STORYMIRROR

Geetanjali Prusty

Inspirational

4  

Geetanjali Prusty

Inspirational

ଅହଂକାର

ଅହଂକାର

5 mins
296


ପରମାୟୁ ପୂରି ଯାଇଥିବା ପଙ୍ଖାଟି ଉପରେ ଘସର ଘସର ଶବ୍ଦ କରି ଘୁରୁ ଥିଲା l ବାହାରେ ମୁଣ୍ଡ ଫଟା ଖରା l ଡାକ୍ତରଖାନା ର ଖଟିଆ ଉପରେ ପଡ଼ି ରାଜୁ ପଙ୍ଖା ଆଡ଼କୁ ଚାହିଁ କଣ କଣ ଭାବି ଚାଲିଥିଲା l ନିଶ୍ଚିତ ମୃତ୍ୟୁ ମୁଖରୁ ପୁନଃର୍ଜୀବନ ଫେରି ପାଇଥିଲା ସେ l ସେଥିପାଇଁ ଶତ ଧନ୍ୟବାଦ ଜଣାଉଥିଲା ଈଶ୍ୱର ଙ୍କ ପାଦ ପଦ୍ମରେ l ନିଜର ସାମାନ୍ୟ ଅହଂକାର ତାକୁ କିଭଳି କ୍ଷତି ପହଞ୍ଚାଇଲା ଭାବି ଅନୁତାପ ର ଦାବାନଳ ରେ ଜଳୁଥିଲା ସେ l ସେଦିନର ଘଟଣା ଗୋଟି ଗୋଟି ହୋଇ ତା' ଆଖି ସାମ୍ନାରେ ଭାସି ଉଠୁ ଥିଲା l

