Sanuja Meghamala

Tragedy

2  

Sanuja Meghamala

Tragedy

ଅଜଣା ବ୍ୟକ୍ତି ସହ ଦିନଟିଏ

ଅଜଣା ବ୍ୟକ୍ତି ସହ ଦିନଟିଏ

7 mins
452


ଆମ ପ୍ରତ୍ୟେକ ଙ୍କ ଜୀବନ ରେ କିଛି ଏମିତି ସମ୍ପର୍କ ଗଢ଼ି ଉଠେ ଯାହା ର ମହକ ରେ ଆମର କିଛି ମୁହୂର୍ତ୍ତ ହୋଇଯାଏ ମଧୁର .... ଅବର୍ଣ୍ଣନୀୟ , ଭୁଲି ଯାଉ ନିଜେ ନିଜକୁ, ନିଜର ବର୍ତ୍ତମାନ କୁ। ସମୟ ର ପଶାପାଲି ରେ ସେ ମୁହୂର୍ତ୍ତ ମାନେ ହଜି ଯାଆନ୍ତି ସତ, କିନ୍ତୁ ସେଇ ସ୍ମୃତି ଛାତି ତଳେ ଘର କରି ରହି ଯାଏ .... କିଛି ଦିନ ପାଇଁ.... ହୁଏ ତ 

 ଜିଇଁ ଥିବା ଯାଏ ବି ....।

 କିଛି ବର୍ଷ ତଳେ  ଏର୍ଣାକୁଲମ୍ ରୁ  ଗୌହାଟୀ ଯାଉଥିବା  

ଟ୍ରେନ୍ ରେ ଚେନ୍ନାଇ ଷ୍ଟେସନ ରେ ଚଢ଼ିଲୁ ଭୁବନେଶ୍ବର ଆସିବା ପାଇଁ। ଯେହେତୁ ଗୁଡ଼ାଏ ବୁଲାବୁଲି କରି ଥକି ଯାଇଥିଲି ,ସକାଳୁ ସକାଳୁ ଟ୍ରେନ ରେ ବସିଲା ପରେ ଭାବିଲି ,ଯାହା ହଉ ଆଗ ଶୋଇ ପଡିବି ।କିନ୍ତୁ ଦେଖିଲା ବେଳକୁ ମୋ ସିଟ୍ ରେ ଜଣେ ମଧ୍ୟ ବୟସ୍କ ମହିଳା କମ୍ବଳ ଅଧା ଘୋଡ଼େଇ ହୋଇ ମୁହଁ ଟା ଉପରକୁ ଟେକି ଚାହିଁ କି ଶୋଇଛନ୍ତି।ଭଦ୍ର ମହିଳା ଙ୍କୁ ଚାହିଁ ମୋ ଆଖି ଲାଖି ଗଲା....

ସେ ମୁରୁକି ହସୁଥିଲେ.... ସେ ହସ ଏତେ ସୁନ୍ଦର ଥିଲା ଯାହା କୁ ମୁଁ ଭାଷାରେ ବର୍ଣ୍ଣନା କରିବା ମୂର୍ଖାମି କେବଳ...।

ମୋ ପାଟିରୁ ବାହାରି ପଡ଼ିଲା ମୋନାଲିସା..... ଏହା କୌଣସି ଚିହ୍ନା ଜଣା ସମ୍ପର୍କୀୟ ଙ୍କ ନାଆଁ ନ ଥିଲା..

