Padmalaya Padhy

Tragedy

3  

Padmalaya Padhy

Tragedy

ଆପଣା କଲା କର୍ମ ମାନ

ଆପଣା କଲା କର୍ମ ମାନ

5 mins
169


ସୁବାସ ଓ ସୁରଭି ପୁଅ ବାହାଘର ପରେ ବହୁତ ଆଶାବାଦୀ ଥିଲେ ଯେ ପୁଅ ଆସି ତାଙ୍କ ପ।ଖରେ ରହିବ । ଏମାନେ ଉପର ମହଲା କରିବାକୁ ଯୋଜନା କରିଥିଲେ କେବଳ ପୁଅ ପାଇଁ । ଏକ ମାତ୍ର ପୁଅ ରୋହିତ ବାହାରେ ପଢିଲା । ଚାକିରୀ କଲା ବାହାରେ । କହିବାକୁ ଗଲେ ଏମାନେ ପୁଅକୁ ଯେତେବେଳେ ବଡ ହେବାର ଦେଖି ଥାନ୍ତେ ସେତେବେଳେ ସେ ବାହାରେ ରହିଲା । କମ୍ପାନୀ ର ଗୋଟିଏ ବ୍ରାଞ୍ଚ ଭୁବନେଶ୍ୱର ରେ ଖୋଲିବାରୁ କେତେ ଦିନ ପାଇଁ ଏଠାକୁ ଆସିଛି । 

ବୋହୁ ଟି କୁ ସୁରଭି ହିଁ ପସନ୍ଦ କରିଥିଲେ । ସହର ର ସବୁଠୁ ଧନୀ ପରିବାର ର ଏକମାତ୍ର ଅଲିଅଳୀ କନ୍ୟା । ଉଚ୍ଚ ଶିକ୍ଷିତା ଓ ପୁଅର କମ୍ପାନୀ ରେ ନୂଆ ଜଏନ କରିଛି । 


ପୁଅ ସହିତ ପାଦ କୁ ପାଦ ମିଳାଇ ଚାଲି ପାରିବ । ତାଙ୍କ ଭଳିଆ ଆଧୁନିକ ଉଚ୍ଚ ଶିକ୍ଷିତା ଶାଶୁ ର ବୋହୁ ବି ସେମିତି ହେବା ଦରକାର ଯେମିତି ଲୋକେ ଦେଖିଲେ ଇର୍ଷା କରିବେ । 

ସୁରଭିଙ୍କ ବୋହୁ ମୋଟା ଅଙ୍କର ଯୌତୁକ ଆଣିଥିଲା । ଖାଇବା ପିଇବା ସବୁଥିରେ ଅ।ଭିଜାତ୍ୟ ର ଛାପ । ଦେଖିବାକୁ ଅତ୍ୟନ୍ତ ସୁନ୍ଦରୀ ବୋହୁ ପାଇ ସୁରଭି ବହୁତ ଗର୍ବିତ । ଲେଡ଼ିଜ କ୍ଲବ ରେ ତାଙ୍କର ବାହାଦୁରି ଦେଖାଇ ପାରିବେ ।


ବାହାଘର ର ତିନି ଚାରିଦିନ ପରେ ଦିନେ ସକାଳୁ ପୁଅ ବୋହୁ ଚାଲି ଯିବାକୁ ବାହାରିଲେ । ପୁଅକୁ କମ୍ପାନୀ ତରଫରୁ ଘର ମିଳିଛି ସେମାନେ ସେଇଠି ଯାଇ ରହିବେ ।

ପୁଅ ଗଲା ପରେ ସୁରଭି କେତେ ସମୟ ପର୍ଯ୍ୟନ୍ତ କିଛି ବୁଝି ପାରି ନଥିଲେ କଣ ଘଟି ଯାଉଛି । ଝଗଡା ନାହିଁ, ଅସୁବିଧା ହୋଇନି ମାତ୍ର ସେମାନେ ଏଇଠି ଏକାଠି ରହିବାକୁ ଚାହୁଁ ନାହାନ୍ତି । 

