Padmalaya Padhy

Tragedy

3  

Padmalaya Padhy

Tragedy

ଆମ ପରିବାର

ଆମ ପରିବାର

4 mins
156



ଗୁରୁମା କହିଛନ୍ତି "ଆମ ପରିବାର " ଉପରେ କାଲି ରଚନା ଲେଖି ଆଣିବାକୁ l କିଛି ଭଲ ଲାଗୁ ନଥିଲା ସେବତୀକୁ କେମିତି ଗୋଟେ ମାନ୍ଦା ମାନ୍ଦା ଲାଗୁଥିଲା l ସେବତୀକୁ ବେଶୀ ଚିନ୍ତିତ ଥିବା ଦେଖି ଗୁରୁମା କହିଲେ ଏଡ଼େ ବଡ଼ ପିଲା ଏଗାର ଚାଲିଲାଣି ତୋତେ ପରିବାରର ମାନେ ଜାଣିନାହୁଁ ଯେ ଆଁ କରି ଚାହିଁଛୁ ?


କିଏ ତାର ପରିବାର ହେବ କାହା ବିଷୟରେ ଲେଖିବ ସିଏ l ତାଠୁ ସାନ ଦୁଇ ଭଉଣୀ ଓଲି ଏବଂ ସିଲି l ତାଙ୍କ ବିଷୟରେ କଣ ଲେଖିବ ଚୁଇଁ ଦି ଟା ! ବାପାଙ୍କ କଥା ବେଶୀ କିଛି ମନେ ନାହିଁ l ଡେଙ୍ଗା ହୋଇ ପତଳା ମଣିଷ ଜଣେ ଥିଲେ l ପ୍ରତି ରବିବାର ଦିନ ସେବତୀକୁ ସାଇକେଲରେ ବସାଇ ଛକ ମୁଣ୍ଡରେ ଥିବା ନଳ କୂଅ ପାଖକୁ ନିଅନ୍ତି l ସେବତୀ ସକାଳୁ ଜଗି ବସିଥାଏ କେମିତି ରାତି ହେଲେ ଖାଇ ସାରି ସେଠିକି ଯିବ ଓ ବାପା ତାକୁ ପପିନ୍ସ ଚକଲେଟ କିଣିଦେବେ l ବାପାଙ୍କ କଥା ସେତିକି ମନେ ଅଛି l ଆକ୍ସିଡେଣ୍ଟରେ ବାପା ଚାଲିଗଲେ l ଆଉ ରହିଲା ବୋଉ l ସବୁବେଳେ ପିଟୁଛି l ତା କଥା ଲେଖିବ ନାହିଁ କେବେ ବି l ସବା ସାନ ଟିକୁନ ତା ଭାଇ l ବଦମାସଟା l ନାକଟା ତାର ମୋଡି ଦେବାକୁ ଏବେ ବି ମନ ହୁଏ l


 ସେଦିନର କଥା ମନେ ଅଛି l ବୋଉ ତାର କହୁଥିଲା l


–ଭାଇ ଚାଲିଗଲା ବୋଲି ଦୁଃଖ କରୁଛୁ କିଲୋ ସେବ ? ରାକ୍ଷୀ ପୂର୍ଣ୍ଣିମା ଦିନ ଯାଇ ଭାଇକୁ ରାକ୍ଷୀ ପିନ୍ଧାଇବୁ ହେଲା ?


