Laxman Kumar Behera

Tragedy

3  

Laxman Kumar Behera

Tragedy

ଆର୍ତ୍ତତ୍ରାଣ

ଆର୍ତ୍ତତ୍ରାଣ

4 mins
548



  

 ଗାଉଁଲି ଗରିବ ପିଲା ଆର୍ତ୍ତତ୍ରାଣ । ଦଶମ ପଢି ସାରି ଏବେ ନୂଆ ନୂଆ ଯୁକ୍ତ ଦୁଇ ବିଜ୍ଞାନ କଲେଜ୍ ପାଲଲହଡାରେ ପ୍ରଥମ ବର୍ଷରେ ନାମ ଲେଖାଇ ସାଙ୍ଗ ମାନଙ୍କ ସହ ହଷ୍ଟେଲ୍ ରେ ରହୁଥାଏ । 

ସେ ବର୍ଷ ଚନ୍ଦ୍ରାବତୀ ମଧ୍ୟ ସେଇ କଲେଜ୍ ରେ ନାମ ଲେଖାଇଥାଏ । ପ୍ରତିଦିନ କଲେଜ୍ ରେ ଦେଖାସାକ୍ଷାତରୁ ଆର୍ତ୍ତତ୍ରାଣ ଓ ଚନ୍ଦ୍ରାବତୀ ପ୍ରଥମେ ମିତ୍ରତା ଓ ପରେ ପରେ ପ୍ରେମରେ ପରସ୍ପର ପ୍ରତି ଆକର୍ଷିତ ହେଲେ ।


    ପ୍ରାୟ ଦୁଇ ମାସ ପରେ ଦିନେ ଚନ୍ଦ୍ରାବତୀ ଲୁହ ଭରା ନୟନରେ ଆର୍ତ୍ତତ୍ରାଣକୁ ଜଣାଇଲା ଯେ, ତା'ର ପରିବାର ଗରିବ ହେଇଥିବାରୁ ସେ ଆଉ କଲେଜ୍ ରେ ପାଠ ପଢି ପାରିବ ନାହଁ । ଆର୍ତ୍ତତ୍ରାଣ ସବୁ କଥା ଶୁଣି ତା'କୁ ଅନେକ ବୁଝାସୁଝା କରି ପାଠ ପଢା ବନ୍ଦ ନ କରିବା ପାଇଁ କହିଲା । ମାସକୁ ମାସ ପଇସା ଦେବା ପାଇଁ ସେ ରାଜି ହେଲା । 


     ଘରେ କହିଥିଲା ହଷ୍ଟେଲ୍ ରେ ରହୁଛି, ହେଲେ; ନିଜ ପ୍ରେମୀକା ଚନ୍ଦ୍ରାବତୀକୁ ପଢାଇବା ପାଇଁ ସେ ପାଲଲହଡାର ଏକ ହୋଟେଲ୍ ରେ ବାସନ ସଫା କଲା । ମାସକୁ ଚାରି ହଜାର ଟଙ୍କା ପାଇଲା । ସବୁ ଟଙ୍କା ଚନ୍ଦ୍ରାବତୀକୁ ଦେଇ ନିଜେ କଷ୍ଟେ ମଷ୍ଟେ ଚଳିଗଲା । ଚନ୍ଦ୍ରାବତୀ ପ୍ରତିଟି ବିଷୟ ଟିଉସନ୍ ହେଲା । ସବୁ ନୋଟ୍ ଆର୍ତ୍ତତ୍ରାଣକୁ ଦେଲା । ଦୁହେଁ ପାଠ ପଢାରେ ମନ ଦେଲେ । ଆର୍ତ୍ତତ୍ରାଣ ଅପେକ୍ଷା ଚନ୍ଦ୍ରାବତୀ ଭଲ ପଢୁଥିଲା । ଆର୍ତ୍ତତ୍ରାଣ ସପ୍ତାହରେ କେବଳ ଦୁଇ ଦିନ ମଙ୍ଗଳବାର ଓ ଶୁକ୍ରବାର କଲେଜ୍ ରେ ଉପସ୍ଥିତ ହେଉଥିଲା । ଅନ୍ଯ ଦିନ ସବୁ ହୋଟେଲ୍ ରେ ରହି ଅଇଁଣ୍ଠା ବାସନ ସଫା କରିବା ପାଇଁ ବାଧ୍ଯ ହେଉଥିଲା । ରାତି ନଅଟା ପରେ ନୋଟ୍ ସବୁ ପଢିବା ପାଇଁ ସେ ସୁଯୋଗ ପାଉଥିଲା । ଚାକିରି ପାଇଲେ ବିବାହ କରିବା ପାଇଁ ଆର୍ତ୍ତତ୍ରାଣକୁ ଚନ୍ଦ୍ରାବତୀ ସବୁଦିନେ ମିଠା ପ୍ରତିଶ୍ରୁତି ଦେଉଥାଏ ।