ସୁରଭି କେତେ ଦିନ ଅପେକ୍ଷା କଲେ କାଳେ ପୁଅ ବୋହୁ ତାଙ୍କ ନୂଆ ଘରକୁ ନିମନ୍ତ୍ରଣ କରିବେ । କିନ୍ତୁ ସିଆଡୁ ଡାକରା ଆସିଲା ନାହିଁ । ତେଣୁ ସୁବାସ ବାବୁଙ୍କ ମନା କରିବା ସତ୍ୱେ ସୁରଭି ଏକୁଟିଆ ବାହାରି ଥିଲେ । 


ହଠାତ ଶାଶୁଙ୍କୁ ଏମିତି ଏକୁଟିଆ ଦେଖି ବୋହୁ ରେଖା ର ମୁହଁ ରେ ବହୁତ କଷ୍ଟ ରେ ଟିକିଏ ହସ ଆସି ଉଭେଇ ଗଲା । ସୁରଭି ଭାବିଲେ ସୁବାସ ବାବୁଙ୍କ କଥା ଶୁଣି ନ ଆସିଥିଲେ ଭଲ ହୋଇଥାନ୍ତା !!

ସେ ଯା ହେଉ ଆସି ତ ଗଲେଣି ଦେଖା ଯାଉ । 

ଅଫିସ ଟାଇମ ରେ ଦୁଇ ଜଣ ଯାକ ଅଫିସ ଚାଲି ଗଲେ । ସୁରଭି ଘରେ ଏକୁଟିଆ । ଏତେ ବଡ଼ ଘର କେହି କୁଆଡେ ନାହିଁ । ସେମାନେ ଚାହିଁ ଥିଲେ ଆଜି ଦିନ ଟା ଛୁଟି ତ ନେଇ ପାରି ଥାନ୍ତେ । ପ୍ରଥମ ଥର ପାଇଁ ଆସିଛନ୍ତି ଯେତେବେଳେ । କିନ୍ତୁ ମନ କଥା ମନରେ ରହିଲା ।

ସନ୍ଧ୍ୟା ରେ ସେମାନେ ଆସିଲା ବେଳକୁ ସୁରଭି ଡ଼ିନର ପ୍ରସ୍ତୁତ କରି ସାରିଲେଣି । 


ଡିନର ର ଖାଦ୍ୟ ପସରା ଦେଖି ବୋହୁ ଅସନ୍ତୁଷ୍ଟ ହୋଇ କହିଲା 

-ମା ଆପଣ ପୁରୁଣା କାଳିଆ ଲୋକ । କିଛି ଜାଣିବେନି । ପଚାରିଲେ ନାହିଁ କାହିଁକି ? ରୋହନ ଆମିଷ ଛାଡି ଦେଇଛନ୍ତି । କମ ତେଲ ମସଲା ଖାଆନ୍ତି । ମୁଁ ବି ଖାଏ ନାହିଁ । ଆପଣ ସବୁ ନଷ୍ଟ କଲେ । ଆପଣ ଙ୍କୁ କିଏ କହୁଥିଲା ରୋଷଇ କରିବା ପାଇଁ । ଆପଣ ଙ୍କ ପୁଅ ଏବେ ଡାଏଟିଂ କରୁଛନ୍ତି । ତେଣୁ ମୋ ହାତ ରନ୍ଧା ଛଡା ଆଉ କାହାରି ହାତରୁ ଖାଆନ୍ତି ନାହିଁ । 


-କିନ୍ତୁ ରୋହନ ଆମିଷ କାହିଁକି ଛାଡିଲା? ଏତେ କମ ବୟସରୁ ଡାଏଟିଂ କାହିଁକି? ଏବେ ତ ଯାହା ମନ ଖାଇବା କଥା ।

