Nityananda Nandi

Tragedy Inspirational

4  

Nityananda Nandi

Tragedy Inspirational

ଆନନ୍ଦୀ

ଆନନ୍ଦୀ

5 mins
233



ହଷ୍ଟେଲ ପାଖ ଘାସ ଗାଲିଚା ଉପରେ ବସିଥିଲା ଆନନ୍ଦୀ। ଦୁଇଟି ଝିଣ୍ଟିକା ଡେଇଁ ଡେଇଁ ଖେଳୁ ଥାଆନ୍ତି ଘାସ ଉପରେ। ଆନନ୍ଦୀ ଏକ ଲୟରେ ଦେଖୁଥାଏ ସେମାନଙ୍କୁ ..କାହା ସାଥିରେ ସେମିତି ମିଳାମିଶା ନାହିଁ, ସମୟ ପାଇଲେ ଏମିତି ଏକୁଟିଆ ବସିରହେ ଘଣ୍ଟା ଘଣ୍ଟା ଧରି...ଲାଗେ ଯେମିତି ଜୀବନ ଆରମ୍ଭ ପୂର୍ବରୁ ହିଁ ସେ ହାରି ଯାଇଛି।


କର୍ପୋରେଟ ଆବାସିକ ସ୍କୁଲ, ବର୍ଷେରୁ ଅଧିକ ହେବ ଆନନ୍ଦୀ ପ୍ରାୟ ଘରକୁ ଯାଇନି। ପ୍ରତି ମାସରେ, ବାପା ଆସନ୍ତି । ବୋଉ ଆସେ। କିନ୍ତୁ ଅଲଗା ଅଲଗା। ସାଥିରେ ରହନ୍ତିନି ସେମାନେ। ସେଥିପାଇଁ ବୋଧେ ଦୁଇଟି ଝିଣ୍ଟିକାକୁ ସାଥିରେ ଦେଖି ଆନନ୍ଦୀ ଜଳୁଛି ଇର୍ଷାରେ। କିଛି ହୀନମାନ୍ୟତା, କିଛି ମାନସିକ ବେଦନା, ଆନନ୍ଦୀ ର ପିଠି ଉପରେ ଅକଳିଆ ବୋଝଟିଏ। ଇଚ୍ଛା ନ ଥାଇ ବି ସମୟ ସାଥିରେ ଚାଲିବାକୁ ପଡେ ଏକ ଅସହାୟ ଯାଯାବର ପରି । ବାପା, ବୋଉ ଓ ଝିଅ। ଏକ ଅଦ୍ଭୁତ ତ୍ରିକୋଣର ଗଳ୍ପ। ଯେ କୌଣସି ସମ୍ପର୍କର ସୂକ୍ଷ୍ମ ବିସ୍ଥାପନରେ ଭାରସାମ୍ୟ ହରେଇବସେ ବିଚରା ତ୍ରିଭୁଜଟି। ସମ୍ପର୍କର ଜ୍ୟାମିତି ରେ ବିଷମ ବାହୁ ତ୍ରିଭୁଜକୁ କିଏ ବା ପଚାରେ !! 


