Ashok Moharana

Comedy

4  

Ashok Moharana

Comedy

ଅଖା ଧୋଉଥିବ

ଅଖା ଧୋଉଥିବ

4 mins
237


ଧୁମଧାମରେ ବାହାଘର ଟା ହୋଇଗଲା।କୁଟୁକୁଟିଆର ପାଦ ଆଉ କି ତଳେ ପଡେ।ବହୁତ ଦିନ ଭଲ ପାଇବା ପରେ ତନୁ ଓରଫ ତନୁଶ୍ରୀକୁ ପାଇଲା।ସୁନ୍ଦରୀ ଝିଅଟା ହେଲେ ଟିକେ ଦାନ୍ତ ଗୁଡା ଉପରକୁ ବାହାରିଛି।ଦାନ୍ତ କଣ ମ ! ସେ ଶୋଇଥିଲେ ଚୋର କି ଡାକୁଙ୍କର କୌଣସି ଭୟ ନାହିଁ।ରାତିରେ ଜିର ଦେଖିବ ସେ କହିବ....ଆରେ ଏ ଲୋକଟା ହସୁଛି।

ବାହାଘର ପରେ ଗୋଟେ ବିଧି ଅଛି ,ବର ଶ୍ବଶୁର ଘରକୁ ଝିଅ ସହିତ ବୁଲି ଯିବ। ଜ୍ୱାଇଁ କୁଣିଆ ହେବ।ଭାରୀ ଖୁସି ହୋଇ ଯାଉଥାଏ କୁଟୁକୁଟିଆ।ଶ୍ବଶୁର ଘରକୁ ଯିବ... କେତେ ଖାଇବା ପିଇବା ଶାଳୀ ବି ଅଛି....ଏ କଥା ଭାବି ଭାବି ତାକୁ ନିଦ ହେଉ ନଥାଏ।

ସତକୁ ସତ ଶାଳକ ବିପ୍ରବର ଜ୍ୱାଇଁ ନିମନ୍ତ୍ରଣ କରି ଚାଲିଯିବା ପରେ ଗେହ୍ଲେଇ ତନୁକୁ ନେଇ କୁଟୁକୁଟିଆ ଶ୍ବଶୁର ଘର ଗାଁ ଢୋଲପଶିରେ ପହଞ୍ଚି ଗଲେ।ଜ୍ୱାଇଁ ନିମନ୍ତ୍ରଣ ହେଲା...ଖୁସି ମିଜାସରେ ଦିନ କଟି ଗଲା। ଶ୍ୱଶୁର ଘରେ କୁଣିଆ ହୋଇ କୁଟୁକୁଟିଆର ଆନନ୍ଦ କହିଲେ ନସରେ।ବିଭିନ୍ନ ପ୍ରକାରର ସ୍ଵାଦପୂର୍ଣ୍ଣ ଖାଦ୍ୟ।ଏକ ତ କୁଟୁକୁଟିଆର ଭାରୀ ଲୋଭ ଖାଦ୍ୟରେ.... କି ଲୋଭ ସମ୍ଭାଳେ ମନ ଇଚ୍ଛା ସବୁ ଖାଦ୍ୟ ଉଦରସ୍ଥ କରି ହେକୁଟି ମାରି ଗୋଟେ ଅଚିନ୍ତା ନିଦ୍ରା ଗଲେ।

ଠିକ ରାତି ବାରଟା ବେଳକୁ କୁଟୁକୁଟିଆର ପେଟ ଟିକେ ଗୋଳମାଳ ହୋଇ ଭିଡ଼ି ମୋଡି ହେଲା।ଯେନତେନ ପ୍ରକାରଣ ସମ୍ଭାଳି ନେଲେ...ଶ୍ବଶୁର ଘର ରାସ୍ତା ଘାଟ ଠିକରେ ଜଣା ନାହିଁ।ସକାଳ ପାହିଲେ ପୋଖରୀ ପାଣି ଯାଇ ଟାଙ୍କି ସଫା କଲେ ଆଉ ପୁରୁଣା ତ୍ୟାଗ କଲେ ପୁଣି ନୂଆ ଉଦରସ୍ଥ ହେବ।

