ଆଣ୍ଟିନା
ଆଣ୍ଟିନା
ଓହୋ......
ଗଲା....ଗଲା....ସବୁଗଲା।
ସର୍ବନାଶ ହୋଇଗଲା, ଏ ଆଣ୍ଟିନା କି ପାପ କରାଇଲା ଛୁଟିଦିନ ସକାଳୁ ସକାଳୁ। ସୀତାମାତାଙ୍କୁ ପ୍ରଣାମ କରୁକରୁ ଦୂରଦର୍ଶନରୁ ସୀତାମାତା ହଟିଯାଇ ଟିଭି ଟେବୁଲ୍ ଉପରେ ପଡିଶା ରିଙ୍କି ଘର କାଣି ବିରାଡି ଦଣ୍ଡାୟମାନ। ଆରେ, ବୁଲୁ ଘୁରାରେ ଆଣ୍ଟିନା, ସୀତା ବନବାସ ଚରିତ୍ର ସରିଯିବ, ଚିଲ୍ଲୋଉଥିଲେ ଶିକ୍ଷକ ରାଧାମୋହନ।
ସରକାରୀ କ୍ୱାର୍ଟର୍ସର ଆଜବେଷ୍ଟସକୁ ପ୍ରଚଣ୍ଡ ରୌଦ୍ରତାପରେ ଛଟପଟ ହୋଇ ଆଣ୍ଟିନା ଘୁରେଇବାରେ ଲାଗିଥିଲା ରାଧାମୋହନଙ୍କ ସୁପୁତ୍ର ବୁଲୁ। ପିତୃଭକ୍ତ ଶ୍ରବଣକୁମାର ! ତା ପୁଣି ଏହି ଯୁଗରେ ? ପ୍ରାୟତଃ ଅସମ୍ଭବ। ସ୍ୱାର୍ଥପର ଦୁନିଆ। ବୁଲୁର ସ୍ୱାର୍ଥ କଣ?
ସରକାରୀ କଲୋନୀ ଭିତରେ ଏକମାତ୍ର ଟି ଭି ରାଧାମୋହନଙ୍କର। ପଡିଶାଘର ରିଙ୍କି କହୁଥିଲା, ବୁଲୁ ଟିଭିରେ ରାମାୟଣ ଦେଖାଗଲେ ମୋତେ ଡାକିବୁ। ଘରସାରା ରାମାୟଣରେ ମନୋନିବେଶ କରିବା ସମୟରେ ବୁଲୁର ନଜର ରିଙ୍କି ଉପରେ। ଓଃ ଅଧଘଣ୍ଟେ ରିଙ୍କିର ଦର୍ଶନ ପାଇଁ ଏତେ କଷ୍ଟ ? ବୋଧେ ହୀରରାଂଝା ବି ଏତେ କଷ୍ଟ କରିନଥିବେ ପ୍ରେମ ପାଇଁ।
ଘର ବାହାରକୁ ଆସି ରାଧାମୋହନ ପାଟିକରିଉଠିଲେ, ଆରେ ସେତିକିବେଳୁ ଗଳାଫାଡି ଚିଲ୍ଲୋଉଛି, ଅଥଚ ଛାତ ଉପରେ ବସି କଣ ଭାବୁଛୁ ? ଚମକିଉଠି ପ୍ରକୃତିସ୍ଥ ହେଲା ବୁଲୁ।
ବାପା...., ହେଉନି, ହଉ ପୁଣି ଘୁରୋଉଛି ଭିତରେ ଦେଖ। ହଁ, ହଁ ଆସିଗଲେ ପ୍ରଭୁ ରାମଚନ୍ଦ୍ର, ଚୁପଚାପ ଓହ୍ଲାଇ ଆସରେ ବୁଲୁ। ବୁଲୁ ଛାତଉପରୁ ପାଟିକଲା ଆସିଗଲା ରାମାୟଣ। ପଡିଶାଘରୁ ନାଇଟି ଉପରେ ବ୍ରାହ୍ମଣିଆ ଶସ୍ତା ଟୱେଲଟିଏ ପକାଇ ମୃଗନୟନୀ ପରି ଆଖିକୁ ନଚାଇ, ମୋନାଲିସା ପରି ହସ ହସିହସି ବୁଲୁ ଘରକୁ ପ୍ରବେଶ କଲା ରିଙ୍କି।
