ଅନ୍ -ସୋସାଇଟି
ଅନ୍ -ସୋସାଇଟି
- କଣ ଯେ , ଏମିତି ମେନ ଡୋର ମେଲାକରି ପେପର୍ ପଢୁଛ ? କ୍ଲାସ ବୋଲି କିଛି ନାହିଁ । ସେ ପୁଣି ଗାମୁଛାଟେ ପିନ୍ଧି । କରିଡୋରରେ କେତେ ଲୋକ ଯିବା ଆସିବା କରୁଛନ୍ତି । କିଏ କହିବ ତୁମେ ଦିଲ୍ଲୀ ୟୁନିଭର୍ସିଟିର ର ପ୍ରଫେସର ବୋଲି । ଛିଃ , ପ୍ଲିଜ କବାଟଟା ଦେଇ ଦିଅ ନା । ନହେଲେ ଅନ୍ତତଃ ଟ୍ରାଉଜର ଟା ତ ଗଳେଇଦିଅ ।
- ତୁମେ ଆଖି ବୁଜି ଦିଅ , ଏତେ ଯଦି ଲାଜ ଖାଇଯାଉଛି । ଆମେ ସେଇ ଗାମୁଛା ପିନ୍ଧା ସଂସ୍କୃତିର , ବୁଝିଲ । ମୋ ବାପା ଗୋସାପ ମାନଙ୍କୁ ଏଇ ଗାମୁଛା ଖଣ୍ଡେ ବି ମିଳୁ ନଥିଲା । ସେଇଥିପାଇଁ ତ ସ୍ତ୍ରୀର ଲାଜ ଢାଙ୍କିବାକୁ ଯାଇ ଅପତ୍ତିକୁ ଚୋରି କରିବାକୁ ପଡ଼ିଥିଲା ।
ଏଇଟା ଆମ ଘରର ନିତିଦିନିଆ ପାଲା । ମୋତେ ମେନଡୋର ବନ୍ଦ କରି ରହିଲେ କୂପମଣ୍ଡୁକ ପରି ଲାଗେ । ଆଉ ସୁମତୀର ଷ୍ଟାଟସ୍ ଡାଉନ ହୋଇଯାଏ ।
ମୁଁ ଗାମୁଛା ପିନ୍ଧି କବାଟ ଖୋଲା କରି ତଳେ ବସି ପେପର୍ ପଢେ ଦିନ ନଅଟା ପର୍ଯ୍ୟନ୍ତ । ସେ ଭିତରେ କରିଡୋରରେ ଯାଉଥିବା ଲୋକ ମାନଙ୍କର ଗତିବିଧି ମଧ୍ୟ ଲକ୍ଷ୍ୟ କରେ । ଅନେକେ ଏକଥା ଜାଣି ସାରିଲେଣି । ତେଣୁ କିଏ କେମିତି ସୁପ୍ରଭାତ , ଗୁଡ ମର୍ଣ୍ଣିଂ ଇତ୍ୟାଦି କହି ମୋତେ ଓ୍ଵିଶ୍ କରି ଯାଆନ୍ତି । ବଡ଼ ବଡ଼ ସୋସାଇଟିରେ ରହିଲେ ୟାଠାରୁ ଅଧିକ ଆଶା କରିବା ବୃଥା । ତାଙ୍କ ଭିତରେ ବୃଦ୍ଧ ବୃଦ୍ଧାଙ୍କ ଯୋଡ଼ି ଟିଏ ମୋତେ ଭାରି ଭଲ ଲାଗନ୍ତି । ଭାରି ସମୟାନୁବର୍ତ୍ତୀ , ଠିକ ସାଢ଼େ ଛଅଟାରେ ଆମ ଦୁଆର ଦେଇ ଯାଆନ୍ତି । ତାଙ୍କୁ ଦେଖି ଘଣ୍ଟା ମିଳେଇ ହେବ । ଦୁହେଁ ଦୁହିଁଙ୍କ ପ୍ରତି ଭାରି କେୟରିଂ । ଦୁହେଁ ହାତ ଧରାଧରି ହୋଇ ଯାଆନ୍ତି । ମୁଁ ଆମର ଆଗତ ଭବିଷ୍ୟତର ପ୍ରତିବିମ୍ବ ଦେଖେ ତାଙ୍କଠାରେ । ବୟସ ପ୍ରାୟ ଅଶି ପାର୍ ହୋଇଯାଇଥିବ ଦୁହିଁଙ୍କର । ପଞ୍ଚମ ମହଲାରେ ଗୋଟିଏ ଫ୍ଲାଟରେ ରୁହନ୍ତି ସେମାନେ । ସୁମତୀ କୁହେ ସେମାନେ ଦୁହେଁ ଯାକ ରିଟାୟାର୍ଡ ଆଇ ଏ ଏସ ଅଫିସର୍ , ତାଙ୍କର ଦୁଇ ପୁଅ ଫରେନରେ । ଆଉ କେହି ନାହାନ୍ତି । ଚାକର ପିଲାଟିଏ ତାଙ୍କର ଖଵର ଜବର ବୁଝେ ।
ସୁମତୀ ମୋତେ ସିନା ଷ୍ଟାଟସ୍ ର ଭାଷଣ ଶୁଣାଏ , କିନ୍ତୁ ଭିତରୁ ସେ ମଧ୍ୟ ମୋ ଭଳି ମନୋବୃତ୍ତିର । ସେ ମଝିରେ ମଝିରେ ବୃଦ୍ଧ ଦମ୍ପତିର ଚାକର ଟୋକାଠଉଁ ତାଙ୍କ ଭଲ ମନ୍ଦ ବୁଝେ । ବୁଢ଼ା ବୁଢ଼ୀଙ୍କ ପୁଅମାନେ କେବେ ଆସିବାର ଜାଣିନାହିଁ । ଉତ୍ତର ପ୍ରଦେଶର ଏକ ଗାଁରେ ତାଙ୍କର ଅନେକ ବନ୍ଧୁ ବାନ୍ଧବ ଅଛନ୍ତି , କିନ୍ତୁ କାହା ସହିତ ସମ୍ପର୍କ ନାହିଁ । ଷ୍ଟାଟସ୍ ଜଗି ଜଗି , ହାଇ କ୍ଲାସର ମେଣ୍ଟାଲିଟି ମେଣ୍ଟେନ କରୁ କରୁ କେତେବେଳେ ଯେ ଗାଁ ଓ ସବୁ ସମ୍ପର୍କ ମାନେ ହାତ ମୁକୁଳେଇ ଚାଲିଗଲେ ଜଣା ପଡ଼ିଲା ନାହିଁ । ସମସ୍ତଙ୍କ ଠାରୁ ଡିଫରେଣ୍ଟ ହୋଇ ରହିବା ଏମିତି ଅଭ୍ୟାସରେ ପଡ଼ିଗଲା ଯେ ଆଜି ମଧ୍ୟ ସେମାନେ କାହା ସହିତ ସମ୍ପର୍କ ରଖି ପାରିଲେ ନାହିଁ । କାହା ସହିତ କଥାବାର୍ତ୍ତା ନାହିଁ , ସବୁବେଳେ ଏକୁଟିଆ । ଓହୋ ! ମୁଁ କଳ୍ପନା କରି ଶୀହରି ଉଠେ ।
ନା , ଏମିତି ଭବିଷ୍ୟତ ଜୀଵନ ଦରକାର ନାହିଁ ବାଵା । ସୁମତୀ , ଯାହାହେଉ ପଛେ ବର୍ଷରେ ତିନି ଚାରି ଥର ଗାଁ କୁ ଯିବ ହିଁ ଯିବ । ସମ୍ପର୍କୀୟ ମାନେ ମଧ୍ୟ ପ୍ରାୟ ଆସନ୍ତି । ଗାଁ ଲୋକଙ୍କ ଆବଶ୍ୟକ ପଡ଼ିଲେ ଆମ ଦ୍ଵାର ସବୁବେଳେ ଖୋଲା ଥାଏ ।
ମୁଁ କେତେଥର ତାଙ୍କ ସହ ବାର୍ତ୍ତାଳାପ କରିବାର ଚେଷ୍ଟା କରିଛି କିନ୍ତୁ ହାଁ ହୁଁ ଛଡ଼ା କିଛି ପାଇନାହିଁ । ସୁମତୀ ମଧ୍ୟ ନିଜ ଧରଣର କିଛି ମହିଳା ମାନଙ୍କୁ ନେଇ ଥରେ ଅଧେ ତାଙ୍କର କଲିଂ ବେଲ ଟିପିଛି , କିନ୍ତୁ କୌଣସି ଜବାବ ନପାଇ ଆଉ ଚେଷ୍ଟା କରିନି ।
