Siddhartha Tripathy

Tragedy Inspirational

2  

Siddhartha Tripathy

Tragedy Inspirational

ଅଲୋଡା ପୃଷ୍ଠା

ଅଲୋଡା ପୃଷ୍ଠା

6 mins
110


*ଅଲୋଡା ପୃଷ୍ଠା*

          *(ପ୍ରଥମ ଭାଗ)*

    ଇଂ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ

        କନିଷ୍ଠ ଯନ୍ତ୍ରୀ, ଗଜପତି

ମନୁଷ୍ଯ ଜୀବନ ନୁହଁଇ କେବଳ,

     ବର୍ଷ, ମାସ, ଦିନ, ଦଣ୍ଡ ।

କର୍ମେ ଜିଏଁ ନର, କର୍ମ ଏକାତାର,

         ଜୀବନର ମାନଦଣ୍ଡ ।

ସେହିକ୍ରମରେ ପରିବାର ପରିଜନ ଛାଡି ଏକା ଗଜପତିଜିଲ୍ଲାରେ ମୁଁ। ସରକାରୀ ଚାକିରୀ, ତା 'ପୁଣି ଯନ୍ତ୍ରୀ। ଆଜିକାଲିର ସରକାରୀ ଚାକିରୀ କର୍ପୋରେଟ ଚାକିରୀଠାରୁ ବି କଷ୍ଟ ଦାୟକ। ହଁ ଏହା ଭିତରେ ମୋର ଗୋଟିଏ ଅଭ୍ୟାସ ଜୀବନର କିଛି ପୃଷ୍ଠା କୁ ନିଜ ହାତ ଲେଖା ଡାଏରି ରେ କାହାଣୀ ପରି ବୁଣିବା ।ଏଇ ଯେମିତି ଏବେ ଲେଖୁଛି। ମୋ ଜୀବନର କିଛି ଆଗତ ଭବିଷ୍ୟତ ଅତୀତକୁ ନେଇ କିଛି ଅଭୁଲା ସ୍ମୃତି । ଅକୁହା ପ୍ରୀତି । ଡାଏରି ମୋ ଅଦେଖା ସାଥି ।

       ବିଶେଷ କରି ଛୁଟିଦିନରେ ଖାଁ ଖାଁ ଲାଗେ ଜୀବନ। ଦପ୍ତର ଯିବାର ବି ଚାରା ନାହିଁ। ଆଜିର ଘଟଣାଟି ଖୁବ୍ ହସାଇ ଥିଲା ମୋ ଉପରେ ତାତ୍ସଲ୍ୟ କରି। ଛୁଟିଦିନରେ ଦପ୍ତର ଗଲି ବୋଲି ଅଫିସ୍ କୁ ଭଡାଘର ପରି ବ୍ଯବହାର କରୁଥିବା କୋରାପୁଟିଆ ଚପରାଶୀ ହରି ହେଉ ବା ଗଜପତି ଜିଲ୍ଲାର ରାତ୍ରଜଗୁଆଳୀ ସମୀର ହେଉ ପଚାରିବସିଲେ , " ଆଜ୍ଞା ଗାଆଁକୁ ଯାଇନାହାନ୍ତି କି ? ଦୁଇଦିନ ଛୁଟି ଅଛି। ଆପଣଙ୍କର ତ ଦୁଇଚକିଆ, ଚାରିଚକିଆ ଯାନ ବି ଅଛି । ଆମେ ସୁଦୂର କୋରାପୁଟ, ମାଲକାନାଗିରିର ଲୋକ। ତାପରେ କରୋନା ସମୟରେ ଯାତାୟତ ଅସୁବିଧା।

କିନ୍ତୁ ଆପଣ.....????