ସାନ ଭାଇ ଟିକୁନକୁ ମାମୁଁ ଆସି ନେଇ ଯାଇଥିଲେ l ତିନି ଭଉଣୀ ତଳେ ସବୁଠୁ ସାନ ଭାଇ ତାର l ମାମୁଁ ଆସି ତାକୁ ପୁଅ କରି ନେଇଗଲେ ସେଦିନ l ସେ ସେଇଠି ରହି ପଢିବ ଓ ସେଇଠି ବଡ଼ ହେବ l ମାଇଁଙ୍କର ପିଲା ଛୁଆ ପୁଣି ହେଉ ନାହିଁ ଯେ କୋଉଠୁ ଗୋଟେ ପିଲା ଆଣି ପାଳିବା ପାଇଁ ମାମୁଁ ମାଇଁ ମନସ୍ଥ କରିଥିଲେ l ହେଲେ ବାହାରୁ କାହାର ପିଲା କାହିଁକି ଆଣିବେ ଭଣଜା ଥାଉ ଥାଉ l ତେଣୁ ଟିକୁନର ସପ୍ତମରେ ବୃହସ୍ପତି…ନାହିଁ...ନାହିଁ…ପଞ୍ଚମରେ ବୃହସ୍ପତି l


ତା ବୋଉ ଦେଖୁଛି ସେବତୀର ମୁହଁ ଶୁଖିଲା ଦିଶୁଛି l ଖାଇବା ପାଖରେ ବସିଲେ ବସୁଛି ଯେ ବସୁଛି ଉଠୁ ନାହିଁ l ଖେଳ ସାଥି ସାନ ଭାଇଟା ଘରେ ନାହିଁ ପରା l ଏଗାର ବର୍ଷର ସେବତୀ କଣ ବୁଝୁଛି ଘର କଥା l ତା ବାପା ଟ୍ରକ ଆକ୍ସିଡେଣ୍ଟରେ ଚାଲିଗଲା ପରେ ସେବତୀ ଓ ତଳ ଦୁଇ ଭଉଣୀଙ୍କ ପାଇଁ ବେଳାଏ ଖାଇବା ଯୋଗାଡ଼ କରିବାକୁ କେତେ ଅବସ୍ଥା ହେଉଛି ବୋଲି ବୋଉ କାନ୍ଦେ l ହଉ ମାମୁଁର ସାହାରା ପାଇ ସବା ସାନ ଟିକୁନ ମୋର କେମିତି ବଡ଼ ହୋଇଯାଉ ତାର ଭବିଷ୍ୟତ ସୁଧୁରି ଯାଉ ବୋଲି ବୋଉ ମୁଣ୍ଡିଆ ମାରେ l


ସେବତୀ ଭାବେ ମାମୁଁ କେତେ କଥା କହୁଥିଲେ କେତେ ସ୍ନେହ କରୁଥିଲେ ତାକୁ l ଖାଲି ମୋ ସେବ ମୋ ସେବ ବୋଲି ପାଣି ପିଉ ନଥିଲେ କିନ୍ତୁ ଘରକୁ ନେଲାବେଳେ ଟିକୁନକୁ ନେଇ ଚାଲିଗଲେ ? ମାଇଁ ବି କହନ୍ତି ସେବ ଲୋ ତୁ କେତେ ଗୋରୀ କେତେ ସୁନ୍ଦରୀ l ତୋ ଭଳିଆ ମୁଁ ହୁଅନ୍ତିନି ? ହେଲେ ସେବତୀକୁ ପୁରାପୁରି କେମିତି ଭୁଲି ଗଲେ l ସେ ବଦମାସ ଟିକୁନ ତାଙ୍କ ସହିତ ଚାଲିଗଲା ?


ତା ବଦଳରେ ଯଦି ସେବତୀ ଝିଅ ହୋଇ ଯାଇଥାନ୍ତା ତାଙ୍କ ଘରକୁ l ମାମୁଁଙ୍କ ଘର ସାମ୍ନାରେ ଜିଲାପି ଦୋକାନ କେତେ ନା କେତେ ଜିଲାପି ଖାଇବାକୁ ମିଳିଥାନ୍ତା !l ଏତେ ପ୍ରକାର ହରରଙ୍ଗୀ ଜୁସ ମିଳିଥାନ୍ତା ତାଙ୍କ ଘରେ ଯେ ତଣ୍ଟି ଯାଏଁ ପିଇ ପିଇ ଶୋଇ ପଡିଥାନ୍ତା ସେବତୀ l ଦିନକୁ ତିନିଥର ଥାଳି ଭର୍ତ୍ତି କରି ଭାତ ଖାଇଥାନ୍ତା ! ସବୁ ଫସର ଫାଟିଗଲା ଏ ବଦମାସ ଟିକୁନ ଲାଗି l ସେଥିପାଇଁ ସେ ଦୁଃଖରେ ଅଛି ଆଉ ବୋଉ ଭାବୁଛି ଯେ ସେ ପୁଣି ଟିକୁନକୁ ମନେ ପକାଉଛି l 


