Satyabati Swain

Tragedy Others

4.1  

Satyabati Swain

Tragedy Others

ଆଲ୍ଭା ମୋ ମାମା

ଆଲ୍ଭା ମୋ ମାମା

9 mins
343



ମୋ ପିଲାମନ ଅଧିର ହୋଇ ଖୋଜୁଥିଲା ମାମାଟିଏ।

କିନ୍ତୁ ଉଗ୍ର ଆଧୁନିକତାକୁ ଆପେଣେଇ ନେଇ ମାମା ପାଖେ ମୋ ପାଇଁ ସମୟ କାହିଁ !

ବାବାଙ୍କ ସହ ମୁଁ ଅଧିକ କନେକ୍ଟ୍ ଥିଲି।ମାମା ଅପେକ୍ଷା ବାବା ମୋର ଅଧିକ ଯତ୍ନ ନେଉଥିଲେ। ଗୋଟେ ପିଲାର ମାମା ଯାହା କରିବା କଥା ସେ ସମସ୍ତ ମୋ ବାବା କରୁଥିଲେ।ଗାଧୋଇଦେବା ,ଖୁଆଇବା,ଡ୍ରେସ୍ ସଫା କରିବା ଆଦି ପ୍ରତ୍ୟେକଟି କାମ ମୋର କରୁ

ଥିଲେ ବାବା।ଗୀତ ଗାଇ କିମ୍ବା ଗପ କହି ଶୁଆଇ ଦେଉଥିଲେ।ଦେହ ଖରାପ ଥିଲେ ଅଫିସ୍ ବନ୍ଦ କରି ବାବା ହିଁ ଘରେ ରହୁଥିଲେ।ଆୟା କେବଳ ମୋ ବାବା ଙ୍କ ଅଫିସ୍ ଯିବା ସମୟ ତକ ମୋତେ ଜଗୁଥିଲେ। ବାବାଙ୍କଠାରୁ ବାବା ଓ ମାମା ସମସ୍ତ ସ୍ନେହ ମମତା ପାଉଥିଲେ ବି ଜ୍ଵରରେ ବାଉଳି ହେଉ ଥିଲି ମାମା ମାମା । 

ମୋ ପାଇଁ ଅଧିକ ସମୟ ଦେଉଥିବାରୁ ବାବା ମାମାଙ୍କ ପାଇଁ ସମୟ ବାହାର କରି ପାରୁ ନଥିଲେ।ଯେଉଁଥି

ପାଇଁ ବାବା ମାମା ଭିତରେ ମନାନ୍ତର ହେଉଥିଲା।ମାମା ଶବ୍ଦରେ ନୁହେଁ ନୀରବରେ କ୍ଷତାକ୍ତ କରୁଥିଲେ ବାବାଙ୍କୁ।ଦୁହେଁ ଚାକିରିଆ।ଟିକେ ଫୁରୁସତ ପାଇଲେ ନିଜ ସହ ବାଣ୍ଟିବା ପରିବର୍ତ୍ତେ ମୋ ପାଇଁ ବାବା ବ୍ୟସ୍ତ ରହିଥିବାରୁ ମାମା ତାଙ୍କ ଫ୍ରେଣ୍ଡ୍ ମାନଙ୍କ ସହ ଯୋଡି ହୋଇ ଯାଉଥିଲେ।ଡ୍ରିଙ୍କ କରି ଫେରୁଥିଲେ ବିଳମ୍ବରେ ଘରକୁ।ଯାହା ମାମା ଓ ବାବା ମଧ୍ୟରେ ଅଶାନ୍ତି ଝଡ଼ ସୃଷ୍ଟି କରିଥିଲା।ମୁଁ ହିମାଳୟ ପରି ଠିଆ ହେଉଥିଲି ସେମାନଙ୍କ ଦାମ୍ପତ୍ୟ ଖୁସିର ରାସ୍ତାରେ।

ମୋର ଜେଜେମା ନଥିଲେ।

ଜେଜେ କୁହନ୍ତି ପୁର୍ବୀ ! ତୁ ଅଫିସ୍ ସାରି ଯାଉଛୁ କୁଆଡେ? ତୋର ଘର ସଂସାର ଅଛି। ମୁଁ ବୁଢା ମଣିଷ।ଆୟା ତ ସନ୍ଧ୍ୟା ହେବା ପୂର୍ବରୁ ଚାଲି ଯାଉଛି।ଛୁଆଟି ମାମା ମାମା ହେଉଛି।ମୋ ପ୍ରତି ବି ତୋର କର୍ତ୍ତବ୍ୟ ଅଛି।ଚାକିରିଆ ବୋଲି ସିନା ତୋତେ ମୁଁ କିଛି କାମ ବରାଦ କରେନି ।କିନ୍ତୁ ଅଂଶୁ ଖବର ତୁ ବୁଝିବୁ ନା।ବିଭୁ ପୁରୁଷ ପୁଅ। ସେ କଣ ଛୁଆ ଯତ୍ନ ଠିକ୍ ରେ ନେଇ ପାରିବ ! ପିଲାଟା ସବୁବେଳେ ମାମା ମାମା ହେଉଛି।ତୁ କେମିତିକା ମା !