ଚିତ୍ର ଶିଳ୍ପୀ ଲିଓ ନା ଡା ଭିଞ୍ଜ ଙ୍କ ଅଙ୍କିତ ଛବି ..., ଯାହାକୁ କେବଳ ପଢ଼ିବା ବେଳେ ବହି ଚିତ୍ର ରେ ଦେଖିଚି । ଯେମିତି ଅବିକଳ ସେଇ ଚିତ୍ର ଟିର ବାସ୍ତବ ରୂପାୟନ। ମହିଳା ଜଣଙ୍କ ଶ୍ୟାମଳ ବର୍ଣା ଥିଲେ ... କିନ୍ତୁ ତାଙ୍କ ମୁହଁ ଉପରେ ପଡ଼ିଥିବା ଚୁଟି ସାଙ୍ଗକୁ ,ଆଖି ଦୁଇଟି ଯେମିତି କିଛି କଥା କହୁଥିଲେ । ତା ସହିତ ମୁହଁ ର ହସ ଟା ସତ ରେ ମୋ ପାଇଁ ଭ୍ରମ ସୃଷ୍ଟି କରୁଥିଲା ।  ଏତେ ସୁନ୍ଦର ଆକର୍ଷଣୀୟ ଚେହେରା ଆଗରୁ କେବେ ଦେଖି ନ ଥିଲି .... ଏବେ ପର୍ଯ୍ୟନ୍ତ ମଧ୍ୟ ଆଉ ଦେଖିନି...।ସେ ନିଜେ ହିଁ କେବଳ ନିଜ ରୂପର ଉପମା ଥିଲେ ଯେମିତି । ଉପର ବର୍ଥ ରେ ଶୋଇ ଥିବା ଭଦ୍ରବ୍ୟକ୍ତି( ତାଙ୍କ ସ୍ବାମୀ ବୋଲି ପରେ ଜାଣିଲି) ତଳକୁ ଝୁଙ୍କି କିଛି କହିଲେ... ବୁଝିବା ସହଜ ନ ଥିଲା...

 ତତକ୍ଷଣାତ୍ ମହିଳା ଜଣଙ୍କ ଉଠି ବସିଲେ ଏବଂ ମୋତେ ବସିବାକୁ ଇଙ୍ଗିତ ଦେଲେ... ମୁଁ ଏତେ ଅନ୍ୟ ମନସ୍କ ହୋଇ ଥିଲି ମହିଳାଙ୍କୁ ଦେଖି ବସିବା ଭୁଲି ଯାଇଥିଲି। ମୋ ନିଦ ବି ଛାଡ଼ି ଯାଇଥିଲା । ସାମ୍ନା ତଳ ସିଟ୍ ଟା ତାଙ୍କର ଖାଲି ଥିଲା ଆମେ ସେଠି ବସିଲୁ। ମହିଳା ଜଣଙ୍କ ମୋତେ ଚାହୁଁ ଥାନ୍ତି ଏବଂ ମୁଁ ମଧ୍ୟ ତାଙ୍କ ଉପରୁ ମୋ ନଜର ଜମା ଫେରାଇ ପାରୁ ନ ଥାଏ। 