    ତାର ବଡ଼ ବାପାଙ୍କ ପୁଅ ରଘୁ ତା ଠାରୁ ବୟସରେ ବଡ଼ l ଦୁଇଜଣଙ୍କର ଜମି ପାଖା ପାଖି ଲାଗିକି ରହିଛି l ରଘୁ ର ଜମିରେ ଗୋଟିଏ ପୁରାତନ ବିଶାଳ ଆମ୍ବ ଗଛ ଅଛି l ଯାହାର ପ୍ରାୟ ଚାଳିଶି ଭାଗ ଡାଳ ପତ୍ର ରାଜୁର ଜମି ଆଡ଼କୁ ମାଡ଼ି ଯାଇ ଥିଲା l ଗଛ ସହିତ ସେମାନଙ୍କର ବାଲ୍ୟ କାଳରୁ ସମ୍ପର୍କ l ଯାହାର ସ୍ୱାଦିଷ୍ଟ ଫଳ ନିଜେ ଖାଇବା ସହିତ ଅନ୍ୟ ମାନଙ୍କୁ ବାଣ୍ଟି ଆନନ୍ଦ ପାଆନ୍ତି l ଗଛ ରେ ଅନେକ ପକ୍ଷୀ ବସା କରିଛନ୍ତି l ସେମାନଙ୍କର କିଚିରି ମିଚିରି ଶବ୍ଦ, କୋଇଲି ର କୁହୁ ତାନ କେଜାଣି କେମିତି ଏକ ଜଙ୍ଗଲ ର ଭ୍ରମ ସୃଷ୍ଟି କରେ l ଆଖ ପାଖ ଜମିରେ କାମ କରୁଥିବା ଲୋକ ମାନେ ଟିକିଏ ବିଶ୍ରାମ ପାଇଁ ସେହି ଗଛ ମୂଳକୁ ଧାଇଁ ଆସନ୍ତି, ଖୁସିରେ ଟିକେ ଗପସପ କରି ପୁଣି ଯିଏ ଯାହା କାମରେ ଲାଗି ଯାଆନ୍ତି l ପ୍ରଚଣ୍ଡ ଗ୍ରୀଷ୍ମ ରୁ ରକ୍ଷା କରୁଥିବା ଏହି ଆମ୍ବ ଗଛଟି ପାଇଁ ଦିନେ ଦୁଇ ଭାଇଙ୍କ ମଧ୍ୟରେ ମହାଭାରତ ସୃଷ୍ଟି ହେଲା l ସାମାନ୍ୟ ପାରିବାରିକ କଳହକୁ ନେଇ ଅଜ୍ଞାନ ରାଜୁ ଜିଦ କଲା ତା ଜମିରୁ ଗଛକୁ କାଟିଦେବା ପାଇଁ l କହିଲା ଗଛ ଛାଇରେ ମୋ ଜମି ନଷ୍ଟ ହେଉଛି l ଫସଲ ହେଉନି l ଗଛ କାଟି ଦେଲେ ସେ ଜାଗାରେ ମୁଁ ଫସଲ କରିବି l ରଘୁ ଯେତେ ବୁଝାଇବାକୁ ଚେଷ୍ଟା କଲା ସେ ବୁଝିଲା ନାହିଁ l ଝଗଡ଼ା ବଢିଲା l ରାଜୁ ରାଗରେ ହାତରେ ଧରି ଥିବା କୋଦାଳ ରେ ରଘୁ ମୁଣ୍ଡ କୁ ଗୋଟେ ପାହାର ଦେଲା l ରଘୁ ଚିତ୍କାର କରି ସେଇଠାରେ ପଡ଼ିଗଲା l ମୁଣ୍ଡ ଫାଟି ଧାର ଧାର ରକ୍ତ ବହିଲା l ପାଖ ରେ କାମ କରୁଥିବା ଲୋକ ମାନେ ଦୌଡ଼ି ଆସିଲେ l ରଘୁ ଘରକୁ ଖବର ଗଲା l ସେତେ ବେଳକୁ ରାଜୁ ସେ ସ୍ଥାନ ଛାଡ଼ି ଫେରାର ହେଇଯାଇଥିଲା l ରଘୁକୁ ଡାକ୍ତରଖାନା ନିଆଗଲା l ମୁଣ୍ଡରେ ଷ୍ଟିଚ ପଡ଼ିଲା l ସୁସ୍ଥ ହେବା ପାଇଁ ତାକୁ ସାତ ଆଠ ଦିନ ଲାଗିଲା l ରଘୁର ପୁଅ ରାଜୁ ବିରୁଦ୍ଧରେ ଥାନାରେ ଏତଲା ଦେଲା l ପୋଲିସ ଫେରାର ରାଜୁ କୁ ଖୋଜି ଆରେଷ୍ଟ କଲା l ଥାନାକୁ ଉଭୟ ପକ୍ଷ ଙ୍କୁ ଡକା ହେଲା l ଥାନା ବାବୁ କହିଲେ କେସ ଆଗକୁ ନବଢ଼ାଇ ଏଇଠି ରଫା ଦଫା କରିଦିଅ l ଦୁଇଜଣ ସମ୍ମତି ଜଣାଇଲେ l ରାଜୁକୁ ବିରକ୍ତ ହୋଇ ତା ଭୁଲ ପାଇଁ ରଘୁ କୁ କ୍ଷମା ମାଗିବା ପାଇଁ ଏବଂ କ୍ଷତି ପୂରଣ ବାବଦ ତିନି ହଜାର ଟଙ୍କା ଦେବା ପାଇଁ କହିଲେ l ରଘୁ କୁ ରାଜୁର ଜମି ଉପରୁ ଗଛ ଡାଳ ଗୁଡିକ କାଟି ଦେବା ପାଇଁ ନିର୍ଦ୍ଦେଶ ଦେଲେ l ଉଭୟ ପକ୍ଷ ଥାନା ବାବୁଙ୍କ ନିର୍ଦ୍ଦେଶ କୁ କାର୍ଯ୍ୟକାରୀ କରିବା ପାଇଁ କହିଲେ l ତାଙ୍କ ଉପସ୍ଥିତି ରେ ରାଜୁ ଅନିଚ୍ଛାକୃତ ଭାବେ ରଘୁକୁ କ୍ଷମା ମାଗିଲା l ଉଭୟ ଘରକୁ ଫେରିଲେ l ତା ପରଦିନ ରଘୁ ମୂଲିଆ ଲଗାଇ ଆମ୍ବ ଗଛଟିକୁ କାଟିଲା l ଖଣ୍ଡ ଖଣ୍ଡ ଡାଳ କଟିକି ତଳେ ପଡ଼ିଲା ବେଳକୁ ରଘୁ ଦେହରେ କଟୁରୀ ଚୋଟ ବାଜିଲା ଭଳି ଅନୁଭବ କରୁଥାଏ l ଗଛ ଟିକୁ ଏତେ ବଡ଼ କାୟା ବିସ୍ତାର କରିବା ପାଇଁ କେତେବର୍ଷ ଲାଗିଥିବ! ମାତ୍ର କେଇ ଘଣ୍ଟାରେ ଏତେ ଗୁଡିଏ ଡାଳ ଲଣ୍ଡା ହେଇଗଲା l କୋଟି କୋଟି ଟଙ୍କା ବିନିମୟ ରେ ମଧ୍ୟ ସଙ୍ଗେ ସଙ୍ଗେ ଏହାକୁ ସୃଷ୍ଟି କରିବା ସମ୍ଭବ ନୁହେଁ l ଯାହା ଏକ ସମୟ ସାପେକ୍ଷ ପ୍ରାକୃତିକ ପ୍ରକ୍ରିୟା l ପରିବେଶ ପ୍ରତି ସଚେତନ ଥିବା ରଘୁ ମନଦୁଃଖ ରେ କାନ୍ଦି ପକାଇଲା l ଭାଙ୍ଗି ପଡ଼ିଲା ସେ l କାନ୍ଦି କାନ୍ଦି ଗଛ ମୂଳେ ପ୍ରଣାମ କଲା, ହେ ବୃକ୍ଷ ଦେବତା ! ତୁମେ ଉପଯୁକ୍ତ ବିଚାର କରିବ l