ମାମା ଘରେ କାହା ପ୍ରଶ୍ନର ଉତ୍ତର ଦେବାକୁ ବାଧ୍ୟ ନୁହଁନ୍ତି। ଯିଏ ଯାହା କୁହେ ଶୁଣି ଚୁପ୍ ରୁହନ୍ତି କେମିତି ? ସେ କେବେ ହସିବା ମୁଁ ଦେଖିନି।ବାବା ମାମା ଙ୍କ ମଝିରେ ମୁଁ ପାଚିରୀ ହୋଇଛି ମୋତେ ଲାଗେ।ଜାଣି ଜାଣି ଜେଜେ ପାଖେ ଶୋଇବାକୁ ଜିଦି କରେ।ଆୟା ମୋତେ ଗାଧୋଇ ଦେବେ, ଖୁଆଇ ଦେବେ ବୋଲି ଅଡ଼ି ବସେ ।

ମୁଁ କିନ୍ତୁ ଜାଣିଛି ଯେଉଁ ଦିନ ବାବା ପାଖେ ନ ଶୋଇ ଜେଜେ ପାଖେ ଶୁଏ ସେଦିନ ରାତି ସାରା ମୋତେ ନିଦ ହୁଏନି।ଶୋଇଲେ ମଧ୍ୟ ବାବା ବାବା ନିଦରେ ହେଉଥାଏ ବୋଲି ଜେଜେ କୁହନ୍ତି।ଆୟା ଖୁଆଇ ଦେଲେ ମୋ ପେଟ ପୁରେନି।କିନ୍ତୁ ମୋ ମାମା ବାବାଙ୍କ ଖୁସି ପାଇଁ ମୋତେ ଅତି ସାନ ବୟସରୁ ଏ ସବୁ କରି

ବାକୁ ପଡେ।

ମୁଁ ସ୍କୁଲ ଯିବାରୁ ସମସ୍ୟା ଆହୁରି ବଢିଗଲା।ମୋତେ ସ୍କୁଲ ନେବା ଆଣିବା ସହ ବାବା ଙ୍କ ରୁଟିନ ବନ୍ଧା କାମରେ ମୋ ହୋମ୍ ଟ୍ୟାକ୍ସ ବି ଯୋଡି ହୋଇଗଲା।

ବାବା ଡେରି ରାତିଯାଏ ମୋ ହୋମ୍ ଟ୍ୟାକ୍ସ କରିବାରେ ସାହାଯ୍ୟ କଲେ।ମାମା ଜୋରେ ତାଙ୍କ ବେଡ୍ ରୁମ୍ କବାଟ ବନ୍ଦ କରିବା ଶବ୍ଦ ବାବା ଓ ମୋ ଯାଏ ପହଁରି ଆସେ । ସେ ଶବ୍ଦ ମୋ ଭିତରେ ଭୂମିକମ୍ପ ସୃଷ୍ଟି କରିବାକୁ ଯଥେଷ୍ଟ ହୁଏ।

ସେ ଦିନ ବାବା ମୋତେ ଛାତି ଉପରେ ଶୁଆଇ ଡ୍ରଇଂ ରୁମ୍ ରେ ରାତି କଟାନ୍ତି ଯାହା ମୋତେ ସବୁଠୁ ଯନ୍ତ୍ରଣା ଦିଏ।

ମୋ ଭିତରେ ତାରା ଭର୍ତ୍ତୀ ପ୍ରଶ୍ନ।ମାମା ମୋ ପ୍ରତି ଏତେ ବିତସ୍ଫ୍ରୁହ କାହିଁକି ? କାହିଁକି ସ୍ନେହ କରେନି, ଯତ୍ନ ନିଏନି, ଜ୍ଵରରେ ବାଉଳି ହେଲେ ମାମା ମୋ ମୁଣ୍ଡ ସାଉଁଳେଇ ଦିଏନି, ହୋମ୍ ଟ୍ୟାକ୍ସ ରେ ସାହାଯ୍ୟ କରେନି, ସ୍କୁଲ ନିଏନି କି ଆଣେନି ! ମାମା ଅଫିସ୍ ଯିବା ବାଟରେ ତ ମୋ ସ୍କୁଲ ? 

ଏପରି ଅନେକ କାହିଁକିର ପ୍ରଶ୍ନ ତୀର ମୋତେ ଲହୁ ଲୁହାଣ କରନ୍ତି।ଜେଜେଙ୍କୁ ପଚାରିଲେ ସେ କୁହନ୍ତି ମାମା କାମ କରି କରି ଥକି ପଡେ ତ ,ସେଇଥିପାଇଁ ତୋତେ ସମୟ ଦେଇ ପାରେ ନାହିଁ। 

କିନ୍ତୁ ବାବା ତ କାମ କରନ୍ତି ସେ କଣ ଥକନ୍ତିନି କି ଜେଜେ ?

