରକୁ ଚୁମି ଗଲି।ତା ଲୁହକୁ ଚାଟି ନେଲି।ତାକୁ ତୁନି କରେଇବାକୁ ମୁଁ ଚେଷ୍ଟା କରୁଥିଲି।ସେ ମୋ ପ୍ରେମରେ ମୋ ଛାତିରେ ତା ମୁହଁ ଗୁଞ୍ଜି ଦେଇଥିଲା;କିନ୍ତୁ କାନ୍ଦ ତାର ବନ୍ଦ ହେଉ ନଥିଲା।
ମୁଁ "ପାଠିକା" ପ୍ରେମ କରେ "ପୁସ୍ତକ"କୁ।ସେ ମୋ ପ୍ରଥମ ପ୍ରେମ। ଯେତେବେଳେ ଅତି ଛୋଟ ଥିଲି ମାଆ କୁହେ ଯେ କୌଣସି ମେଳା ବୁଲିବାକୁ ମୋତେ ନେଇ ଯାଆନ୍ତି ମୁଁ କୁଆଡ଼େ ଆଗ ଟାଣେ ବହି। ଉଁ ଉଁ କହି ଆଙ୍ଗୁଠି ଦେଖାଏ ଯେ କୌଣସି ବହି ଦେଖିଲେ।ବାବା ମାଆ ଆଶ୍ଚର୍ଯ୍ୟ ହୁଅନ୍ତି ସାତ ମାସ ବୟସରୁ ମୋର ଏପରି ଆଚରଣ ସମସ୍ତଙ୍କୁ ଅଭିଭୂତ କରୁଥିଲା। ଶିଶୁ ସୁଲଭ ଗୁଣ ମୋ ପାଖରେ ନ ଥିଲା।ଟେଡି,ଡ୍ରେସ୍ କି ଚକୋଲେଟ ବା ଆଇସିକ୍ରିମ ପ୍ରତି ଆଗ୍ରହ ନ ରଖି କେବଳ ଆସକ୍ତି ଥିଲା ବହି ପାଇଁ।ସେ ପିଲାଙ୍କ ବହି ହେଉ କି ବଡ଼ଙ୍କ।ମୋ ଆଖିରେ କେବଳ ବଡ ସାନର ପାର୍ଥ୍ୟକ ନଥିଲା ବହି।ମୋ ଆଖିରେ କେବଳ ଗୋଟିଏ ଚମକ ଓ ତୃପ୍ତି ଥିଲା ଯେ କୌଣସି ବହିଟିଏ ଛୁଇଁଲେ।ଅକଳନ ଖୁସି ଛୁଉଁ ଥିଲେ ମୋତେ।ଖିଆ ପିଆ ଓ ଶୁଆ ଛାଡି କେବଳ ଅଳଟାଉ ଥିଲି ବହି ପୃଷ୍ଠା ସେ ପୁଣି ଓଲଟା।ମୋର ତ ଜ୍ଞାନ ନଥିଲା ବହିର ମୁହଁ କେଉଁଟା!! ଜାଣେନି ବହିଟିଏ ଦେଖିଲେ ଏତେ ଆନନ୍ଦ ମୋତେ ଲାଗେ କାହିଁକି??