ଭିତରେ ସେମାନଙ୍କର ମନମସ୍ତିଷ୍କରେ ସନ୍ଦେହର ଘୂର୍ଣ୍ଣିଝଡ।

         ମୁଁ ବି ବୁଝେଇବାରେ ଅସମର୍ଥ ହୁଏ ଯେ ବାବୁରେ ! ଦୁଇଚକିଆ, ଚାରିଚକିଆ ଥିଲେ ବି ପଚାଶ ବର୍ଷ ବୟସରେ ଘରକୁ ଯାଇ ଫେରିଲା ପରେ ଦପ୍ତରରେ କାର୍ଯ୍ଯ କରିବା କଷ୍ଟକର ହୋଇପଡେ।

    କାଦୁଅକୁ ଯିବି କାହିଁକି, ଗୋଡଧୋଇବି କାହିଁକି ନ୍ୟାୟରେ ଦପ୍ତର ନଯାଇ ଭଡାଘର ଆସବାବପତ୍ର ସଜାଡି ସମୟ ଅତିବାହିତ କରିବାରେ ନିଜକୁ ନିୟୋଜିତ କରିନିଏ ମୁଁ। ହାଃ... ହାଃ ... ହାଃ... !!! ଏଇ ଥିଲା ଆଜି ଦିନର କିଛି କଥା ମୋ ଡାଏରି ସହିତ ।

    **************************

          ନିତିଦିନିଆ ଅଭ୍ୟାସ ଡାଏରି ସହିତ ମୋର ଆଜିର କିଛି କଥା ବାର୍ତା।  ଆଜି ଶନିବାର ଥିଲା । କାଗଜପତ୍ର ସଜାଡିବାରେ ଲାଗିପଡିଥିଲି ମୁଁ ହଠାତ୍...........

     ହାତରେ ଲାଗିଲା ପୁରୁଣା ଡାଇରୀଟିଏ। ଛୋଟବେଳରୁ ମାନେ ବୁଦ୍ଧି ଜାଣିବା ସମୟରୁ ମୋର ଅଭ୍ୟାସ ନିତ୍ୟନୈମିତ୍ତିକ କାର୍ଯ୍ୟର ବିବରଣୀ ଲେଖି ରଖିବା। ଡାଇରୀର ଶେଷ ପୃଷ୍ଠାଟିରେ ନଜର ପଡିଗଲା।

କୌଣସି ଏକ ଅବସାଦ ମୁହୂର୍ତ୍ତର ଲେଖା......!

  ଶୀର୍ଷକ ଥିଲା....ଶେଷ ଚିଠି । ମନେ ପଡିଗଲା ସେହି ଦିନର ସ୍ମୃତି । ଘର ସଫାକାମ ରୋକି ଦେଇ ଧରି ବସି ପଡ଼ିଲି ପଢିବାକୁ ।

*ଶେଷ ଚିଠି*

ମୁଁ...............

ଲେଖା ଲେଖନୀ ଠାରୁ ବହୁତ ଦୂରରେ ଥିବା ଚରିତ୍ରଟିଏ

ମୁଁ...........

ଖୁସି, ଦୁଃଖ ଓ ଅନ୍ତରର ବେଦନା କୁ ଚାପିରଖିବାର ଉଦ୍ୟମ କରି ଥକ୍କିଯାଇ ମିଛକହୁଥିବା ଓ ଧରାପଡୁଥିବା ଚରିତ୍ରଟିଏ।

ମୁଁ.............

ସମୟ ଅତିକ୍ରାନ୍ତ ହୋଇ ଶୈଶବରୁ କୈଶୋର,କୈଶୋରରୁ ଆଗକୁ ବଢୁଥିବା ଚରିତ୍ର ଟିଏ।

ମୁଁ..........

ଆଇନା ଦେଖି ସାମ୍ନା ପଟରୁ ପାଚିଆସୁଥିବା ଚୁଟିକୁ ଦେଖି ଭୟରେ ୨୦ବର୍ଷତଳକୁ ଚାଲିଯିବାକୁ ଇଚ୍ଛୁକ ଚରିତ୍ର ଟିଏ।

ମୁଁ...........