ନା ରେ ଧନ ତୋ ବାବା ବା ପୁରୁଷ !ତା ଛାତି ପଥର କର୍ତ୍ତବ୍ୟର ଦାୟ ବଦ୍ଧତା ଜଞ୍ଜିରରେ ବନ୍ଧା ହୋଇ।ସେ କାନ୍ଦି ବି ପାରେନି । ସବୁ ପୁରୁଷ ନୀଳକଣ୍ଠ।ଦିନେ ତୁ ବି ସେମିତି ହେବୁରେ ଅଂଶୁ।

ମୋତେ ଭୁଲାଇବା ପାଇଁ ଦୀର୍ଘଶ୍ବାସଟିଏ ଛାଡି ଜେଜେ ମୋତେ କୋଳେଇ ନେଇ କୁହନ୍ତି ବାବା ହେଉ କି ମାମା ମୋ ଅଂଶୁ ଧନର କିଛି ଅସୁବିଧା ହେଉଛି କି? ସବୁବେଳେ ମାମା କାଇଁ ପିଲାର ସବୁ କରିବେ, ବାବା କରିବାରେ ଆପତ୍ତି କେଉଁଠି ? ମୁଁ ବି ତୋ ବାବାର ସବୁ କରୁଥିଲି ।

ଜେଜେ ଉତ୍ତର ମୋତେ ସନ୍ତୁଷ୍ଟ କରେନି ବରଂ ଆହୁରି ବିସ୍ମୟ ଖାଇକୁ ଠେଲି ଦିଏ।

ଏହା ଭିତରେ ଆଉ ଜଣେ ନୂଆ ଅତିଥି ହୋଇ ମୋର ଭାଇ କି ଭଉଣୀଟିଏ ଆମ ଘରକୁ ଆସିବାର ଥିଲା। ବାବା ଏବେ ମାମା ଙ୍କ ପାଖେ ପାଖେ ରହୁଛନ୍ତି।ତାଙ୍କ ଖାଇବା ,ଶୋଇବା ଦାୟିତ୍ୱ ବି ଭଲ ଭାବେ ବୁଝୁଛନ୍ତି।ମୁଁ ସମ୍ପୂର୍ଣ୍ଣ ଆଡ଼ ହୋଇ ଆୟା ଓ ଜେଜେଙ୍କ ପାଖେ ରହି ଯାଉଛି।ଦିନେ ଦିନେ ବାବା ଥରେ ହେଲେ ମୋତେ ଗେଲ କରିବାକୁ ସମୟ ପାଆନ୍ତି ନାହିଁ।ଭାରି କଷ୍ଟ ଲାଗେ।

ମୋର ଭଉଣୀଟିଏ ହେଲା।ଘରେ ଖୁବ୍ ଆନନ୍ଦ।ମୋ ଆନନ୍ଦ କହିଲେ ନ ସରେ।ମୁଁ ସବୁବେଳେ ଜଗି ବସେ ମୋ କୁନି ଭଉଣୀକୁ ।ମାମା ଛୁଟିରେ ଥାଆନ୍ତି ମୋ କୁନି ଭଉଣୀ ପାଇଁ। ସେ ଦିନ ରାତି ଘରେ ରୁହନ୍ତି ବୋଲି ମୋତେ ଖୁସି ଲାଗେ।

ମୁଁ ମୋ ଭଉଣୀର କୁନି ଆଙ୍ଗୁଠି,ହାତ,ମୁହଁରେ ହାତ ମାରେ।ଗେଲ କରେ।ହୁଁ ହୁଁ ହୋଇ ଗୀତ ବୋଲେ।ଆ ଆ କାଉକୁ ଡାକେ। ମାମା ମୋ ହାତ ଛିଞ୍ଚାଡି ଦେଇ କୁହନ୍ତି ଇନଫେକ୍ସନ ହୋଇଯିବ; ଏଣୁ ତେଣୁ କି ଅପରିଷ୍କାର ହାତ ଆଣି ଲଗାଉଛି ମୋ ଝିଅ ଦେହରେ !

ଟିକେ ମୋ କୁନି ଭଉଣୀକୁ ଛୁଇଁବି ବୋଲି ଦିନକୁ ବାର ବାର ହ୍ୟାଣ୍ଡୱାସ୍ ଲଗାଇ ସଫା କରି କୁହେ ଦେଖ ମୋ ହାତ ପୁରା ସଫା। ଏବେ ତ ମୁଁ ମୋ କୁନି ଭଉଣୀକୁ ଛୁଇଁ ପାରିବି ! ଯେତେ ସଫା ହେଲେ ବି ମୋତେ ମାମା ମୋ ଭଉଣୀକୁ ଛୁଆଁଇ ଦିଅନ୍ତି ନାହିଁ।ମାନସିକ ସ୍ତ୍ରରରେ ଖୁବ ଆଘାତ ଲାଗେ ମୋତେ।ଓଦା ହୋଇ ହୋଇ ଜ୍ବର ବି ହୋଇଯାଏ ।

ଏକୋଇଶିଆ ଦିନ ମୋ କୁନି ଭଉଣୀ ନାଁ ଦିଆଗଲା ଜ୍ୟୋତି।ମୁଁ କିନ୍ତୁ ଡାକିଲି ଖୁସି।

ଖୁସି ବଡ଼ ହେଉଥିଲା ଓ ମୋର କ୍ଳାସ ବଢିବା ସହ ବୁଦ୍ଧି ବି ହେଉଥିଲା।ମାମାଙ୍କ ଖୁସି ପାଇଁ ସ୍ନେହ ମମତା ଦେଖି ଯେତିକି ଖୁସି ଲାଗୁଥିଲା ସେତିକି ଆଶ୍ଚର୍ଯ୍ୟ ବି ଲାଗୁଥିଲା।ଯାହା ଖୁସିକୁ ମିଳୁଛି ମୋତେ ମିଳୁ ନଥିଲା କାହିଁକି? 

