ପ୍ରଶ୍ନବାଚୀ
ପ୍ରଶ୍ନବାଚୀ
ବାହାରେ ବୈଶାଖର ତପ୍ତ ଝାଞ୍ଜି l ଉଦୁଉଦିଆ ଖାରବେଳ l ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ l କୋଭିଡ ପାଇଁ ଘରେ ବସି ସେଇ ଲାପଟପ ଓ ଫୋନ ରେ କାମ କରି କରି ବିରକ୍ତ ହେଇ ଗଲାଣି ଅବିନାଶ l କେବେ ଏ ଦୁଃସମୟ ର ଅନ୍ତ ହେବ କେଜାଣି ? ଏ ଲକ୍ ଡାଉନ୍, ସଟ୍ ଡାଉନ୍, ସାମାଜିକ ଦୂରତ୍ୱ ତା ସଙ୍ଗେ ତୁଣ୍ଡି ପରିଧାନ ରୁ କେବେ ମୁକ୍ତି ମିଳିବ?? ଇଆଡୁ ସିଆଡୁ କିଛି ଭାବି ଭାବି ଅବିନାଶ ତାର ବାତାନୁକୂଳିତ କୋଠରୀ ଛାଡ଼ି ବାହାରେ ଟିକେ ବୁଲି ଆସିବା ପାଇଁ ଚିନ୍ତା କଲା l ଘରେ ସମସ୍ତେ ବିଶ୍ରାମରତ l ଚୁପ୍ ଚାପ୍ ଘରର କବାଟ ବନ୍ଦ କରି ଗ୍ୟାରେଜ ରୁ ସ୍କୁଟି ବାହାର କଲା। କଲୋନୀ ରୁ ମୁଖ୍ୟ ସଡ଼କ କୁ ଲାଗିଥିବା ରାସ୍ତା ଆଡେ ଆଗେଇ ଚାଲିଲା l ରାସ୍ତାର ଶେଷ ମୁଣ୍ଡରେ ଗୋଟିଏ ବଡ଼ ଚାକୁଣ୍ଡା ଗଛ, ଯାହାକୁ ସେ ତା'ର ପିଲା ଦିନରୁ ଦେଖି ଆସୁଛି l ସେଇଠି ସାଙ୍ଗ ମାନଙ୍କ ସହିତ ଅନେକ ସମୟରେ ଖଟି କରନ୍ତି l ତାର ଦୃଷ୍ଟି ପଡ଼ିଲା ସେଇଠି କିଏ ଦୁଇଜଣ ଛିଡ଼ା ହୋଇ ଛନ୍ତି l ସେ ତାର ଗାଡ଼ିର ଗତି କୁ ଧିର କରିଦେଲା l
ଆରେ ! ଇଏତ ଆକାଶ ଆଉ ଅମରେଶ l ଆକାଶ ତାକୁ ଦେଖି ଡାକ ପକାଇଲା l "କଣ ହୀରୋ ! କୁଆଡ଼େ ବାହାରିଲ ଏ ଅସମୟରେ ?" "ନାଇଁମ, କାମ କରି କରି ବିରକ୍ତ ଲାଗିଲାରୁ ଏମିତି ଟିକେ ବାହାରକୁ ବାହାରି ଆସିଲି ଘେରାଏ ବୁଲି ଯିବା ପାଇଁ l କେତେ ଆଉ ଘରଟା ଭିତରେ ପଡ଼ି ରହିବ ମଣିଷ ? ହେଲେ ତମେ ଦି ଜଣ ଏଠି ଖରା ବେଳ ଟାରେ କଣ କରୁଛ ?"
ହଠାତ୍ ଆକାଶ୍ କହିଲା, "ତୁ ଗୋଟେ ଖବର ଶୁଣିଛୁ ??"
" କୋଉ ଖବର ଭାଇ ?"
