ଆତ୍ମହରା
ଆତ୍ମହରା
ଫେସବୁକ୍ ଆଉ ହ୍ୱଟସପ ରେ ପ୍ରିତୀକା ର ଶୁଭେଚ୍ଛା ବାର୍ତ୍ତା ଦେଖି ପ୍ରିତମ ର ମନେପଡିଲା ଆଜି ତାର ଜନ୍ମଦିନ ବୋଲି। ରାତି ୧୨ଟା ପରେ "ହାପି ବାର୍ଥ ଡେ ମାଇଁ ଲଭ୍" ଲେଖି ତା'ର ସୁନ୍ଦର ସୁନ୍ଦର ଫଟୋ ସବୁ ଅପଲୋଡ଼ କରିଛି ପ୍ରିତୀକା।ହ୍ୱଟସପ ଷ୍ଟାଟସ ରେ ବି ତାର ଫଟୋ ସବୁ ରଖିଛି। ମୋବାଇଲ ଦେଖି ଦେଖି ରାତି ଦୁଇଟା କି ତିନିଟା ରେ ଶୋଏ ପ୍ରିତୀକା।ଉଠୁ ଉଠୁ ଦିନ ନ'ଟା ବାଜିଯାଇଯାଏ।ଏବେ କିଛି ଦିନ ହେଲା ଶରୀର ଅସୁସ୍ଥ ପାଇଁ ଛୁଟି ରେ ଥାଏ ପ୍ରିତମ।ତେଣୁ ସକାଳୁ ଉଠି ତରତର ହୋଇ ବ୍ରେକଫାଷ୍ଟ ରେଡି କରିବାର ଟେନସନ୍ ବି ନାହିଁ ପ୍ରିତୀକା ର।ପ୍ରିତମ ସକାଳୁ ନିଜେ ନିଜେ ଚା'ତିଆରି କରି ବିସ୍କିଟ୍ ଦୁଇଖଣ୍ଡ ଖାଇ ଲାପଟପ୍ ପାଖରେ ବସେ। ପ୍ରିତୀକା ଉଠି ବ୍ରେକଫାଷ୍ଟ ତିଆରି କରୁ କରୁ ଦିନ ଏଗାରଟା ବାଜିଯାଏ।
ଏଇ ଦୁଇ ବର୍ଷ ହେଲା ପ୍ରିତୀକା କୁ ଭଲପାଇ ବାହା ହେଇଛି ପ୍ରିତମ। ପ୍ରିତୀକା ସହ ବାହାଘର ପାଇଁ ବାପା, ବୋଉ ପ୍ରଥମେ ପ୍ରଥମେ ରାଜି ହୋଇନଥିଲେ।ହେଲେ ପ୍ରିତମ ର ଜିଦ୍ ଆଗରେ ମୁଣ୍ଡ ନୁଆଁଇବାକୁ ପଡ଼ିଥିଲା ତାଙ୍କୁ।ବାହାଘର ପରେ ପ୍ରିତୀକା କୁ ଆଣି ଭୁବନେଶ୍ୱର ଆସିଥିଲା ପ୍ରିତମ। ବାହାଘର ର ଦୁଇ ବର୍ଷ ଭିତରେ ଦୁଇଥର ବି ଗାଁ କୁ ଯାଇନି ରାଗିଣୀ। ଗାଁ ରେ ସିଏ କୁଆଡେ ଅଣନିଃଶ୍ବାସୀ ହୋଇଯାଏ।ବାପା, ବୋଉ ବି କେବେ ଯିବାକୁ ବାଧ୍ୟ କରନ୍ତିନି।ପ୍ରିତମ ଏକା ଯାଇ ମଝିରେ ମଝିରେ ଗାଁ ରେ ବାପା, ବୋଉ ଙ୍କୁ ଦେଖିଆସେ।ପ୍ରିତମ ଗାଁ କୁ ଗଲେ ପ୍ରୀତିକା ଭୁବନେଶ୍ୱର ରେ ଥିବା ତା ବାପା ଙ୍କ ଘରକୁ ପଳାଏ।
.........................................................