ଏବେ ବାବାଙ୍କ ସ୍ନେହ ବି ଖୁସି ପାଇଁ ଥିଲା।ମୋତେ ଘରେ ଅଣନିଃଶ୍ଵାସୀ ବୋଧ ହେଲା।ଖୁସି ବି ମୋତେ ତା କୁନି କୁନି ହାତରେ ଖେଳିବା ପରିବର୍ତ୍ତେ ମୋତେ ମାରିବାକୁ ଲାଗିଲା। ମାମା ସବୁ ଜାଣି ବି ଖୁସିକୁ ଆକଟ ନ କରି ବରଂ ହସିଦେଇ କୁହନ୍ତି ଛୁଆଟା।ମୁଁ ଟିକେ କିଛି କଲେ ଏଡ଼େ ବଡ଼ ପିଲା ହେଲୁଣି ବୁଦ୍ଧି ହେଉନି କହି ଯାହା ହାତରେ ପଡେ ପିଟି ଦିଅନ୍ତି । ଏ କେମିତିକା ଘର ,କିପରି ମାମା ! ମୋତେ ଆଉ ଘର ଭଲ ଲାଗିଲାନି।ଏଣୁ ବୋଡିଂ ସ୍କୁଲରେ ପଢିବା ପାଇଁ ବାବାଙ୍କୁ କହି ଆଡ଼ମିଶନ ନେଇ ଗଲି।

ବୋଡିଂ ସ୍କୁଲ ମୋ ଘର ହୋଇଗଲା।ମାତ୍ର ସାତ ବର୍ଷ ବୟସରେ ମୁଁ ହେଲି ଗୃହତ୍ୟାଗୀ।

ବାବା ମାସ ଶେଷ ସନ୍ ଡେ ରେ ମୋତେ ଦେଖା କରିବାକୁ ଆସନ୍ତି । ଏହି ଦିନ ପ୍ରତ୍ୟେକ ଗାଡ଼ିଆନ ତାଙ୍କ ପିଲାଙ୍କୁ ଦେଖା କରିବା ନିର୍ଦ୍ଧାରିତ ଦିନ।ବାବା ମୋତେ ଆଣ୍ଠେଇ ପଡ଼ି ଛାତିରେ ଚାପି ଧରନ୍ତି।ତାଙ୍କ ତତଲା ନିଃଶ୍ବାସ ମୋତେ ପୋଡି ପକାଏ।ମୁଁ ଛଟପଟ ହୋଇ ମୁକ୍ତି ପାଇବାକୁ ଚାହେଁ।ବାବା କରୁଣ ଆଖିରେ ମୋତେ ଚାହାନ୍ତି।ତାଙ୍କ ଆଖି ହତାଶା ଓ ଅସହାୟତାରେ ଓଦା ହୋଇଯାଏ।

ସେଦିନ ବାବା ମୋତେ ସପିଙ୍ଗ୍ ମଲ୍ ନେଇ ଯାଆନ୍ତି।କଣ ନେବୁ ପଚାରନ୍ତି।ମୁଁ ଖୁସି ପାଇଁ ଡଲ୍ ଟିଏ ଆଣେ।ବାବା କାନ୍ଦ କାନ୍ଦ ହୋଇଯାନ୍ତି।ମୋ ପସନ୍ଦର ଚକଲେଟ୍, ବିସ୍କୁଟ, ମିକ୍ସଚର ଓ କିଛି ଡ୍ରାଏ ଫଡୁସ୍ କିଣି ଦେଇ ଯାଆନ୍ତି ଏକ ମାସ ପାଇଁ।

ବହୁତ ଖୋଜୁଥିଲି, ଝୁରୁଥିଲି ଘର,ଖୁସି,ମାମା,

ଜେଜେଙ୍କୁ ପ୍ରଥମେ ପ୍ରଥମେ।ଏବେ ସେ ସବୁ ନାହିଁ।ବୋଡିଂରେ ଅନେକ ବନ୍ଧୁ ପାଇ ଯାଇଛି। ୱାଡେନ୍ ଖୁବ୍ ସ୍ନେହ କରନ୍ତି ମୋତେ।

ଅନ୍ୟ ପିଲା ମାନଙ୍କଠାରୁ ଯଥେଷ୍ଟ ଚୁପ୍ ଚାପ୍, ଶାନ୍ତ ସ୍ଵଭାବ ମୋର ସମସ୍ତଙ୍କ ଭଲ ପାଇବାର ଆଧାର ହୋଇଯାଏ।ପିଲାଠୁ ସାର୍ ସଭିଙ୍କର ମୁଁ ପ୍ରିୟ ଅଂଶୁ ଦ ବେଷ୍ଟ୍ ବଏ । ପାଠ ଶାଠ ସବୁଥିରେ ଧୁରିଣ।ଚିତ୍ର ଆଙ୍କିବା ମୋର ସଉକ।ମୁଁ ମଡ଼ର୍ଣ୍ଣ ସଂକେତ ଧର୍ମୀ ଚିତ୍ର ଆଙ୍କେ।ଯେଉଁଥିରେ ଢାଳି ଦେଇଥାଏ ମୋ ଶୈଶବର ଭୋଗିଥିବା ଭାଗର ଜୀବନ। ସବୁ ଚିତ୍ର ମା କୁ ନେଇ।