▪▪▪▪▪▪▪▪▪▪


       ଆର୍ତ୍ତତ୍ରାଣ ଯୁକ୍ତ ଦୁଇ ପରେ ସ୍ନାତକ ପଢିଲା । ଯୁକ୍ତ ଦୁଇରେ ଭଲ ନମ୍ବର ରଖି ପାସ୍ କରିଥିବାରୁ ଚନ୍ଦ୍ରାବତୀ ଆଇ• ଆଇ• ଟି• ପାଇ ଉଚ୍ଚ ଶିକ୍ଷା ନିମନ୍ତେ ଖଡଗପୁର ଚାଲିଗଲା । ଆର୍ତ୍ତତ୍ରାଣ ସେଇ ହୋଟେଲରେ କାମ କଲା । ଯାହା ଟଙ୍କା ମାସକୁ ମାସ ପାଇଲା ଚନ୍ଦ୍ରାବତୀକୁ ପଠାଇ ଦେଲା । 


      ଆଇ• ଆଇ• ଟି• ପଢା ଶେଷ ପରେ ଚନ୍ଦ୍ରାବତୀ ବମ୍ବେରେ ଏକ ସୁନାମଧନ୍ଯ ସଫ୍ଟୱେର କୋମ୍ପାନୀରେ ବର୍ଷକୁ ବାର ଲକ୍ଷ ଟଙ୍କା ପ୍ଯାକେଜରେ କାମ ପାଇଲା । 


▪▪▪▪▪▪▪▪▪▪


ଦିନେ ଡାକବାଲା ଆର୍ତ୍ତତ୍ରାଣର ମାଆ ହାତରେ ଚିଠିଟିଏ ଦେଲା । ଚିଠି ଉପରେ ଚନ୍ଦ୍ରାବତୀର ନାମ ଦେଖି ମନେ ମନେ ବିଚାରିଲା, " ଏ ଚନ୍ଦ୍ରାବତୀ କିଏ ? " ଚିଠି ଖୋଲି ଦେଖିଲେ....