ସେଦିନ ରବିବାର । ସାଢ଼େ ଛଅଟା । ମୁଁ ମୁଣ୍ଡ ଟେକି ଦେଖିଲି । ନା ଆଜି ମଧ୍ୟ ସେମାନେ କରିଡୋର ଦେଇ ଗଲେ ନାହିଁ । ଆଜିକୁ ଚାରିଦିନ ହୋଇଗଲା । ସେମାନଙ୍କୁ ମୁଁ ଦେଖି ନାହିଁ । ଶୀତଦିନ ତ , ହୁଏତ ଥଣ୍ଡା ଯୋଗୁଁ ସେମାନେ ସକାଳ ଭ୍ରମଣକୁ ସ୍ଥଗିତ ରଖିଥିବେ । ତଥାପି ମୋ ମନ ମାନିଲା ନାହିଁ । ମୁଁ ସୁମତୀକୁ ଏ ସମ୍ବନ୍ଧରେ ପଚାରିଲି । ସେ କହିଲା ଯେ କିଛିଦିନ ହେଲା ସେ ତାଙ୍କର ଚାକର ଟୋକାକୁ ମଧ୍ୟ ଦେଖି ନାହିଁ ।
ଆମେ ଦୁହେଁ ଆଶଙ୍କିତ ହୋଇ ପଡ଼ିଲୁ । ତାଙ୍କ ପାଖ ଫ୍ଲାଟ ଖାଲି । ସାମନା ଫ୍ଲାଟର ଗୁପ୍ତା ଜୀ ବେଙ୍ଗଲୋର ଯାଇଛନ୍ତି । ଆମେ ଦୁହେଁ ସାହସ କରି ପଞ୍ଚମ ମହଲାକୁ ଗଲୁ । ତାଙ୍କ ଇଣ୍ଟରଲକ ଭିତରୁ ଲକ ଅଛି ନା ବାହାରୁ , ଜାଣିବୁ କେମିତି । କଲିଂ ବେଲ ମାରିଲୁ । କିଛି ଜବାବ ନାହିଁ । ସୁମତୀ କହିଲା ଯେ ହୋଇପାରେ ସେମାନେ କୁଆଡ଼େ ଯାଇଥିବେ , ଓ୍ଵାଚ୍ ମେନ ପାଖରେ ରେଜିଷ୍ଟର ଦେଖିଲେ ଜଣା ପଡ଼ିବ । ଦୁଇ ଦିନରୁ ଅଧିକ ଅବଧି ପାଇଁ ଗଲେ ଦସ୍ତଖତ କରି ଯିବାକୁ ପଡେ , ସୋସାଇଟିର ନିୟମ ।
ଆମେ ଓ୍ଵାଚ୍ ମେନ ପାଖକୁ ଯାଇ ରେଜିଷ୍ଟର ଦେଖିଲୁ । ସେମାନେ କୁଆଡ଼େ ଯାଇ ନାହାନ୍ତି । କିନ୍ତୁ ତାଙ୍କର ଚାକର ଟୋକାଟା ସାତଦିନ ହେଲା ଗାଁକୁ ଯାଇଛି , ତାର ଦସ୍ତଖତ ଅଛି । ଓ୍ଵାଚ୍ ମେନକୁ ସବୁ କହିଲୁ । ବର୍ତ୍ତମାନ ସୋସାଇଟିର ବାତାବରଣ ସରଗରରମ ହୋଇ ଉଠିଲା । ବିଜୁଳି ବେଗରେ ଖବରଟା ଖେଳେଇ ହୋଇଗଲା । ସମସ୍ତେ ସେଠାକୁ ଯାଇ ତାଲା ଖୋଲିବାର ବ୍ୟବସ୍ଥା କଲୁ । ତାଲା ଖୋଲିଲା ପରର ଦୃଶ୍ୟ ସମସ୍ତଙ୍କୂ ବିଚଳିତ କରିବା ପାଇଁ ଯଥେଷ୍ଟ ଥିଲା । ବୃଦ୍ଧ ଜଣକ ବେଡରୁମରେ ଖଟ ଉପରେ ଚାରିକାତ ମେଲି ପଡ଼ି ଛନ୍ତି । ନିର୍ଜୀବ ଶରୀରଟା ଫୁଲି ଯାଇଛି ଅସମ୍ଭବ ଭାବେ । ଜୀବନ ଯିବା ଆଗରୁ ଯେ ଅନେକ ଛଟପଟ ହୋଇଛନ୍ତି ତାର ଚିହ୍ନ ସବୁ ସ୍ପଷ୍ଟ ଜଣା ପଡୁଥିଲା ।