ଛୁଟିରେ ସମସ୍ତେ ଘରକୁ ଯାଆନ୍ତି କିନ୍ତୁ ମୁଁ ଯିବାକୁ ଇଚ୍ଛା କରେନି।ସେଇଥିପାଇଁ ବାବା ମୋତେ ନେଇ ମୋ ପିୟୁସି ନାନୀ ଘରେ ଛାଡ଼ି ଦିଅନ୍ତି।ପିୟୁସି ଝିଅ ଟିନା ମୋତେ ଖୁବ୍ ଭଲ ଲାଗେ।ତା ସହ ଲାଗିଲେ କି ସାଙ୍ଗ ହେଲେ ମାମା ପରି ପିୟୁସି ନାନୀ ବିରକ୍ତ ହୁଅନ୍ତି ନାହିଁ।ବରଂ ଖୁସି ହୁଅନ୍ତି ଯେ ଟିନାକୁ ଭାଇ ସାଙ୍ଗ ମିଳୁଛି ବୋଲି।

କୈଶୋର ଲାଞ୍ଚ ଦେଇ ମୋ ଠାରୁ ମୋ ଶୈଶବ

ଛଡେଇ ନିଏ।ମ୍ୟାଥ୍ ଅଲମ୍ପିଆଡ଼ ରେ ଟପ୍ କରି ମୁଁ ରାଜସ୍ଥାନ କୋଟାରେ ପଢିବା ପାଇଁ ଗଲି।ସରକାର ବହନ କଲେ ପଢା ସରିବା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ।ସାତ ବର୍ଷରେ ଛାଡିଥିଲି ଘର।ବାର ବର୍ଷରେ ରାଜ୍ୟ ଛାଡ଼ିଲି।

ସବୁ ଛାଡିବା ପାଇଁ ବୋଧେ ମୋର ଜନ୍ମ।

କ୍ଲାସ୍ ଏଇଟ ଠାରୁ କୋଟାରେ ପଢ଼ିଲି।ଫ୍ଲୋରିନା ମୋର ଗାର୍ଲ ଫ୍ରେଣ୍ଡ୍ ।ସାଙ୍ଗ ହୋଇ ଆମେ ଗୋଟିଏ କ୍ଳାସ ରେ ପଢୁ।ମୋ ଚିତ୍ରର ସେ ଜଣେ ବଡ ପ୍ରଶଂସକ।କୋଟାରେ ବି ମୁଁ ଟପ୍ ଥ୍ରୀ ରେ ରହି ସଫ୍ଟୱେର ଇଞ୍ଜିନିୟରିଙ୍ଗ୍ ପଢ଼ିଲି। ସଫ୍ଟୱେର ଇଞ୍ଜିନିୟ

ରିଙ୍ଗରେ ଉଚ୍ଚତର ଅଧ୍ୟୟନ ପାଇଁ କାଲିଫର୍ଣ୍ଣିଆ ପଢି

ବାକୁ ଗଲି ଦେଶ ଛାଡି ଚବିଶି ବର୍ଷ ବୟସରେ ସେ ବି ସରକାରଙ୍କ ତରଫରୁ।

ଏବେ ମୁଁ ଘର,ରାଜ୍ୟ ଓ ଦେଶ ଛାଡି ଫରେନ୍ ରେ।

ସମ୍ପର୍କ ପ୍ରତି ଘୋର ଅନାସ୍ଥା ଭାଵ ମୋତେ ଖୁବ ଏକୁଟିଆ କରି ଦେଉଥିଲା ବେଳେ ଆଲ୍ଭା ଦମ୍ପତ୍ତିଙ୍କ ସହ ମୋର କାଲିଫର୍ଣ୍ଣିଆରେ ଭେଟ ହେଲା।ଆଲଭା ମାମ୍ ଖୁବ୍ ସ୍ନେହୀ ଥିଲେ।ମୁଁ ପଢ଼ୁଥିବା କଲେଜରେ ସେ ପ୍ରଫେସର। ଠିକ୍ ମୋ ମାମା ଙ୍କ ପରି ଦେଖିବାକୁ।ସେ ବି ଭାରତୀୟ ,ଏଇଠି ପଢି ଏଇଠି ଜବ୍ କରୁଛନ୍ତି।ତାଙ୍କ ମିଷ୍ଟର ଏଠିକାର ଜଣେ ଡାକ୍ତର।ସେମାନେ ନିଃସନ୍ତାନ। ବୋଧେ ମୁଁ ଭାରତୀୟ ବୋଲି ମୋତେ ସେମାନେ ପୁଅ ପରି ଟ୍ରିଟ୍ କରନ୍ତି।

ସମୟ କ୍ରମେ ମୁଁ ମୋ ବାବାଙ୍କୁ ବି ଭୁଲିବାକୁ ଚେଷ୍ଟା କଲି।ଭାବିଲି ମୋର ଘର ଦ୍ୱାର,ବାବା ମାମା କେହି ନାହାନ୍ତି।ମୁଁ ଅନାଥ।

