ABADHOOT PANDA

Tragedy

3  

ABADHOOT PANDA

Tragedy

ଅବିସ୍ମରଣୀୟ ବନ୍ଧୁ-ରାଜା

ଅବିସ୍ମରଣୀୟ ବନ୍ଧୁ-ରାଜା

3 mins
174


ମଣିଷ ଜୀବନ ଦୁର୍ମୁଲ୍ୟ l ବାଲ୍ୟ କୈଶୋର ଯୌବନ ପ୍ରଉଢ଼ ଅବସ୍ଥା ଅତିକ୍ରମ କରି ବାର୍ଦ୍ଧକ୍ୟ ଅବସ୍ଥାରେ ଉପନୀତ ହୁଅନ୍ତି l କିନ୍ତୁ ଯୌବନ ଅବସ୍ଥା ଅତୀବ ରମଣୀୟ l ଭାରତୀୟ ନୀତି ନିୟମରେ ଅନୁଶାସନ ସହିତ ଲାଳିତ ପାଳିତ ହୋଇଥିବା ସନ୍ତାନ ବୈଦିକ ବିଧିରେ ପିତା ମାତାଙ୍କ ନା ରଖନ୍ତି l ଉକ୍ତ ପରମ୍ପରାର ବଶବର୍ତ୍ତୀ ପରିବାର ଜଣେ ସନ୍ତାନ ଥିଲା ଯିଏ କି ମୋର ଅନ୍ତରଙ୍ଗ ସହପାଠୀ l ଡି ଏ ଭି ମହାବିଦ୍ୟାଳୟ କୋରାପୁଟରେ ଆମେ ଦୁହେଁ ପାଠ ପଢ଼ୁଥିଲୁ ଦ୍ଵିତୀୟ ବାର୍ଷିକ ବିଜ୍ଞାନ ଛାତ୍ର ଭାବେ l ତା'ର ନା ଡି. ରାଜେନ୍ଦ୍ର ପ୍ରସାଦ l କୁମୁଟି ପରିବାରର ପିଲା l କୋରାପୁଟ ସଦରରେ ତାଙ୍କର ବିରାଟ ଖାଦ୍ୟ ଶସ୍ୟ ଗୋଦାମ ଥିଲା l କୁଞ୍ଚୁ କୁଞ୍ଚିଆ ନିଗ୍ରୋ କେଶରାଜୀ ଓ ଚେହେରା ଯୁକ୍ତ l ଡଉଲ ଡାଉଲ ଶରୀର l ଶ୍ୟାମଳ ବର୍ଣ୍ଣ l ଡାକ ନାମ ରାଜା l ବାପା ମାଙ୍କ ଗୋଟିଏ ମାତ୍ର ପୁଅ l ତେଣୁ ଭାରି ଗେଲ୍ହା ରେ ବଢିଥିଲା l