    ସେହି ଦିନ ଠାରୁ ଦୁଇ ଜଣଙ୍କ ରାସ୍ତା ଅଲଗା ହେଲା l କେହି କାହା ସଙ୍ଗେ କଥା ହେଲେ ନାହିଁ l ନିଜ ନିଜର ଜମିରେ କାମ କରନ୍ତି l ରଘୁ ତା ସାଙ୍ଗରେ ନେଇଥିବା ଖାଦ୍ୟ ଓ ପାଣି ଗଛ ଛାଇରେ ରଖେ l

 ଭୋକ ଲାଗିଲେ ସେଇଠି ବସି ଆନନ୍ଦରେ ଖିଆ ପିଆ କରି ଗାମୁଛା ପାରି ଟିକେ ବିଶ୍ରାମ ନିଏ l ପୁଣି କାମରେ ଲାଗେ l ପାଖରେ କାମ କରୁ ଥିବା ଅନ୍ୟ ଚାଷୀ ମୂଲିଆ ମାନେ ମଧ୍ୟ ସେଠାରେ ବିଶ୍ରାମ ନିଅନ୍ତି l ଦୁଃଖ ସୁଖ ହୁଅନ୍ତି l ହେଲେ ରାଜୁ ଆଉ ସେଠାକୁ ଆସିପାରେନି l ତାର ପିଇବା ପାଣି ଖରାରେ ତାତି ଡହ ଡହ ହୁଏ l ଶୋଷରେ ସେ ପାଣି ପିଇ ହୁଏନି l ଘରୁ ଆଣିଥିବା ଛତାଟିକୁ ମାରି ହିଡ଼ ମୁଣ୍ଡ ରେ ବସେ l ମନେ ମନେ ଅନୁତାପ କରେ l

    " ଆପଣା ହସ୍ତେ ଜିହ୍ୱା ଛେଦି କେ ଅଛି ତାର ପ୍ରତିବାଦୀ "

    ସେଦିନ କଣ ହେଲା କେଜାଣି, ଅସହ୍ୟ ଖରାରେ ବାଇଗଣ କିଆରୀ ରେ କାମ କରୁଥିବା ରାଜୁର ମୁଣ୍ଡ ବୁଲାଇଦେଲା l ତା ଦେହରୁ ଗମ ଗମ ଝାଳ ବାହାରୁ ଥାଏ l ତାକୁ ଚାରିଆଡେ ଅନ୍ଧାର ଦେଖା ଗଲା l ତାର ତଣ୍ଟି ଶୁଖି ଗଲା lସେ ଚିତ୍କାର କରି ତଳେ କଚାଡି ହେଇ ପଡ଼ିଲା l ଭାବିଲା ଏଇଠି ପଡ଼ି ମରିଯିବ, ତାକୁ ଆଉ କେହି ଦେଖି ପାରିବେନି l ପାଟି ଶୁଣି ରଘୁ ସେ ଆଡ଼କୁ ଚାହିଁଲା l ଦେଖିଲା ରାଜୁ ତଳେ ପଡ଼ି ଛଟ ପଟ ହେଉଛି l ଯାହାହେଲେ ଭାଇ ତ,ସେ ଆଉ ଆଗ ପଛ ନ ବିଚାରି ଦୌଡ଼ି ଆସରେ,ରାଜୁର କଣ ହେଲା ଡାକ ମାରିଦେଇ ନିମିଷକେ ଯାଇ ରାଜୁ ପାଖରେ ପହଞ୍ଚିଲା l ଦୁଇ ଚାରି ଜଣ ମିଶି ତାକୁ ଗଛ ଛାଇକୁ ଟେକି ନେଲେ l ତା ଉପରେ ଥଣ୍ଡା ପାଣି ଛିଞ୍ଚି, କିଛି ପାଣି ପିଆଇ ଦେଲେ l ଆମ୍ବ ଗଛର ଶୀତଳ ପବନ ତା ଦେହେରେ ବାଜିବାରୁ ସେ ଧୀରେ ଧୀରେ ଆଖି ଖୋଲିଲା l କିଛି କହି ପାରୁ ନଥିଲା ସେ l ତାକୁ ଅଂଶୁଘାତ ହେଇଥିବା ଜାଣି ସଙ୍ଗେ ସଙ୍ଗେ ଡାକ୍ତରଖାନା ନେଇଗଲେ l ଦୁଇଦିନ ହେଲାଣି ସେ ଏଇଠି ଚିକିତ୍ସିତ ହେଉଛି l ତା ଅବସ୍ଥାରେ ସୁଧାର ଆସିଲାଣି l ସକାଳେ ଡାକ୍ତର ତାର ପତ୍ନୀ କୁ କହୁଥିବାର ସେ ଶୁଣିଛି l ଆଉ ଟିକିଏ ବିଳମ୍ବ ହେଇଥିଲେ ତାର ପ୍ରାଣ ବାୟୁ ଉଡ଼ିଯାଇ ଥାନ୍ତା l