                           ମୁମ୍ବାଇ 

                      ତା• ୧୪• ୦୭• ୨୦୧୭


    ଆର୍ତ୍ତତ୍ରାଣ   


      ମୁଁ ଏବେ ବମ୍ବେରେ ଅଛି । ଏକ ନାମି ସଫ୍ଟୱେର କୋମ୍ପାନୀରେ ବର୍ଷକୁ ବାର ଲକ୍ଷ ଟଙ୍କା ପ୍ଯାକେଜ୍ ରେ କାମ ପାଇଲି । ମୁଁ ବିବାହ କରି ସାରିଛି । ମାସେ ହେଲାଣି । ମୋ ସ୍ବାମୀଙ୍କର ନାମ କନ୍ଦର୍ପ । ଆମେ ମନ୍ଦିରରେ ବିବାହ କଲୁ । ତୁମକୁ ଜଣାଇ ପାରିଲିନି ତେଣୁ ମୁଁ ଦୁଃଖିତ । ସେ ମଧ୍ଯ ସଫ୍ଟୱେର ଇଞ୍ଜିନିୟର ଅଛନ୍ତି । ଆମେ ଦୁହେଁ ଏକା କୋମ୍ପାନୀରେ କାମ କରୁଛୁ । ତୁମକୁ ଦେଇଥିବା କଥା ମୁଁ ରଖି ପାରିଲିନି । ମୋତେ କ୍ଷମା କରିଦେବ । ମୋତେ ଯେତେ ଟଙ୍କା ଦେଇଥିଲ ଘରକୁ ଗଲେ ସୁଧ ମୂଳ ମିଶାଇ ସବୁ ଟଙ୍କା ତୁମର ଫେରାଇ ଦେବି । 


            || ଇତି ||


            ଚନ୍ଦ୍ରାବତୀ


        ନିଆଁ ଶାଳରେ ବସି ମାଆ କନକତାରା ଚିଠିଟି ଗୋଟେ ନିଃଶ୍ଵାସରେ ପଢିଗଲେ । ଚୁହ୍ଲିରେ ଭାତ ଫୁଟୁଥାଏ । ଆଖିରେ ଲୁହ ଭରିଗଲା । ନିଜ ପୁଅକୁ ଚିଠି ବିଷୟରେ କିଛି ନ ଜଣାଇବାକୁ ସେ ଉଚିତ୍ ମନେକରି ନିଆଁ ରଡ ଭିତରକୁ ଚିଠିଟି ଫୋପାଡି ଦେଲେ । ଚିଠି ଜଳି ପାଉଁଶ ହେଇଗଲା ।


▪▪▪▪▪▪▪▪▪


     ସେଦିନ ବାରକୋଟ ରଥଯାତ୍ରା ଦେଖିଯିବା ପାଇଁ ଆର୍ତ୍ତତ୍ରାଣ ନିଜ ଗାଆଁର ସାଙ୍ଗ ପିଲା ମାନଙ୍କ ସହିତ ଖୁସି ମନରେ ବାହାରିଥିଲା । ଜଗତର ନାଥ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ ଦର୍ଶନ କରିବ, ରଥ ଟାଣି ଅପାର ଆନନ୍ଦ ଲାଭ କରିବ, ପୂଣ୍ୟ ଅର୍ଜନ କରିବ, ଉଦଘୋଷକ ଦଳବେହେରା, ଟିକେଶ୍ବର ସାହୁ ଓ ଶଶିଭୂଷଣ ପ୍ରଧାନଙ୍କ ଠାରୁ ଶ୍ରୀଜଗନ୍ନାଥଙ୍କ ମହିମା ଗାନ, ନୀତି ଶିକ୍ଷା, ଧର୍ମ ସମ୍ବନ୍ଧୀୟ ବାଣୀ କର୍ଣ୍ଣରେ ଶ୍ରବଣ କରି ନିଜକୁ କୃତାର୍ଥ ମଣିବ ବୋଲି ସେ ଚିନ୍ତା କରୁଥାଏ । ଯେତେବେଳେ ଭଉଣୀ ସୁଲଗ୍ନା ଠାରୁ ଶୁଣିଲା ବମ୍ବେରୁ ଚନ୍ଦ୍ରାବତୀ ଆସିଛି । ତା'ର ଦେହରେ ବିଜୁଳି ଦୌଡିଗଲା । ମନେ ମନେ ଭାବିଲା ମୋ ମନର ଦେବୀ, ହୃଦୟର ରାଜକୁମାରୀ ମୋତେ ଦେଖା କରିବା ପାଇଁ ବମ୍ବେରୁ ଆସିଛି । ମୁଁ କେତେ ଭାଗ୍ଯବାନ ସତରେ ! ସଂଗେ ସଂଗେ ସେ ତା'ର ସାଙ୍ଗ ମାନଙ୍କୁ ବିଭିନ୍ନ ବାହାନା ବନେଇ ରଥଯାତ୍ରା ଦେଖିଯିବା ପାଇଁ ମନା କରିଦେଲା ।