ନବମ ଶ୍ରେଣୀର ଛାତ୍ରୀ ଆନନ୍ଦୀ, ସବୁକିଛି ବୁଝିବାର ବୟସ ନ ହୋଇଥିଲେ ବି କିଛି କିଛି ବୁଝିବାକୁ ବେଶ୍ ପରିପକ୍ୱ ସେ। ବାପା ବୋଉ ଉଭୟେ ତା କଥା ବୁଝିବେ। ଚୁକ୍ତିନାମାରେ ଆନନ୍ଦୀ ସପକ୍ଷରେ ଥିବା ଧାଡିଟିକୁ ବାପା, ବୋଉ ବାର ବାର ପଢି ଶୁଣେଇଥିଲେ ଆନନ୍ଦୀକୁ। କିଛି ନ ବୁଝି ଆନନ୍ଦୀ ଖାଲି ହସୁଥିଲା ସେଦିନ। ଚୁକ୍ତି ଆଉ ସର୍ତ୍ତ ପରେ ଜୀବନଟା ଧସା ଖାଇଥିବା ପାହାଡ଼ର ଅଂଶ ପରି ରୁକ୍ଷ, ଅସଜଡା ଲାଗେ। ଅସ୍ତିତ୍ଵ ହରେଇବାର ସମ୍ଭାବନାକୁ ଏଡାଇ ହୁଏନି। ଅସହାୟ ଜୀବନ ଦର୍ଶନକୁ ବୁଝିବା ପାଇଁ ଆନନ୍ଦୀ ବେଶ୍ ପରିପକ୍ଵ ହୋଇ ଗଲାଣି ଏହଭିତରେ...ସଂପର୍କରେ ସର୍ତ୍ତ ଆଉ ଚୁକ୍ତି, ଆପଣାପଣ ଆଉ କୋଉଠି ?? ଅନେକ ପ୍ରଶ୍ନ ଆସି ତାକୁ ଘେରି ହୋଇ ଯାଆନ୍ତି ଯେ ସବୁ ରାସ୍ତା ହରେଇ ବସେ ଆନନ୍ଦୀ।

 

ବର୍ଷେ ପରେ କିନ୍ତୁ କଥାଟିର ଆକ୍ଷରିକ ଅର୍ଥ କେତେ ଅଲଗା ଲାଗୁଛି ଆନନ୍ଦୀକୁ !!! ସେମାନେ ଅଲଗା ରହି ମୋ କଥା ବୁଝିବେ ବୋଲି ଅଡ଼ୁଆ ସର୍ତ୍ତଟିଏ, ବୁଝିପାରିବାର ବୟସ ହୋଇ ନ ଥିଲା ସେତେବେଳେ, ଯେତେବେଳେ କଥାଟି ଶୁଣି ଆନନ୍ଦୀ ଭାରି ଖୁସି ହୋଇଯାଇଥିଲା। ଏବେ ମନକୁ ବୁଝେଇ ଦେଇଛି ସେ। ଚୁକ୍ତିନାମା ରୁ ଅମ୍ଳଜାନ ନେଇ ମୃତପ୍ରାୟ ସମ୍ପର୍କ ନାଆଁ କୁ ଖାଲି ବଞ୍ଚିଛି। ମନ ବି ଉଚ୍ଛୃଙ୍ଖଳ ପ୍ରଜାପତି ପରି।  ଅଳ୍ପ ବୟସରେ ଡେଣା କଟିଯାଏ।  ଏତେ ସର୍ତ୍ତର ସମ୍ପର୍କ, ମନ କଣ ବୁଝିପାରେ ?? ମନ ଉପରେ ହାତ ଥାପୁଡି ତାକୁ ବୁଝେଇବା ଭାରି କଷ୍ଟଦାୟକ। 


ଏଇ ଏମିତି ମନରେ କଷ୍ଟ ପାଏ ଯେତେବେଳେ ଟିଭିରେ କିଛି ଗୋଟାଏ ସିନେମା ଦେଖୁ ଦେଖୁ ହିରୋ, ହିରୋଇନଙ୍କୁ ଖୁସି ହୋଇ ନାଚୁ ଥିବାର ଦେଖେ। ବାପା ବୋଉଙ୍କ କଥା ଭାରି ମନେ ପଡେ ଆନନ୍ଦୀର। ଆଜି ଯେମିତି ଝିଣ୍ଟିକା ଯୁଗଳଙ୍କୁ ଦେଖି ମନ ମାରି ବସିଛି। ଗୋଟାଏ ପ୍ରଶ୍ନ ସବୁବେଳେ ତାକୁ ବ୍ୟତିବ୍ୟସ୍ତ କରେ..ସମସ୍ତେ ଖୁସି ଯେତେବେଳେ, ବାପା ବୋଉ କାହିଁକି ଅଲଗା ରହନ୍ତି ????


