Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Rozalini Mishra

Tragedy Inspirational

3  

Rozalini Mishra

Tragedy Inspirational

ଆଉ ଏକ ମୃଗୁଣୀ

ଆଉ ଏକ ମୃଗୁଣୀ

4 mins
605



    

         କାନ୍ଥ ଘଣ୍ଟାକୁ ଚାହିଁଲା ବିନି।ରାତି ଦୁଇଟା ବାଜିଲାଣି। ନିଦ ଆସୁନି ତା ଆଖିକୁ। କେମିତି ବା ଆସିବ। ଦୁଇ ତିନି ଦିନ ଭିତରେ ତାକୁ ଦୁଇ ଲକ୍ଷ ଟଙ୍କା ଯୋଗାଡ କରିବାର ଅଛି ଝିଅର ଅପରେସନ ପାଇଁ। କୋଉଠୁ ଆସିବ ଏତେ ଗୁଡ଼ାଏ ଟଙ୍କା ଆଉ କାହାକୁ ହାତ ପତେଇବ ସିଏ। 

     ସାତ ବର୍ଷ ତଳେ ବିନି ବିବାହ କରିଥିଲା ଅମ୍ଳାନଙ୍କୁ। ଛୋଟ ବେଳୁ ମାକୁ ହରେଇଛି ସିଏ। ବାପାଙ୍କ ପସନ୍ଦରେ ବାହା ହଉଛି ବୋଲି ବାପା ଖୁସିରେ ଖୁବ ଯାନିଯୌତୁକ ଦେଇ ବାହା କରିଥିଲେ ଝିଅକୁ।ଆଉ ଝିଅ ନାଁରେ ଘରଟିଏ କରିଦେଇଥିଲେ। ସେଇଟା କିନ୍ତୁ ବିନିର ଶାଶୁଙ୍କ ଦେହରେ ଗଲାନି। କଣ ପାଇଁ ତାଙ୍କ ଝିଅକୁ ଦେଲେ ମୋ ପୁଅ ନାଁରେ କଣ ପାଇଁ କଲେନି। ଏ କଥାକୁ ନେଇ ଘରେ ସବୁବେଳେ ଅଶାନ୍ତି। ଶାଶୁ ଯେତେବେଳେ ବିନିକୁ ଖୁଣ୍ଟା ଦିଅନ୍ତି ଚୁପଚାପ ସହିଯାଏ ବିନି। ଅମ୍ଳାନ ତାଙ୍କ ବାପା ମାଆଙ୍କର ବାଧ୍ୟ ସନ୍ତାନ। ମୁଁହ ଖୋଲନ୍ତି ନାହିଁ କୌଣସି କଥା ରେ। 

    ବାହାଘରର ଦେଢ଼ ବର୍ଷ ପରେ ବିନି କୋଳରେ ଜନ୍ମ ନେଲେ ଦୁଇଟି ଯମଜ କନ୍ୟା ସନ୍ତାନ।ତା ପରେ ଆଉ ଶାଶୁଙ୍କୁ ଦେଖେ କିଏ। ଶାଶୁଙ୍କ ବ୍ୟବହାର ଅସହ୍ୟ ହେଲା ବିନି ପାଇଁ। କିଛି ଦିନ ଶାନ୍ତିରେ ରହିବା ପାଇଁ ବାପ ଘରକୁ ଆସିଲା ସିଏ। ଚାରିମାସ ଯାଏ କେହି ତା ଭଲମନ୍ଦ ବୁଝିଲେନି। ନା ସ୍ୱାମୀ ନା ଶାଶୁ। ଶାଶୁ ଫୋନ କରି ବାପାଙ୍କୁ ଚେତାବନୀ ଦେଇଦେଲେ ଯେ ମୋ ପୁଅ ନାଁରେ ଘରଟା କରିଦେଲେ ଆମେ ତୁମ ଝିଅକୁ ଘରକୁ ଆଣିବୁ। ସେ ଅଲକ୍ଷଣୀ ମୋ ବଉଁଶ ବୁଡ଼େଇ ଦେଲା ଆହୁରି ତୁମେ କଥା କହୁଛ। ବିନି ଶୁଣିବାକୁ ପାଇଲା ଯେ ତା ଶାଶୁ ବଂଶରକ୍ଷାର ଦ୍ୱାହି ଦେଇ ଅମ୍ଳାନଙ୍କୁ ଆଉ ଥରେ ବାହା ଦବାକୁ ଚାହୁଁଛନ୍ତି। 