ଲୋକେ କୁହା କୁହିଁ ହେଉଥିଲେ କଟିକି ସୋନି ଦିଙ୍କ ସାତ ମାସର ଝିଅ କାଳେ ଗୁଡାଏ ବହି ପଢିଲାଣି! ମୋ ମାଆଙ୍କ ଘର କଟକ ବୋଲି ତାଙ୍କୁ କଟିକି ଦି ଡାକନ୍ତି ।ଥୋକେ ଏ କଥା ଅବିଶ୍ୱାସ କରି ମୋତେ ପରୀକ୍ଷା କରିବାକୁ ଆସିଲେ।ବାବା ମୋ ଉତ୍କଣ୍ଠା ଦେଖି କେତେ ଛବି,ଲେଟର,ଶବ୍ଦ,ସଂଖ୍ୟା ଥିବା ଇଙ୍ଗିଲିସ, ଓଡ଼ିଆ ଓ ହିନ୍ଦୀ ବହି ଗଦେଇ ଦେଇଥିଲେ।ଯେଉଁ ବହିର ଯେଉଁ ଚିତ୍ର କି ଶବ୍ଦ ଆଙ୍ଗୁଠି ଥୋଇ ଏ କଣ ପଚାରିଲେ ମୁଁ ସେ ଚିତ୍ର କି ଶବ୍ଦର ମୂଳ ଅକ୍ଷରଟି କହି ଦେଉଥିଲି। ସମସ୍ତେ ଭାବୁଥିଲେ ବାରମ୍ବାର ଶୁଣି କି ଦେଖି କ୍ରମାନ୍ଵୟରେ ମୁଁ କହି ଦେଉଥିବି। ଏଣୁ ସେମାନେ କ୍ରମାନ୍ଵୟରେ ନ ଦେଖେଇ ମନ ଇଚ୍ଛା ଯେମିତି ଯାହାକୁ ଦେଖେଇଲେ ବି ମୁଁ ମୂଳ ଅକ୍ଷରଟି କହି ଦ
େଉଥିଲି। କାରଣ ମୋତେ ସାତ ମାସ।ମୋ ପାଟି ଫିଟିନି। କେବଳ ଗୋଟିଏ ଗୋଟିଏ ଅକ୍ଷର କହୁଥିଲି ଯାହା।ଏଇ ଯେମିତି ମୁଁ ଆପଲ ପାଇଁ ଏ,ହର୍ଷ ପାଇଁ ହ,ପ୍ୟାରାଟ ପାଇଁ ପା,ଫ୍ଲାୱାର ପାଇଁ ଫା ଇତ୍ୟାଦି କହୁଥିଲି।ଲୋକେ କୁଆଡେ କାବା ହୋଇ ଯାଉଥିଲେ।
ମାଆ ବାବା ବି କମ୍ ଆଶ୍ଚର୍ଯ୍ୟ ହେଉ ନଥିଲେ।ମାଆ ତ କାନ୍ଦି ପକାଉଥିଲା କିଛି ଆଶଙ୍କା କରି।"ତୁ ଏମିତି ହନା ସୁନା।ମୋତେ ଡର ଲାଗୁଛି।ସାତ ମାସର ଛୁଆର ବହି ମୋହ ଏତେ!!!"ଏ କଥା ଭାବି ସେ ଆଶା ଆଶଙ୍କା ଭିତରେ ବଞ୍ଚୁଥିଲା।ଅବିଶ୍ୱାସ କରୁଥିଲା ତା କୁନି ଛୁଆଟିର ଏ ଅଦ୍ଭୁତ ଗୁଣ ଦେଖି।
ଏମିତି ପାଗଲାମୀ ମୋର ପିଲାଦିନୁ;ହେତୁ ନଥିଲା ଯେବେ।ହେତୁ ହେଲା ପରେ ବହି ଓ ପାଠିକା,ପାଠିକା ଓ ବହି ଏକ ଓ ଅଭିନ୍ନ ହୋଇଗଲେ।କ୍ଲାସ୍ ଫାଇଭ୍ ହେଲା ବେଳକୁ ମୁଁ ଇଙ୍ଗିଲିସ,ଓଡ଼ିଆ, ହିନ୍ଦୀରେ ଲିଖିତ ଗୁଡିଏ ବହୁ ପଢି ସାରିଥିଲି।ମୋ ନାଁ ରେ ଗୋଟେ ଲାଇବ୍ରେରୀ ଖୋଲି ଦେଲେ ବାବା।ବଦାନ୍ୟ ବ୍ୟକ୍ତି ମୋ ଆଗ୍ରହ ଦେଖି ନୂଆ ପୁରୁଣା ଅନେକ ବହି ଦାନ କଲେ" ପାଠିକା"ଲାଇବ୍ରେରୀକୁ।ବହି ସ୍ତୁପ ମଧ୍ୟରେ ପାଉଥିଲି ଅନେକ ଶାନ୍ତି।ମାତ୍ର ନଅ ବର୍ଷରେ ମୁଁ ଦଶମ ପାସ୍ କଲି। ମହାପୁରୁଷଙ୍କ ଜୀବନୀ ଭାଗବତ ବାଣୀ,ରାମାୟଣ,ମହାଭାରତ ଗାଥା କହିବାକୁ ଅନେକ ମଞ୍ଚରୁ ନିମନ୍ତ୍ରଣ ଆସିଲା।