     ସେଦିନ ଚନ୍ଦ୍ରାବତୀ ବମ୍ବେରୁ ସିଧା ଟଙ୍କା ଫେରାଇବା ପାଇଁ ଆର୍ତ୍ତତ୍ରାଣ ଘରକୁ ଆସିଥାଏ । ସେ ଏକୁଟିଆ ନୁହେଁ, ସାଙ୍ଗରେ ତା'ର ସ୍ବାମୀ କନ୍ଦର୍ପ, ଝିଅ ମିତା ମଧ୍ଯ ଆସିଥାନ୍ତି । ସେମାନଙ୍କୁ ଦେଖି ପରିବାରର ସମସ୍ତେ ଯେତିକି ଆଶ୍ଚର୍ଯ୍ୟ ହେଉଥିଲେ ସେତିକି ଖୁସି ବି ହେଉଥିଲେ । 


    ଚନ୍ଦ୍ରାବତୀର ହାତରେ ଶଙ୍ଖା ଆଉ ମଥାରେ ସିନ୍ଦୁର ଦେଖି କୋହରେ ଫାଟି ପଡିଲା ଆର୍ତ୍ତତ୍ରାଣ । ମନରେ ତା'ର ଶୀହରଣ ଖେଳିଗଲା । ପାଟି ତା'ର ଅଠା ହେଇ ଗଲା । କିଛି କଥା ଆସୁ ନଥାଏ । 


( ଆର୍ତ୍ତତ୍ରାଣ ପାଖକୁ ଚନ୍ଦ୍ରାବତୀ ଆସି ) 


   - ମୋ ଚିଠି ପାଇଲ କି ନାହିଁ ଜାଣି ପାରିଲି ନାହିଁ । ଫୋନ୍ ବି କଲ ନାହିଁ । ନମ୍ବର ଦେଇଥିଲି । ମୋତେ ରାଗିଛ କି ଆର୍ତ୍ତତ୍ରାଣ ? 


   - କି ଚିଠି ? ନା ପାଇନି ତ !


   - ବିବାହ କଲି ବୋଲି ତୁମକୁ ଲେଖି ଜଣାଇ ଥିଲି । 


       (କିଛି କଥା କହି ପାରୁ ନଥାଏ ।)  

  

     ସେଦିନ ୟୁ• ପି• ଏସ୍• ସି• ପରୀକ୍ଷାର ଫଳ ବାହାରିଲା । ଆର୍ତ୍ତତ୍ରାଣ ଦେଶର ଶ୍ରେଷ୍ଠ ଦଶ ଜଣଙ୍କ ଭିତରେ ଥିଲା । ଓଡିଶାରୁ କେବଳ ସେ ଏକା ହିଁ କୃତକାର୍ଯ୍ଯ ହୋଇଥିବାରୁ ବନ୍ଧୁ ବାନ୍ଧବ, ସାଙ୍ଗ ସାଥୀ, ନ୍ଯୁଜ ଚାନେଲ୍ ସବୁ ଘର ଆଗରେ ପହଞ୍ଚି ଗଲେ । ଅଳ୍ପ ସମୟ ଭିତରେ ଘର ଦୁଆର ଲୋକାରଣ୍ଯ ହେଇଗଲା । ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ଯ ହୋଇଥିବା ଜାଣି ଚନ୍ଦ୍ରାବତୀ ବହୁତ ଖୁସି ହେଲା ।


      ଆର୍ତ୍ତତ୍ରାଣ ଠାରୁ ସମାଜ ପାଇଁ କିଛି ବାର୍ତ୍ତା ଶୁଣିବା ପାଇଁ ସେଦିନ ସମସ୍ତେ ଉତ୍ସୁକତାର ସହ ଅନାଇ ରହିଥିଲେ । 