ଟିକେ ବି ସମୟ ନଷ୍ଟ ନକରି ଛାତ ଉପରୁ ଲମ୍ଫ ପ୍ରଦାନ କରି ଘରେ ପ୍ରବେଶ କଲା ବୁଲୁ। ଚୁପଚାପ ବସିଗଲା ରିଙ୍କି ପାଖରେ। ତଳେ ଭରାଦେଇ ବସିଥିବା ରିଙ୍କିର ହାତପାପୁଲିକୁ ସ୍ପର୍ଶ କଲାବେଳେ ଲାଜେଇଯାଉଥିଲା ରିଙ୍କି ଓ ଏମିତି ଅଭିନୟ କରୁଥିଲା ସତେ ଯେମିତି ସେ କିଛି ଜାଣିନି ଯେ ବୁଲୁ ତା ପାପୁଲିକୁ ସ୍ପର୍ଶ କରିଛି, ରିଙ୍କିର ମୁହଁକୁ ଅନେଇ ମନେମନେ ଗଦଗଦ ହୋଇ ବୁଲୁ କହୁଥିଲା, ବାଃରେ ଶିକ୍ଷକ ପୁତ୍ରୀ, କି ସୁନ୍ଦର ଅଭିନୟ।
ସମୟ ଅତିକ୍ରାନ୍ତ ହେବା ସହ ପ୍ରେମ ନିବିଡ ହେଲା ଓ ଘରଲୋକଙ୍କ ସହମତିରେ ବାହାଘର ବି ସରିଗଲା ବୁଲୁ ସହ ରିଙ୍କିର। ବାସର ରାତ୍ରିରେ ବୁଲୁ କହୁଥିଲା, ଏ ରିଙ୍କି ବହୁତ ପ୍ରେମଗଳ୍ପ ପଢିଛି। ସବୁଠି ଲେଖକଙ୍କ ବର୍ଣ୍ଣନା ପ୍ରେମ ଓ ମିଳନର। ପ୍ରଥମ ମିଳନରେ ଲୁଚାଛପା ପ୍ରେମରେ ଉଡିଯାଏ ବିନ୍ଦି, ଭାଙ୍ଗିଯାଏ ଚୁଡି, ଘୁରାଇଦିଏ ମଥା, କିନ୍ତୁ ଲାଗେ ସବୁକିଛି ମିଠା।
କିନ୍ତୁ........
ଖରାରେ ଆଣ୍ଟିନା ସଜାଡି ସଜାଡି ଝାଳୁଆ ହାତପାପୁଲିରେ ତୁମ ହାତପାପୁଲି ସ୍ପର୍ଶ ଭିତରେ ହିଁ ଆମ ପ୍ରେମ ସିମୀତ ରହିଗଲା। ହେଲେ ଆଜି ଏହି ବାସର ରାତ୍ରିରେ ସୁଧମୂଳର ହିସାବ ନେବି। ଧେତ୍....କହି ବୁଲୁର ବାଳୁଆ ଛାତିକୁ ଧିରେ କରି ବିଧାଟିଏ ମାରିଦେଲା ରିଙ୍କି। ରିଙ୍କିକୁ ଭିଡିନେଉଥିଲା ବୁଲୁ, ମୃଦୁ ଆଲୋକରେ ପ୍ରେମ ଓ ମିଳନର ଧୂପରେ ବାସିଉଠୁଥିଲା ସାରା ଘର।
ସରକାରୀ ଚାକିରୀରେ କେବେଠୁ ଅବ୍ୟାହତି ନେଇସାରିଲେଣି ରାଧାମୋହନ। ବେସରକାରୀ ବିଦ୍ୟାଳୟ, ପେନସନ ବି ନାହିଁ। ସରକାରୀ କ୍ୱାର୍ଟର୍ସ୍ ଛାଡିବାପାଇଁ ବି ଗୁଡାଏ ନୋଟିସ୍ ଆସିସାରିଲାଣି। ବୁଲୁକୁ କହିକହି ବର୍ତ୍ତମାନ ରାଜି ହୋଇଛି ଘରେ ରଖିବାକୁ। ସେ ବି କଣ କରିବ ? ସହର ଜାଗା, ଛୁଆଙ୍କ ପାଠପଢା, ଏପଟେ ନୂଆଁ ଘରଟିଏ କିଣିସାରିଛି।