ଆଲ୍ଭା ମାମ୍ଙ୍କ ମୋ ପ୍ରତି ଖୁବ୍ ଆଦର ଯତ୍ନ ଦିନୁ ଦିନୁ ବଢ଼ୁଥିଲା , ଯାହା ମୋର ଆଦୌ ହଜମ ହେଉ ନଥିଲା।ମୋତେ ପ୍ରତିଦିନ ଇଣ୍ଡିଆନ ଖାଦ୍ୟ ଦେବା, ପର୍ବ ପର୍ବାଣୀରେ ମୋ ପାଇଁ ଡ୍ରେସ୍ କରିବା ଦେଖି ମୋ ମନ ବିଷେଇ ଉଠୁ ଥିଲା।ଜୀବନରେ କୌଣସି ସମ୍ପର୍କ ଉପରେ ଆସ୍ଥାବାନ ନଥିଲି।ମୋ ମାମାର ଅନାଦର ମୋତେ ଭିନ୍ନ ମଣିଷଟିଏ କରି ଦେଇଥିଲା ।

ଦିନେ ମୁଁ ଖୁବ୍ ଅସୁସ୍ଥ ହୋଇ ପଡିଲି।ବେଦେଶ ଜାଗା।କେହି ନାହିଁ ପାଖରେ ପୁଣି ମୋତେ ମ୍ୟାଲେରିଆ ଜ୍ଵର।ମନେ ପଡିଲେ ବାବା, ମାମା, ଘର।ଯେତେ ଚାହିଁଲେ ବି ନିଜ ଘର ଜୀବନରେ ଭୁଲିବା ଭାରି କଷ୍ଟ। ମୁଁ ଭୁଲି ନଥିଲି ଭୁଲିବାର ଅଭିନୟ କରୁଥିଲି ଯାହା।ବାବାଙ୍କୁ ଫୋନ୍ କଲି।ସେ ଖୁବ୍ ବ୍ୟସ୍ତ ହୋଇ ପଡି କହିଲେ ମେଡିସିନ୍ ରୀତିମତ ଖା।ଖାଦ୍ୟ ଖାଇବାକୁ ଇଚ୍ଛା ନହେଲେ ମଧ୍ୟ ଜୋର ଜବରଦସ୍ତ ଖାଇବୁ । ସେଠି ତୋ ନିଜର କେହି ନାହାନ୍ତି।

ମନେ ମନେ ହସିଲି।କେଉଁ ଦିନ ମୋର ନିଜର କିଏ ଥିଲେ କି ଆଜି ଏଠି ନାହାନ୍ତି ବୋଲି ବ୍ୟସ୍ତ ହେବି।ବାବାଙ୍କୁ ସବୁ କରିବି ବୋଲି କଥା ଦେଲି।

ରାତି ଦିନ ମୋ ପାଖେ ପଡି ରହି ଆଲଭା ମାମ୍ ମୋ ସେବା ଯତ୍ନ କଲେ ଠିକ୍ ମାମା ଟିଏ ପରି ।ମୁଣ୍ଡ ଆଉଁସି ଦେଲା ବେଳେ,ବଳେଇ ବଳେଇ ଖୁଆଇଲା ବେଳେ ଲାଗେ ସତେ କି ସେ ମୋ ମାମା।ତାଙ୍କ ସ୍ପର୍ଶ ମୋତେ ମମତାର କଥା କୁହନ୍ତି।ଏଣୁ ତାଙ୍କ ପ୍ରତି ଭକ୍ତି ସମ୍ମାନ ଓ ସ୍ନେହରେ ମୋ ମୁଣ୍ଡ ନଇଁଯାଏ ଆପେ।ସେବେଠାରୁ ଆଲଭା ମାମ୍ଙ୍କ ସହ ମୁଁ ଆତ୍ମିକ ଭାବେ ଯୋଡି ହୋଇ ଯାଉଥିଲି ଲୁହା ପରି। ସେ ଲାଗୁଥିଲେ ମୋତେ ଚୁମ୍ବକ।

ପାଠ ନ ସରିବା ପୂର୍ବରୁ ମୋତେ କାଲିଫର୍ଣ୍ଣିଆରେ ଭଲ ଦରମାରେ ଗୋଟିଏ କମ୍ପାନୀ ଜବ୍ ଅଫର ଆସିଲା।କିନ୍ତୁ ପଢା ଶେଷ ପରେ ମୋ ଦେଶରେ ଜବ୍ କରିବି ବୋଲି ସ୍ଥିର ନିଷ୍ପତ୍ତି ନେଇ ଥିଲି।ତା ଛଡ଼ା ଫ୍ଲୋରିନା ମୋ ବାଟ ଚାହିଁ ବସିଛି। ଆମେ ମ୍ୟାରେଜ୍ କରିବୁ ଭବିଷ୍ୟତ ରେ ଯୋଜନା ସରିଛି। ଆଲଭା ମାମ୍ ମନ ଦୁଃଖ କଲେ ଏପରି ଜବ୍ ହାତ ଛଡା କଲି ବୋଲି।ମୁଁ ତାଙ୍କୁ ଛାଡି ଭାରତ ଆସେ ବୋଲି ସେ ଚାହୁଁ ନଥିଲେ।ମୁଁ କିନ୍ତୁ ପଇସା ପାଇଁ ମୋ ଦେଶ ଛାଡି ବିଦେଶରେ ଜବ୍ କରିବା ଫର୍ ରେ ନଥିଲି।ଆସିଲା ଦିନ ଆଲଭା ମାମ୍ ମୋତେ ହଗ୍ କରି ବହୁତ କାନ୍ଦି ଥିଲେ।ତାଙ୍କ ହଗ୍ ମୋ ମନରେ ପ୍ରଶାନ୍ତି ଭରି ଦେଇଥିଲା। ବିଚିତ୍ର ଥିଲା ସେ ଅନୁଭବ। 