ଢୋଲପଶିରେ କାହାଘରେ ପାଇଖାନା ନାହିଁ.... ଖୋଲା ପଡ଼ିଆରେ ଗୁରୁଶଙ୍କା କରି ପୋଖରୀରେ ଶୌଚ ହେବାକୁ ପଡ଼େ।ନଚେତ ନିକଟରେ ଥିବା ବ୍ରାହ୍ମଣୀ ନଦୀରେ ସାରିବାକୁ ହୁଏ।ଜ୍ବାଇଁ ପୁଅ କଣ କରିବେ ।ଶ୍ବଶୁର ଘର ଲୋକ ଜ୍ୱାଇଁଙ୍କ ପାଇଁ ଦୁଇ ଯୋଡ଼ା ନାଲି ଗାମୁଛା ଥୋଇ ଦେଇଥିଲେ।ଜ୍ୱାଇଁ ପୁଅ ପୁରୁଣା କଣ ପିନ୍ଧିବେ।

ତନୁ ତ ବାପଘରକୁ ଆସି ବେଶ ଖୁସି।ଯା ହେଉ ସେ ସିନା ଦାନ୍ତୁରି ହେଲେ ରଜା ଛୁଆ ପରି ଜ୍ୱାଇଁଟା.... ସମ୍ପୂର୍ଣ୍ଣ ଗୋରା ତକ ତକ ଦେହ...ସଫେଦ ଚେହେରା....ତନୁ କହିଲା...."ହେଇ ହେ ଏମିତି ମୁହଁ ଆମ୍ବିଳା କଣ ପାଇଁ କରିଛ"।

କୁଟୁକୁଟିଆ କହିଲା"କୁହନା କୁହନା ପ୍ରିୟେ... କଣ ମୋ ଶାଳୀ ଖାଇବାକୁ ଦେଲା ଯେ ପେଟ ଟା ଖାଲି ଘାଣ୍ଟି ଗୋଳେଇ ହେଉଛି"

"ମଲା ମୋର ଏତେ କଣ ଛୋପରା ହେଉଛ ମ... ନାଲି ଗାମୁଛା ପିନ୍ଧି ନଈ କୁଳକୁ ଯାଇ ପେଟକୁ ବାଡେଇ... ଟାଙ୍କି ଖାଲି କରି ଦେଇ ଆସ....ଏତେ ଡର କଣ !" ପଡ଼ିଆ ପଡ଼ିଛ ଯେତେ ଛାଡୁଛ ଛାଡ଼।

ଏତିକି ବେଳେ କୁଟୁକୁଟିଆ ଗୋଟେ ବାଘ ଗର୍ଜ୍ଜନ କରିବା ଭଳି ବାୟୁ ପରିତ୍ୟାଗ କରିଦେଲା। ଘର ସାରା ମଶା ମାଛି ମୂଷା ଦୌଡୁ ଦୌଡୁ ତର ସହିଲା ନାହିଁ।

କୁଟୁକୁଟିଆ ତରତର ହୋଇ ନାଲି ଗାମୁଛା ରୁ ଗୋଟେ ପିନ୍ଧି ଆଉ ଗୋଟେ କାନ୍ଧରେ ପକେଇ ନଈ କୂଳକୁ ଧାଇଁଲା। ତରତରରେ ନଈ ବାଲିକୁ ଆଡେଇ ପେଟ ସଫା କରିଦେଲା।ପେଟ ପୁରା ସଫା। ଏମିତି ଝାଡା ହେଲା ଯେ କୁଟୁକୁଟିଆର ଗୋଡ଼ ଜଙ୍ଘ ସବୁ ଆଡ଼େ ଝାଡା ମୟ।କରେ କଣ ରାତି ପାହିଲାଣି।ଲୋକ ନଦୀକୁ ନିତ୍ୟ କର୍ମ ପାଇଁ ଆସିଲେଣି।