 କିଛି ସମୟ ପରେ ଭଦ୍ର ବ୍ୟକ୍ତି ତଳକୁ ଓହ୍ଲାଇ ଆସି ବସିଲେ ଓ ମୋ ବାପା ଙ୍କ ସହିତ କିଛି ଔପଚାରିକ କଥା ବାର୍ତ୍ତା ହେଲା ... କଥା ବାର୍ତ୍ତା ଭିତରେ ସେ ତାଙ୍କ ବିଷୟ ରେ କିଛି କହିଲେ ., ସେମାନେ କେରଳ ର ଲୋକ ଏବଂ ମହାଶୟ ମେଘାଳୟ ରେ ଚାକିରୀ କରନ୍ତି.. ଗୌହାଟୀ ରୁ ଟ୍ରେନ ରୁ ଓହ୍ଲାଇ ପୁଣି ମେଘାଳୟ ଯିବେ...   ବାପ୍ ରେ କେତେ ଲମ୍ବା ଯାତ୍ରା ।ସେମାନଙ୍କର ମୋ ପରି (ବୟସ କହିଲେ ନାହିଁ) ଏକ ମାତ୍ର ଝିଅ ର ମୃତ୍ୟୁ ମେଘାଳୟ ରେ ହୋଇଛି ମାତ୍ର ୩ ମାସ ତଳେ.... ତା ପରେ ସେମାନେ କେରଳ ଫେରି ଆସିଥିଲେ।.  ମେଘାଳୟ ରେ ଆଉ ଭଲ ଲାଗିବ ନାହିଁ ....ଧର୍ମ ପତ୍ନୀ ଙ୍କ ମାନସିକ ଅବସ୍ଥା କୁ ଆଖିରେ ରଖି ଛୁଟି ନେଇଥିଲେ.. ଓ ବଦଳି ପାଇଁ ଚେଷ୍ଟା କରୁଛନ୍ତି..... . ହୋଇନାହିଁ ତେବେ ଆଶ୍ୱାସନା ମିଳିଛି  ଶୀଘ୍ର ହୋଇଯିବ..ସେତିକି ଶୁଣି ମୋତେ ବଡ଼ କଷ୍ଟ ହେଲା ... ତାଙ୍କୁ ବାରମ୍ବାର ଚାହୁଁ ଥିଲି ...ମନ ଭିତରେ ତାଙ୍କ ପ୍ରତି ଦୁର୍ବଳତା ଟା ଆହୁରି ବଢି ଗଲା । ମହିଳା ଜଣଙ୍କ ମୋତେ ଡାକିଲେ ହାତ ହଲେଇ .. ମୁଁ ଚାବି ଦିଆ କଣ୍ଢେଇ ପରି ପାଖରେ ବସିଲି.. ସେ ମୋ ମୁହଁ ଉପରେ ପଡ଼ିଥିବା ଚୁଟିକୁ ସଜାଡି ଦେଇ ବାନ୍ଧିଦେଲେ... ଆସ୍ତେ କି କହିଲେ beautiful...... ହସିଲି... ସେ ମୋ ମୁହଁ ରେ ହାତ ବୁଲେଇ ଆଣିଲେ.... ସେ ପର୍ଯ୍ୟନ୍ତ ଆମେ କଥା  ହୋଇ ପାରି ନ ଥାଉ । ଆମ ଭିତରେ ଭାଷା ହିଁ ପ୍ରତିବନ୍ଧକ ଥିଲା। ନୀରବତା ଭାଙ୍ଗି ମହିଳା (anti) ଜଣକ ଦରଭଙ୍ଗା ହିନ୍ଦୀ ଓ ଖଣ୍ଡି ଇଂରାଜୀ ମିଶେଇ ପଚାରିଲେ କେଉଁଠି ଆମେ ଓହ୍ଲେଇବୁ.. ମୁଁ ଭୁବନେଶ୍ୱର , ଓଡ଼ିଶା ଷ୍ଟେଟ କହି ବାରୁ ଖୁସି ହେଇଗଲେ .. ସେମାନେ ସ୍ବାମୀ ଜଗନ୍ନାଥ ଙ୍କ temple ପୁରୀ କୁ କୋଲକତା ରେ ଥିଲା ବେଳେ ଆସିଛନ୍ତି... ପୁରୀ ସମୁଦ୍ର ବି ତାଙ୍କ ଝିଅ ର ପ୍ରିୟ ସ୍ଥାନ ବୋଲି କହିଲେ.... ମୁଁ ଚୁପ୍ ରହିଲି.. ସେ ଯେତେ ଥର ଝିଅ କଥା ଉଠାଉ ଥାଆନ୍ତି ମୁଁ ନୀରବ ହେଇ ଯାଏ.... ମୁଁ ଏତିକି ବୁଝି ପାରୁଥାଏ... ସେ ତାଙ୍କ ଝିଅ କଥା କିଛି କହିବାକୁ ଚାହୁଁଛନ୍ତି ...ସେଇ କଥାରେ ଉଭୟ ସ୍ବାମୀ ସ୍ତ୍ରୀ ଦୁଃଖ ପାଇବେ ... ତେଣୁ ନ ଜାଣିଲା ପରି ଅଭିନୟ କରୁଥାଏ ।

କିଛି ଦୁଃଖ କହିଦେଲେ ମନ ହାଲୁକା ହୁଏ... ଆଉ କିଛି ଦୁଃଖ ଏମିତି.... ସମବେଦନା ଟା ବି ମର୍ମାହତ କରେ...।