 ବୋଉର ଗାଡି ଭଡା ନଥିବାରୁ ମାମୁଁ ମାଇଁ ଟିକୁନକୁ ନେଇ ରାକ୍ଷୀ ପୂର୍ଣ୍ଣିମା ଦିନ ଆସିଥିଲେ ଯେ ଟିକୁନ ମୁହଁ ଫୁଲାଇ ବସି ରହିଲା l ସେବତୀ କେତେ ଡାକିଲେ ବି ଖେଳିବାକୁ ଗଲା ନାହିଁ l ସାନ ଭଉଣୀ ଓଲି ଆସି ତା ହାତ ଧରି ପକାଇବାରୁ ହାତ ଛିଞ୍ଚାଡି ଦେଇଥିଲା l ଟିକୁନ ଏବେ ବଡ଼ଲୋକ ହୋଇଗଲା l ଭଉଣୀମାନଙ୍କୁ ଦେଖିଲେ ନାକ ଟେକୁଛି ଖାଲି l ହଉ ହଉ ପୁଣି ଥରେ କେବେ ଖେଳିବାକୁ ଡାକିଲେ ତୋର ଦିନେକୁ ମୋର ଦିନେ ଦେଖିବୁ ରହରେ ପୁଅ l ମାମୁଁଙ୍କ ବାଇକରେ ପିଁ ପିଁ ହୋଇ ବୁଲୁଛୁ ତ ବେଶୀ ଉତ୍ପାତ ହେଉଛୁ l ସେବତୀ ମନେ ମନେ ଗୁଣୁ ଗୁଣୁ ହେଉଥାଏ l ଭାଇକୁ କିଛି କହିଲେ ବୋଉ ପିଟିବ l


ଏଣେ ରଚନା ଲେଖା ବାକି ଅଛି l ସେବତୀ ପୁଣି କୋଇଲି ସହିତ କୂ କୂ ତାଳ ମିଳାଇ ବାରିଆଡେ ଚାଲିଗଲା l କେତେ ଯତ୍ନରେ ବସି ବସି ଗୋଲ ଗୋଲ ଅକ୍ଷରରେ ରଚନା ଲେଖିଥାନ୍ତା ସେ l ଏ ଟିକୁନଟା ଆସି ବାରମ୍ବାର ତା ମୁଣ୍ଡ ଭିତରେ ପଶି ଯାଉଛି l ଟିକୁନ ମାମୁଁ ଘରକୁ ଯିବାର ବର୍ଷେ ପରେ ମାଇଁଙ୍କର ଗୋଟେ ଗୁଲଗୁଲିଆ ବେବି ହେଲା l ହଁ ମାଇଁ ତାଙ୍କ ପୁଅକୁ ବେବି ବୋଲି କହନ୍ତି l ନୂଆ ପୁଅ ଆସିବା ପରେ ମାମୁଁ ଆସି ଟିକୁନକୁ ଏଇଠି ଛାଡି ଦେଇଗଲେ l ଏବେ କୁଆଡେ ଯିବୁରେ ପୁଅ ଯା l କେତେ ଉତୁପାତ ହେଉଥିଲୁ ନା l ଟିକୁନ କାନ୍ଦ କାନ୍ଦ ହୋଇ ରହୁଥାଏ l କାହା ସହ ଭଲ ଭାବେ ମିଶୁ ନଥାଏ l ଜିଲାପି ଶିରା ପାଟିରେ ବାଜି ଯାଇଛି ତ ! ପିଲାକୁ ପଖାଳ ଭାତ ରୁଚୁନି l


