ଅହ୍ୟ ସୁଲକ୍ଷଣୀ
ଅହ୍ୟ ସୁଲକ୍ଷଣୀ
ଆଲୋ ଏ ଅଲକ୍ଷଣୀ .... ହତଲକ୍ଷ୍ମୀ... ତୋତେ କେତେଥର ମନା କରିଛି ତୋ ପୋଡାମୁହଁ ଦେଖେଇବୁନି ମୋତେ ସକାଳୁ ସକାଳୁ । ଅମାବାସ୍ୟାରେ ଜନ୍ମ ହୋଇଛୁ ବୋଲି ତ କେହି ତୋତେ ବୋହୂ କରି ନେଲେନି। ଶେଷକୁ ମୋରି ପୁଅ ବେକରେ ଝୁଲିବାକୁ ତୋତେ ଥିଲା। ଛାଡ... ଛାଡ... କହିବି କାହାକୁ। ଆପଣା ସୁନା ତ ଭେଣ୍ଡି।ମୁଣ୍ଡକୁ ହାତ ପାଇଗଲେ କହୁଛନ୍ତି ଆମେ ଆଉ ଇନ୍ଦ୍ରଚନ୍ଦ୍ର ମାନିବୁନି । ମନେରଖ , ଖାଲି ମୋ ପୁଅ ଚନ୍ଦୁ ଜିଦ୍ ଧରିବାରୁ ତୁ ଏ ଘରକୁ ବୋହୂ ହୋଇ ଆସିଛୁ । ଖବରଦାର , ସକାଳୁ ଉଠିଲା ବେଳକୁ ତୋ ମୁହଁ ତ ଦୁରର କଥା ତୋ ଛାଇ ଯେମିତି ମୋ ଆଖପାଖରେ ନ ପଡେ। ଯା' ପଳା ମୋ ସାମ୍ନାରୁ । ଚା କପେ ଧରି ଚାଲି ଆସିଲା ସକାଳୁ ସକାଳୁ ସୁଆଗ ଦେଖେଇ ହେବାକୁ । ଚା କପ୍ ସହ ଫେରି ଆସୁ ଆସୁ କାନ୍ଦି ପକେଇଲା ମିତା ।
***
ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ମାଛି ଅନ୍ଧାରରୁ ମନ୍ଦିରରେ ଗହଳି ଲାଗିଛି । ସାହିର ପଞ୍ଝାଏ ସ୍ତ୍ରୀ ଲୋକଙ୍କ ଟୁପୁର ଟାପୁର ବାଜୁଛି ମିତା କାନରେ । ତା'ର ଟିକେ ଦୂରରେ ଠିଆ ହୋଇ ଗପ ଲମ୍ବେଇଛନ୍ତି ହାତରେ ପୂଜାଥାଳି ଆଉ କଞ୍ଚାକ୍ଷୀର ଧରି । " ଆଜି ଦିନଟା କେମିତି କଟିବ କେଜାଣି । ଅଲକ୍ଷଣୀର ମୁହଁ ସକାଳୁ ସକାଳୁ ଦେଖିଲା ମଣିଷ ଆଜି ପରା ଦିନରେ । ଆଲୋ ରଘୁଆ ମା' ଜାଣିଛୁ , ୟା ଶାଶୁ କହୁଥିଲା ଏ ବୋହୂ ହୋଇ ଆସିଲା ପରେ ତାଙ୍କର କୁଆଡେ ଗୋଟେ ଦୁଧିଆଳୀ ଗାଈ ହଠାତ ମରିଗଲା । ବାଡ଼ିରେ ଥିବା ଫଳନ୍ତି ଆମ୍ବ ଗଛଟା ବି ବଉଳିଲାନି ଆଉ ଏ ବର୍ଷ । ଶଶୁରଙ୍କ ଗୋଡ ଭାଙ୍ଗିଗଲା ଗାଧୁଆ ଘରେ ପଡିକି। ଶାଶୁର ପୁରୁଣା ଶ୍ବାସ ବେମାରୀ ଟା ବି ବାହାରି ପଡିଛି । ତା' ଶାଶୁ କହୁଥିଲା ଏଇଟା କୁଆଡେ ଉଆଁସୀ କନ୍ୟା। ୟା ଜନ୍ମଜାତକରେ ବୈଧବ୍ୟ ଯୋଗ ଲେଖା ଅଛି । ଆହା.... କେଡ଼େ ସୁନ୍ଦର ରାଜା ଛୁଆ ପରି ପିଲାଟା ଆମର ଚନ୍ଦୁଟା ।ତା ଭାଗ୍ୟରେ ଶେଷକୁ ଏଇଆ..."