ସ୍ତ୍ରୀ ପରିତ୍ୟକ୍ତ, ଅତିକ୍ରାନ୍ତ ବୟସ, ତଥାପି ରଙ୍ଗିନ ମିଜାଜରେ ବଞ୍ଚିବାକୁ ଚାହୁଁଥିବା ଚରିତ୍ର ଟିଏ।

ଠକ୍.... ଠକ୍....... ଠକ୍

ହଠାତ୍ ଭାବନାରାଜ୍ୟରେ ପହଁରୁଥିବା ମୁଁ ପ୍ରକୃତିସ୍ଥ ହୋଇ କବାଟ ଖୋଲେ।ଏ କ'ଣ? ସାମ୍ନାରେ ସୁନ୍ଦରୀତରୁଣୀଟିଏ।ମଳିନ ମୁଖମଣ୍ଡଳ,ଅସଜଡା କେଶରାଶି।ସତେ ଯେମିତି ସଜ ଗୋଲାପ ପାଖୁଡା ଝଡ଼ିବାକୁ ଆରମ୍ଭ କରିଛି।

ମୁଁ.....

ଦୟା, ପ୍ରେମ,ସ୍ନେହର ଅବତାରଟିଏ, ଭୁଲ ବୁଝାମଣା ର ଗନ୍ତାଘର ଟିଏ। ସେଇଥିପାଇଁ ତ ସ୍ତ୍ରୀ ପରିତ୍ୟକ୍ତା ।

ଝିଅଟିକୁ ଭିତରକୁ ଡାକିଲି।ସଙ୍କୋଚରେ, ଲଜ୍ଜାରେ ମୁଣ୍ଡ ତଳକୁ କରି ଗୃହ ଭିତରେ ପ୍ରବେଶ କଲା ଝିଅଟି। ଦଲକାଏ ପବନ ଅସଜଡା କେଶରାଶିକୁ ଆହୁରି ଅସ୍ତବ୍ୟସ୍ତ କରିଦେଲା। ତା'କୁ ବସିବାକୁ କହି ପାଣି ଗ୍ଲାସଟିଏ ବଢାଇଦେଲି।ପାଣିଗ୍ଲାସଟିକୁ ଥରଥର ହାତରେ ଧରିଲାବେଳେ ଅଧାଲିଭା ନେଲପଲିସ ବାହାରକୁ ଉଙ୍କି ମାରୁଥିବା ନଖରେ ମୋ ହାତ ବାଜିଗଲା। ଚୁପ୍ କରି ହାତ ଫେରାଇନେଲାବେଳେ  ଓଃ,ସରି କହି ହାତଟାକୁ ଧରିନେଲା ସେ। ଅଦ୍ଭୁତ ଆକର୍ଷଣ।ଶିହରି ଉଠିଲା ଦେହ। ରୋମାଞ୍ଚିତ ପୁଲକ। ଲାଜେଇ ଗଲା ସେ।ଅନୁଭବ କରିପାରିଲା ଶିହରଣ। କଣେଇ କଣେଇ ଅନେଇ ଦେଖୁଥାଏ ଲଜ୍ଜାରେ,ଭୟରେ।କହିଉଠିଲା, ସାର୍ ଆପଣଙ୍କ ବିଷୟ ବହୁତ ଶୁଣିଛି, ବହୁତ ଲେଖା ବି ପଢିଛି।ପିଲାଟି ବେଳରୁ ବାପଛେଉଣ୍ଡ।ସମସ୍ତେ କୁହନ୍ତି ଜନ୍ମହୋଇ ବାପକୁ ଖାଇଗଲା।କଷ୍ଟେମଷ୍ଟେ ମ୍ୟାଟ୍ରିକ ପାଶ କଲି।ଏବେ ମାଆ ବି ଚାଲିଗଲା। ବହୁତ ଆଶା ନେଇ ଆସିଛି। ବଞ୍ଚିବାର ରାସ୍ତା ନାହିଁ। ମୁଁ କିଛି ଟା ଲେଖାଲେଖି କରେ।ମୋର ଲେଖା କେତୋଟି ପ୍ରକାଶନ କରାଇ ଦିଅନ୍ତୁ ଓ କିଛି ଅର୍ଥ ଯୋଗାଡ଼ କରାଇ ଦିଅନ୍ତୁ। ମୁଁ ସତମାର୍ଗରେ ବଞ୍ଚିବାକୁ ଚାହେଁ।ସେପଟେ ମୋର ଅଫିସରୁ କଲ୍ ଆସିଲା।ମୋତେ ଏବେ ଯିବାକୁ ହେବ।ତୁମେ ଆଉଦିନେ ଆସ କଥାହେବା କହି ମୁଁ ବାହାରିଲି ଓ ବିନା ଆପତ୍ତି ରେ ସେ ବି ବାହାରିଗଲା।