" ଆମ ସାଙ୍ଗରେ ଅର୍ଚ୍ଚିତା ବୋଲି ଗୋଟେ ଝିଅ ପଢୁଥିଲା l"
"ହଁ ହଁ କହିଲା ଅବିନାଶ, ସେ ତ କୋଉ ବ୍ୟାଙ୍କ୍ ରେ ଗୋଟେ ଚାକିରୀ ପାଇଥିଲା l ବାପା ମାଆ ଙ୍କ ମୃତ୍ୟୁ ପରେ ସେ ଓ ତାର ସାନଭାଇ ଦୁଇଜଣ ହିଁ ରହୁଥିଲେ l"
" ହଁ ସେଇ ଅର୍ଚ୍ଚିତା ଗତ କାଲି ଗ୍ୟାଙ୍ଗ ରେପ୍ ର ଶିକାର ହେଇଛି "
"ହ୍ବାଟ୍ ?" ଚମକି ପଡ଼ିଲା ଅବିନାଶ l "କେମିତି ହେଲା ?"
ଅମରେଶ କହିଲା, "କାଲି ସେ ବ୍ୟାଙ୍କ ରୁ ଫେରୁଥିଲା ତାର ଆକ୍ଟିଭାରେ, ରାତି ପ୍ରାୟ ସାଢେ ଆଠଟା ହେବ l ପାଣିଟାଙ୍କି ପାଖ ସେ ଅନ୍ଧାରୁଆ ଗଳି ରାସ୍ତାରେ ପୂର୍ବରୁ କାର ଧରି ଛକି ଥିବା କିଛି ଅସାମାଜିକ ଯୁବକ ତାକୁ ଅଟକାଇ ଉଠାଇ ନେଇଥିଲେ l ପରେ ମୁମୁର୍ଷୁ ଅବସ୍ଥାରେ ସେ ସହରର ଶେଷ ମୁଣ୍ଡ ରାସ୍ତା କଡ଼ରୁ ଉଦ୍ଧାର ହେଇଛି l ଏବେ ସେ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଛି।"
"ଓଃ" ଅବିନାଶ ର ମୁଣ୍ଡ ଘୁରି ଗଲା l "ଭଗବାନ ଆଉ କେତେ ଦୁଃଖ ଦେବେ ଅର୍ଚ୍ଚିତା କୁ l ପିତା ମାତା ଖୁବ କମ ବୟସରେ ଭାଇ ଭଉଣୀ ଙ୍କୁ ଅନାଥ କରି ଜଣେ ପରେ ଜଣେ ଆର ପାରି କୁ ଚାଲିଗଲେ l ବହୁ ସଂଗ୍ରାମ କରି ସେ ଚାକିରୀ ଖଣ୍ଡିଏ ପାଇଲା l ସାନ ଭାଇଟିକୁ ମଣିଷ କରିବା ପାଇଁ ପ୍ରାଣ ପଣେ ଲାଗି ପଡିଥିଲା l ମାତ୍ର ଏ କି ଅଘଟଣ, ସବୁ ଦୁଃଖ କଣ ଭଗବାନ ତାଆରି ମୁଣ୍ଡ ରେ ଲଦିଛନ୍ତି l"
ଅବିନାଶ ସେ ଦୁଇଜଣଙ୍କୁ ପଚାରିଲା, "ସେ କେଉଁ ହସ୍ପିଟାଲ ରେ ଅଛି ଜାଣିଛ ?" ଆକାଶ ମୁଣ୍ଡ ହଲାଇ ମନା କଲା l "ମୁଁ ତେବେ ଆସୁଛି ସାଙ୍ଗ ପରେ କଥା ହେବା" କହି ସେ ସିଧା ଚାଲିଲା ଅର୍ଚ୍ଚିତାର ଘର ଆଡେ l