ପଢା ଶେଷ କରି ଆସି ହାଇଦ୍ରାବାଦର ଗୋଟେ କମ୍ପାନୀରେ ଜଏନ୍ କଲି।ବାବା ଅନେକ ଦିନ ପରେ ମୋ ପାଖକୁ ଆସିଲେ ।କାଲିଫର୍ଣ୍ଣିଆରେ ପଢ଼ିଠାରୁ ବାବାଙ୍କୁ ମୁଁ କିମ୍ବା ବାବା ମୋତେ ଦେଖି ନଥିଲୁ ସ୍ୱ ଚକ୍ଷୁ ରେ ଫୋନ୍ ବ୍ୟତୀତ ।

ମୁଁ ଠିକ୍ ବାବାଙ୍କ ପରି ହୋଇ ଯାଇଥିଲି। ବାବାଙ୍କ ଦୁର୍ବଳ ସ୍ୱାସ୍ଥ୍ୟ ହୋଇ ଯାଇଥିଲା।ଅଧିକାଂଶ ଚୁଟି ପାଚି ତାଙ୍କ ବୟସର ସୂଚନା ଦେଉଥିଲା। ଏଇ ବର୍ଷ ଜବ୍ ରୁ ରିଟାର୍ଡ ହେବେ ସେ।

ମୋତେ ଦେଖି ବାବା ଖୁବ୍ ଖୁସି ହୋଇଗଲେ।କାଲି

ଫର୍ଣ୍ଣିଆ ଅନୁଭୂତି ବିଷୟରେ କଥା ହେଲୁ।ଫୋନ୍ ରେ ଥିବା ଫଟୋ ଦେଖୁ ଦେଖୁ ଆଲଭା ମାମ୍ ଙ୍କୁ ଦେଖି ବାବା କହିଲେ,ଏ ତୋ ସହ !

ତୁମେ ୟାଙ୍କୁ ଚିହ୍ନିଛ କି ବାବା !

ହଁ ଏ ଆଲଭା ମୋ କ୍ଳାସ ମେଣ୍ଟ୍।ସାଙ୍ଗ ହୋଇ ଆମେ ଦିଲ୍ଲୀରେ ପଢୁଥିଲୁ।

ଓଃ... 

ଏହି ମାମ୍ ତ ଜ୍ଵର ହେଲା ବେଳେ ରାତିଦିନ ଲାଗି ମୋର ସେବା କରିଥିଲେ।ମୋତେ ସେ ମାମା ମାମା ଲାଗନ୍ତି।ତାଙ୍କର ପିଲାପିଲି ନାହାନ୍ତି ବାବା।ଜୀବନ ସାରା ଯାହା ଖୋଜୁଥିଲି ଆଲଭା ମାମ୍ ଙ୍କ ଠାରୁ ସେଥିରୁ କିଛି ମିଳିଛି। ତାଙ୍କ ପାଖେ ଋଣୀ ମୁଁ।

ଆଉ ଗୋଟେ ସତ୍ୟ ବି ତୋର ଜାଣିବା ଉଚିତ ଅଂଶୁ।ତୁ ବଡ଼ ହେଲୁଣି ମୋ ଅପେକ୍ଷା ତୋର ଅଧିକ ବୁଦ୍ଧି ପସନ୍ଦ।ପୁଅ ବଡ଼ ହେଲେ ବାବାର ସାଙ୍ଗ ହୋଇଯାଏ।ତୋତେ ଆଜି ଯାହା କହିବି କେବଳ ଶୁଣିବୁ ପ୍ରତିକ୍ରିୟା ପ୍ରକାଶ କରିବୁ ନାହିଁ।

ଅଂଶୁ !ଜୀବନରେ ଗୋଟେ ବଡ଼ ଭୁଲ୍ କରିଦେଇଥିଲି।ଯେଉଁ ଭୁଲ୍ ପାଇଁ ଏଯାଏ ଜଳୁଛି କୁହୁଳି କୁହୁଳି।

ମୋ ବାବା ପରି ମଣିଷ ଭୁଲ୍ କରି ପାରନ୍ତି ମୋର ବିଶ୍ୱାସ ହେଉ ନଥିଲା ।

ଅଂଶୁ !ତୁ ମାମା ଖୋଜୁ।ମାମା ପାଇଁ ଅଭିମାନ କରି ଘର ଛାଡ଼ିଲୁ କେତେ କୁନି ବୟସରେ ! ତୋ ମାମା ତୋତେ ଭଲ ପାଏନି କାହିଁକି ଜାଣୁ !