    କିଛିଦିନ ପାଇଁ ବୁଲିବାକୁ ଆସିଥିବା ବିନି ନିଜ ସ୍ୱାଭିମାନକୁ ଜାବୁଡି ଧରି ସବୁଦିନ ପାଇଁ ରହିଗଲା ବାପ ଘରେ। ବାପା ଥିବା ଯାଏ ତ ସବୁ ଠିକ ଥିଲା କିନ୍ତୁ ବାପା ଆଖି ବୁଜିଦେଲା ପରେ ପୁଣି ଚଡକ ପଡିଲା ବିନି ମୁଣ୍ଡ ରେ। ବିନିର ଭାଉଜ ସିଧା ସିଧା ଶୁଣେଇଦେଲେ ଏଠି ଅନ୍ନଛତ୍ର ଖୋଲା ହେଇନି ଯେ ଆମେ ମାଗଣାଟାରେ ମା ଛୁଆ ତିନି ତିନି ଜଣଙ୍କୁ ପୋଷିବୁ। ଏଠି ଯଦି ମାଗଣା ଭୋଜନ ପକେଇବାର ଅଛି ତାହେଲେ ଘରଟା ମୋ ନାଁରେ କରିଦିଅ। 

   ପୁଣି ଥରେ ନିଜ ସ୍ୱାଭିମାନକୁ ଜାବୁଡ଼ି ଧରି ବିନି ବାପ ଘର ଛାଡିଲା।ଘର ଛାଡିଲା ବେଳେ ତା ଭାଇଙ୍କର ଲୁହ ଛଳ ଛଳ ଆଖି ତାକୁ ବହୁତ କିଛି କହିଥିଲା। କିନ୍ତୁ ବିନି ଚାହିଁ ନଥିଲା ଭାଇ ଭାଇଜଙ୍କ ଭିତରେ ପାଚେରୀ ହେଇ ରହିବା ପାଇଁ। ଏବେ ତା ହାତରେ ଗୋଟିଏ ମାତ୍ର ସମ୍ପତ୍ତି । ତା ବାପା ଦେଇଥିବା ଘର। ସେ ଘରକୁ ସଫାସଫି କରି ରହିଲା ସେଠି। ଗୋଟେ ପ୍ରାଇଭେଟ କମ୍ପାନୀରେ ସ୍ୱଳ୍ପ ବେତନରେ ଯୋଗ ଦେଇ ନିଜ ଗୋଡ଼ରେ ନିଜେ ଠିଆ ହେବାକୁ ଚେଷ୍ଟା କଲା। ଛୁଆ ଦିଟାଙ୍କ ମୁଁହକୁ ଚାହିଁ ସେ ତାର ଦୁଃଖଦ ଅତୀତକୁ ଭୁଲିବାକୁ ଚେଷ୍ଟା କଲା। 

   କିନ୍ତୁ ବିପଦ ଯେତେବେଳେ ଆସେ ସେ ତା ଭାଇ ବନ୍ଧୁକୁଟୁମ୍ବଙ୍କୁ ସାଙ୍ଗରେ ନେଇକି ଆସି ଥାଏ ନା। ସେହିପରି କିଛି ଘଟୁଥିଲା ବିନି ସହ। ଅଫିସରୁ ଫେରି ଦିନେ ଦେଖିଲା ଦୁଇ ମିନିଟ ଅନ୍ତରରେ ଜନ୍ମ ହୋଇଥିବା ସାନ ଝିଅଟାର ଦେହ ଭୀଷଣ ଅସୁସ୍ଥ। ବିକଳ ହେଇ କାନ୍ଦୁଛି ପେଟକୁ ଜାବୁଡି ଧରି। ଯୋଉ ପଡ଼ୋଶିନୀଙ୍କ ପାଖରେ ଛାଡି ଦେଇ ଯାଇଥିଲା ଛୁଆ ଦିଟାଙ୍କୁ ସେ ବିଚାରୀ କଣ କରିବେ ଜାଣି ପାରୁ ନାହାଁନ୍ତି। 