ମୁଁ ସ୍ତ୍ରୀ ପରିତ୍ୟକ୍ତା କିନ୍ତୁ ସନ୍ୟାସୀ ନୁହଁ,ହାଡମା୦ସର ଶରୀର ବହନ କରୁଥିବା ବ୍ୟକ୍ତିଟିଏ।

ମୁଁ.......

ବଶିଷ୍ଠ, ବିଶ୍ୱାମିତ୍ର ନୁହେଁ,ତାବୋଲି ରାବଣ ହୋଇପାରିବିନି।

***** ******* ********

        ଗତ କାଲି ରାତିରେ ଝିଅଟାର ଚେହେରା ଚଳଚ୍ଚିତ୍ର ପରି ରାତିସାରା ଆଖି ଆଗରେ ନାଚି ଉଠିଲା। ଓଃ! ଠିକଣା, ଫୋନ୍ ନମ୍ୱର୍ ପଚାରିପାରିଲିନି।କେବେ ଆସିବ? କ'ଣ ଚାହେଁ? କ'ଣ ଅସୁବିଧା ଥିଲା?ମୋ ବିଷୟରେ କେମିତି ଜାଣିଲା? ଏମିତି ନାନାଦି ପ୍ରଶ୍ନ ଜାଲରେ ଗୁଡେ଼ଇ ତୁଡେଇ ହେଉଥିଲା ମନ।