***
ଆଜି କାଇଁ ଛାତିରେ ଯନ୍ତ୍ରଣା ହେଉଛି ମିତାର । ଦେହରୁ ଝାଳ ବୋହି ଯାଉଛି ତୁହାକୁ ତୁହା । ଚନ୍ଦୁ ଡାକ୍ତର ପାଖକୁ ଯିବା କ
ଥା କହିଲାରୁ ଶାଶୁ କହିଲେ କଣ ହେଇଛି କି ତା'ର ? ଏ ରାତିରେ କୁଆଡେ ଯିବା ଦରକାର ନାହିଁ । ଅମାବାସ୍ୟା ତିଥିରେ ଜନ୍ମ ହୋଇଥିବା ଉଆଁସୀ କନ୍ୟା ଗୁଡାକ ଦାନବ ଗଣରେ ଜନ୍ମ। ଏମାନେ ମରନ୍ତିନି ସହଜରେ। ପରିବାର ଲୋକଙ୍କ ଆୟୁଷ କ୍ଷୟ କରି ନିଜେ ବଞ୍ଚି ରହନ୍ତି ବେଶୀ ଦିନ । ତା' ପାଇଁ ଚିନ୍ତା କରିବା ଦରକାର ନାହିଁ। ଯା' ଶୋଇପଡ। ରାତି ପାହିଲେ ଦୁର୍ଗାଷ୍ଟମୀ। ଘରେ ବହୁତ କାମ।
***
ଗାଁ ଦାଣ୍ଡରେ ବାଜୁଛି ଅହ୍ୟ ଡେଙ୍ଗୁରା। ମିତାକୁ ହଳଦୀ ପାଣିରେ ଗାଧୋଇ ସଜେଇ ସାରିଲେଣି ଗାଁର ସଧବା ସ୍ତ୍ରୀ ଲୋକମାନେ। ମଥାରେ ବଡ ସିନ୍ଦୂର ଟୋପା, ସିନ୍ଥିରେ ମେଞ୍ଚାଏ ସିନ୍ଦୂର, ପାଦରେ ଅଳତା, ହାତରେ ନୂଆ ପାଣିଚୁଡ଼ି ଆଉ ଶଙ୍ଖା, ଦେହରେ ଲାଲ ରଙ୍ଗର ନୂଆ ଶାଢୀଟିଏ ପିନ୍ଧି ପୁରା ଦେବୀ ପରି ଦିଶୁଛି ମିତା । ତା ମଥାରେ ଲାଗିଥିବା ଉଆଁସୀ କନ୍ୟାର କଳଙ୍କକୁ ମିଥ୍ୟା ପ୍ରମାଣିତ କରି ଅହ୍ୟ ସୁଲକ୍ଷଣୀ ବେଶରେ ମିତା ଶୋଇଛି କୋକେଇରେ । ସାହିର ସ୍ତ୍ରୀ ଲୋକମାନେ ଗୋଟିଏ ଗୋଟିଏ ଆସି ପାଦ ଛୁଇଁ ମୁଣ୍ଡିଆ ମାରୁଛନ୍ତି ହୃଦଘାତରେ ମରି ଯାଇଥିବା ଗୋଟେ ଅଲକ୍ଷଣୀର । ରଘୁଆ ମା ' କହୁଛି , ଆହା... କେଡ଼େ ଲକ୍ଷ୍ମୀବନ୍ତ ଝିଅଟି ! ଆଜି ଦୁର୍ଗାଷ୍ଟମୀ ପରା ଦିନରେ ହାତରେ ଶଙ୍ଖା ମୁଣ୍ଡରେ ସିନ୍ଦୂର ନାଇ ଅହ୍ୟରେ ଚାଲିଗଲା । ଏମିତି ଭାଗ୍ୟ କେତେଜଣଙ୍କୁ ମିଳେ ! ଶାଶୁ କହୁଛନ୍ତି ଦେବୀ ଗଣରେ ଜନ୍ମ ହୋଇଥିଲା ଝିଅଟା । ସେଥିପାଇଁ ଏ ଅଶ୍ଵିନ ମାସ ଦେବୀପକ୍ଷରେ ମା' ଦଶଭୁଜା ତାକୁ ତାଙ୍କ ପାଖକୁ ନେଇଗଲେ । କୋକେଇ ଉଠିଲା । ରାମ ନାମ ସତ୍ୟ ହେ କହି ଚନ୍ଦୁ ଫୋପାଡିଲା କଉଡ଼ି ପଇସା ପଛକୁ । କୋକେଇ ପଛେ ପଛେ ଗୋଡେଇ ଯାଇ ପଇସା କଉଡ଼ି ଗୋଟେଇ ନେଇ ମୁଣ୍ଡରେ ମାରି କାନିରେ ବାନ୍ଧୁଥିଲେ ସାହିର ସ୍ତ୍ରୀ ଲୋକମାନେ । ଅହ୍ୟ ସୁଲକ୍ଷଣୀର ପଇସା କଉଡ଼ି ଘରେ ରଖିଲେ କାଳେ ବହୁତ ଶୁଭ।
***
ଶାଶୁଙ୍କ ଗଞ୍ଜଣା, ସାହିପଡ଼ିଶାଙ୍କ ଟାହିଟାପରା, ନିଜର ଜନ୍ମଜାତକ, ଉଆଁସୀ କନ୍ୟାର ଅପବାଦ ଆଉ ଅଲକ୍ଷଣୀର ଉପାଧିକୁ ପଛରେ ଛାଡ଼ିଦେଇ ଆଗକୁ ଆଗକୁ ଯାଉଥିଲା ଅହ୍ୟ ସୁଲକ୍ଷଣୀର କୋକେଇ।