ଆମ୍ବଗଛ
ଆମ୍ବଗଛ
ଏମିତିରେ ତ ଜେଜେବାପାଙ୍କର ଗଛ ବୃଚ୍ଛ ପ୍ରତି ଅହେତୁକ ମୋହ ଥିଲା, କିନ୍ତୁ ଆମ ବାରିପଟକୁ ଲାଗି ଧାନ ଖଳାରେ ଥିବା ଆମ୍ବଗଛଟି ପାଇଁ କିଛିଟା ଅଧିକ ଯତ୍ନବାନ ଥିଲେ ସେ। ଜେଜେମାଆ ଠୁଁ ଶୁଣିବାକୁ ମିଳେ ଯେ ସେହି ଆମ୍ବଗଛଟିର ଚାରା କାଳେ ତା' ବାପଘରୁ ଆସିଥିଲା ମୋର ଜନ୍ମ ହେବା ବେଳେ। ଆଶା ଥିଲା ନାତି ବଡ ହେଲେ ସେ ଗଛରେ ଫଳ ଫଳିଲେ ଖାଇବ!
ଜେଜେ ସେ ଆମ୍ବଗଛ ମୂଳରେ ଖତ ସାର ପାଣି ପିଡ଼ିଆ ସବୁ ଦିଅନ୍ତି ବରାବର ଏଇ ଆଶାରେ କି ଗଛଟି ଶୀଘ୍ର ବଡ ହୋଇ ଫଳିବ। ଗାଇଗୋରୁ ଛେଳି ମେଣ୍ଢା ଆଦି ତୃଣଭୋଜୀଙ୍କ ଦାଉରୁ ରକ୍ଷା କରିବାକୁ କଣ୍ଟା ବାଡ଼ ବୁଜିଦେଇଥାନ୍ତି ଗଛର ଚାରିକଡ଼େ। ଛନଛନିଆ ହୋଇ ପତ୍ର ସବୁ ବାଡ ଭିତରେ ଆକାଶକୁ ଚାହିଁ ବଢୁଥାନ୍ତି। ସମୟ କ୍ରମେ ମୁଁ ବଡ ହେଲି ସ୍କୁଲ ବି ଯିବାକୁ ଲାଗିଲି। ମୋ ସହ ଆମ୍ବଗଛଟି ବି ବଡ ହେଲା, ଝଙ୍କାଳିଆ ହୋଇ।
ନିର୍ଦ୍ଧାରିତ ସମୟ ଅତିକ୍ରମ କରିବା ପରେ ମଧ୍ୟ ଆମ୍ବଗଛରେ ଫଳ କଷି ଧରି ନଥାଏ। ଫି ସାଲ ବଉଳ ଅମାବାସ୍ୟା ଦିନ ଜେଜେମାଆ ଗଛକୁ ମଣ୍ଡା ପିଠା ଖୁଆଇ ନେହୁରା ହୋଇ କହେ ଫଳ ଫଳିବା ପାଇଁ। କିନ୍ତୁ ସେ ସବୁବେଳେ ନିରୁତ୍ତର ରହେ। ପବନରେ ଯାହା ଫଡ୍ ଫଡ୍ ହୁଏ ନହେଲେ ସବୁବେଳେ ସେମିତି ଗୁମ୍ ସୁମ୍ ରହେ ଗଛଟି।
ବେଶ୍ ଦାମ୍ଭିକତାର ସହ ଠିଆ ହୋଇ ଥାଏ, ଫଳ ଫଳିଥିଲେ ସିନା ଟିକେ ନଇଁ ପଡିଥାନ୍ତା! ଚଢେଇ କେତୁଟା ବସା ବାନ୍ଧିଛନ୍ତି ତା ଦେହରେ। କିଚିରି ମିଚିରି ଶବ୍ଦ କରନ୍ତି କେବେ କେବେ ସଞ୍ଜ ସକାଳରେ। ମୁଁ ଏଇ ଭିତରେ ପାଠ ପଢାସାରି ଚାକିରି ବି କଲଣି ଦୂର ସହରରେ ଗାଁ ଛାଡି କିନ୍ତୁ ଗଛ ଫଳ ଧରିବାର ନାହିଁ।
ଜେଜେମାଆ କେତେବେଳେ କେମିତି ମନ କଷ୍ଟରେ ଜେଜେବାପାଙ୍କୁ କହେ ଗଛଟିକୁ କାଟିଦେବା ପାଇଁ। ଜେଜେ କିନ୍ତୁ ମାଆକୁ ବୁଝେଇକି କହନ୍ତି, "ଗଛଟା ନ ଫଳିଲା ନାଇଁ, ଛାଇ ଟିକେ ତ ଦଉଛି। ବିଲରୁ ଫେରି ଲୋକେ ତା' ମୂଳରେ ଥକ୍କା ମେଣ୍ଟାଉଛନ୍ତି। କେତେ ଚଢେଇ ସେଠି ବସା ବାନ୍ଧି ରହିଛନ୍ତି। ଗଛକୁ ହାଣି ଦେଲେ ସେମାନେ କୁଆଡେ ଯିବେ?" ମାଆ ଆଉ କିଛି କହେନି। ଆଖି ଜକେଇ ଆସେ ଲୁହରେ ତାର। କିନ୍ତୁ ଗଛଟା ପୂର୍ବବତ୍ ସେମିତି ନିରୁତ୍ତର ଆଉ ନିର୍ବିକାର!