ମୁଁ ବା କେତେ ଜାଣିଚି ତାଙ୍କୁ... କାହିଁକି ଦୁଃଖୀ କରା ଇବି ।

ଏ ଦୁଃଖ ସାରା ଜୀବନ ତାଙ୍କ ସହିତ ବୋଝ ହୋଇ ଚାଲିବ । କୋଉ ବାପା ମା ଏମିତି ଦୁଃଖ ଭୁଲି ପାରିଛନ୍ତି ନା ପାରିବେ .....। ଖାଲି ସମୟ ଓ ଇଶ୍ଵର ହିଁ ଯାହା ସହିବାକୁ ଶକ୍ତି ଦେବେ । କେତେ ସମୟ ସେ ମୋ ହାତ ତାଙ୍କ ହାତରେ ଧରି ଆଙ୍ଗୁଳି ଗୁଡ଼ିକୁ ଆଉଁସୁ ଥାଆନ୍ତି .. ବୋଧେ ଟିକେ ପ୍ରକୃତିସ୍ଥ ହେଲେ... ହାତ ଛାଡ଼ି ବ୍ୟାଗ୍ ରୁ କଣ ଖୋଜିବା ଆରମ୍ଭ କଲେ.. ପେପର ପୁଡା ଦୁଇଟି ବାହାର କରି ସିଟ୍ ମଝିରେ ଥୋଇଲେ.. ମାଲାୟାଲି ରେ ଅଙ୍କଲ ଙ୍କୁ ଡାକିଲେ । ତା ପରେ ପୁଡିଆ ଟି ଖୋଲିଲେ କଦଳୀ ପତ୍ର ଭିତରେ ଗୁଡା ହୋଇଚି ଦହି ଭାତ ଓ ଅନ୍ୟ ଗୋଟେ ଛୋଟ ପୁଡ଼ା ରୁ ଆଚାର ବାହାର କରିଦେଲେ ଖାଇବାକୁ .. ମୁଁ ଅମଙ୍ଗ ହେଲି... ଚଟାପଟ୍ କହିଦେଲି ମୁଁ ଟ୍ରେନ ରେ ଭାତ ଖାଏନି ... ସେ କହିଲେ ok.... ସେହି ଖାଦ୍ୟ ପୁଡିଆ ଘୁଂଚେଇ ଦେଇପୁଣି ବ୍ୟାଗ୍ ଖୋଲି କିଛି ଜରି ବନ୍ଧା ପୁଡ଼ା ବାହାର କଲେ.... ମୁଁ ମନେ ମନେ ପ୍ରମାଦ ଗଣିହେଲି.. କେହି କାହାକୁ ଠିକ୍ ରେ ବୁଝି ପାରୁନୁ କି କହି ପାରୁନୁ... ମନା କଲା ବେଳା କୁ ଭଲ ବି ଲାଗୁନି...କେତେ ସ୍ନେହ ଆଦର ଆଉ ଯତ୍ନ ରେ ଦେଉଛନ୍ତି... ତା ଛଡା ତାଙ୍କ ଭଲ ପାଇବା    ଓ...... ଇମୋଶନ..........ତାଙ୍କ ଖୁସି.... ଏ ସବୁ ଭାବି ବସି ରହିଲି...... ଯଦି ଟିକିଏ ହସ ବା ଖୁସି ତାଙ୍କ ମନରେ ଦେଇ ପାରିବି......। 