କୁଟୁକୁଟିଆ ଗୋଟେ ଗାମୁଛା ଦେହରେ ଢ଼ାଙ୍କି ନଦୀ ଭିତରକୁ ପଶିଗଲା।ନଦୀରେ ତ ଗାଧୋଇବା ଅଭ୍ୟାସ ନାହିଁ।ନାଲି ଗାମୁଛା ରୁ ରଙ୍ଗ ବାହାରି ଗୋରା ଦେହଟା ପୁରା ନାଲି ହୋଇଗଲା।ତାକୁ ଯିଏ ଦେଖିବ କୁଆଡେ ଅଜଣା ଗ୍ରହର ଲୋକ ବୋଲି କହିବ।

ସେ ଗାମୁଛା କୁ ଭିଡି ଧରୁ ଧରୁ ଗୋଟେ ଗାମୁଛା ଆଣ୍ଟାରୁ ଫିଟି ନଦୀରେ ଭାସିଗଲା।ହାଁ ହାଁ କରି ହାତ ବଢ଼ାଇବା ବେଳକୁ ଆରଟା ବି ଭାସିଗଲା।ଏବେ କୁଟୁକୁଟିଆ କରିବ କଣ।କୁଆଡେ ଯିବ।ସମ୍ପୁର୍ଣ୍ଣ ଉଲଗ୍ନ।ସିନ୍ଦୁରା ଫାଟି ସୂର୍ଯ୍ୟ ଉଦୟ ହେଲେଣି।

ନଦୀରେ କେତେ ସମୟ ଛିଡ଼ା ହେବ।ଚୁପଚାପ ନଗ୍ନ ଅବସ୍ଥାରେ ନଦୀକୁ ଲାଗିଥିବା ଆଖୁ କିଆରୀ ରେ ପଶିଗଲେ କୁଟୁକୁଟିଆ।ସେ ଆଖୁ କିଆରୀରେ ବସି ରହିଲେ ସଞ୍ଜ ହେଲେ ଯାହା ହେବାର କଥା ହେବ।

ଏଣେ ଭୋକରେ ପେଟ ଜଳୁଛି।କଣ କରିବ ଭାବି ଭାବି ଆଖୁ ଭାଙ୍ଗି ଚୋବେଇବାରେ ଲାଗିଲା।ଆଖୁ ଖାଇବାରେ ଖସ ଖସ ଶବ୍ଦ ହେଉଥିଲା।

ଆଖୁ କିଆରୀକୁ ପ୍ରତିଦିନ ପାଳି କରି ଜଗିବାକୁ ଆସୁଥାନ୍ତି।ଆଖୁ କିଆରୀରେ ଖସ ଖସ ଶବ୍ଦ ଶୁଣି ଚାଷୀ ଦୁଇ ଜଣ ଧୀରେ ଧୀରେ କିଏ ଆଖୁ ଖାଉଛି ବୋଲି ଦେଖିବାକୁ ଗଲେ।

ଦୂରରୁ ଦେଖିଲେ...ଦେହ ସାରା ଲାଳ ହୋଇ ଗୋଟେ ଜୀଵ ଆଖୁ ଗୁଡା ଖାଇବାରେ ବ୍ୟସ୍ତ।ଏ ଭଳି ଜୀଵ ସେମାନେ ଦେଖି ନଥିଲେ।ଏତେ ନାଲି ଜୀବଟା କେଉଁ ଅଜଣା ଗ୍ରହରୁ ଆସିଛି ଭାବି ଜୀବନ ବିକଳରେ ଗାଆଁକୁ ଦୌଡ଼ିଲେ।ଲୁଗାପଟା କଥା ପଚାରେ କିଏ।