   " ଆରେ କଣ ହେଲା.. ଶୋଇନ ଯେ...କଣ ଦେହ ଭଲ ଲାଗୁନି?" ତା'ର ପତ୍ନୀ ପଚାରଲା। "ଭଲ ଲାଗୁଛି ଯେ,ହେଲେ ଆମେ କେବେ ଘରକୁ ଫେରିବା ?" ପଚାରିଲା ରାଜୁ l "ହଁ ଡାକ୍ତର ତ କହିଛନ୍ତି ଆଜି ସନ୍ଧ୍ୟା ବେଳେ ଡିସ୍ଚାର୍ଜ କରିବେ ବୋଲି l ହେଲେ ତୁମେ ଏତେ ବ୍ୟସ୍ତ କାହିଁକି ହେଉଛ l" ରାଜୁ ଓଠରେ ଏକ କୃତ୍ରିମ ହସ ଖେଳାଇ କହିଲା, "ମୁଁ ଯାହାକୁ ମାରିବାକୁ ଚେଷ୍ଟା କରୁଥିଲି ସେ ହିଁ ମୋର ଜୀବନ ବଞ୍ଚାଇଲା l ଘରକୁ ଫେରିଲେ ଶୀଘ୍ର ରଘୁ ଭାଇର ଗୋଡ଼ ଧରି କ୍ଷମା ମାଗିବି ଓ ଗାଆଁରେ ଅଧିକରୁ ଅଧିକ ଗଛ ଲଗାଇବା ପାଇଁ ନେହୁର ହେବି l ମୁଁ ନିଜେ ମଧ୍ୟ ମୋ ଜମିରେ ଗଛ ଲଗାଇବି l ଫଳ ନହେଲେ ନାହିଁ ଛାଇ ଟିକେ ତ ମିଳିବ ।"

   ଏତିକି ବେଳେ ରଘୁ ହସି ହସି ସେଠାରେ ପହଞ୍ଚିଲା ଓ ତାକୁ କହିଲା, "ତୁ ଠିକ୍ କହିଛୁରେ ରାଜୁ ତୁ ଠିକ୍ କହିଛୁ l ଗଛ ପରା ଆମ ଜୀବନ,କହି ଗୀତ ପଦେ ଗାଇଲା --

   .  ଗଛ ପରା ଆମ ଜୀବନ ଧନରେ

     ଦେଉଛି ସେ ଅମ୍ଳଜାନ

     ଖାଦ୍ୟ, ବସ୍ତ୍ର ପୁଣି ଔଷଧ ଯୋଗାଇ

     କିଣି ନିଏ ପ୍ରାଣୀ ମନ 

     ବିକାଶ ନାମରେ ବିନାଶକୁ ଆମେ

     କରିଯିବା ପ୍ରତିହତ

     ଲଗାଇବା ଗଛ କରିବା ଯତନ

     ତେଜି ଦେଇ ଯେତେ ସ୍ୱାର୍ଥ 

     ତା ଛାଇ ଅମୃତ ଶୀତଳ ପବନ

     ଗ୍ରୀଷମ ରୁ କରେ ରକ୍ଷା

     ହେଉ ଏ ସଂକଳ୍ପ ନାହିଁ ତା ବିକଳ୍ପ

     ନର ପାଇଁ ଶ୍ରେଷ୍ଠ ଦୀକ୍ଷା ।"

   


Rate this content
Log in

Similar oriya story from Inspirational