***********************

       ଆଜିର ଘଟଣାବଳୀ ମୋ ଡାଏରି ସହିତ। ହଠାତ୍ ଆଜି ........ସକାଳୁ ସକାଳୁ ପୁଣି ପହଞ୍ଚିଲା ଝିଅଟି।ମୋର କାହିଁକି କେଜାଣି ପାଟିରୁ ବାହାରିଗଲା ଆଜି ରୋଷେଇ କରିବ,ମିଶିକରି ଖାଇବା। ହଁ ଭରିଲା ଝିଅଟି।ମନଟା ହାଲକା ଲାଗିଲା। ଏକୁଟିଆ ମଣିଷ।ଝିଅଟି କାହିଁକି ନିଜର ନିଜର ଲାଗୁଥିଲା। ମୁଁ ତାକୁ ବୁଝେଇଲି ଲେଖାଲେଖି କରି ଜୀବନ ନିର୍ବାହ କରିବା ସମ୍ଭବପର ନୁହେଁ। ପତ୍ରପତ୍ରିକାରେ ପ୍ରକାଶନ ପାଇଁ ଅର୍ଥ ମିଳେନାହିଁ,ଅର୍ଥ ବ୍ୟୟ ହୁଏ। ତୁମେ ଅନ୍ୟ ପନ୍ଥା ଦେଖ।ମଉଳାଫୁଲପରି ଦେଖାଗଲା ଝିଅଟିର ମୁଖମଣ୍ଡଳ।ସତେ ଯେମିତି ଆଶାର କିରଣ ମଉଳି ଯାଇଥିଲା। ମୁଁ ଆଉ କ'ଣ କରିପାରିବି ସାର୍? ମୁଁ କହିଲି ଗୋଟିଏ କାମ କର। ମୁଁ କିଛିଟି ଅର୍ଥ ସାହାଯ୍ୟ କରିବି,ଛୋଟ ବ୍ୟବସାୟ ଆରମ୍ଭ କର।ତାସହ ଲେଖାଲେଖି କର ଯଦି ତମେ ଉଚ୍ଛୁକ।ଝିଅଟି ଖୁସିରେ କୁରୁଳି ଉଠିଲା। ତା'କୁ ପଚାରିଲି,ତୁମ ନାଁ କ'ଣ? ସ୍ମିତ ହସି ଉତ୍ତର ଦେଲା " ଅପର୍ଣ୍ଣା।"  ବାଃ, ସୁନ୍ଦର ନାଁ। ଲାଜେଇଗଲା ଝିଅଟି। କହିଲା, ସାର୍ ଆପଣଙ୍କ ବିଷୟରେ ଯାହା ଶୁଣିଥିଲି ସବୁ ଠିକ୍। ବହୁତ ଦୟାଳୁ ଓ ପରୋପକାରୀ ଆପଣ।ଛାତିଟା ଟାଇଗର ସ୍ରଫର ଛାତି ପରି ଚଉଡା ହୋଇଗଲା ମୋର।ଝିଅଟି ପଚାରିଲା ସାର୍,ଆପଣ ଗୋଟିଏ ସ୍ଥାନରେ ଲେଖିଥିଲେ ଜଣେ ନାରୀ ଆପଣଙ୍କ ଲେଖାର ପ୍ରେରଣାଦାୟିନୀ।ସେ ନାରୀର ନାମ ଛଦ୍ମ କାହିଁକି?

ବୁଝିଲ ଅପର୍ଣ୍ଣା,

ମୁଁ......

ଗୋଟିଏ ଥୁଣ୍ଟା ବରଗଛ।ପ୍ରେରଣାଦାୟିନୀ ଜଣକର ସତସାହସ ନାହିଁ ଆଗକୁ ଆସି ନିଜକୁ ଆତ୍ମପ୍ରକାଶ କରିବାର। ତା'ର ଭୟ ତା ସଂସାର ଉଜୁଡିଯିବ। ସମାଜ ଆଖିରେ ନିନ୍ଦିତ ହେବ।ତା ଅପେକ୍ଷା ନିରବତା ଭଲ। ତେଣୁ ସେ ମୋତେ ବାରଣ କରିଥିଲା। ମୁଁ ପରା ଥୁଣ୍ଟା ବରଗଛ।ସମୟ ଚାଲିଗଲା। ଚାହିଦା କମିଗଲା।ଆବଶ୍ୟକତା ସରିଗଲା। ମୁଁ ଏବେ ରାସ୍ତାକଡର ସୋ ପିସ୍।

ଆଖିକଣରୁ ବହିଯାଉଥିବା ଲୁହ ପୋଛିଦେଲା ଅପର୍ଣ୍ଣା। ମୁଁ କିନ୍ତୁ ଆପଣଙ୍କ ସାହାଯ୍ୟ, ମତାମତ ଭୁଲିବିନି ସାର୍। ତାର ଫୋନ୍ ନମ୍ୱର୍ ରଖିଲି,ଦିନେ ଦୁଇଦିନ ଭିତରେ ଆସି ଟଙ୍କା ନେଇଯିବାକୁ କହିଲି।ସେ ଧିରେଧିରେ ପରିଶୋଧ କରିବାର ପ୍ରତିଶ୍ରୁତି ଦେଲା।

***************

ମୁଁ.........