     ଝିଅକୁ ଧରି ବିନି ସାଙ୍ଗେ ସାଙ୍ଗେ ଦୌଡ଼ିଲା ଡାକ୍ତରଙ୍କ ପାଖକୁ।ଡାକ୍ତର କିଛି ମେଡ଼ିସିନ ଲେଖିଦେଲେ।ବିନି ଘରକୁ ଫେରି ଝିଅକୁ ମେଡ଼ିସିନ ଦେଲା। କିନ୍ତୁ ଦୁଇ ଦିନ ପରେ ପୁଣି ସେଇ ଅବସ୍ଥା। ବିନି ପୁଣି ଦୌଡ଼ିଲା ଡାକ୍ତରଙ୍କ ପାଖକୁ। ଏଥର ଡାକ୍ତର ପରାମର୍ଶ ଦେଲେ ଅଲ୍ଟ୍ରାସାଉଣ୍ଡ ପାଇଁ। ତା ପରଦିନ ରିପୋର୍ଟ ଧରି ବିନି ପହଂଚିଲା ମେଡିକାଲ ରେ।ରିପୋର୍ଟ ଦେଖି ଡାକ୍ତର କହିଲେ ପେଟରେ ଟିଉମର ବଢୁଛି। ଯେତେ ଜଲଦି ପାରୁଛ ଅପରେସନ କରିଦିଅ । ଅପରେସନ ପାଇଁ ଦୁଇ ଲକ୍ଷ ଟଙ୍କା ଦରକାର। ଚାରିଆଡ ଅନ୍ଧାର ଦିଶିଲା ବିନିକୁ। ଏତେ ଟଙ୍କା କୋଉଠୁ ଆଣିବ ସିଏ। 

   ତା ପରଦିନ ଅଫିସରେ ବିନି ତା ବସଙ୍କୁ ଅନୁରୋଧ କଲା ଦୁଇ ଲକ୍ଷ ଟଙ୍କା ଅଗ୍ରୀମ ଆକାରରେ ଦେବା ପାଇଁ। ବସ ସିଧା ସିଧା ଶୁଣେଇଦେଲେ। ଏକେ ତ ତୁମର ନୂଆ ଚାକିରୀ , ତା ପରେ କିଛି ଦିନ ହବ ଛୁଟି ପରେ ଛୁଟି ନେଇ ଚାଲିଛ। କୋଉ ଭରସାରେ ଆମେ ତୁମକୁ ଏତେ ଗୁଡ଼ାଏ ଟଙ୍କା ଦବୁ।ବହୁତ ଅନୁନୟ କଲା ବିନି। ବିନିର ବେସାହାରା ପଣ ଦେଖି ମୁରୁକି ହସା ଦେଲେ ବସ। କହିଲେ ରାତିରେ ଘର ଆଡ଼େ ଆସ। ମାଡାମ ଘରେ ନାହାନ୍ତି।ଟଙ୍କାଟା ଘରୁ ନେଇଯିବ। ଶକ୍ତ ଧକ୍କା ଲାଗିଲା ବିନିକୁ। କରେଣ୍ଟ ଲାଗିଲା ଯେମିତି ତା ଦେହକୁ। 

      ତା ପରେ ସେ ଅଫିସରୁ ଆସି ବସିଛି ଯେ ବସିଛି। ଛୁଆ ଦୁଇଟାଙ୍କୁ ଶୁଆଇ ଦେଇ ଭାବୁଛି କାହାକୁ ସାହାଯ୍ୟ ମାଗିବ। ଯଦି ଶାଶୁ ଘରକୁ ଯିବ ତାହେଲେ ସ୍ୱାମୀ ନାଁରେ ଘରଟା କରିବାକୁ ପଡିବ। ତା ପରେ ବି ସେଠି ଯେ ତାକୁ ସ୍ଥାନ ମିଳିବ ତାର କିଛି ଗ୍ୟାରେଣ୍ଟି ନାହିଁ। ବାପ ଘରକୁ ଗଲେ ଭାଉଜ ନାଁରେ ଘରଟା କରିବାକୁ ପଡିବ। ରାତିରେ ଯଦି ବସ ଘରକୁ ଯିବ ତାହେଲେ ତାକୁ ତା ସମ୍ମାନକୁ ବଳି ଦବାକୁ ପଡିବ।କଣ କରିବ ସିଏ। 

