STORYMIRROR

Geetanjali Prusty

Abstract

4  

Geetanjali Prusty

Abstract

'ସିନ୍ଦୁର' ତିନିଟି ସ୍କେଚ

'ସିନ୍ଦୁର' ତିନିଟି ସ୍କେଚ

3 mins
251


ଆରେ ସନାଭାଇ ଜାଣିଛୁ....! ଆମ ଗାଁ ଭଜି ମହାଜନର ଝିଅ, ଆର ସନ ବାହା ହେଇଥିଲା l ଆଜି ଆସିଛି ଗାଆଁକୁ l

ହେଲେ ତା ମୁଣ୍ଡରେ ସିନ୍ଦୁର ଟୋପାଏ କି ହାତରେ ଶଙ୍ଖା ପଟେ ବି ନାହିଁ l

ସ୍ୱାମୀ ସ୍ତ୍ରୀ ଦୁହେଁ ବିଦେଶରେ ଚାକିରୀ କରିଥିଲେ, କଣ ହେଲା କେଜାଣି ତା' ସ୍ୱାମୀର ?

ବିଚରାର ସେ ଅଶୁଭ ବେଶ ପରିପାଟୀ ଦେଖିଲେ ମନଟା କଣ ହେଇ ଯାଉଛି l କହିଲା ରାଜନ......

ସନା ଟିକେ ହସିଦେଇ କହିଲା ହଁ ସେଇଠୁ କଣ ହେଲା କହୁନୁ....

ତମେ ହସୁଛ ସନା ଭାଇ...ରାଜନ ମନ ଦୁଃଖରେ କହିଲା l


ଏତିକି ବେଳେ ଗୋଟେ କାର୍ ଆସି ସେଠାରେ ଅଟକିଲା l ଗାଡ଼ିରୁ ମହାଜନର ପୁଅ ଓ ଜ୍ୱାଇଁ ଓହ୍ଲାଇ ମିଠା ଦୋକାନକୁ ଗଲେ କଣ କିଣାକିଣି କରିବା ପାଇଁ l ସନା ଦେଖାଇ ଦେଲା ରାଜନକୁ l ହେଇ ଦେଖ... ମହାଜନର ପୁଅ ଆଉ ତା' ଜ୍ୱାଇଁକୁ, ଆଁ କରି ଚାହିଁ ରହିଲା ରାଜନ.... କହିଲା ତେବେ....??. ସନା କହିଲା ଇଏ ପରା ଦେଶୀ ମହିଳାମାନଙ୍କର ବିଦେଶୀ ଫ୍ୟାଶନ... ଆଜିକାଲି ଆଉ କଣ ବିବାହିତା ମାନେ କଣ ଶଙ୍ଖା ସିନ୍ଦୁର ପିନ୍ଧୁଛନ୍ତି.........


******************************

"ସିନ୍ଦୁର" -- ଦ୍ୱିତୀୟ ସ୍କେଚ୍ 


ଦେଖ ସୌମେନ୍ଦ୍ର... ତୁମେ ମୋତେ କଥା ଦେଇଛ ମୋ ମଥାରେ ସିନ୍ଦୁର ଦେଇ ସ୍ତ୍ରୀର ମାନ୍ୟତା ଦେବ, ହେଲେ ସମୟ ଗଡ଼ାଇ ଚାଲିଛ କାହିଁକି?? ସୌମେନ୍ଦ୍ର ଟିକେ ହସିଦେଲେ.... ସୀମା ସବୁବେଳେ ଏମିତି l

କହିଲେ, ଟିକେ ଧୈର୍ଯ୍ୟ ଧର ସୀମା, ଆଉ କେଇଟା ଦିନ କିଛି ଗୋଟେ କର୍ମ ସଂସ୍ଥାନ ହେଲା ପରେ ଯାହା କରିବା l ସୀମା ବ୍ୟସ୍ତ ହୋଇଗଲା, ହେଲେ ମୋ ଗର୍ଭରେ ତୁମର ସନ୍ତାନ ବଢୁଛି l ଡେରି କଲେ ତାକୁ ଦୁନିଆର ଆଲୋକ ଦେଖାଇ ପାରିବାତ...! କାହିଁକି ନୁହେଁ, ଆମେ କଣ ବିନା ବିବାହରେ ତାକୁ ପିତା ମାତାର ପରିଚୟ ଦେଇ ପାରିବାନି ? ସେଥିରେ ତ କିଛି ଅସୁବିଧା ନାହିଁ l ବୁଝିଲାନି ସୀମା..... ନା.. ନା... ମୋର ସିନ୍ଦୁର ଦରକାର l ତୁମେ ଯେତେ ଶୀଘ୍ର ବ୍ୟବସ୍ଥା କର... ନଚେତ୍ କିଛି ବି ଅଘଟଣ ଘଟି ପାରେ..... ସୌମେନ୍ଦ୍ର ଜାଣିଥିଲା ସୀମା ଖୁବ୍ ଜିଦିଆ l


   ସେଦିନ ରାତିରେ ବାଧ୍ୟ ହୋଇ ବୃଦ୍ଧ ପିତାମାତାଙ୍କ ସମ୍ମୁଖରେ କଥାଟି ରଖିଲା ସୌମେନ୍ଦ୍ର l ଭୟରେ ଥରୁଥିଲା ସେ l ପୂର୍ବରୁ ଅନେକ ବିବାହ ପ୍ରସ୍ତାବକୁ ଏଡାଇ ଯାଇଛି କେବଳ ବେରୋଜଗାର ପାଇଁ l ମାତ୍ର ସେଭଳି କିଛି ନକାରାତ୍ମକ ପ୍ରତିକ୍ରିୟା ବଦଳରେ ଖୁବ ଆନନ୍ଦ ପ୍ରକାଶ କରିଥିଲେ ବାପା ମାଆ l ପରିଣତ ବୟସରେ ଏଇତ ସାହାରା l ଖୁସିରେ ଆତ୍ମହରା ହୋଇଥିଲେ ବୃଦ୍ଧ ଦମ୍ପତି,ଏକ ସଙ୍ଗରେ ବୋହୂ ସହିତ ନୂତନ ଆଗନ୍ତୁକର ପ୍ରତୀକ୍ଷାରେ... l ପୁଅକୁ ନିର୍ଦ୍ଦେଶ ଦେଲେ ଯେତେ ଶୀଘ୍ର ଏକ ନିରାଡ଼ମ୍ବର ବିବାହର ପ୍ରସ୍ତୁତି ପାଇଁ l


   ଖୁସି ଖବରଟି ପାଇ ସୀମା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ହାତଯୋଡ଼ିଲା.......


******************************

"ସିନ୍ଦୁର" - ତୃତୀୟ ସ୍କେଚ୍


ବିମାନ ଚାଲିଛି ଭାରତ ଅଭିମୁଖେ l ଆଉ ମାତ୍ର ଦୁଇ ଘଣ୍ଟା ପରେ ଅବତରଣ କରିବ ଦିଲ୍ଲୀ ବିମାନ ବନ୍ଦରରେ l ଜନ୍ମ ମାଟିରେ ପାଦ ଥାପିବ ମୃତ୍ୟୁ ମୁଖରୁ ମୁକୁଳି ଆସିଥିବା ଅରବିନ୍ଦ l ଆଖି ତା'ର ଛଳ ଛଳ l ତା' ସମ୍ମୁଖରେ ନାଚି ଯାଉଛି ଗାଆଁ ଠାକୁରାଣୀଙ୍କ ସିନ୍ଦୁର ବୋଳା ମୁଖ ମଣ୍ଡଳ, ଗଳାରେ ଲମ୍ଭିଛି ନାଲିମନ୍ଦାରର ମାଳ l