ସେହିପରି ବୃଦ୍ଧାଙ୍କ ନିର୍ଜୀବ ଶରୀରଟି ସୋଫା ଉପରେ ଟଳି ପଡ଼ିଛି , ହାତରେ ଫୋନ ରିସିଭର୍ ର କର୍ଡ ଟି ଗୁଡେ଼ଇ ହୋଇ ରହିଛି ।
ପ୍ରାଥମିକ ତଦନ୍ତରୁ ଯାହା ଜଣା ପଡ଼ିଲା , ବୃଦ୍ଧଙ୍କର ହୃଦଗତି ବନ୍ଦ ହୋଇ ହୁଏତ ପାଞ୍ଚଦିନ ପୂର୍ବରୁ ମୃତ୍ୟୁ ହୋଇ ଯାଇଛି । ସବୁଠାରୁ କରୁଣ କଥା ହେଲା , ବୃଦ୍ଧାଙ୍କ ମୃତ୍ୟୁ ଗତକାଲି ହୋଇଥିବାର ଜଣା ପଡ଼ିଲା । ଏହି ଚାରିଦିନ ଗୋଟିଏ ଡେଡବଡି ସହିତ ସେ କରୁଥିଲେ କଣ ? ବୃଦ୍ଧଙ୍କ ପାଖରେ ଟି ପୟ ଉପରେ ଚାରି ପାଞ୍ଚଟା କପରେ ଚାହା ଥୁଆ ହୋଇଥିଲା । ବିସ୍କୁଟ ନମକିନ ଡବା ଥୁଆ ହୋଇଥିଲା । ଡାଇନିଂ ଟେବୁଲ ଉପରେ ତିନି ଚାରିଟା ପ୍ଲେଟ ରେ ଖାଦ୍ୟ ବଢ଼। ହୋଇ ରହିଥିଲା । ଆମେ ଆଉ ସେଠାରେ ରହିବା ସମ୍ଭବ ନଥିଲା ।
ପୋଲିସ ତ ତା'ର ତଦନ୍ତ ଆରମ୍ଭ କରିବ । କିନ୍ତୁ ମୋର ମନଟା ଚହଲି ଯାଇଥିଲା । ବୃଦ୍ଧଙ୍କ ମୃତ୍ୟୁ ପରର ସମ୍ଭାବ୍ୟ ଦୃଶ୍ୟ ସବୁ ମୋର ହୃଦୟକୁ ଆଲୋଡି଼ତ କରୁ ଥିଲେ । ମୋର ମସ୍ତିଷ୍କକୁ ଝିଞ୍ଜାରୁ ଥିଲେ । ଆମର ଏହି ଅନସୋସିୟାଲ ହୋଇଯାଉଥିବା ଏକାନ୍ନବର୍ତ୍ତୀ ସୋସାଇଟି ମାନଙ୍କର ଭବିଷ୍ୟତ କଣ ଏଇୟା ???
ଦିନେ ଲଲିତା ପଵାର , ପରଵିନ୍ ବାବି ଓ ଆହୁରି ଅନେକ ସେଲିବ୍ରିଟିଙ୍କ ଏକାନ୍ତ କରୁଣ ମୃତ୍ୟୁ ଖବର ଶୁଣି ମ୍ରିୟମାଣ ହୋଇ ଯାଉଥିବା ଆମର ହୃଦୟ କଣ କିଛି ଶିକ୍ଷା ଗ୍ରହଣ କରୁନାହିଁ ? ବଡ଼ ବଡ଼ ସହରରେ ଏସବୁ ଘଟଣା କେତେ ଯେ ଘଟୁଛି ତଥାପି ଆମେ ଚେତୁନାହୁଁ । ଆଜିର ଅନ୍ -ସୋସାଇଟି ମାନଙ୍କରେ ରହି ରହି ଆମେ ସୋସିଆଲ ଆନିମଲରୁ ଅନ୍- ସୋସିଆଲ ଆନିମଲ ବନି ଯାଇଛୁ ।
ନୁହେଁ କି ????
ବି .ଦ୍ର. :- ଚାଲ ଆମେ ସମ୍ପର୍କ ଯୋଡ଼ିବା