-ମାମା ତୁ ଭାବୁଚୁ ତୁ ଯେମିତି ଦୁନିଆ ସେମିତି ବୋଲି । ତୋର ଚେକା ମାଛ ମୁଣ୍ଡ, ହାଡ ଗୋଡ ନହେଲେ ଦୁନିଆ ଅଚଳ ହୋଇ ଯାଏ । ମାଛ ମୁଣ୍ଡ ନ ମିଳିଲେ ବାବା ଙ୍କ ସହିତ ତୁ ଯେଉଁ ଝଗଡା ଲାଗୁ ନା ! ଏବେ ଦେଖ ଘର ଟା କେତେ ଶାନ୍ତି ଲାଗୁଛି । ଏ ସବୁ ରେଖାର କରାମତି । ତୁ ଖୁସି ହେବା କଥା ଆଜି ତୋ ପୁଅକୁ ରାସ୍ତା ଦେଖାଇବାକୁ କେହି ଜଣେ ମିଳି ଯାଇଛି ।


ସୁରଭି ହସିବେ କି କାନ୍ଦିବେ ବୁଝି ପାରିଲେ ନାହିଁ । ଉଚ୍ଚ ଶିକ୍ଷିତ ପୁଅ ବୋହୁଙ୍କ ର ଉଚ୍ଚ ଶିକ୍ଷିତା ସୁରଭି ଙ୍କ ସହିତ ବାର୍ତାଳାପ ।

 ଗୋଟିଏ ସିନେମା, ଗୋଟିଏ କାହାଣୀ, ଗୋଟିଏ ଦୃଶ୍ୟ କିନ୍ତୁ ଚରିତ୍ର ଅଲଗା ଅଲଗା । କିଛି ନକହି ରୁମ କୁ ଫେରି ଆସି ଥିଲେ ସୁରଭି । ବୋହୁ କହିଥିଲେ କିଛି ଅସୁବିଧା ନଥିଲା । କିନ୍ତୁ ପୁଅ କହୁଛି ତେଣୁ ବାଧୁଛି । 


ସୁରଭି ତାଙ୍କ ଶାଶୁ ଙ୍କୁ ଯାହା ସ୍ନେହ ଆଦର ଦେଇଥିଲେ ତାହା ଅବିକଳ ତାଙ୍କ ଦୃଶ୍ୟପଟ ରେ ନାଚୁ ଥିଲା । 

ସୁରଭି ସେତେ ବେଳେ ନୂଆ ବାହା ହୋଇ ଯାଇଥାନ୍ତି । ଶଶୁର ସାଧୁ ଭୈରବ।ନନ୍ଦ ଙ୍କ ଶିଷ୍ୟ ହୋଇ ଆଶ୍ରମ ରେ ରହିବାକୁ ଚାଲି ଗଲେ । ଶାଶୁ ପ୍ରଥମେ ଟିକିଏ ବ୍ୟସ୍ତ ହେଲେ କିନ୍ତୁ ପରେ ସ୍ୱାମୀଙ୍କ ନିଷ୍ପତ୍ତି କୁ ଗ୍ରହଣ କରି ନେଇଥିଲେ । ପୁଅ ବୋହୁ ଙ୍କୁ ନେଇ ସୁଖର ସଂସାର ଆରମ୍ଭ କରିବାର ଯୋଜନା କରୁ କରୁ ସୁରଭି ବାହା ହୋଇ ସୁବାସ ଙ୍କ ସହ ସହର କୁ ଚାଲି ଆସିଲେ । ଶାଶୁ ଗାଁ ରେ ଆଜି ଯାଏଁ ଏକୁଟିଆ ।। 


ହାତରେ ସିଝାଇ ଫୁଟାଇ ଯାହା ପାରନ୍ତି ଖାଆନ୍ତି । ବୟସ ଢଳିଲାଣି । ବେଶି କିଛି କରି ପାରୁ ନାହାନ୍ତି । ଲେଖା ରେ ଝିଆରୀ ଟି ଏ ଘର ସାମ୍ନା ରେ ରହୁଛି ହେଲେ କହିବାକୁ ଲାଜ ମାଡୁଛି । 

ବେଳେ ବେଳେ କିଛି ଭଲ ମନ୍ଦ ଖାଇବାକୁ ଇଚ୍ଛା ହେଲେ ପୁଅ ପାଖକୁ ଦିନେ ଦୁଇ ଦିନ ପାଇଁ ଚାଲି ଆସନ୍ତି । ପୁଅ ଦୁଇ ଦୁଇଟି କାମବାଲୀ ରଖିଛି । ସେ ଆସିବାର ଦେଖିଲେ ସୁରଭି କାମବାଲୀ କୁ ଛୁଟି ରେ ପଠାଇ ଦିଅନ୍ତି । ତାଙ୍କୁ ଏକୁଟିଆ ହଇରାଣ ହେବାର ଦେଖିଲେ ଶାଶୁ ଶୀଘ୍ର ଫେରିଯିବେ । ସୁବାସ ସବୁ ଜାଣନ୍ତି କିନ୍ତୁ ଉପାୟ ନାହିଁ । ଚୁପ ରହନ୍ତି ।


ସେ ଥର ଯେତେବେଳେ ଶାଶୁ ଆସିଥିଲେ, ଆସିବାର ଅସଲ ଉଦେଶ୍ୟ କହି ନଥିଲେ । କେତେ ଦିନ ହେଲା ମାଛ ଖାଇବାକୁ ବହୁତ ମନ ହେଉଥିଲା । ହାତରେ କରି ପାରୁ ନଥିଲେ । ପୁଅ ପାଖେ ଚାକର ବାକର ସୁବିଧା ଅଛି । ପାଟିର ଅରୁଚି ମାରିବାକୁ ଚାଲି ଆସିଥିଲେ । 

ସୁବାସ ବଜାର ବାହାରିଲା ବେଳେ କହିଥିଲେ ଯେ 

-ବୋହୁ ତ ଏକୁଟିଆ ହଇରାଣ ହେଉଛି ରେ ବାପା । କାମବାଲୀ ଝିଅ ଦି ଜଣ ବି ଛୁଟି ନେଇ ଗଲେ । କେମିତି କହିବି ଜାଣି ପାରୁନି । ମୋ ପାଇଁ କୋଉ ହୋଟେଲ ରୁ ମାଛ ଦି ଖଣ୍ଡ ଆଣି ଦିଅନ୍ତୁନି ! ବହୁତ ଦିନ ହେଲା ମନ ହେଉଥିଲା ତ !! ଖାଇ ଦେଇ କାଲି ସକାଳୁ ଚାଲି ଯିବି । ଗୋଡ ହାତ ଥରୁଛି ଆଉ ଦମ ନାହିଁ । । ମନ ଥିଲେ ବି କରି ପାରୁନି । 

ଏହା କହି କାନି ଗଣ୍ଠି ଫିଟାଇ ଗୋଟିଏ ପଚାଶ ଟଙ୍କିଆ ନୋଟ ବାହାର କରି ଦେଇଥିଲେ ।


ସୁବାସ ନୀରବରେ ସମ୍ମତି ଜଣାଇ ଚାଲି ଯାଉଥିଲେ କିନ୍ତୁ ସୁରଭି ଙ୍କୁ ଶୁଭି ଗଲା । ସେ ଦିନ ସେ ଯେଉଁ ମହାଭାରତ ସୃଷ୍ଟି କଲେ ଏବେ ବି ମନେ ଅଛି ।

-ମା ଆପଣ ଏତେ ଆଇଁଷ ରଂକୁଣି ପୁଣି ଏ ବୟସ ରେ? ସେଇଥି ପାଇଁ ବାପା ଆପଣଙ୍କ ଭଳି ସ୍ୱାର୍ଥପର ଲୋକକୁ ଛାଡି ଆଶ୍ରମ କୁ ଚାଲି ଗଲେ । ହେଲେ ବି ଆପଣଙ୍କୁ ଅକଲ ଆସିଲା ନାହିଁ । ବାପାଙ୍କ କଥା ଭାବନ୍ତୁ ତ ଥରେ । କେତେ ବଡ ସାତ୍ଵିକ ଜୀବନ ବିତାଉଛନ୍ତି । ଆଉ ଆପଣ ଛି ! ଛାର ଆମିଷ ପାଇଁ ଏତେ ବାଟ ଚାଲି ଆସିଲେ ? 

