ଆମେ ସ୍ୱାଧୀନ
ଆମେ ସ୍ୱାଧୀନ
ସେଦିନ "ବନ୍ଦେ.... ମାତାରମ, ଭାରତ ମାତାକି....... ଜୟ " ଧ୍ୱନୀରେ ସାରା ଭାରତ ବର୍ଷ ପ୍ରକମ୍ପିତ ହେଉଥାଏ । ପୋଲିସ ପ୍ରଶାସନ, ହଜାର ହଜାର ଜନତା ,ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ତ୍ରିରଙ୍ଗା ପତାକା ତଳେ ଠିଆ ହେଇଥିଲେ ଜଣେ ଦେଶସେବୀ ବୋଲାଉ ଥିବା ମନ୍ତ୍ରୀ ମହୋଦୟ । କିନ୍ତୁ ଲକ୍ଷ୍ମୀ ଯେତେ ଗଳା ଫଟେଇ ଚିତ୍କାର କରି କାଲି ରାତିର ଘଟଣା ସମ୍ପର୍କରେ କହିଲେ ବି ତା କଥାକୁ କେହି କର୍ଣ୍ଣପାତ କରୁ ନଥିଲେ । ବରଂ ପୋଲିସ ଲକ୍ଷ୍ମୀକୁ ସାହାଯ୍ୟ କରିବା ବଦଳରେ ତାକୁ ଗୋଟିଏ ଗୃହରେ ବନ୍ଦୀ କଲା ।
ମନ୍ତ୍ରୀ ମହୋଦୟ ତ୍ରିରଙ୍ଗା ପତାକାରେ ଲାଗିଥିବା ରସି (ଦଉଡ଼ି)କୁ ଟାଣିବାକୁ ଲାଗିଲେ । ଜୟ ଧ୍ୱନୀ ,କରତାଳିରେ ଫାଟି ପଡୁଥାଏ ସେହି ସ୍ଥାନ । ଯେତେ ଯେତେ ଉପରକୁ ଉଠୁଥିଲା ତ୍ରିରଙ୍ଗା ସେତେସେତେ ଲକ୍ଷ୍ମୀର ଶ୍ୱାସ ରୁନ୍ଧି ହେଉଥାଏ । ସତେ ଯେମିତି ତ୍ରିରଙ୍ଗା ପତାକାରେ ନୁହେଁ ଲକ୍ଷ୍ମୀର ବେକରେ ରସି ଲଗେଇ ଟଣାଯାଉଛି ଉପରକୁ ଉପରକୁ ।
ଲକ୍ଷ୍ମୀ ବନ୍ଦୀ ଘର ଝରକା ଦେଇ ଯେତେ ଚିତ୍କାର କଲେ ବି ତା କଥା କାହା ପାଖରେ ପହଞ୍ଚି ପାରୁ ନଥିଲା । ମନ୍ତ୍ରୀ ମହୋଦୟ ଭାଷଣ ଦେବା ଆରମ୍ଭ କଲେ । କରତାଳି , ଜିନ୍ଦାବାଦ ,ଅମର ରହେ ଧ୍ୱନୀରେ ସେହି ସ୍ଥାନ ପ୍ରକମ୍ପିତ ହେଉଥାଏ । ଲକ୍ଷ୍ମୀ ଏବେ ବନ୍ଦୀ ଘରେ ଭାବୁଥିଲା "ବୋଧ ହୁଏ ପୂର୍ବ ପୁରୁଷ ଭାରତ ବର୍ଷକୁ ସ୍ୱାଧୀନ କରିଛନ୍ତି ଏଇ ମାନଙ୍କ ପାଇଁ । ଆଜି ଯିଏ ଭାରତ ମାତାର ସ୍ବାଧୀନତା ବିଷୟରେ ବଡ଼ ବଡ଼ ଭାଷଣ ଦେଉଛି ,କାଲି ରାତିରେ ସେ ଭାରତର ମାତାକୁ କିପରି ସ୍ବାଧୀନର ବସ୍ତ୍ର କାଢ଼ି ତାକୁ ପରାଧୀନ କରୁଥିଲା " ଆଜି ଏତେ ଜନ ସମାଗମ ଭିତରେ ସେ ତ୍ରିରଙ୍ଗାକୁ ନୁହେଁ , ସେ ଭାରତ ମାତାକୁ ଫାଶୀ ଖୁଣ୍ଟରେ ଝୁଲାଉଥିଲା । ଏ ସମାଜ ତାକୁ କରତାଳି ସହ ସମର୍ଥନ କରୁଥିଲେ । ଜିନ୍ଦାବାଦ, କରତାଳିରେ ମନ୍ତ୍ରୀ ନିଜର ଭାଷଣ ଶେଷ କଲେ । ଲକ୍ଷ୍ମୀ କିନ୍ତୁ ସର୍ବହରା ଉପାୟ ଶୂନ୍ୟ ହେଇ ବନ୍ଦୀ ଗୃହରେ ନିଜକୁ ତ୍ରିରଙ୍ଗା ପତାକା ପରି ଝୁଲାଇ ସାରିଥିଲା ।