 ଏବେ ସେ ପୁରୀ ଓ ତରକାରୀ ବାହାର କଲେ । ମୁଁ ପୁରୀ ଦେଖି ଖାଇହେବ ଚିନ୍ତା କରି ବାଧ୍ୟ ଶିଶୁ ଟେ ପରି ଗୋଟେ ପୁରୀ ଖାଇଲି ଆଚାର ଲଗେଇ. ସେ ଖୁସି ହେଲେ.. ।ତାଙ୍କ କଥାରୁ ଏତିକି ବୁଝିଲି ବାହାର ଖାଦ୍ୟ ଦେହ ଖରାପ୍ ହେବ । ଆଉ କଷ୍ଟଲି ବି... ମୁଁ ତାଙ୍କୁ ବୁଝେଇଲି ଆମେ ଯେହେତୁ ବୁଲିବାକୁ ଆସି ଥିଲୁ ଏବଂ ଆଜି ୧୩ ଦିନ ପରେ ଘରକୁ ଫେରୁ ଚୁ ତେଣୁ ଆମ ପାଖରେ ଆଉ ଘର ତିଆରି ଖାଦ୍ୟ ନାହିଁ ଏବଂ ଆମେ ଏତେ ଗୁଡ଼ିଏ ଦିନ ବାହାରୁ ହିଁ ଖାଉଚୁ ।ଦକ୍ଷିଣ ଭାରତୀୟ ଖାଦ୍ୟ ଆମର ବି ପସନ୍ଦ। ସେ କଣ ବୁଝିଲେ କେଜାଣି ମୋ କଥା ....ପୁଣି ହସିଦେଲେ। ଏବେ ପ୍ରକୃତ ରେ ମୁଁ ଥକି ଯାଇଥିଲି ଏବଂ ଶୋଇବାକୁ ଯାଉଚି କହି ଉଠିଲା ବେଳେ ମୋ ବୋଉ bedsheet ପକେଇ ମୋତେ ଶୋଇବାକୁ ଇଶାରା ଦେଇ ଘୋଡ଼େଇ ଦେଲା ବେଳେ ମୋ କାନ ପାଖରେ କହିଲା ....ଅଜବ ସ୍ତ୍ରୀ ଲୋକ ଟା ମୋ ଛୁଆ ଟାକୁ ଟିକେ ବି ଛାଡୁନି ..ପାଗଳ ଟେ ନା କଣ,, ?ମୁଁ କହିଲି ତୁ କଥା ହଉନୁ... ବୋଉ କହିଲା ତୁ କେମିତି ବୁଝୁଚୁ..,ମୁଁ କିଛି ଜାଣି ପାରୁନି.. । ବୋଉ କାନରେ ଆସ୍ତେ କି କହିଲି ତିନି ମାସ ତଳେ ତାଙ୍କର ଝିଅ ମରି ଯାଉଚି.. ମୋତେ ସେ ତାଙ୍କ ଝିଅ ପରି ବ୍ୟବହାର କରୁଛନ୍ତି.. ତୁ ବ୍ୟସ୍ତ ହଅନା । ବୋଉ ମୁହଁ ଶୁଖିଗଲା...ଆହା ଏଡେ ସୁନ୍ଦର ହସ କୁରା ଲୋକ ଟା ... ତାକୁ ପୁଣି ଏତେ ଦୁଃଖ। ଯଦି ଭାଷା ର ସମସ୍ୟା ନ ଥାଆନ୍ତା ବୋଉ ତାଙ୍କୁ ଆଉ ଫୁରୁସତ୍ ଦିଅନ୍ତା ନାହିଁ । ବୋଉ ର ଏଇ ପଛ କଥାରେ ଭାବୁଥିଲି ସତରେ ସେ ଦୁଃଖରେ କେମିତି ହସୁଥିଲେ... ନା ତାଙ୍କ ଚେହେରା ରେ ଭଗବାନ ଏମିତି ହସ ର ଉଜ୍ଜ୍ୱଳ ରେଖା ଟେ ଟାଣି ଦେଇଥିଲେ । ବାହାରୁ ଦେଖିଲେ କେହି ଭାବିବେନି ତାଙ୍କ ଉପରେ ପୃଥିବୀ ଟା ଭାଙ୍ଗି ପଡିଛି....କାରଣ ସରଳ ହସ ଟା ଯେମିତି ଗୋଟେ ଦମ୍ଭର ପ୍ରତୀକ ତାଙ୍କ ମୁହଁ ରେ ।

 ମୁଁ ଶୋଇ ପଡ଼ିଥିଲି । କାହା ହାତ ସ୍ପର୍ଶ ରେ ମୋ ନିଦ ଭାଙ୍ଗିଗଲା.. ଦେଖିଲାବେଳକୁ ଆଣ୍ଟି ମୋର ଖସି ଯାଇଥିବା କମ୍ବଳ କୁ ମୋତେ ଭଲ କରି ଘୋଡ଼େଇ ଦେଉଥିଲେ।