ଶୋଇପାରିଲିନି କାଲି ରାତିସାରା।ସେ ବି ଶୋଇନଥିବ?ନା,ନା ସେ କାହିଁକି ଚେଇଁବ ଯେ? ଫୋନ୍ କରିବାକୁ ଯାଉଥାଏ ପୁଣି ଅଟକି ଯାଉଥାଏ ହାତ।ଏତେ ରାତିରେ....,ଦେବତାର ଆସନରେ ବସାଇଥିବା ଝିଅଟି କ'ଣ ଭାବିବ ଯେ?

***** ****** ****

ଡାଏରି ସହିତ ଆଉ ଫର୍ଦ୍ଦେ...

କିଛି ଦିନ ପରେ...

ଆରମ୍ଭ ହେଲା ତା ବ୍ୟବସାୟ।ଉଦଘାଟକ ମୋ ସହ ହାତ ଗଣତି ଆଉ କିଛି ବ୍ୟକ୍ତି। ଅପର୍ଣ୍ଣା ର ଯିବାଆସିବା ଆରମ୍ଭ ହେଲା ମୋ ଘରକୁ। ବ୍ୟବସାୟ ସେମିତି କିଛି ଆଖି ଦୃଶିଆ ନଥିଲା।

ଆତ୍ମିୟତା ବଢ଼ିବାରେ ଲାଗିଲା। ସବୁଦିନ ସମାନ ଯାଏନା।

ହଠାତ୍ ଦିନେ.......

ଅପର୍ଣ୍ଣା ଓ ମୁଁ........

ବାନ୍ଧି ହୋଇଗଲୁ, ଛନ୍ଦି ହୋଇଗଲୁ କୈାଣସି ଏକ ଦୁର୍ବଳ ମୁହୂର୍ତ୍ତରେ।

ସମୟ କାହାକୁ ଅପେକ୍ଷା କରେ ନାହିଁ। ହଠାତ୍ ଦିନେ ମୋର ବଦଳି ହେଲା। ଅପର୍ଣ୍ଣା କୁ ଜଣାଇ ମୁଁ ଛାଡିଚାଲିଗଲି ସହର।ତା ସହ ସମ୍ପର୍କ କ'ଣ ଥିଲା ଏବେବି ବୁଝି ହୁଏନା। ଧିରେଧିରେ ମୁଁ ନୂତନ ସ୍ଥାନରେ କାର୍ଯ୍ୟବ୍ୟସ୍ତ ରହିବାକୁ ଲାଗିଲି। ଅପର୍ଣ୍ଣା ସହ କଥାବାର୍ତ୍ତା କମିବାରେ ଲାଗିଲା। ମୋ'ର ବି ସାହାଯ୍ୟ ବହୁତ ହୋଇ ସାରିଥିଲା। ଅପର୍ଣ୍ଣା ବି ବ୍ୟବସାୟରେ ଉନ୍ନତି ପାଇଁ ଓ ନିଜର ଥଇଥାନରେ ବ୍ୟସ୍ତ ରହି ଲେଖା ଲେଖିରୁ ନିବୃତ୍ତ ଥିଲା। ବ୍ୟସ୍ତତା ଭିତରେ ହଠାତ୍ ଦିନେ ମନକୁ ଆସିଲା ଅପର୍ଣ୍ଣା କଥା। ଫୋନ ଲଗେଇ ବସିଲି ଅଧର୍ଯ୍ୟ ହୋଉ । ଫୋନ୍ ଲାଗିଲାନି।ମନଟା ଭଲ ଲାଗୁନଥିଲା।