ସେଠି ତାଙ୍କ ଘରେ ତାଲା ଝୁଲୁ ଥିଲା, କିଏବା ଆଉ ଅଛି ତା'ର ସେଇ ସାନ ଭାଇଟାତ ହସ୍ପିଟାଲ ରେ ଥିବ l ପାଖ ପଡ଼ିଶା ଘର ର ଦୁଇ ଜଣ ସ୍ତ୍ରୀ ଲୋକ ଛିଡା ହୋଇ କଥା ହେଉ ଥିଲେ l ତାଙ୍କୁ ସେ ଅର୍ଚ୍ଚିତା ବିଷୟ ରେ ପଚାରିଲା l ସେମାନେ ମନ ଦୁଃଖରେ ସବୁ ଘଟଣା କହିଲେ l ତାଙ୍କ ଠାରୁ ଅର୍ଚ୍ଚିତା ସାନ ଭାଇ ଅନୁପ ର ଫୋନ ନମ୍ବର ଆଣି ଫୋନକଲା, ନିଜର ପରିଚୟ ଦେଇ ହସ୍ପିଟାଲ ଠିକଣା ବୁଝିଲା l
କିଛି ସମୟ ପରେ ସେ ହସ୍ପିଟାଲ ରେ ପହଞ୍ଚିଲା l ଅନୁପ ସହିତ କଥା ହେଲା l ଅର୍ଚ୍ଚିତାର ଅବସ୍ଥା ଭଲ ନଥିଲା l ସେ ତାକୁ ଦେଖା କରିବା ପାଇଁ ସିକ୍ୱିରିଟି ଠାରୁ ଅନୁମତି ନେଇ ଭିତରକୁ ଗଲା l ଅର୍ଚ୍ଚିତା ଚେତାଶୂନ୍ୟ ହେଇ ପଡ଼ିଛି l ବିପର୍ଯ୍ୟସ୍ତ କେଶ ରାଶି, ବିଦୀର୍ଣ୍ଣ ମୁଖ ମଣ୍ଡଳ। ତାର ଏ ଅବସ୍ଥା ଦେଖି ଅବିନାଶ ଚିନ୍ତିତ ହେଇ ପଡ଼ିଲା
ଅର୍ଚ୍ଚିତା ଖୁବ ମେଧାବୀ ଓ ସାହସୀ ଝିଅ l ତାକୁ କେବେ କେହି ଭାଙ୍ଗି ପଡ଼ିବାର ଦେଖିନି l ସ୍କୁଲ ଓ କଲେଜ ରେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଦୁହେଁ ଏକାଠି ପଢିଥିଲେ l ଦୁଇଜଣ ବହୁତ ଭଲ ସାଙ୍ଗ ଥିଲେ l ପରେ ସେ ଇଞ୍ଜିନିୟରିଙ୍ଗ୍ ପଢ଼ିବା ପାଇଁ ଅନ୍ୟତ୍ର ଚାଲିଯାଇଥିଲା l ଅର୍ଚ୍ଚିତା ଯୁକ୍ତ ତିନି ବିଜ୍ଞାନ ଶିକ୍ଷା ସମାପ୍ତି ପରେ ଚାକିରୀ ପାଇଁ ପ୍ରସ୍ତୁତି ଚଳାଇ ଥିଲା l ସେବେ ଠାରୁ ଅର୍ଚ୍ଚିତା ସହିତ ତାର ଆଉ ଯୋଗାଯୋଗ ନଥିଲା l ଏ ଭିତରେ ସେ ଚାକିରୀ କରି ପତ୍ନୀ ଅନନ୍ୟା ଙ୍କ ସହ ଦିଲ୍ଲୀ ରେ ରହୁଥିଲା l ମାତ୍ର ଅର୍ଚ୍ଚିତା ଏ ପର୍ଯ୍ୟନ୍ତ ବିବାହ କରିନି l ସେ ତାର ସାଙ୍ଗ ମାନଙ୍କ ଠାରୁ ଶୁଣିଥିଲା ଅର୍ଚ୍ଚିତା ବିବାହ କରିବାକୁ ଚାହୁଁନି l ହଠାତ୍ ତା ଭାବନାରେ ପୂର୍ଣ୍ଣଛେଦ ପକାଇ ଅର୍ଚ୍ଚିତା ଟିକେ ହଲିଗଲାl ଅବିନାଶ ଚାହିଁଲା ତା ଆଡ଼େ, ଅର୍ଚ୍ଚିତାର ଚେତା ଫେରୁଛି l ସେ ଆଖି ଖୋଲି ଚାରିଆଡ଼େ ଚାହୁଁଛି l ଅବିନାଶ ଡାକିଲା ଅର୍ଚ୍ଚିତା !! " ଟିକେ ଭଲ ଲାଗୁଛି ??" ଅର୍ଚ୍ଚିତା ଡରିଗଲା, କାହାର ଏ କଣ୍ଠ ସ୍ୱର l କାଳ ରାତ୍ରିର ସେ କଳା ଦୃଶ୍ୟ ଗୁଡ଼ିକ ଗୋଟି ଗୋଟି ହୋଇ ତାର ମାନସ ପଟରେ ଭାସି ଉଠିଲା l ସେହି ନର ରାକ୍ଷସମାନେ ତାକୁ କି ଅବସ୍ଥା କରି ଫିଙ୍ଗି ଦେଇ ଥିଲେ l ସେ ଯନ୍ତ୍ରଣା ରେ ଛଟ ପଟ ହେଉଥିଲା l ତାକୁ ଲାଗିଲା ତାର ଚତୁର୍ପାର୍ଶ୍ଵରେ ସେହି ରାକ୍ଷସ ମାନେ ଘେରି ରହିଛନ୍ତି l ସେ ଭୟ ରେ ଚିତ୍କାର କରି ଆଖି ବୁଜି ପକାଇଲା l ଅବିନାଶ କହିଲା,"ଆରେ ଭୟ କରନି ମୁଁ ଅବିନାଶ l ତୁମ ସ୍କୁଲ ସାଙ୍ଗ l ଅର୍ଚ୍ଚିତା ମନେ ପକାଇଲା l ବହୁତ ସମୟ ପରେ କହିଲା, "ହଁ ହଁ ତୁମେ ଏଠାରେ ?" "ହଁ ମୁଁ ସାଙ୍ଗ ମାନଙ୍କ ଠାରୁ ଶୁଣି ଏଠାକୁ ଚାଲି ଆସିଛି ତୁମକୁ ଦେଖା କରିବା ପାଇଁ l" କାନ୍ଦିଲା ଅର୍ଚ୍ଚିତା l ଅବିନାଶ ତା ମୁଣ୍ଡକୁ ଆଉଁଶି ଦେଇ କହିଲା ମୁଁ ତୁମ ସାଙ୍ଗରେ ଅଛି ଜମା ଡରନି l ତୁମେ ଖୁବ ଶୀଘ୍ର ଭଲ ହେଇଯିବ l ଏତିକି ବେଳେ ସିକ୍ଯୁରିଟି ଗାର୍ଡ ଡାକିଲା, ସାର ଆସନ୍ତୁ ସମୟ ହେଇ ଗଲାଣି l ଅବିନାଶ ଭାରାକ୍ରାନ୍ତ ମନ ନେଇ ଫେରିଲା l ଅନୁପ ସହିତ ଡକ୍ଟରଙ୍କ ପାଖକୁ ଯାଇ କିଛି ଆଲୋଚନା କରି ସେ ଘରକୁ ଫେରି ଆସିଲା l ସେତେ ବେଳକୁ ରାତି ଆଠଟା ହେଲାଣି l
ଘରେ ସମସ୍ତେ ବ୍ୟସ୍ତ ବିବ୍ରତ ହେଇ ତାକୁ ଅପେକ୍ଷା କରିଛନ୍ତି l ତାର ଫୋନ ସ୍ବିଚ ଅଫ l ତା ସଙ୍ଗେ ଯୋଗାଯୋଗ ହେଇ ପାରୁନି l ଘର କବାଟ ଆଉଜା ହେଇଛି l କାହାକୁ କିଛି ନକହି ଏ ଖରା ବେଳ ଟାରେ କୁଆଡେ ଯାଇଥିଲା ଅବିନାଶ l ସେ ବାଥରୁମ ରୁ ଫ୍ରେସ ହେଇ ଆସି ବସିଲା ଡାଇନିଙ୍ଗ୍ ରେ l ବାପା ପଚାରିଲେ, "ହେଇରେ କୁଆଡ଼େ ହଠାତ ପଳେଇଥିଲୁ l ତୋ ମୁହଁ କାହିଁକି ଏମିତି ଶୁଖିଲା ଦେଖା ଯାଉଛି ? କଣ ହେଇଛି ତୋର ?" ଅବିନାଶ ସବୁ କଥା କହିଲା l ସମସ୍ତେ ଦୁଃଖ ପ୍ରକାଶ କଲେ l ଅନନ୍ୟା କହିଲେ," ମୁଁ ବି କାଲି ତୁମ ସଙ୍ଗେ ଅର୍ଚ୍ଚିତା ଙ୍କୁ ଦେଖା କରିବାକୁ ଯିବି lଏଅସମୟରେ ତାଙ୍କ ସାଙ୍ଗରେ ନରହିଲେ ସେ ଭାଙ୍ଗି ପଡିବେ l"
ଚାରି ଦିନ ପରେ ଅର୍ଚ୍ଚିତା ଆଇସିୟୁ ରୁ ଜେନେରାଲ ୱାର୍ଡ କୁ ଆସିଲା,ତାର ଅବସ୍ଥା ରେ ସୁଧାର ଆସୁଥାଏ l ମାତ୍ର ମାନସିକ ଭାବେ ସେ ବେଳକୁ ବେଳ ଦୁର୍ବଳ ହେଇ ପଡୁଥାଏ l ଅନନ୍ୟା ଓ ଅବିନାଶ ତାର ପାଖେ ପାଖେ ରହି ତାକୁ ସାହସ ଦେଉ ଥିଲେ। ତାର ବ୍ୟାଙ୍କ ଷ୍ଟାଫ୍ ଏବଂ ସାହି ପଡ଼ିଶା ସମସ୍ତେ ଆସିଲେ l ଅର୍ଚ୍ଚିତାର ବ୍ୟବହାର ଓ ବ୍ୟକ୍ତିତ୍ୱ ପାଇଁ ସେ ସମସ୍ତ ଙ୍କର ପ୍ରିୟ ଥିଲା l ସମସ୍ତେ ତାକୁ ଆଶ୍ୱାସନା ଦେଉଥିଲେ l ଯାହା ହେଇଯାଇଛି ତାହା କେବଳ ଗୋଟିଏ ଦୁର୍ଘଟଣା ବୋଲି ତାକୁ ଯେତେ ବୁଝାଇଲେ ମଧ୍ୟ୍ୟ ସେ ଭାଙ୍ଗି ପଡୁଥିଲା l ଏକ ଭାରାକ୍ରାନ୍ତ ମନ ନେଇ ଅବିଶ୍ୱାସ ର ତରାଜୁ ରେ ତଉଲୁ ଥିଲା ସମସ୍ତଙ୍କୁ l କିଏ ଏଠି ପର ଆଉ କିଏବା ନିଜର ? କେତେବେଳେ କିଏ କେଉଁ ରୂପରେ ଆସିବ, ନର ବା ରାକ୍ଷସ ? ଆଦ୍ୟ ଜୀବନର ଏଇ ଦାରୁଣ ଯନ୍ତ୍ରଣା, ଭୟ ତା ମନରୁ ଆଦୌ ଯାଉ ନଥିଲା l
ସମାଜ ତାକୁ କିଭଳି ଗ୍ରହଣ କରିବ ? ସେ କଣ ଆଉ ପୂର୍ବ ଭଳି ମୁଣ୍ଡ ଟେକି ଚାଲି ପାରିବ ? ତା' ସହିତ ଆଗ ଭଳି ସମସ୍ତେ ମିଶିବେ ତ ? ତାକୁ ଘୃଣା କରିବେନି ତ ? ତା'ର ଦୋଷ ବା କଣ ? ଏମିତି ଅନେକ ଅସମାହିତ ପ୍ରଶ୍ନ l