ମୁଁ ପୁଣି ଶୋଇ ପଡ଼ିଲି।ଉଠିଲା ପରେ ପୁଣି ମୋ ପାଇଁ ବ୍ୟାଗ୍ ଖୋଲା ହେଲା...କଦଳୀ ଚିପ୍ସ, ପଣସ ଚିପ୍ସ... ଆହୁରି କିଛି ଚିପ୍ସ ଜାତୀୟ ଖାଦ୍ୟ ବାହାରିଲା । ସବୁଥିରୁ ନଡ଼ିଆ ତେଲ ର ବାସ୍ନା.. । ଶେଷ ରେ ବାହାରିଲା ଛଣା ମଣ୍ଡା ପରି ପିଠା ମୁଁ ତାଙ୍କୁ ଖୁସି କରିବାକୁ ମଣ୍ଡା ପିଠା ଭାବି ସେଇଟା ଉଠେଇ ଆଣିଲି ...ମୋତେ ବହୁତ୍ ଭଲ ବି ଲାଗିଲା ... ଯଦିଓ ସେଇ ଟା ଆମ ନଡ଼ିଆ ଛେନା ପୁର ଦିଆ ମଣ୍ଡା ପିଠା ନଥିଲା ...  ମୁଁ ଆଉ ଗୋଟେ ପିଠା ମାଗିଲି.. ତା ପରେ ସେ ଆଉ ଗୋଟେ ଦେଲେ.... ମୁଁ କହିଲି ବାସ୍ ... ସେତିକି ଖାଇପାରିବିନି। ସେ କିନ୍ତୁ ଖୁସି ରେ ବୋଧେ କାନ୍ଦି ପକେଇଲେ... ସକାଳ ଠାରୁ ସେ କାନ୍ଦିବାକୁ ଚେଷ୍ଟା କରୁଥିଲେ... ମୁଁ ଜାଣି ଜାଣି avoid କରୁଥିଲି ।ଏବେ ଖାଇଲି ଖୁସି ହେବେ ଭାବିଲା ବେଳକୁ କାନ୍ଦିଲେ ..." ମୋଲେ " ( ପରେ ଜାଣିଲି ଝିଅ ଙ୍କୁ ଗେହ୍ଲା ରେ ଡାକନ୍ତି) କହି ମୋ ବେକ ଉପରୁ କାନ୍ଧ କୁ ଭିଡ଼ି ତାଙ୍କ ଛାତି ଉପରେ ଶୋଇ ଦେଲେ , ମୁଁ  ତାଙ୍କ ଦୃତ ହୃଦ ସ୍ପନ୍ଦନ କୁ ଅନୁଭବ କରି ପାରିଲି ।। କଣ କହି ବୁଝେଇବି ଯେ...  ମୁଁ ବି କାନ୍ଦି ପକେଇଲି .. ବୋଉ ଆଡ଼କୁ ଚାହିଁ ଦେଖିଲି ତା ଆଖିରୁ ଲୁହ ଝରୁଛି..। ନିଜେ ଲୁହ ପୋଛି ମୋ ବେକ ରୁ ହାତ ଉଠେଇଲେ.. କହିଲେ ମୋ ଝିଅ ମନେ ପଡ଼ିଗଲା ,। ମୁଁ ନ ଜାଣିଲା ପରି ଶୁଖିଲା ହସ ଟେ ହସିଲି । ସେ ଶୋଇବାକୁ ଚାହିଁଲେ .... ମୁଁ ଅନୁଭବ କଲି ସେ ଆଉ କିଛି ସମୟ କାନ୍ଦିବାକୁ ଚାହୁଁଛନ୍ତି... କାନ୍ଦି ଦେଲେ ମନ ବି ହାଲକା ହେଇଯିବ ।  କାନ୍ଦି କାନ୍ଦି ସେ ଶୋଇ ପଡିଲେ । ଅଙ୍କଲ ଉଠେଇ ଆଣ୍ଟି କୁ କିଛି ଖାଇବାକୁ ଦେଲେ ଓ ମେଡ଼ିସିନ ବି ଦେଲେ ..ମୁଁ ଜାଣି ଜାଣି ଶୋଇ ପଡ଼ିଲି .... ମୋତେ ଡର ଲାଗିଲା ସେ କାଳେ ପୁଣି ଥରେ କାନ୍ଦିବେ ତାଙ୍କ ଝିଅ କଥା କହି....।ଏବେ ମୁଁ କିନ୍ତୁ ଅଙ୍କଲ ଙ୍କ କଥା ଭାବୁ ଥାଏ .... ତାଙ୍କୁ ବି ତ ସେତିକି ,କଷ୍ଟ ଆଉ ଦୁଃଖ   ହେଉଥିବ .. ସେ କେମିତି ସହୁଥିବେ... ।ସେ କାହାକୁ ବା କହିବେ? ପୁରୁଷ ମାନେ ସମସ୍ତଙ୍କ ସାମନା ରେ ସହଜ ରେ କାନ୍ଦି ପାରନ୍ତି ..…ନା ... ଦୁଃଖ ଓ ଭାବନା କୁ ପ୍ରକାଶ କରି ପାରନ୍ତି ! କଷ୍ଟ ଏବଂ ଯନ୍ତ୍ରଣା ଟା ସମାନ ସମସ୍ତଙ୍କ ପାଇଁ .... ଇଶ୍ଵର ଙ୍କ ସୃଷ୍ଟି ର ରହସ୍ୟ ସତ ରେ ଅଦ୍ଭୁତ....।