ଏମିତି ଗୋଟାଏ ଘଟଣା ଘଟିଲା ଯେ ଫୋନ କରି ବୋଉକୁ କହିବାକୁ ସଙ୍କୋଚ କଲା। ବୋଉକୁ ଇ ମେଲ୍ ଲେଖି କହିଲା


ବୋଉ ! ଠିକ୍ ତାହା ହିଁ ହେଲା ଯାହା କହିଥିଲୁ ତୁ ସେଦିନ କାନ ପାଖରେ। ମୁଁ ପ୍ରଥମ ଥର ପାଇଁ ରଜସ୍ୱଳା ହେଇଛି । ଭାରି ଭୟ ଲାଗୁଛି, ବୁଝି ପାରୁନି କେମିତି ମେନେଜ କରିବି ହଷ୍ଟେଲରେ। ବାପାଙ୍କୁ ଜଣେଇବିନି, ଭାରି ଲାଜ ଲାଗୁଛି। 

କାଲି ଯଦି ତୁ ହଷ୍ଟେଲ ଆସନ୍ତୁ, ଭଲ ହୁଅନ୍ତା। ଆଉ କିଛି ପଚାରିବାକୁ ଅଛି.. ମୋତେ ବୁଝେଇ ଦିଅନ୍ତୁ। ସେଦିନ ତରବର ହୋଇ କଣ ସବୁ କହିଲୁ ମୋ ମୁଣ୍ଡ ଭିତରେ ପଶିଲାନି, ନା ମୋର ଆଗ୍ରହ ଥିଲା ଶୁଣିବାକୁ। 

କାଲି ଶର୍ମିଷ୍ଠା ର ଜନ୍ମଦିନ ଥିଲା। ତା ବାପା ବୋଉ ଉଭୟେ ପୋଡ଼ ପିଠା ନେଇ ଆସିଥିଲେ ଆମ ରୁମ୍ କୁ। ମୋତେ ପିଠା ଦେଲେ। ଆଃ, ସ୍ୱାଦପୂର୍ଣ୍ଣ ପିଠା !!!! ତା ବାପା ବୋଉଙ୍କ ସ୍ନେହ ନେସି ହୋଇଥିଲା ସେଇ ପିଠା ଉପରେ।

ହଁ ବୋଉ ! ଅନଲାଇନରେ ଯେଉଁ ସେଭିଂ ସେଟ୍ ମୁଁ ବାପାଙ୍କ ପାଇଁ ଅର୍ଡର କରିଛି, ବାପାଙ୍କୁ କହି ଦେବିକି ସେଇଟା ତୋର ପସନ୍ଦ ବୋଲି। ଜନ୍ମଦିନରେ ଯୋଉ ସୁଇଟର ଟା ମୁଁ ବାପାଙ୍କୁ ଦେଇଥିଲି, ତୁ ହିଁ ରଙ୍ଗ ପସନ୍ଦ କରିଥିଲୁ । ପଇସା ବି ତୁ ହିଁ ଦେଇଥିଲୁ ତୋ ଆକାଉଣ୍ଟରୁ।

ଗୋଟାଏ କଥା କହିବି ! ଯଦି ବାପାଙ୍କୁ ତୁ ଏତେ ଭଲ ପାଉ ସାଥିରେ ରହୁନୁ କାହିଁକି ? ତୁ ଯଦି ରାଜି ହେଉ, ବାପାଙ୍କୁ ଇ ମେଲ୍ କରି ମନ କଥା ସବୁ କହିବି। କହିବି ବାପା ! ବୋଉକୁ କ୍ଷମା କରିଦିଅ। ସେଦିନ ଆମ ଘରେ ଘଟିଥିବା ଘଟଣାରେ ନା ତମର ଭୁଲ ଥିଲା ନା ବୋଉର !! ଭାବି ନିଅ ଗୋଟାଏ ଦୁର୍ଘଟଣା ଥିଲା ବୋଲି...