ନୂଆ ବର୍ଷ 1976 ସକାଳ l ଆମେ ସବୁ ସହପାଠୀବୃନ୍ଦ ବଣଭୋଜି କରିବାକୁ ବାଗ୍ରା ଜଳପ୍ରପାତ ଗଲୁ l ପୂର୍ବାହ୍ନ 10ଟା ବେଳେ ରୋଷେଇ ଆରମ୍ଭ ହେଲା l ଚାହା ଜଳଖିଆ ଖାଇ ସାଙ୍ଗମାନେ ସମସ୍ତେ ଜଳ ପ୍ରପାତ ଦେଖିବାକୁ ବାହାରିଲୁ l ରାଜେନ୍ଦ୍ର ଓ ମୁଁ ପ୍ରପାତ କୂଳରେ ଠିଆ ହୋଇ ଅରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରି ଚାଲିଲୁ ମନ ପ୍ରାଣ ଭରି l ହୃଦୟ ମଧ୍ୟରେ ଅନେକ ଭାବର ତରଙ୍ଗ ସୃଷ୍ଟି ହୋଇ ଚାଲି ଥାଏ l ଅନ୍ୟାନ୍ୟ ସହପାଠୀମାନେ ବୁଲା ବୁଲି କରି ଦେଖୁଥାନ୍ତି l ରାଜେନ୍ଦ୍ର ଖଣ୍ଡେ ଅଣ୍ଡର ୱେର ପିନ୍ଧି କ୍ୟାମେରା ଧରି ପ୍ରପାତ ଧାରା ମଝିରେ ଏକ ପଥର ଉପରକୁ ଡିଆଁ ମାରିଲା l ମୁଁ ତାକୁ ମନା କରିବା ସତ୍ୱେ ସେ ପଥର ଉପରକୁ ଉଠି ଯାଇଥିଲା l କାରଣ ସେ ପହଁରା ଜାଣି ନଥିଲା l ପ୍ରପାତ ପାଣି ସୁଅ ଅତିଶୟ ପ୍ରଖର l ପଥର କଡ଼ରେ ଶିଉଳି ଜମା ହୋଇ ଥିଲା l ଫଟ ଉଠାଇ ସାରି ହଠାତ ଡିଆଁ ମାରି କୂଳକୁ ଆସିବାକୁ ଚେଷ୍ଟା କଲା l କିନ୍ତୁ ଦୁର୍ଭାଗ୍ୟବଶତଃ ତା ଗୋଡ଼ ଖସିଗଲା ଓ ପ୍ରପାତ ଝରଣା ତଳେ ବୁଡ଼ିଗଲା l ମୁଁ ପାଟି କରି ସମସ୍ତଙ୍କୁ ଡାକି ପକାଇ ପକାଇ ଏକାଠି କଲି l ପ୍ରପାତ ଝରଣା ଅତି ଗଭୀର l ତେଣୁ ସୁଦକ୍ଷ ପହଁରାଳୀ ପିଲା ଚାରି ଜଣ ପାଣିକୁ ଡିଆଁ ମାରିଲେ l ଖୋଜି ଖୋଜି ହାଲିଆ ହୋଇ କୂଳକୁ ଉଠି ଆସିଲେ l ରାଜାର ପତ୍ତା ମିଳିଲାନି l ବାଗ୍ରା ଜଳ ପ୍ରପାତର ସ୍ରୋତର କରାଳ କବଳରେ ଆମର ପ୍ରିୟ ସାଥୀ ରାଜା ଚିରଦିନ ପାଇଁ ହଜିଗଲା l


ଆମେ ସମସ୍ତେ ଗଭୀର ଦୁଃଖରେ ଭାଙ୍ଗି ପଡ଼ିଲୁ l ଆଖିରୁ ଲୁହ ନିଗିଡ଼ି ପଡ଼ିଲା ପ୍ରତ୍ୟେକ ସହପାଠୀମାନଙ୍କ ଆଖିରୁ l ମୋ ଆଖିର ଲୁହରେ ମୋର ସାର୍ଟ ଭିଜି ଯାଇଥିଲା l ଅପରାହ୍ନ ତିନିଟା l ରୋଷେଇ ସ୍ଥାନକୁ ନିରାଶ ବଦନରେ ଫେରି ଆସିଲୁ l ରୋଷେୟା ନନା ଓ ତାଙ୍କର ସହକର୍ମୀ ଏହି ହୃଦୟ ସ୍ପର୍ଶୀ ଦୁଃଖଦାୟକ ଘଟଣା ଶୁଣି ଭୀଷଣ ମନସ୍ତାପରେ ଭାଙ୍ଗି ପଡ଼ିଲେ l କାରଣ ସେମାନେ ରାଜା ଘର ପାଖର କୋରାପୁଟ ଟାଉନର ଲୋକ l ପଚାଶ ଜଣ ଛାତ୍ରଛାତ୍ରୀମାନଙ୍କ ନିମିତ୍ତ ରନ୍ଧା ଯାଇଥିବା ଖାଦ୍ୟ ସାମଗ୍ରୀ ସବୁ ପିତଳ ହଣ୍ଡାରୁ କାଢ଼ି ଆମେ ପାଣିରେ ଫିଙ୍ଗି ଦେଲୁ ଏବଂ ସନ୍ଧ୍ୟା ସୁଦ୍ଧା ଟ୍ରକରେ କଲେଜ ଫେରି ଆସିଲୁ l ସେଦିନ ବାର୍ଷିକ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହେଉଥିଲା l ଆମର ପ୍ରିନସିପାଲ ସ୍ବର୍ଗତ କ୍ୟାପଟେନ ପି. କେ. ଶତପଥୀ ଆମମାନଙ୍କୁ ଏକ ନୀରବ ପ୍ରାର୍ଥନା କରିବାକୁ ନିର୍ଦେଶ ଦେଲେ l ଆମେ ସମସ୍ତେ ପଛ ଧାଡ଼ିରେ ଠିଆ ହୋଇ ନୀରବ ପ୍ରାର୍ଥନା କରି ରାଜାର ଆତ୍ମାର ସଦଗତି ନିମନ୍ତେ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କଲୁ l କାର୍ଯ୍ୟକ୍ରମ ନଦେଖି ଘରକୁ ଫେରିଆସିଲୁ l