 ସକାଳୁ ପୁଣି ସବୁ ନର୍ମାଲ ହୋଇଥିଲା। ଆଣ୍ଟି ଙ୍କ ମୁହଁ ରେ ପୂର୍ବ ର ସେଇ ମୋ କଳ୍ପିତ ମୋନାଲିସା ର ହସ ଥିଲା ।ମୁଁ ଦେଖି ଆଶ୍ଚର୍ଯ୍ୟ ହେଲି କାଲି ରାତି ର ସେଇ କାନ୍ଦୁରା ମୁହଁ ରେ ଏତେ ସୁନ୍ଦର ହସ ....ଏତେ ଦୁଃଖ ରେ ବି ମଣିଷ କେମିତି ହସିପାରେ !ଭଗବାନ ଙ୍କୁ ମନେ ମନେ ପ୍ରାର୍ଥନା କଲି ସେ ପରିବାରକୁ ଏ ଦୁଃଖ ସହିବାକୁ ଏମିତି ଶକ୍ତି ଦେଉ ଥାଆନ୍ତୁ। ମୁଁ ବିଛଣା ରୁ ଉଠି ପଡ଼ି ତଳକୁ ଆସି ତାଙ୍କ ପାଖରେ ବସି କହିଲି ଆଣ୍ଟି ଆମେ ଅଳ୍ପ ସମୟ ପରେ ଓହ୍ଲେଇ ଯିବୁ। ସେ ହସିଲେ ଏବଂ କହିଲେ ତୁମ ସହିତ ମୋର ଏହି ଯାତ୍ରା ସବୁଦିନ ମନେ ରହିବ... ଆମେ ଆଉ କେବେ ଦେଖା ହେବାନାହିଁ... ବୋଧେ .. ଏ ଜୀବନ ରେ ।ମୁଁ ଆଶ୍ୱାସନା ଦେଇ କହିଲି ହୁଏ ତ ଦେଖା ହେଇ ପାରେ...! ତଥାପି ଆପଣଙ୍କ ର ସ୍ନେହ ଆଦର ଓ ଭଲ ପାଇବା ସବୁଦିନ ମନେ ରହିବ ଆଣ୍ଟି ।ଏହା ପରେ ସେ ମୋ ମଥା ଉପରେ ଛୋଟ ଚୁମ୍ବନ ଟେ ଦେଲେ... ଏବଂ ମୁଁ ତାଙ୍କ ହାତକୁ ଜୋର ରେ ଭିଡ଼ି ଧରିଲି।ଆମ ଷ୍ଟେସନ ଆସି ଯାଇଥିଲା ଆମେ ତରବର ରେ ଓହ୍ଲେଇ ପଡ଼ିଲୁ ... ସେମାନେ ଦୁଇ ଜଣ ଛିଡ଼ା ହୋଇ ଆମକୁ ହାତ ହଲାଉଥିଲେ ଦୃଷ୍ଟି ର ଅନ୍ତ ରାଳ ରୁ ଅଦୃଶ୍ୟ ହେବା ଯାଏଁ ।ସେହି ଶେଷ ଦୃଶ୍ୟ ଆଜି ବି ମୋ ଆଖିରେ  ଜୀବନ୍ତ ହୋଇ ରହିଛି .. ଯାହା କେବେ ବି ଭୁଲି ହେବନି।

  


Rate this content
Log in

Similar oriya story from Tragedy