ମୁଁ ବି ଯାହା ଜାଣେ ସେ ବି ତୋତେ ଭଲ ପାଆନ୍ତି। ତାଙ୍କର ତିନିଟି ଡେବିଟ କାର୍ଡରେ ପାସ ୱାର୍ଡ ତୋ ନାଁରେ, ଏବେ ବି ଅଛି। ଅନ୍ତରରୁ ରାଗିଥିଲେ, ପାସ ୱାର୍ଡରେ ତମ ନାଁ କଣ ରଖି ଥାଆନ୍ତେ। ବଦଳେଇ ସାରନ୍ତେନି କେତେ ଦିନରୁ !!

ବାପା ସେଦିନ କହୁଥିଲେ ତୁ ଲଗେଇଥିବା ଗୋଲାପ ଗଛରେ ଧଳା ଗୋଲାପ ଫୁଟିଛି। ଗଛରେ ଫୁଟି ଗଛରେ ହିଁ ମଉଳି ଯାଉଛି ଫୁଲ ଗୁଡ଼ାକ। ତୁ ଥିଲେ ମଥାରେ ଖୋସୁ ଥାଆନ୍ତୁ ନା..ବୋଉ।


ଆଉ ଗୋଟେ କଥା ପଚାରିବି ! ବହୁତ ଦିନରୁ ଭାବେ, ପଚାରିବାକୁ ଭୁଲିଯାଏ। ମୋ ନାଁ ଆନନ୍ଦୀ କିଏ ରଖିଥିଲା, ତୁ ନା ବାପା ...????? ତୁ କଣ ଭାବୁଛୁ ବୋଉ ମୁଁ ଆନନ୍ଦରେ ଅଛି ବୋଲି !!! ବର୍ଷା ନ ଥିଲେ ଶୁଷ୍କ ପାହାଡଟା ଆହୁରି ଶୁଷ୍କ ହୋଇ ଯାଏ ନା..ବର୍ଷା ଆଉ କଣ କି ? ଟିକିଏ ସ୍ନେହ ପରି..ଟିକିଏ ଝରି ପଡ଼ିଲେ ମନରେ ଆର୍ଦ୍ରତା ବୁନ୍ଦା ବୁନ୍ଦା ହୋଇ ଲାଖିଯାଏ। ଶୀତଳତା ଅନୁଭୂତ ହୁଏ ମନ ଭିତରେ..ତେବେ କହ ବୋଉ ମୁଁ କଣ ଖୁସିରେ ଅଛି ????

ଦେଖ୍, ରଜସ୍ୱଳା ହେବା କଥା ବାପାଙ୍କୁ କହିବୁନି, ମୋତେ ଲାଜ ଲାଗୁଛି। ରାଣ ରହିଲା.. ଆନନ୍ଦୀ


ବୋଉକୁ ନ ପଠେଇ ଭୁଲରେ ବାପାଙ୍କ ମେଲ୍ ଆଡ୍ରେସରେ ପଠେଇଲା ଚିଠିଟିକୁ। ବାପା ବୋଉ, ଉଭୟଙ୍କ ମେଲ୍ ଆଇଡି ପାଖା ପାଖି ସମାନ ହୋଇଥିବାରୁ ଭୁଲ ହୋଇ ଯାଇଛି ଆନନ୍ଦୀ ର। ପ୍ରଭାତ @, ପ୍ରଭାତୀ@। ସେ କିନ୍ତୁ ଜାଣିନି ଯେ ମେଲଟି ବାପାଙ୍କ ଠିକଣାରେ ଯାଇଛି ବୋଲି। ମୋବାଇଲ ଅଫ କରି ଶୋଇ ପଡ଼ିଲା ସେ।