ଓଡ଼ିଶାର ଏକ ଆଖ୍ୟାତ ପଲ୍ଲୀରେ ତା'ର ଘର l ପିଲାଟି ବେଳୁ ପାଠ ପଢ଼ା ପ୍ରତି ତା'ର ଅହେତୁକ ଆଗ୍ରହ l ଜଣେ ଉଦୀୟମାନ ଛାତ୍ର ଭାବରେ ଗାଁ ହାଇସ୍କୁଲରୁ କୃତିତ୍ୱର ସହିତ ଦଶମ ଏବଂ ରେଭେନ୍ସା କଲେଜରୁ ବିଜ୍ଞାନରେ ଯୁକ୍ତ ଦୁଇ ପାଠ ସମାପ୍ତ ପରେ ମେଡିକାଲ ପଢିବା ପାଇଁ ଅନ୍ୟ କେତେ ଜଣଙ୍କ ଭଳି ସେ ମଧ୍ୟ ଯାଇଥିଲା ୟୁକ୍ରେନ l ମାତ୍ର ପ୍ରଥମ ବର୍ଷ ଅଧାରୁ ହିଁ ବିପର୍ଯୟ ଘୋଟି ଆସିଲା l ରୁଷ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗିଲା l କେହି କାହାର ଜିଦ୍ ଛାଡ଼ିବା ପାଇଁ ନାରାଜ l ଭାରତୀୟ ଦୂତାବାସ ତରଫରୁ ପରାମର୍ଶ ଦିଆଗଲା ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ l ଦଳ ଦଳ ହୋଇ ଯୁଆଡ଼େ ଗଲେ ତ୍ରିରଙ୍ଗା ପ୍ରଦର୍ଶନ କରିବା ପାଇଁ l


 ସେଦିନ ଅରବିନ୍ଦ କିଛି ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ନିକଟସ୍ଥ ମାର୍କେଟ୍ କୁ ଯାଇଥିଲା l ହଠାତ୍ ସେ ଅଞ୍ଚଳରେ ଆରମ୍ଭ ହୋଇଗଲା ଘନ ଘନ ବୋମା ମାଡ଼ l ଜୀବନ ବିକଳରେ ଯିଏ ଯୁଆଡ଼େ ଧାଇଁଲେ l ଅରବିନ୍ଦ ଭୟରେ ଥରୁ ଥାଏ l କୁଆଡ଼େ ଯିବ? କେଉଁଠି ଲୁଚିବ?? ଦୌଡୁ ଦୌଡୁ ତା'ର ମନେ ପଡ଼ିଲା ବୋଉ କଥା l ଘରୁ ଆସିଲା ବେଳେ ବୋଉ କହିଥିଲା," ଧନରେ ! ଘର ଛାଡ଼ି ଯାଉଛୁ, ବିପଦ ଆପଦରେ ଗ୍ରାମ ଦେବତୀ ମାଆଙ୍କୁ ସ୍ମରଣ କରିବୁ l ସେ ତ ସାକ୍ଷାତ ଠାକୁରାଣୀ, ଡାକିଲା ମାତ୍ରେ 'ଓ' କରିବେ l" ଅରବିନ୍ଦ ସଙ୍ଗେ ସଙ୍ଗେ ମା' ଙ୍କୁ ସ୍ମରଣ କଲା l ମା' ମୋତେ ରକ୍ଷାକର ମା' l ଆଖିବୁଜି ଦେଲା ମୁହୂର୍ତ୍ତଟେ ମାଆଙ୍କ ଉଦ୍ଦେଶ୍ୟରେ l ହଠାତ୍ ତାକୁ ଲାଗିଲା ତା' ହାତ ଧରି କେହି ଜଣେ ଟାଣି ଟାଣି ନେଉଛି l ସେ ଆଖି ଖୋଲି ଦେଖିଲା , ବଡ଼ ସିନ୍ଦୁର ଟିପା ଲଗାଇ ଥିବା ଜଣେ ମହିଳା ତାକୁ ଟାଣି ଆଣି ଏକ ବଙ୍କର ଭିତରେ ଛାଡିଛନ୍ତି l ସେଠାରେ ଆହୁରି ଅନେକ ଲୋକ ମଧ୍ୟ ଆଶ୍ରୟ ନେଇଛନ୍ତି l ସେ ଆଶ୍ଚର୍ଯ୍ୟ ହେଲା, ଏଠିତ କେହି ସିନ୍ଦୁର ଲଗାନ୍ତିନି l ତେବେ ଏ ମହିଳା ଜଣକ କିଏ... ? ପଛକୁ ଚାହିଁଲା ବେଳକୁ ସେ ମହିଳା ଆଉ ସେଠାରେ ନଥିଲେ l ଭକ୍ତି ଏବଂ କୃତଜ୍ଞତାରେ ତା'ର ଆଖି ଛଳ ଛଳ ହୋଇଗଲା... l


Rate this content
Log in

Similar oriya story from Abstract