ଦୁଇ ତିନିମାସ ପରେ ଦୁଇ ଜଣ ଲୋକ ଆସିଥିଲେ ବୋଉ ସାଙ୍ଗେ କଣ ନା ଧୀରେ ଧୀରେ କଥା ହୋଇ ଗୋଟେ ପ୍ୟାକେଟ ବଢ଼ାଇ ଦେଇଥିଲେ l ବୋଉ ଟିକୁନର ଦୁଇ ହଳ ଡ୍ରେସ ଆଣି ଗୋଟେ ପରିବା ବ୍ୟାଗରେ ପୁରାଇ ତା ହାତ ଧରି ସେମାନଙ୍କ ପାଖେ ଛାଡିଦେଲା l ସେମାନେ ଟିକୁନକୁ ନେଇ ଚାଲିଗଲେ l ସେବତୀ ପଚାରିବାରୁ ବୋଉ ନାଲି ଆଖି ଦେଖାଇ କହିଲା ତୋର ଜାଣିବା ଦରକାର ନାହିଁ l ସବୁବେଳେ ଭାଇ ସାଙ୍ଗେ ଝଗଡା କରୁଥିଲୁ ଏବେ କାହିଁକି l ସେ ପ୍ୟାକେଟଟା ନେଇ ବୋଉ ଭାଡ଼ି ଉପରେ ଲୁଚାଇ ରଖିଦେଲା l ବୋଉ କାମକୁ ଗଲା ପରେ ଓଲି ଓ ସିଲି କହିଲେ ବୋଉ କାଳେ ଟିକୁନକୁ ବିକ୍ରି କରିଦେଇଛି ବୋଲି ସେମାନେ କାନ ଡେରି ଶୁଣୁଥିଲେ l


 ରାଗ ଲାଗିଲା ବୋଉ ଉପରେ ଆଉ ସେ ଟିକୁନଟା ବି ଏଡିକି ବଦମାସ l ଆଗରୁ ଟିକିଏ କହିଲା ନାହିଁ l ସେ ଲୋକ ଦି ଟା ଏମିତି ବାସ୍ନା ସେଣ୍ଟ ମାରି ଆସିଥିଲେ ଯେ ଏଠୁ ଟୁବି ଗାଡ଼ିଆ ଯାଏଁ ମହକି ଯାଉଥିବ l ଟିକୁନ ଗଲେ ଖାଲି ସେଣ୍ଟ ମାରି ବୁଲିବ l ନା ନା ରଚନା ଖାତାରେ ସେଣ୍ଟ ଉପରେ ଲେଖିଲେ ଗୁରୁମା ପାଠ ନପଢ଼ି ଷ୍ଟାଇଲ ମାରିବାକୁ ମନ କହି ଆଣ୍ଠେଇ ଦେବେ l ସେଇଟା ଥାଉ ଲେଖିବନି l


 ସେବତୀ ଘର କାମ କରୁଛି ବୋଲି ବୋଉ ବିକ୍ରି କରୁନାହିଁ l ନହେଲେ ନାହିଁ ଯା l ଓଲି ଓ ସିଲିକୁ ହେଲେ ବିକି ଦେଇଥାନ୍ତା l ତାଙ୍କ ଭାଗର ଭାତ ବଳିଥାନ୍ତା l ବୋଉର ତ ଚଢ଼େଇ ଆହାର ବଳକା ସେବତୀର l ସେବତୀ ଥାଳି ଭର୍ତ୍ତି ଭାତ ଖାଇପାରନ୍ତା l


Rate this content
Log in

Similar oriya story from Tragedy