ପ୍ରଭାତ ବାବୁ ମେଲ ପଢି କଣ କରିବେ କିଛି ନିଷ୍ପତ୍ତି ନେଇ ପାରୁ ନ ଥିଲେ। ଅସହାୟତାର ବାର୍ତ୍ତା ବହନ କରି ଆସିଛି ମେଲଟି। ନିଜ ଝିଅର କରୁଣ କାହାଣୀ, ଅନିୟନ୍ତ୍ରିତ ମନସ୍ତାତ୍ତ୍ୱିକ ଅବସ୍ଥାର ତୂଳୀ ଚିତ୍ରଟିଏ ପ୍ରତିଫଳିତ ହେଉଥିଲା ତା ଚିଠିର ପ୍ରତିଟି ଶବ୍ଦରେ। ପ୍ରଥମ ଥର ପାଇଁ ରଜସ୍ୱଳା ଆନନ୍ଦୀ, ବୋଉ ପାଖରେ ଥିଲେ ପିଠିରେ ହାତ ଥାପୁଡେଇ ଆଶ୍ଵାସନା ଦେଇ କହିଥାଆନ୍ତା ଇଏ କିଛି ନୁହେଁ। ସମସ୍ତଙ୍କ ଜୀବନରେ ଘଟଣାଟି ଘଟିଥାଏ। ଗୋଟାଏ ବାଇଓଲୋଜିକାଲ ପ୍ରକ୍ରିୟା। କେତେ ଫଳ ମୂଳ ଆସିଥାନ୍ତା ତା ପାଇଁ। ନୂଆ ପୋଷାକ, ଆହୁରି ଅନେକ କିଛି।ଉତ୍ସବ ମୁଖରିତ ହୋଇଥାଆନ୍ତା ଆମ ଘରଟି।  

ନା ଝିଅ କୁ ଫୋନ କରି କହି ପାରୁଛନ୍ତି ଯେ ମୁଁ ତୋ ମେଲ୍ ପାଇଛି ନା ସ୍ତ୍ରୀ ପ୍ରଭାତୀଙ୍କୁ ଝିଅ ରଜସ୍ୱଳା ହେବାର ଖୁସି ଖବର ଦେବାକୁ ସାହାସ ସଞ୍ଚାରୁଛନ୍ତି ମନ ଭିତରେ। ଦିଶାହୀନ ଘୂର୍ଣି ଝଡ଼.. କାଗଜ ପରି ହାଲୁକା ମନ ଉଡ଼ିବ ହିଁ ଉଡିବ। ମନସ୍ତାତ୍ତ୍ୱିକ ବୋଝ ଭିତରୁ କିଛି ଅଦରକାରୀ ଭାରି ଜିନିଷକୁ କାଢି ନ ଦେଲେ ସମୟର ଜୁଆର ଭଟାରେ ନିଶ୍ଚିହ୍ନ ହୋଇଯିବ ଆନନ୍ଦୀ ର ଚପଳ ମତି ବାଲ୍ୟ ପ୍ରତିଭା ସବୁ...


ସକାଳ ହେଲା, ସହରର ଅନ୍ୟ ପ୍ରାନ୍ତରେ ରହୁଥିବା ପ୍ରଭାତୀଙ୍କ ଘର କବାଟରେ ଆସ୍ତେ କରି ଠକ୍ ଠକ୍ କଲେ ପ୍ରଭାତ ବାବୁ। ପ୍ରଭାତ ବାବୁଙ୍କୁ ହଠାତ୍ ଆଗରେ ଦେଖି ଚକିତ ହେଲେ ପ୍ରଭାତୀ। ନିଜ ଘର ଫୁଲ କୁଣ୍ଡରୁ ନେଇ ଯାଇଥିବା ଧଳା ଗୋଲାପଟିଏ ବଢେଇ ଦେଇ କହିଲେ ପ୍ରଭାତୀ ଆଇ ଏମ୍ ଭେରି ସରି !!