    ମନ୍ଦିରର ଆଳତି ଘଣ୍ଟ ଶବ୍ଦରେ ସମ୍ବିତ ଫେରି ଆସିଲା ତାର ।ଆରେ ସକାଳ ହେଇ ଗଲାଣି ଯେ।ମନେ ମନେ ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରଣାମଟିଏ କରୁ କରୁ ତାର ମନେ ପଡିଗଲା ପିଲାଦିନେ ବୋଉ କୋଳରେ ଶୋଇ ଶୁଣିଥିବା ମୃଗୁଣୀ ସ୍ତୁତି ଗପ।ତାକୁ ଲାଗୁଥିଲା ସେ ଗୋଟେ ମୃଗୁଣୀ ଆଉ ତା ଚାରିପଟେ ଖାଲି ବିପଦ ହିଁ ବିପଦ। ମୃଗୁଣୀ ଯେମିତି ଶିକାରୀ ଠାରୁ ନିଜକୁ ଆଉ ନିଜ ଛୁଆ ଦୁଇଟାଙ୍କୁ ରକ୍ଷା କରିବା ପାଇଁ ଠାକୁରଙ୍କ ପାଖରେ ନିଜକୁ ସମ୍ପୂର୍ଣ୍ଣ ରୂପେ ସମର୍ପି ଦେଇଥିଲା ସେମିତି ସିଏ ନିଜକୁ କାୟମନୋବାକ୍ୟରେ ସମ୍ପୂର୍ଣ୍ଣ ରୂପେ ଠାକୁରଙ୍କ ପାଦ ତଳେ ସମର୍ପି ଦେଇ ଦୁଇ ହାତ ଟେକିଦେଲା ପ୍ରଭୁଙ୍କ ଉଦ୍ଦେଶ୍ୟରେ। ତାକୁ ଲାଗୁଥିଲା ତା ଆତ୍ମବିଶ୍ୱାସ ବହୁ ଗୁଣରେ ବଢି ଯାଇଛି। 

   କଲିଂବେଲର ଶବ୍ଦରେ ରୋଷେଇ ଘରୁ ବାହାରି ଆସିଲା ବିନି।ଆରେ ଏ କଣ..।ସାମ୍ନାରେ ତା ଭାଇକୁ ଦେଖି ବିଶ୍ୱାସ କରିପାରିଲାନି ନିଜକୁ।କଣ କହିବ ନ କହିବ ଭାବୁ ଭାବୁ ତା ଭାଇ ତା ହାତରେ ଧରେଇ ଦେଲେ ଦୁଇ ଲକ୍ଷ ଟଙ୍କାର ଚେକଟିଏ। କହିଲେ ବିନି ମୁଁ ବଡ ଭାଇ ହିସାବରେ ତୋ ପାଇଁ କିଛି ବି କରି ପାରୁନି। ଘର ଛାଡିବା ଦିନ ଠାରୁ ତୋ ବିଷୟରେ ସବୁ ଖବର ମୁଁ ରଖିଛି। ଏ ପଇସାରେ ଜଲଦି ଝିଅର ଅପରେସନ କର। ଯାହା ଅସୁବିଧା ହବ ଜଣେଇବୁ ମୋତେ। କିନ୍ତୁ ତୋ ଭାଉଜ ଆଗରେ କିଛି କହିବୁନି ପ୍ଲିଜ। ବିନି କିଛି କହିବା ଆଗରୁ ଟିକେ ବ୍ୟସ୍ତ ଅଛି ପରେ କଥା ହେବା କହି ଚାଲି ଯାଇଥିଲେ ଭାଇ। ବିନି ଆଖିରୁ ବୋହି ଯାଉଥିଲା ଧାର ଧାର ଆନନ୍ଦାଶ୍ରୁ। ସତରେ ଭକ୍ତିର କେତେ ଶକ୍ତି ସତେ! 


           



Rate this content
Log in

More oriya story from Rozalini Mishra

Similar oriya story from Tragedy