ମୁଁ ପାଠିକା ସବୁଠି ମୋର ବକ୍ତବ୍ୟ ରଖିଲି।ଚାରିଆଡେ ସୁନାମ ଅଜାଡି ପଡିଲା।ପ୍ରାୟତଃ ପନ୍ଦର ବର୍ଷ ବେଳକୁ ମୁଁ ରିସର୍ଚ୍ଚ କଲି ସାଇକୋଲୋଜିର "ହ୍ୟୁମାନ ମେମୋରୀ" ଉପରେ କୋଡିଏ ବର୍ଷ ବେଳକୁ ମୁଁ ସର୍ବ କନିଷ୍ଠ ଟପ୍ ପିଏଚ୍ଡି ହୋଲ୍ଡର ଭାବେ ଗ୍ରୀନିଚ୍ ବୁକରେ ସ୍ଥାନିତ ହେଲି।
ପ୍ରେମ ଜଣକ ଜୀବନର ଗତି ପଥ ବଦଳାଇ ଦିଏ।ଏହା ମୋ ଜୀବନରେ ପ୍ରମାଣିତ ହୋଇଥିଲା।ମୁଁ "ପାଠିକା ସାମନ୍ତ ରାୟ" କେବଳ ବହିକୁ ପ୍ରେମ କରି ଶୀର୍ଷରେ ପହଞ୍ଚି ପସରିଛି।ମୋତେ ରିସର୍ଚ୍ଚ ସେଣ୍ଟରରେ ଖୁବ ଭଲ ଜବ୍ଟିଏ ସରକାର ଦେଇ ଛନ୍ତି।ସବୁ କେବଳ ମାତ୍ର ସମ୍ଭବ ବହିକୁ ଭଲ ପାଇ।
ଈଶ୍ୱର ବଡ଼ ହଟିଆ।ସବୁ ଦେଇ ମୋତେ ଶେଷରେ ନିସ୍ବ କରିଦେଲେ।ଯାହାକୁ ମୁଁ ଏତେ ଭଲ ପାଏ,କ୍ଷଣେ ନିଜଠୁ ଦୂର କରେନି,ତାକୁ ଆଉ ମୁଁ ଦେଖି ପାରୁନି।ତାକୁ ଛୁଉଁଛୁ ହେଲେ ତା ସୁନ୍ଦର ରୂପ ଦେଖି ପାରୁନି।
କାରଣ ଗୋଟେ ସେମିନାର ଟକ୍ ରୁ ଫେରୁଥିବା ବେଳେ ରୋଡ଼ ଆକ୍ସିଡେଣ୍ଟରେ ମୋ ଦୃଷ୍ଟି ଶକ୍ତି ହରେଇଛି।ମୁଁ ପାଠିକା ଆଉ ପଢି ପାରୁନି ବହି।ଏ ସମଗ୍ର ଦୁନିଆଁ ମୋ ପାଇଁ ଖାଲି କୁହୁଡ଼ିଆ ଦିଶୁଛି।କୁହୁଡି ଭିତରେ ମୁଁ ମୋର ଅସ୍ତିତ୍ୱ ହରାଉଛି।
କାନ୍ଧୁଛି ମୋ ପ୍ରିୟ ପ୍ରେମିକ" ପୁସ୍ତକ"।କାନ୍ଦୁଛି ମୁଁ ଅନ୍ଧ ପ୍ରେମିକା "ପାଠିକା"।
ମୋ ପ୍ରେମ ଶେଷ ହୋଇନି।ମୁଁ ଏବେବି ବହି କିଣେ,ହାତ ମାରି,ଛାତିରେ ଜାକି ତାକୁ ଅନୁଭବ କରେ ହୃଦୟରେ,ଦେଖେ ମନର ଆଖିରେ।ଜଣେ ପିଏ ରଖିଛି ସେ କେବଳ ପଢି ଶୁଣାନ୍ତି ସେ ସବୁ ବହି।
ତାର ଅଭିଯୋଗ ତା ପାଇଁ ଆଜି କାହା ପାଖେ ସମୟ ନାହିଁ।ହୁଏତ ସତ ହୋଇ ପାରେ।ଏ ବି ସତ ମୋ ପରି "ଅନ୍ଧୁଣୀ" କେତେ ଜଣ ତାକୁ ପ୍ରେମ କରନ୍ତି ପାଗଳ ପରି,ପ୍ରେମ କରୁଥିବେ ଅନାଦି କାଳ ପର୍ଯ୍ୟନ୍ତ।
ତୁ ତୁନି ହୋଇଯା ବାବୁ ।ତୋତେ ପ୍ରେମ କରିବା ଶେଷ ନ ହେଉ କାହାର।
ପୁସ୍ତକ,ମୋ ବାବୁ, ମୋ ପ୍ରେମ,ଜୀବନ,ଜୀଇଁବା ।ଆଇ ଲବ୍ ୟୁ ବାବୁ... ବେରୀ ବେରୀ ମଚ୍।