କୋଳେଇ ନେଲେ ପ୍ରଭାତୀଙ୍କୁ। ଦୁଇଟି ରାସ୍ତା ଅଚାନକ ମିଶିଗଲେ କେତେ ଚଉଡା ହୋଇ ଯାଏ ସବୁ କିଛି। ସର୍ପିଳ ରାଜପଥଟା ସ୍ବପ୍ନର ବଗିଚା ଆଡ଼କୁ ଆଗେଇ ଯାଏ।


ଆନନ୍ଦୀ ପଠେଇଥିବା ଇ ମେଲଟିକୁ ଦେଖେଇଲେ ପ୍ରଭାତ ବାବୁ। ଝିଅ ପ୍ରଥମ ଥର ପାଇଁ ରଜସ୍ୱଳା, ଗୋଟାଏ ମାଆ ପାଇଁ ଆଶା ର ଇନ୍ଦ୍ରଧନୁ, ସପ୍ତରଙ୍ଗର ଉତ୍ସବ ପରି। କାଳ ବୈଶାଖୀ ଝଡ, ତା ପରେ ଅସରାଏ ବର୍ଷା ପୃଥିବୀକୁ ଭିଜେଇ ଦିଏ। ଶାନ୍ତସ୍ନିଗ୍ଧ ଶୀତଳତା ଭରି ଯାଏ ହାତ ପାଆନ୍ତା ଆକାଶରେ। ପ୍ରଭାତ, ପ୍ରଭାତୀ ଙ୍କ ପରିବାରରେ ଅନେକ ଘଟଣା ଘଟି ଯାଇଛି ଏଇ ବର୍ଷ କ ଭିତରେ..ଆଜି ଲାଗୁଛି ଯେମିତି କିଛି ଘଟି ନାହିଁ, ସବୁ ଠିକ୍ ଠାକ୍।   

ତା ପରେ ଆନନ୍ଦୀ କୁ ଭିଡିଓ କଲ !!!!

ଗୋଟାଏ ସ୍କ୍ରିନ ଉପରେ ବାପା ବୋଉଙ୍କୁ ଦେଖି ଖୁସିରେ ବିଭୋର ହୋଇଗଲା ଆନନ୍ଦୀ..ମୋ ବାପା ବୋଉ ତ !! ବିଶ୍ବାସ ହେଉ ନ ଥିଲା ଆନନ୍ଦୀ କୁ। 

ସମସ୍ତଙ୍କ ଆଖିରେ ଲୁହ..ସମସ୍ତେ ସ୍ତବ୍ଧ

ଆନନ୍ଦୀ ଖନେଇ ଖନେଇ କହିଲା ସବୁ ପରୀକ୍ଷା ଖରାପ ହୋଇଛି ବୋଉ, କାଲି ଇଂଲିଶ ପରୀକ୍ଷା। ମନ କହୁଛି, ନିଶ୍ଚୟ ଭଲ କରିବି। ଆଖି ଇଙ୍ଗିତରେ ବୋଉକୁ କହିଲା ବାପାଙ୍କୁ କହିବୁ ନାହିଁ, ସେଇ କଥାଟି।

ବୋଉ ହସି ହସି କହିଲେ, ରଖ୍! ଆମେ ଦୁହେଁ କାଲି ହଷ୍ଟେଲ କୁ ଆସିବୁ ବୋଉ ଆଶ୍ଵାସନା ଦେଲେ ଆନନ୍ଦୀ କୁ। ଫଳମୂଳ, ମିଠା ପିଠା ବହୁତ କିଛି ନେଇ ଆସିବୁ ତୋ ସାଙ୍ଗ ମାନଙ୍କ ପାଇଁ... ଅଳ୍ପ କିଛି ହରେଇ ସବୁ ହିଁ ଜିତିଲା ଆନନ୍ଦୀ ସର୍ବଶେଷରେ। ମୋବାଇଲ ବନ୍ଦ କରି ଆନନ୍ଦୀ କହିଲା ଥ୍ୟାଙ୍କ ଗଡ...


Rate this content
Log in

Similar oriya story from Tragedy