********************

         ଅପର୍ଣ୍ଣାର ଅନୁସନ୍ଧାନେ ଆଜି ମୁଁ ବାହାରିଲି ପୁରୁଣା କର୍ମସ୍ଥଳୀକୁ।ପରିବର୍ତ୍ତନଶୀଳ ଦୁନିଆଁ। ସହରରେ ଅନେକ ପରିବର୍ତ୍ତନ। କଂକ୍ରିଟ ଜଙ୍ଗଲ। ନୂଆଁ ମଲ ସବୁ ଦଣ୍ଡାୟମାନ।ଝୋପଡିପ୍ରଥା ବିଲୁପ୍ତ ପ୍ରାୟ। ବହୁତ ଖୋଜାଖୋଜି କଲି, କିଛି ପାଇଲିନି।ନା ଅପର୍ଣାର ଘର,ନା ତା'ର ବ୍ୟବସାୟିକ ପ୍ରତିଷ୍ଠାନ। ଉଦୁଉଦିଆ ଖରା।ଅପର୍ଣାର ଦୋକାନ ଜାଗାରେ ସୁଉଚ୍ଚ ମଲ। ବାରଣ୍ଡାରେ ଥକ୍କା ମାରି ବସିଗଲି। ପାଖକୁ ଲାଗିଆସିଲା କୁନି ଝିଅଟିଏ।ନେଞ୍ଜରା ଆଖି, ଛିଣ୍ଡା ଫ୍ରକ୍। ମନଟା ଖଟକା ଲାଗୁଥାଏ। ଦେହରୁ ଝାଳର ଦୁର୍ଗନ୍ଧ।ଅସହ୍ୟ ଲାଗୁଥିଲା ମୋତେ।ବିରକ୍ତିରେ କହିଉଠିଲି,ଏ ଦୂରକୁ ଯାଆ।

ଝିଅଟି କହିଲା ବାବୁ! ମୋ ମାଆ ଗପ ଲେଖି ଦେଇଛି ଓ କହିଛି ଏହି ଯାଗାକୁ ଯିଏ ବି ଆସିବ ତାଙ୍କୁ ଗପ ପଢାଇବୁ ଓ ପଇସା ମାଗିବୁ।ଏଇ ଗଳ୍ପଟି ପଢି କିଛି ପଇସା ଦିଅ,୨ ଦିନ ହେଲା କିଛି ଖାଇନି,ମରିଯିବି ବାବୁ!

ଅନିଚ୍ଛା ସତ୍ତ୍ୱେ ତା ହାତରୁ କାଗଜଟି ନେଲି।

ଲେଖା ଥିଲା ଶୀର୍ଷକ :

ଭଗବାନଙ୍କୁ ଶେଷ ଚିଠି..

ହେ ଭଗବାନ୍!