ପ୍ରିତମ ଗ୍ୟାସ୍ ଲଗେଇ ଚା'ବସେଇଲା।ଆଜି କାଇଁ ବୋଉ କଥା ଭାରି ମନେ ପଡୁଚି ତାର। ଛଅ ମାସ ହେଲା ଗାଁ କୁ ଯାଇନି ସେ।ବାପା, ବୋଉ ମଝିରେ ମଝିରେ ଫୋନ୍କ କରନ୍ତି।.....ପ୍ରିତମ ଚା'ଛାଣି ବାଲକୋନି ରେ ପଡ଼ିଥିବା ଚେୟାର ରେ ବସି ଚା ପିଇଲା। ଫେସବୁକ ଆଉ ହ୍ୱଟସପ ରେ ଆସିଥିବା ବାର୍ଥ ଡେ ମେସଜ୍ ର ରିପ୍ଲାଇ ଦଉ, ଦଉ ପ୍ରିତମ ଭାବୁଥିଲା ତା ଜନ୍ମଦିନ କଥା। ଛୋଟ ବେଳେ ଏହି ଦିନ ଟି ପାଇଁ ଭାରି ଉତ୍କଣ୍ଠା ର ସହ ଅପେକ୍ଷା କରିଥାଏ ସେ । ଦୁଇ ଝିଅ ତଳେ ସେ ଗୋଟିଏ ବୋଲି ପୁଅ।ବାପା, ବୋଉ ଙ୍କର ଭାରି ଗେହ୍ଲା। ପ୍ରତିବର୍ଷ ଜନ୍ମଦିନ ରେ ତା ପାଇଁ ଘରେ ସତ୍ୟନାରାୟଣ ଙ୍କ ପୂଜା ହୁଏ।ଷୋହଳ ବର୍ଷ ଯାଏ ପାଲା ବି ହଉଥିଲା।
ତା ଜନ୍ମଦିନ ପାଇଁ ଆଠ ଦିନ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇଯାଏ ବାପା ବୋଉ ଙ୍କର।ବାପା ମରେଇ ରୁ ଖଇଧାନ,ଚୁଡାଧାନ ବାହାର କରନ୍ତି,ଚୁଡାଧାନ କୁ ପାଣିରେ ପକାନ୍ତି। ସାଇକେଲରେ ଗଡ଼େଇ ଗଡ଼େଇ ନେଇ ଖଇ ଭାଜି,ଚୁଡ଼ା କୁଟି ଆଣନ୍ତି।ବୋଉ ଖଈ ବାଛି, ସେଥିରେ ଗୁଡ଼ ଦେଇ ଚୁଲି ରେ ଉଖୁଡା କରେ।ଚୁଡ଼ା କୁ ଚଲା ରେ ଚଲେଇ ରଖେ।ବାପା ବାଡି ରୁ କାହାକୁ କହି ନଡ଼ିଆ ତୋଳେଇ ରଖନ୍ତି।ସିରିଣି ପାଇଁ କଦଳୀ କାନ୍ଦି କାଟି ଠାକୁର ଘରେ ପଚେଇଥାନ୍ତି। ଜନ୍ମଦିନ ପୂର୍ବଦିନ ବୋଉ ବିରି,ଚାଉଳ ବତୁରାଇ ଶିଳ ରେ ବାଟି ରଖିଥାଏ। ଜନ୍ମଦିନ ସକାଳୁ ସେ ଉଠିବା ଆଗରୁ ବୋଉ ଉଠି ଗାଧୋଇ ପାଧୋଇ ଠାକୁର ପାଖକୁ ଯାଇସାରିଥାଏ।ସେ ପଛରେ ଉଠି , ନୂଆ ସାର୍ଟ, ପ୍ୟାଣ୍ଟ୍ ପିନ୍ଧି ବାପା ଙ୍କ ସହ ସାଇକେଲ ରେ ବସି ଗାଁ ମନ୍ଦିର କୁ ଯାଏ।ସେଠୁ ଆସିଲା ବେଳକୁ ବୋଉ ଚକୁଳି ପିଠା ଆଉ ଖିରି କରିଥାଏ।ତାକୁ ବସେଇ,ସାତଟା ଚକୁଳି କରି ଷଠି,ପଞ୍ଚୁଆତି ପୂଜା କରେ ।ତାର ସବୁ ସାଙ୍ଗମାନେ ଆସନ୍ତି।ପିଠା, ଖିରି ସାଙ୍ଗକୁ ବାପା ବଜାର ରୁ ଆଣିଥିବା ବଡ଼ ବଡ଼ ରସଗୋଲା ବୋଉ ବାଢିଦିଏ ସମସ୍ତଙ୍କୁ। ରସଗୋଲା କଥା ମନେପଡ଼ିଲା ରୁ ମନକୁ ମନ ହସି ଦେଲା ଅନୁରାଗ। ରସଗୋଲା ତାର ଭାରି ପ୍ରିୟ।ବାପା ବଜାର ରୁ ରସଗୋଲା ଆଣିଲେ ସବୁଠାରୁ ବେଶୀ ଭାଗ ପଡେ ତାର।ବୋଉ ତା ଭାଗ ଟା ନଖାଇ ବାପାଙ୍କୁ ଲୁଚାଇ ତା ପାଟି ରେ ଆଣି ଖୁଆଇଦିଏ।..........