ଏ ଭିତରେ ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ୍ ଫରୱାର୍ଡ଼୍ କରି ସାରିଛି l ରିମାଣ୍ଡରେ ଆଣିଲେ ପଚରା ଉଚରା କରିବ। ୧୬୪ ଧାରାରେ ଅର୍ଚ୍ଚିତାର ବୟାନ ରେକର୍ଡ ହେଇଛି l
ଦୁଇ ଦିନ ପରେ ଅନନ୍ୟା ହସ୍ପିଟାଲ ରୁ ଡିସ୍ଚାର୍ଜ ହେଲା l ଅବିନାଶ ଓ ଅନନ୍ୟା ତାକୁ ନିଜ କାର ରେ ନେଇ ତା' ଘରକୁ ଗଲେ l ପୈତୃକ ସମ୍ପତ୍ତି କହିଲେ ଏଇ ଘର ଖଣ୍ଡିକ ତା'ବାପା ତିଆରି କରିଥିଲେ l ଅର୍ଚ୍ଚିତାକୁ ଘରେ ଛାଡ଼ି ଅନୁପ ସହିତ କିଛି ଆଲୋଚନା କରି ଦୁହେଁ ଘରକୁ ଫେରିଲେ l ଘରେ ମଧ୍ୟ ଦୁହେଁ ତା ବିଷୟ ରେ ଅନେକ ସମୟ ପର୍ଯ୍ୟନ୍ତ ବିଚାର ବିମର୍ଶ କଲେ l କେମିତ ଅର୍ଚ୍ଚିତା କୁ ବଞ୍ଚିବା ପାଇଁ ସାହାରା ଦେବେ l କଣ କଲେ ସେ ସ୍ୱାଭାବିକ ଜୀବନ ଜୀଇଁ ପାରିବ l କିଭଳି ସେ ପୁଣି ମୁଣ୍ଡ ସଳଖି ଚାଲି ପାରିବ।
କିଛି ସମୟ ଗମ୍ଭୀର ଭାବରେ ବସିଲା ପରେ ହଠାତ୍ ଅବିନାଶ ର ମୁଖ ଉଜ୍ଜ୍ୱଳ ଦେଖା ଗଲା। ଅନନ୍ୟା ପଚାରିଲା, "କଣ ହେଲା ? କିଛି ସମାଧାନ ମିଳିଲା କି ତୁମକୁ ? "ଅବିନାଶ ଖୁସିରେ କହି ପକାଇଲା , "ହଁ ହଁ ମୋତେ ଗୋଟେ ଆଇଡ଼ିଆ ମିଳିଛି।" ଅନନ୍ୟା ଆଗ୍ରହ ରେ ଶୁଣିବା ପାଇଁ ଇଚ୍ଛା କଲା। ଅବିନାଶ୍ କହିଲା, "କିଛି ଦିନ ତଳେ ମୋ ସାଙ୍ଗ ମୃତ୍ୟୁଞ୍ଜୟ, କରୋନାରେ ତା'ର ପତ୍ନୀକୁ ହରାଇଛି। ପାଖରେ ତିନି ବର୍ଷର ଶିଶୁ କନ୍ୟା। ମାଆ ଛେଉଣ୍ଡ ଛୁଆଟିକୁ କିପରି ପାଳିବ, ଦୁଃଖରେ ସେ ପୂରା ଭାଙ୍ଗି ପଡିଛି।"
"ଠିକ୍ ଅଛି। ତୁମେ ତାଙ୍କ ସହ ଯୋଗାଯୋଗ କରି ଆମ ଘରକୁ ଡାକିଲେ କଥା ହେବା।"