ପରଦିନ ସକାଳେ ରାଜାର ପିତାମାତା ଓ ବନ୍ଧୁ ପରିଜନ ଥାନାରେ ଖବରଦେଇ ଘଟଣା ସ୍ଥଳରେ ପହଞ୍ଚିଥିଲେ l ସଙ୍ଗେ ସଙ୍ଗେ ବୁଡ଼ାଳି ଦଳ ଲମ୍ବା ଲମ୍ବା ବାଉଁଶ ସାହାଯ୍ୟରେ ପାଣି ଭିତରକୁ ଯାଇ ଖୋଜିବାକୁ ଲାଗିଲେ l ପ୍ରାୟ ଘଣ୍ଟାଏ ଖୋଜିଲା ପରେ ଯେଉଁ ପଥରଖଣ୍ଡ ଉପରେ ରାଜା ଠିଆ ହୋଇ ଥିଲା ସେଇ ପଥର କଡ଼ରେ ରାଜାର ଶବ ଚାପି ହୋଇ ଲାଗି ଥିଲା l କାରଣ ସେ ବୁଡ଼ି ଗଲା ବେଳେ ଜୀବନ ବିକଳରେ ପଥର ଖୋଲକୁ ଜାବୁଡ଼ି ଧରିଥିଲା l ଅପରାହ୍ନ ଚାରିଟା ସୁଦ୍ଧା ତାଙ୍କ ଘରେ ଶବ ପହଁଚିଲା l ଆମେ ସମସ୍ତେ ଯାଇଁ ପହଞ୍ଚିଲୁ l ପାଖ ଶ୍ମଶାନରେ ଶବ ଦାହ ହେଲା l ରାଜାର ଅନ୍ତିମ ସଂସ୍କାର ଏବଂ ଅନ୍ତ୍ୟେଷ୍ଟି କ୍ରିୟାରେ ଆମେ ସମସ୍ତ ସହ ପାଠୀ ଓ ସହ ପାଠିନୀ ବୃନ୍ଦ ଯୋଗ ଦେଇଥିଲୁ l ଅତୀତର ସେହି ଦୁଃଖଦ ସ୍ମୃତି ଏବେ ସୁଦ୍ଧା ମୋର ସ୍ମୃତିପଟ୍ଟରେ ଅମ୍ଳାନ ରହିଛି l ଯେ କୌଣସି ସହ ପାଠୀ ସହିତ ଏବେ ଯଦି କେବେ ଦୈବାତ ସାକ୍ଷାତ ହୁଏ ତେବେ ଆମେ ସ୍ବର୍ଗତ ଘନିଷ୍ଠ ବନ୍ଧୁ ରାଜାର ସ୍ମୃତିରେ ଦୁଇ ଟୋପା ଉଷ୍ମ ଅଶ୍ରୁପାତ ପୂର୍ବକ ଆନ୍ତରିକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥାଉ l ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ଭିତରେ ସର୍ବଦା ସୁସଂଗତ ରହିଛି l ସୁତରାଂ ଅତୀତର ଦୁଃଖ ପୂର୍ଣ୍ଣ ସ୍ମୃତି ମନରେ ନକାରାତ୍ମକ ଭାବ ତଥା ସୁଖପୂର୍ଣ୍ଣ ସ୍ମୃତି ସର୍ବଦା ସକାରାତ୍ମକ ଭାବ ଧାରା ଉଦ୍ରେକ କରିଥାଏ l ଆମେ କେବଳ ଆନନ୍ଦ ଦାୟକ ଅତୀତର ସ୍ମୃତିକୁ ମନେ ରଖି ବର୍ତ୍ତମାନ ଜୀବନକୁ ସୁଖରେ ବିତାଇବା ବିଧେୟ l ଅପରପକ୍ଷେ ଅତୀତର ଦୁଃଖଦାୟକ ସ୍ମୃତିପୁଞ୍ଜକୁ ମନେ ରଖିଲେ ଆମେ ବର୍ତ୍ତମାନ ଜୀବନର କର୍ମ ପଥରେ ସକାରାତ୍ମକ ମାନସିକତା ସହ ଅଗ୍ରସର ହେବାରେ ହୁଏତ ବାଧା ପାଇ ପାରୁ l( ଏକ ସତ ଘଟଣା )


Rate this content
Log in

Similar oriya story from Tragedy