ଏ ସବୁ ଶୁଣି ତାଙ୍କ ଅଶିକ୍ଷିତ ଶାଶୁ କିଛି କହି ପାରି ନଥିଲେ । 

ତା ପରେ ଆଉ ଆସି ନାହାନ୍ତି । 


ମଝିରେ ଥରେ ମାତ୍ର ହାର୍ଟ ଆଟାକ ହୋଇ ଥିଲା । ଗାଁ ରୁ ଆମ୍ବୁଲାନ୍ସ ରେ ବୁହା ହୋଇ ଆସିଥିଲେ । ସୁରଭି ଆମ୍ବୁଲାନ୍ସ କୁ ସିଧା ହସ୍ପିଟାଲ ପଠାଇ ଦେଇଥିଲେ । ସୁବାସ ସାଙ୍ଗରେ ଯାଇଥିଲେ । ଦୁଇ ଘଣ୍ଟା ପରେ ସବୁ ଶେଷ ।

ଆଉ ଆଜି ଉଚ୍ଚ ଶିକ୍ଷିତା ସୁରଭି ମଧ୍ୟ ପୁଅ ବୋହୁଙ୍କୁ କିଛି କହି ପାରୁ ନାହାନ୍ତି । ଶିକ୍ଷିତା ସୁରଭି ରାଜଧାନୀ ର ଛ ଛ ଟି କ୍ଲବ ର ସଭ୍ୟା । ବଡ ବଡ ଲୋକଙ୍କ ସହ ବସା ଉଠା । ହେଲେ ନିଜ ଲୋକଙ୍କ ପାଖରେ ନିଜେ କେତେ ଅକିଞ୍ଚନ ।


ଆଜି ସବୁ କିଛି ର ପୁନରାବୃତ୍ତି । ସେଇ ଦିନ ସନ୍ଧ୍ୟା ରେ ହିଁ ସେ ଫେରି ଆସି ଥିଲେ । ସୁବାସ ଯେତେ ପଚାରିଲେ ମଧ୍ୟ କିଛି କହିଲେ ନାହିଁ । ସନ୍ଧ୍ୟା ରେ ନିଜ ତରଫ ରୁ ସୁବାସ ଙ୍କୁ ସବୁ କହିଥିଲେ ଏବଂ ଶାଶୁଙ୍କ ପ୍ରତି ତାଙ୍କର ପ୍ରତ୍ୟେକ ଲାଂଛନା ପାଇଁ ଭୁଲ ସ୍ୱୀକାର କରିଥିଲେ । 

ସୁବାସ କହିଲେ ଯେ ଭୁଲ ଟି ସ୍ୱୀକାର ନହେଲା ଯାଏଁ ଭୁଲ ହୋଇ ରହିଥାଏ । ଥରେ ଯଦି ଭୁଲ ସ୍ୱୀକାର କରି ପ୍ରାୟଶ୍ଚିତ କରା ଯାଏ ତାହା ଆଉ ଭୁଲ ହୋଇ ରହେନା । ମାତ୍ରା ଦୁଃଖର ବିଷୟ, ଯେ କ୍ଷମା ଦେବା କଥା ସେ ଆଉ ଏ ଦୁନିଆରେ ନାହିଁ । ହୁଏତ ଭଗବାନ ଚାହିଁଲେ କ୍ଷମା କରିପାରିବେ । ସୁରଭି ସେଇ ଅଦୃଷ୍ଟ ଙ୍କ ଉଦେଶ୍ୟ ରେ ହାତ ଯୋଡୁ ଥିଲେ । ସତରେ କଣ ତାଙ୍କୁ କ୍ଷମା ମିଳିବ? 



Rate this content
Log in

Similar oriya story from Tragedy