କିଛି ବର୍ଷ ପରେ ଜେଜେବାପା ଆମକୁ ଶୋକର ସାଗରରେ ଭସେଇଦେଇ ବାହୁଡ଼ିଗଲେ ଅଫେରା ରାଇଜକୁ। ମହାଯାତ୍ରାରେ ଯିବା ବେଳେ ସେଇ ଆମ୍ବଗଛର ଡାଳ ଖଣ୍ଡେ କାଟି ତାଙ୍କୁ ସଂସ୍କାର କରିବାକୁ କହିଥିଲେ ବହୁତ ଆଗରୁ। ସେଇଆ ବି ହେଲା। ଗଛର ଡାଳ ଖଣ୍ଡେ ଗଲା ଶ୍ମଶାନ, ସ୍ବର୍ଗଦ୍ବାର! ଜେଜେଙ୍କ ସହିତ ଏକାକାର ହୋଇ ମିଶିଗଲା ସେଇ ପବିତ୍ର ମାଟିରେ।
ଜେଜେ ଚାଲିଗଲା ପରେ ହଠାତ୍ ଆମ୍ବଗଛଟା କେଜାଣି କାହିଁକି ପତ୍ରଝଡା ଦେବାକୁ ଆରମ୍ଭ କଲା। ସମସ୍ତେ ଭାବିଲେ କାଳେ ଗଛଟି ମରିଯିବ ବୋଧେ! କିନ୍ତୁ ସମସ୍ତଙ୍କ ଅନୁମାନକୁ ଭୁଲ୍ ପ୍ରମାଣିତ କରି କିଛି ଦିନ ପରେ ଗଛରେ ନୂଆ ପତ୍ର କଅଁଳିବାକୁ ଲାଗିଲା। ଗୋଟେ ନୂଆ ଆଶା ବି ଜାଗି ଉଠିଲା। ଜେଜେଙ୍କୁ ହରାଇବାର ଦୁଃଖ ମଧ୍ୟରେ ଖୁସିର କିରଣ ଭଳି ଆମ୍ବଗଛଟିରେ ଫଳ ଫଳିବା ଆରମ୍ଭ କଲା ପ୍ରଥମ ଥର ପାଇଁ। ଏତେ ଫଳିଲା ଯେ ସାହି ପଡ଼ିଶାରେ ବାଣ୍ଟିଲା ପରେ ବି ସରିଲା ନାହିଁ।
ଗାଁ ଲୋକେ ସବୁ କହୁଥିଲେ ଜେଜେଙ୍କ ଜୀବଦ୍ଦଶାରେ ଯାହା ହୋଇ ନଥିଲା ଆବର୍ତ୍ତମାନରେ ତାହା ଘଟୁଛି। ଆମ୍ବଗଛଟି ଜେଜେଙ୍କ ଋଣ ପରିଶୋଧ କରି ନିଜକୁ ଋଣମୁକ୍ତ କରାଇବାକୁ ଚାହୁଁଚି। ମଣିଷ ସିନା ସମୟ ଆସିଲେ କୃତଘ୍ନ ହୋଇଯାଏ କିନ୍ତୁ ଗଛ ମରିକରି ବି ନିଜ ଋଣ ଶୁଝିଥାଏ! ଗଛ ସିନା କଥା କହିପାରେନି ହେଲେ ମଣିଷ ପରି ସବୁ କିଛି ବୁଝି ପାରେ।
ବହୁତ ଦିନ ପରେ ଜେଜେମାର କୋଟରଗତ ଆଖିରେ ଚମକ ଥିଲା ଆଉ ମୁହଁରେ ଅମଳିନ ହସ ଫୁଟି ଉଠିଥିଲା ଫଳନ୍ତି ଆମ୍ବଗଛଟିକୁ ଦେଖି..