ଗାଁ ସାରା ଲୋକ ଏକାଠି ହୋଇ ଠେଙ୍ଗାବାଡ଼ି ଧରି ଆଖୁ କିଆରୀରେ ମହାଭାରତ ଯୁଦ୍ଧ କରିବା ଭଳି ପଶି ଆକ୍ରମଣ କରିବାକୁ ଲାଗିଲେ। ଏମିତି ଯିବାକୁ ନିସ୍ତୁକ ପିଟିବାକୁ ଲାଗିଲେ।ଵିଚାରା କୁଟୁକୁଟିଆ କଥା କାହିବାକୁ ସୁଯୋଗ ପାଇଲେ ନାହିଁ। ମରିଗଲି ମରିଗଲି ଚିତ୍କାର କରିବାକୁ ଲାଗିଲା ସେ....ଛାଡିଦିଅ ଛାଡିଦିଅ କହିଲା।କିଛି ଟୋକା ଥିଲେ କହିଲେ "ଆରେ ଏଟା ମଣିଷଟା....ଆଖୁ ଚୋରୀ କରି ଖାଉଛି"ପୁଣି ନିସ୍ତୁକ ମାଡ଼।ବିଧା ଗୋଇଠାରେ ମୁହଁ ଦେହ ଫୁଲି ଆବୁ ସୃଷ୍ଟି ହୋଇ ଗଲା।ଦେହ ନାଲି ସାଙ୍ଗକୁ ମାଡ଼ ଦାଗରେ ଆହୁରି ନାଲି ପଡ଼ିଗଲାଣି।

କେହି ଜଣେ କହିଲା ଏଇଟାକୁ ଗାଆଁକୁ ଧର...ଛୁଆ ଦେଖିଲେ ଖୁସି ହେବେ...କୁଟୁକୁଟିଆ କହିବ କଣ ...ତାକୁ ଗୋଟେ ଅଖା ପିନ୍ଧେଇ ଗାଁକୁ ନେଇ ଗାଁ ବରଗଛ ମୂଳେ ବସେଇ ଦେଲେ।

କୁଟୁକୁଟିଆ ଏ ଯାଏଁ ଫେରିନି।ଜ୍ବାଇଁ ପୁଅ କୁଆଡେ ଗଲେ ସକାଳୁ ପହରୁ ପୋଖରୀ ପାଣି ଯାଇଛନ୍ତି ଯେ ଯାଇଛନ୍ତି।ଘରେ ଚହଳି ପଡିଗଲା।ଖୋଜ ଖୋଜ ଜ୍ୱାଇଁ କୁଆଡ଼େ ଗଲେ...ଆଉ ନଦୀରେ ଭାସି.... କାନ୍ଦ ବୋବାଳି ପଡିଗଲା।କଣ ହେବ ଏଇନା।ତନୁ ଘଡିକୁ ଘଡି ଚେତା ବୁଡ଼ିଗଲା।

ଶ୍ବଶୁର, ଶଳା,ଶାଳୀ,ତନୁ ସାହି ପଡିଶା ନଦୀ କୂଳରେ ଖୋଜିଲେ ହେଲେ କୁଆଡେ ବି କିଛି ସନ୍ଧାନ ପାଇଲେ ନାହିଁ।

କିଏ କହିଲା....ଗାଁ ଲୋକ ଗୋଟେ ଆଖୁ ଚୋରକୁ ବାନ୍ଧିଛନ୍ତି।ଚାଲ ଦେଖିବା... ସେଟା କୁଆଡେ ପୁରା ନାଲି...କାଳେ ଜ୍ୱାଇଁ ପୁଅ ଚୋର ଦେଖୁଥିବେ।