ସେଦିନ ସନ୍ଧ୍ୟାରେ ମୃତ୍ୟୁଞ୍ଜୟ, ଅନନ୍ୟା ଓ ଅବିନାଶ ପହଞ୍ଚିଲେ ଅର୍ଚ୍ଚିତା ଘରେ। ସେ ଖବର କାଗଜ ପଢୁଥିଲା।ଅନୁପ କିଚେନ୍ ରେ ରୋଷେଇ କରୁଥିଲା। ଅନନ୍ୟା ସମସ୍ତ ଙ୍କ ପାଇଁ କଫି ତିଆରି କଲା। ସମସ୍ତ ଙ୍କୁ କଫି ପରିବେଷଣ କରି ନିଜେ ଗୋଟେ କପ୍ ଧରି ଅନନ୍ୟା ପାଖରେ ବସିଲା। ଅର୍ଚ୍ଚିତା ଆଖିରେ ଅନେକ୍ ପ୍ରଶ୍ନବାଚୀ। ଏ ପୁଣି କିଏ ? ସେ କୌଣସି ପୁରୁଷ ଙ୍କୁ ଆଉ ସହଜରେ ବିଶ୍ୱାସ କରି ପାରୁ ନଥିଲା। ଅବିନାଶ ମୃତ୍ୟୁଞ୍ଜୟ ଙ୍କ ପରିଚୟ ଦେଲା। କିଛି ସମୟ ସମସ୍ତେ ମିଳିମିଶି କଥା ହେଲେ। ପୁଣି ଆସିବାର ପ୍ରତିଶ୍ରୁତି ଦେଇ ସେମାନେ ଫେରିଲେ। ଦୁଇଦିନ ପରେ ମୃତ୍ୟୁଞ୍ଜୟ ଝିଅ ଲିସାକୁ ଧରି ଆସିଲା। ଛୋଟ ଝିଅଟିକୁ ଦେଖି ଅର୍ଚ୍ଚିତା ଭାରି ଖୁସି ହେଇଗଲା। ତା ସାଙ୍ଗରେ ବହୁତ ଗପିଲା। ଅର୍ଚ୍ଚିତା ଲିସା କୁ ପଚାରିଲା, ତୁମ ମାମା କଣ କରୁଥିଲେ? ମାମା ଙ୍କୁ ସାଙ୍ଗରେ ଆଣିଲନି ? ଝିଅଟି ଖନେଇ ଖନେଇ କହିଲା ,"ମାମା ତ କରୋନାରେ ମରିଗଲେ, ମୋ ମାମା ନାହାନ୍ତି ।"
ଅର୍ଚ୍ଚିତା ତା' କଥା ଶୁଣି କାନ୍ଦି ପକାଇଲା। ଏତେ କୁନି ଝିଅଟା ମାତୃହରା ହେଇ କେମିତି ଜୀବନ କାଟିବ ? ମୃତ୍ୟୁଞ୍ଜୟ ଆଖି ଛଳ ଛଳ କରି ବାହାରକୁ ପଳାଇଲା। ଅର୍ଚ୍ଚିତା ଲିସାକୁ କୋଳ ରେ ଚାପି ଧରିଲା। ଏତିକି ବେଳେ ଅବିନାଶ ଓ ଅନନ୍ୟା ଘରକୁ ପଶିଆସିଲେ।ଅନନ୍ୟା କହି ପକାଇଲା, ଆରେ ଅର୍ଚ୍ଚିତା ତୁମେ ଦୁଇ ଜଣ ତ ପୂରା ମାଆ ଝିଅ ଭଳି ଦେଖା ଯାଉଛ। ଲିସାର ମାଆ ହେଲେ କେମିତି ହୁଅନ୍ତା ? ଅର୍ଚ୍ଚିତା କୃତ୍ରିମ ହସ ଟିଏ ହସି କହିଲା, "ମୋର ସେ ସୌଭାଗ୍ୟ ଆଉ ନାହିଁ।" ଅବିନାଶ କହିଲା ଏବେବି ସମୟ ଅଛି ଖାଲି ତୁମର ସମ୍ମତି ଦରକାର। ତୁମେ ଲିସା କୁ କୋଳେଇ ନିଅ। ମୃତ୍ୟୁଞ୍ଜୟ ସହିତ ତୁମ ସଂସାର ହସି ଉଠିବ। ତୁମେ ଗୋଟେ ନୂଆ ଜୀବନ ନେଇ ବଞ୍ଚିବ। ଅର୍ଚ୍ଚିତାର ଆଖିରେ ଆଶା ଓ ବିଶ୍ଵାସର ନୀଳ ଢେଉ ଉଙ୍କି ମାରୁଥିଲା ।