ରାତିକୁ ସତ୍ୟନାରାୟଣ ଙ୍କ ପୂଜା ହୁଏ। ବୋଉ ଦୁବ, ବରକୋଳି ପତ୍ର, ଆମ୍ବଡାଳ ସବୁ ସଜାଡି ରଖେ।ବାପା,ବଡ଼ କୁଣ୍ଡ ରେ ଚୁଡ଼ା, ନଡ଼ିଆ,ଚିନି,ଗାଈଘିଅ ପକେଇ ଚୁଡା ଘସନ୍ତି। ଚାଉଳ ଚୁନା,କଦଳୀ,ଛେନା,ଚିନି, କଞ୍ଚା କ୍ଷୀର,ଅଦା, ଗୋଲମରିଚ ପକେଇ ବଡ଼ ତସଲା ରେ ସିରିଣି କରନ୍ତି। ତାର ସବୁ ସାଙ୍ଗମାନେ ଆସନ୍ତି।ପୂଜା ସରିଲା ପରେ ସମସ୍ତେ ସାଙ୍ଗ ହୋଇ ଚୁଡାଘସା,ସିରିଣି,ଉଖୁଡା ଖାଆନ୍ତି।
ଗାଁ ଛାଡି ପଢ଼ିବା ପାଇଁ ସହରକୁ ଆସିବାପରେ ମଧ୍ୟ ତାର ସବୁ ଜନ୍ମଦିନ ରେ ସେ ଘରକୁ ଯାଏ। କିନ୍ତୁ ଏଇ ଦୁଇ ବର୍ଷ ହେଲା ସେ ତା ଜନ୍ମଦିନ ରେ ଗାଁ କୁ ଯାଇନି। ଗତବର୍ଷ ବୋଉ ଫୋନ୍ କରିଥିଲା ଜନ୍ମଦିନ ରେ ଗାଁ କୁ ଯିବାପାଇଁ।ହେଲେ ପ୍ରିତୀକା ସଫା ସଫା ମନା କରିଦେଲା,ସେ ଯାଇପାରିବନି।
ରାଗିକି କହିଥିଲା,"ଗାଁ ରେ କ'ଣ ଅଛି ଯେ, ତୁମ ବୋଉ ଗାଁ କୁ ଯାଇ ଜନ୍ମଦିନ ପାଳିବାକୁ କହୁଛନ୍ତି?? ଆମ ବାହାଘର ପରେ ଏଇଟା ତୁମର ପ୍ରଥମ ଜନ୍ମଦିନ,ଆମେ ଏଇଠି ସେଲିବ୍ରେଟ୍ କରିବା।"ପ୍ରିତମ ଫୋନ୍ କରି ବୋଉ କୁ ମନା କରିଥିଲା, ଅଫିସ୍ ରେ ଛୁଟି ନାହିଁ ସେ ଯାଇପାରିବନି। ବୋଉ ବହୁତ ମନ ଦୁଃଖ କରିଥିଲା। ସେମାନେ ନ ଯାଇଥିଲେ ବି ବୋଉ ଗାଁ ରେ ତା ପାଇଁ ସତ୍ୟନାରାୟଣ ପୂଜା କରିଥିଲା। ଏପଟେ ପ୍ରିତୀକା ତା ଜନ୍ମଦିନ ପାଇଁ ରାତିରେ ଏକ ବଡ଼ ହୋଟେଲ ରେ ବାର୍ଥଡେ ପାର୍ଟି ର ଆୟୋଜନ କରିଥିଲା। ଦିନ ରେ ବି ଘରେ ରୋଷେଇ ନ କରି ରେଷ୍ଟୁରାଣ୍ଟ ରେ ଲଞ୍ଚ୍ କରିଥିଲେ ସେମାନେ। ବୋଉ କୁ ସିନା ଅଫିସ୍ ରେ କାମ ଅଛି ବୋଲି କହିଲା,ହେଲେ ଅଫିସ୍ ଛୁଟି ନେଇ ଦିନ ସାରା ପ୍ରିତୀକା ସହ ମଲ୍ ରେ ସପିଂ କରି, ଫିଲ୍ମ ଦେଖି,