ଶୁଣିଥିଲି ତୁମେ ସର୍ଵତ୍ର ବିଦ୍ୟମାନ, ଦୁଃଖ ହର୍ତ୍ତା। ମୁଁ ଅଭାଗିନୀ ଦୁନିଆ ଆଗରେ ସମ୍ମାନର ସହ ମୁଣ୍ଡ ଟେକି ବଞ୍ଚିବାକୁ ଚାହୁଁଥିଲି। ବାଧାବିଘ୍ନକୁ ଭୃକ୍ଷେପ ନକରି ଆଗକୁ ଗର୍ବ,ଦମ୍ଭ ଓ ସାହସର ସହ ବଢିବାର ବଜ୍ରଶପଥ ନେଇଥିଲି। ଜନ୍ମରୁ ବାପାକୁ ଛଡେଇନେଲ, ତା'ପରେ ମାଆ।ମନରେ ଶଙ୍କା ହେଲା।ନାରୀର ପରିଚୟ ଜନନୀ, ଭଗିନୀ,ଜାୟା।ହେଲେ ଏହି ତ୍ରିଶକ୍ତିର ନାମରେ ଆଜିକାଲି ନୂଆଁ ଫର୍ଦ୍ଦଯୋଡିହୋଇଯାଇଛି।ତାହା ହେଲା ଦୁଷ୍କର୍ମପୀଡିତା।ଜୀବନରେ ତାହା କେବେ ନଆସୁ।ଭାବୁଭାବୁ ତୁମେ ମୋତେ ସାହାରା ଦେଲ ।ବଞ୍ଚିବାର ରାସ୍ତା ପାଇଲି ଓ ଆଗକୁ ବଢିଲି। ହଠାତ୍ ତୁମେ ମୋତେ ରାସ୍ତା ଦେଖାଇଲ ଓ ମୁଁ ଆଗକୁ ବଢିଲି।ସବୁ ସମର୍ପଣ କଲି। ତୁମେ ପରା ସର୍ଵତ୍ର ବିଦ୍ୟମାନ, କେମିତି ମୋ କଥା,ମୋ ଦୁର୍ଦ୍ଦଶା ଜାଣିପାରିଲନି ଭଗବାନ!ମୋ ଗର୍ଭରୁ ଜନ୍ମ ନେଲା ଝିଅଟିଏ।ଟାହିଟାପରାର ସାମ୍ନା କରି ଆଗକୁ ବଢିଲି। ବ୍ୟବସାୟ ମାନ୍ଦା ହୋଇ ବନ୍ଦ ହେବାକୁ ବସିଲା।ହେ ଭଗବାନ୍ ! ତୁମେ ଛାଡି ଚାଲିଗଲ। ଦେବତାଙ୍କ ସ୍ଥାନ ନେଲେ ରାକ୍ଷସଗଣ। ପରିସ୍ଥିତି ଅଣାୟତ୍ତ ହେଲା।ତମ ପାଖରେ ସମର୍ପିତା ଥିଲି ମୁଁ।ଆଉ କାହା ପାଖରେ ଭୋଗ କେମିତି ଲାଗିଥାନ୍ତି?

ହେ ଭଗବାନ୍! ତୁମେ ତ ସର୍ବତ୍ର ବିଦ୍ୟମାନ। କେଉଁଠି ନା କେଉଁଠି ଝିଅକୁ ଭେଟିବ।ଆଶା ଓ ବିଶ୍ବାସ ତା'ର ଧ୍ୟାନ ନେବ ଓ ମୋର ଅଧୁରା ସ୍ୱପ୍ନକୁ ପୁରଣ କରିବ।ତେବେ ହିଁ ସ୍ୱର୍ଗରେ ଥାଏ କି ନର୍କରେ, ମୁଁ ଜାଣିବି ଈଶ୍ୱର ଅବିନଶ୍ୱର।ଅଧିକ କ'ଣ ଲେଖିବି? ମୁଁ ତ ଅଜଣା ପଥର ଯାତ୍ରୀ।

ଇତି

ତୁମର...

ଅପର୍ଣ୍ଣା ।।

ଆଖି ଲୁହରେ ଲେଖାଟି ସମ୍ପୂର୍ଣ୍ଣ ଭିଜିଯାଇଥିଲା।

ଜୀବନର ଉତ୍ଥାନ ପତ୍ତନ ଭିତରେ ଆଉ ସାହାଯ୍ଯର ହାତ ବଢେଇବାର ସାହସ ମୋର ନଥିଲା। ଚୁପଚାପ ମାନବିକତା ଦୃଷ୍ଟିରୁ ଝିଅଟି ହାତକୁ କିଛି ଅର୍ଥ ବଢେଇ ଚୁପଚାପ ମୁଣ୍ଡ ଆଉଁଶି ଫେରିବାସମୟରେ ଭାବୁଥିଲି, ଗୁଡାଏ ଅର୍ଥ ଶ୍ରାଦ୍ଧ ହୋଇଗଲା।

ଜୀବନସାରା ବିତିଗଲା ଏମିତି ଦେବାରେ।

ପୁରୁଣା ଡାଏରି ପଢି ଆଖି କୋଣରେ ମୋର ଲୁହ ଜକେଇ ଆସିଥିଲା ।

କ୍ରମଶଃ........



Rate this content
Log in

Similar oriya story from Tragedy