ସହର ଅଭିମୁଖେ ବାହାରିଗଲେ ରାଧାମୋହନ। ପୁଅ ଘରେ ପହଞ୍ଚିଲଗଲେ। ମନରେ ଉତ୍କଣ୍ଠା। ନାତିଆଟୋକା ନାକଟେକି କହିଲା, ଇସ୍ ଏଇଟା ତ ଗାଉଁଲି, ମଫ ଜେଜେ। ଇଂରାଜୀରେ ଦୁଇଚାରିପଦ ଗାଳି ବି ଦେଇଦେଲା। ବୋହୁ ଇଂରାଜୀ ଢାଞ୍ଚାରେ ବାପା ସୁପ୍ରଭାତ କହିବା ସହ ପୁଅର ଇଂରାଜୀ ପାଇଁ ଗର୍ବ କରି କହୁଥିଲା, ବାପା, ତମ ନାତି ନା ୩୬ ଟି ଇଂରାଜୀ ରାଇମ ଅନର୍ଗଳ କହି ଆଜି ପ୍ରାଇଜ ପାଇଛି।
ଘରଭିତରକୁ ପ୍ରବେଶ କରି ସୁଟକେଶ ରଖିବାକୁ ଉଦ୍ୟତ ହେବା ସମୟରେ ପୁଅ କହିଲା ବାପା, ଚପଲଟା ବାହାରେ ରଖିଆସ, ତା ଛଡା ସୁଟକେଶ ତଳେ ରଖିବନାହିଁ, ନୂଆଁ ମାର୍ବଲ ଚଟାଣଟା ଖରାପ ହୋଇଯିବ। ତମ ନାତିଆ ତମ ରହିବାଘର ଦେଖାଇଦେବ।
ଚପଲ ବାହାରେ ରଖି ନାତି ପଛେପଛେ ଚାଲିଲେ ରାଧାମୋହନ। ଅଲଗା ଘର ପଛପଟର ଟିଣଛପର ବଖରାଟିଏ।
ଗୋବରଲିପା ମାଟିଚଟାଣ। ପୁଅ ବୁଲୁ କହିଲା, ବାପା ତମେ ଟିଭିରୁ କଣ ପାଇବ। ତା ଛଡା ଆଜିକାଲି ଡିସଟିଭିରେ ବେକାର ବହୁତ ଖର୍ଚ୍ଚ। ତମପାଇଁ ଛୋଟ ଟିଭିଟିଏ ରଖିଦେଇଛି। ଉପରେ ଆଣ୍ଟିନା ଲାଗିଛି। ପବନରେ ଘୁରିଗଲେ କାଠ ସିଡି ରଖାହୋଇଛି, ଚଢିକି ଟିକେ ଘୁରେଇଦେବ। ମତେ ବାରମ୍ବାର ଡାକ ପକେଇବନାହିଁ, ଛୋଟବେଳେ ଯେମିତି ରାମାୟଣ ପାଇଁ ଡାକ ପକାଉଥିଲ। ସେମିତି କଲେ ତମ ବୋହୁ ରିଙ୍କି ଚିଡିଯିବ। ତମକୁ ମୋ ପାଖରେ ରଖିବାକୁ ବହୁତ କଷ୍ଟରେ ରାଜି କରାଇଛି।
ହଉରେ ବାବୁ କହୁଥିଲେ ରାଧାମୋହନ। ବୁଲୁର ଅସହାୟତା ତା ଆଖିରୁ ଅନୁମାନ କରିପାରୁଥିଲେ ସେ। କହୁଥିଲେ ବାବୁରେ ! ଛାତରେ ଚଢି ଆଣ୍ଟିନା ଘୁରେଇ ଚାନେଲ ଠିକ୍ କରିବାର ଶିଖିଥିବା ପିତୃଭକ୍ତ ପୁଅଟା କେମିତି ନିଜ ଘରର ଆଣ୍ଟିନା ଘୁରେଇ ଚାନେଲ ଠିକ୍ କରିବାର ଶିଖି ପାରିଲାନି। ହଉ, ଜୀବନଟା ପରା ନାଟକ। ହସୁଥିଲେ ଅବସରପ୍ରାପ୍ତ ଅସହାୟ ଶିକ୍ଷକ ରାଧାମୋହନ। ଆଖିକୋଣରୁ ଲୁଚେଇ ଲୁଚେଇ ଲୁହ ପୋଛୁଥିଲା ନାଚାର ବାପଟା!!