 ସେଠାରେ ପହଞ୍ଚି ଦେଖିଲେ...ସତକୁ ସତ ଗୋଟେ ନାଲି ମଣିଷ।ଦେହ ସମ୍ପୂର୍ଣ୍ଣ ନାଲି।ଦେହ ମୁଣ୍ଡରେ ବଡ଼ ବଡ ଆବୁ...ବସ୍ତା ଟାଏ ପିନ୍ଧିଛି। 

ନୂଆ ଜ୍ୱାଇଁ ଗାଁରେ କି ସାହିରେ କିଏ ଭଲ ଭାବରେ ଚିହ୍ନିଛି।

କୁଆଡେ ଗଲେ ଜ୍ୱାଇଁ ପୁଅ...ଏତିକିବେଳେ ତନୁ ନୀରିଖେଇ ଦେଖିଲା.... ଆରେ ତା କୁଟୁକୁଟିଆ ଭଳି ୟାର ମୁଣ୍ଡ ପଛରେ ଚୁଟି ନାହିଁ।ପୁରା ଠ...ୟିଏ ତ ତାରି ଭଳି ଦିଶୁଛି। ତନୁ ଆଉ ଟିକେ ନିରୀଖେଇ ଦେଖିଲା।

ସେଇ ଭିଡ଼ ଭିତରୁ ବାହାରି..."ଆଲୋ ଏଇ ତ ମୋ ବିଶିକେଶନ କହି ଦୁଲକିନା କୁଟୁକୁଟିଆ ପାଖରେ ଚେତା ବୁଡି ପଡିଗଲା।

କଣ ହେଲା କଣ ହେଲା କୁହାକୁହି ହେବା ବେଳକୁ କିଏ କହିଲା "ଏ ଚନ୍ଦା ଟା ହେଉଛି ଦାନ୍ତୁରି ଜ୍ୱାଇଁ"....ଓହୋ ଚୁ ଚୁ କହି ଲୋକେ କେତେ ମନ ଦୁଃଖ କଲେ।ଯିଏ ଯୁଆଡେ ଚାଲିଗଲେ।

ଘରକୁ ଆସି କୁଟୁକୁଟିଆକୁ ଗାଧୋଇ ପାଧୋଇ ଖାଇବାକୁ ଦେଲେ।

ଟିକେ ସଷ୍ଟାଙ୍ଗ ହେବା ପରେ.... ଶାଳୀ ଗେହ୍ଲେଇ ହୋଇ ପଚାରିଲା... ଆହେ ଭାଇନା ତୁମର ଏ ଅବସ୍ଥା ହେଲା କେମିତି।

କୁଟୁକୁଟିଆ କହିଲା.... ନଦୀରେ ବୁଡି ଉଠିବା ବେଳକୁ ନାଲି ଗାମୁଛା ରୁ ରଙ୍ଗ ନିଗିଡ଼ି ମୋ ଦେହକୁ ନାଲି କରିଦେଲା।ଆଉ ଦେହ ପୋଛି ହେଉଥିଲି ଗାମୁଛା ପାଣିରେ ଭାସିଗଲା।କୁଆଡ଼େ ଯିବି ଆଖୁ କିଆରୀରେ ଲାଜରେ ପଶିଗଲି। ଦେଖୁଛୁ ତ ଅବସ୍ଥା।

ଶାଳୀ ଗରମ ପାଣି ସେକ ଦେଉଥିଲା.... ଏ ସୁଖ ଆଗରେ ସେ ମାଡ଼ ବହୁତ କମ।ମନକୁ ମନ ଭାବିଲା...କିନ୍ତୁ କଥାକୁ ମନେ ପକାଇ ଶାଳୀ ଠୋ ଠୋ ହସିଦେଲା।ଆଉ ତନୁ ବି।

କୁଟୁକୁଟିଆ ବି ହେଁ ହେଁ ହୋଇ ହସି ଉଠିଲା।


Rate this content
Log in

Similar oriya story from Comedy