      ଆର୍ତ୍ତତ୍ରାଣ ବାହାରକୁ ଆସିଲା । ମୁହଁ ତାର ମଳିନ ଦିଶୁଥାଏ । ଆଖିରୁ ଲୁହ ଝରି ଯାଉଥାଏ ।


     ସମସ୍ତଙ୍କୁ ଉଦବୋଧନ ଦେଇ ଆର୍ତ୍ତତ୍ରାଣ କହିଲା, ସେବା ହିଁ ପ୍ରେମ । ଆଉ ପ୍ରେମ ବାୟୁ ପରି ଅଦୃଶ୍ୟ । ସଂସାରରେ ଯାହାର ବି ସେବା କରୁଛନ୍ତି, ଉପକାର କରୁଛନ୍ତି ତାହା ନିଃସ୍ଵାର୍ଥରେ କରନ୍ତୁ । କୌଣସି ପାଇବା ଆଶା ନରଖି ଉପକାର କଲେ, ସେବା କଲେ ତିଳେ ମାତ୍ର ଦୁଃଖ ତୁମକୁ ସ୍ପର୍ଶ କରି ପାରିବ ନାହିଁ । ଭବିଷ୍ୟତରେ କେବେ ଅଶ୍ରୁ ଝରାଇବାକୁ ପଡିବ ନାହିଁ । ପ୍ରତିଦିନ କମାଣି କରନ୍ତୁ । ପାପରେ ନୁହେଁ ଧର୍ମରେ । ଆଉ ଯାହା କମାଣି କରୁଛନ୍ତି ସେସବୁକୁ ଅନ୍ଯର ଉପକାରରେ ଲଗାଇ ଦିଅନ୍ତୁ । ଏ ଧରାରେ ନା ଭବିଷ୍ୟତରେ ଆପଣ ରହିବେ ନା ପ୍ରେମରେ ଯାହାକୁ ନିଜର କମାଣି ଦେଇଥିବେ ସେ ରହିବ । କେବଳ ପ୍ରେମରେ ଅର୍ଜିତ ପୂଣ୍ୟ ସଦାସର୍ବଦା ଆପଣଙ୍କ ସାଥିରେ ଯୁଗ ଯୁଗ ଯାଏଁ ରହିଥିବ ।


    ସମୟ ବଦଳିଯିବା ସହ ଏଠି ସମସ୍ତେ ନିଜ ନିଜ ସ୍ବାର୍ଥ ହାସଲ ପାଇଁ ବଦଳି ଯିବେ । ରୂପ- ରଙ୍ଗ ସବୁ ଫିକା ପଡିଯିବ । ସମୟ ସୁଅରେ ସମସ୍ତେ ସମସ୍ତଙ୍କ ଠାରୁ ଅଲଗା ହେଇଯିବେ । କେବଳ ଅତୀତରେ ନିଜ ସହ ଘଟିଥିବା ଅବିସ୍ମରଣୀୟ ଦିନ ସବୁ ସ୍ମୃତି ହୋଇ ରହିଯିବ ଜୀବନ ବାଟରେ ।


     ସବୁ ଶୁଣି ସାରିବା ପରେ ଆର୍ତ୍ତତ୍ରାଣକୁ ଟଙ୍କା ବ୍ଯାଗ୍ ଟି ଦେବା ପାଇଁ ସେ ନିଜକୁ ଲଜ୍ଜ୍ଯା ଅନୁଭବ କଲା । ପରିବାର ସହ ନିଜ ଦୁନିଆକୁ ଫେରିଗଲା ବେଳେ ସେଦିନ ଚନ୍ଦ୍ରାବତୀ ବହୁତ୍ କାନ୍ଦୁଥିଲା ।


Rate this content
Log in

Similar oriya story from Tragedy