ରେଷ୍ଟୁରାଣ୍ଟ ରେ ଖାଇ ପିଇ ଜନ୍ମଦିନ ପାଳିଥିଲା ସେ।ରାତିରେ ହୋଟେଲରେ ପ୍ରିତୀକା ର ମମି,ପାପା,ଭାଇ, ଭଉଣୀ,ସାଙ୍ଗ,ସାଥିଙ୍କ ମେଳରେ କେକ୍ କାଟି, ମହମବତୀ ଲିଭେଇ,ବେଲୁନ ଫୁଟେଇ ପ୍ରଥମଥର ପାଇଁ ଏମିତି ଜନ୍ମଦିନ ପାଳିଥିଲା। ଆଜି ତା'ର ଜନ୍ମଦିନ..... ଗାଁ ରେ ଥିଲେ ବୋଉ ଏତେବେଳକୁ ଖିରି,ପିଠା କରି ଠାକୁର ପାଖରେ ପୂଜା କରନ୍ତାଣି।
ଚା'ପିଇସାରି ପ୍ରିତମ ଦେଖେ ତ ପ୍ରିତୀକା ଏଯାଏଁ ଶୋଇଛି।ପ୍ରିତମ ଲାପଟପ୍ ଖୋଲି ଅଫିସ୍ କାମ କରିବାକୁ ବସେ ତ ହଠାତ ଫୋନ୍ ଟା ବାଜି ଉଠିଲା ତାର।ଦେଖେ ତ ବୋଉ ଫୋନ୍ କରିଛି।ପ୍ରିତମ ଫୋନ୍ ଉଠେଇଲା... ବୋଉ କହିଲା,"ବାପା!!ଉଠିଲୁଣି।ଆଜି ପରା ତୋ ଜନ୍ମଦିନ। ମୁଁ ଠାକୁର ପାଖରେ ଖିରି, ପିଠା ପୂଜା କରିସାରିଲେଣି।ତୁ ଗାଧୋଇ ପାଧୋଇ ନୂଆ ଖଣ୍ଡେ ପିନ୍ଧି ଠାକୁରଙ୍କ ପାଖେ ମୁଣ୍ଡିଆ ମାରିଦେ।"ପ୍ରିତମ ଥରଥର କଣ୍ଠରେ କହିଲା ,"ହଁ ବୋଉ ମାରିଦେବି।"ବୋଉ କଣ୍ଠ ବି କେମିତି ଓଦା ଓଦା ଲାଗୁଥିଲା।ଦେହ ର ଯତ୍ନ ନବୁ କହି ବୋଉ ଫୋନ୍ ରଖିଲା। ପ୍ରିତମ ର ଆଖି ଛଳଛଳ ହୋଇଗଲା। ଇଚ୍ଛା ହଉଥିଲା ଏଇ ମୁହୁର୍ତ୍ତ ରେ ଗାଁ କୁ ପଳେଇବ କି!!!
ଏତିକିବେଳେ ପ୍ରିତୀକା ନିଦ ରୁ ଉଠି ଆଖି ମଳି ମଳି ଆସି କହିଲା,"ହାପି ବାର୍ଥ ଡେ ମାଇଁ ସ୍ବିଟ୍ ହାର୍ଟ।ଆରେ କେତେବେଳେ ଉଠିଲ ଯେ। ମୁଁ କାଲି ରାତିରେ ତୁମ ବାର୍ଥ ଡେ ପାଇଁ କେତେ ସାରା ଭିଡିଓ ବନେଇ,ତାକୁ ସବୁ ଫେସବୁକ୍ ରେ ଅପଲୋଡ଼ କରି ଶୋଉ ଶୋଉ ବହୁତ ଲେଟ୍ ହେଇଗଲା ।ହଉ,ହଉ ଶୁଣ....ଆଜି ମୁଁ କିଛି ବ୍ରେକଫାଷ୍ଟ ବନେଇବିନି।ଆଜି ତୁମ ବାର୍ଥଡେ ପାଇଁ ଡୋମିନସ୍ ରୁ ପିଜା ଅର୍ଡର୍ କରିଦଉଛି।ପିଜା ଆସିବା ଭିତରେ ମୁଁ ଫ୍ରେସ୍ ହେଇ ଆସୁଛି।ସାଙ୍ଗ ହୋଇ ବ୍ରେକଫାଷ୍ଟ କରିବା।"ରାଗିଣୀ ର କଥା ଶୁଣି ପ୍ରିତମ କହିଲା,"ନାଁ.... ମୁଁ ଗାଁ କୁ ଯିବି।"ଲାପଟପ୍ ରେ ଅଫିସ କୁ ଦୁଇ ଦିନ ଛୁଟି ପାଇଁ ମେଲ୍ କରିଦେଇ ବ୍ୟାଗ୍ ପ୍ୟାକ୍ କରି ଗାଁ କୁ ବାହାରିଲା ବେଳେ କେମିତି ଗୋଟେ ଅଜଣା ଖୁସି ରେ ଆତ୍ମହରା ହୋଇଯାଉଥିଲା ସେ।.......