ଅତି ଉତ୍ସୁକତାର ସହ ପଚାରିଲି କାହିଁକି ବାବା ! ଏ ପ୍ରଶ୍ନ ମୋ ଶୈଶବ ଓ କୈଶୋର ଆକ୍ତା ମାକ୍ତା କରିଛି।ସମ୍ପର୍କ ଉପରୁ ଆସ୍ଥା ଓ ଭରସା ତୁଟାଇଛି।କୁହ ବାବା କାହିଁକି ମାମା ମୋତେ ଭଲ ପାଆନ୍ତି ନାହିଁ।

କାରଣ ତୁ ପୁର୍ବୀ ପୁଅ ନୋହୁଁ।କେବଳ ମୋ ପୁଅ।

ଆହୁରି ଆଶ୍ଚର୍ଯ୍ୟ ହୋଇଗଲି।ମୁଁ ବାବା ପୁଅ କିନ୍ତୁ ମାମା ପୁଅ ନୁହେଁ ! ଏ କେମିତି କଥା !

ତାହେଲେ ମୋ ମାମା କିଏ ?

ମୁଁ ଗୋଟେ ଝିଅ ସହ ଦିଲ୍ଲୀରେ ପଢିଲା ବେଳେ ଲିଭଇନ୍ ରିଲେସନ୍ ରେ ଥିଲି।ସେତିକି ବେଳେ ତୋର ଜନ୍ମ।ତୋତେ ଜନ୍ମ ଦେଇ ସେ ଝିଅଟି ବିଦେଶ ଚାଲିଗଲା ପଢିବା ପାଇଁ।ମୁଁ ତୋତେ ମୋ ସହ ଆମ ଘରକୁ ନେଇ ଆସି ମୋ ବାପାଙ୍କୁ ସବୁ କହିଲି। ସମସ୍ତେ ଜାଣିଲେ ମୁଁ ଗୋଟେ ପିଲା ପାଇ ଆଣି ପାଳୁଛି।ଅଂଶୁ ମୋ " ପାଳିତ ପୁତ୍ର "।ପୁର୍ବୀ ସହ ମୋର ମ୍ୟାରେଜ୍ ହୋଇ ଗଲା ପରେ ତାଙ୍କୁ ସବୁ ସତ କଥା କହିଲି । ଅଂଶୁ ମୋ ମୋ ନିଜ ପୁଅ।ତୁମେ ତା ମାମା।

ପୁର୍ବୀ ମୋ ଭୁଲ୍ କୁ ତା ପୁଅ ବୋଲି ହୃଦୟରୁ ଗ୍ରହଣ କଲେ ନାହିଁ।ଯଦିଓ ସମସ୍ତେ ଜାଣିଲେ ତୁ ଆମ "ପାଳିତ ପୁତ୍ର।"।କିନ୍ତୁ ତୁ ମୋରି ରକ୍ତର।

ମୁଁ ଗୋଟେ ଭୁଲ୍ !!

ନା ରେ ଧନ ଭୁଲ୍ ମୁଁ।ତୋ ବାବା ଭୁଲ୍।ଯୌବନରେ ଅନ୍ଧ ହୋଇ ଦେହର ଭୋକ ପାଇଁ ଭୁଲ୍ କରିଥିଲି।ଭାରି ବିପଦଜନକ ଏ ଦେହର ଭୋକରେ ଅଂଶୁ।

ଆଉ ସେ ହୃଦୟ ହିଁନ ଝିଅ ଟା ଯେ ମୋତେ ଜନ୍ମ ଦେଇଥିଲା।ସେ ତ ଚାହିଁଥିଲେ ମୋତେ ଆବର୍ସନ କରି ପାରିଥାନ୍ତେ... କିନ୍ତୁ ଦୁନିଆଁ ଆଲୁଅ ଦେଖାଇ ଛାଡି ଯିବାରେ କି ପୁଣ୍ୟ କଲେ ସେ !

ଅଂଶୁ ! ସେ ଜଣେ ଭଲ ଝିଅ କିନ୍ତୁ କ୍ୟାରିଅର ପ୍ରତି ଅତି ସମ୍ବେଦନଶୀଳ ତଥା ଉଚ୍ଚଭିଲାଷି ଥିଲା । ଆମ ଭୁଲ୍ ପାଇଁ ଜଣେ ଅବୋଧ ଶିଶୁକୁ ହତ୍ୟା କରିବାକୁ ସେ ଚାହିଁଲା ନାହିଁ।ଏଣୁ ସମସ୍ତ ଙ୍କ ଟୀକା ଟିପ୍ପଣୀର ଶିକାର ହୋଇ ମଧ୍ୟ ଅନ୍ ମ୍ୟାରେଡ୍ ଝିଅ ହୋଇ ବି ତୋତେ ଜନ୍ମ ଦେଲା।କଥା ଥିଲା ଜନ୍ମ ହେଲା ପରେ ପିଲାଟିକୁ ମୋତେ ଦେଇ ସେ ଫରେନ୍ ଯିବ ଓ ଆମ ଭିତରେ ଆଉ କିଛି ସମ୍ପର୍କ ରହିବ ନାହିଁ। ତିନି ମାସ ପର୍ଯ୍ୟନ୍ତ ସେ ତୋତେ ତା ବକ୍ଷର ଅମୃତ ପିଆଇ ବଞ୍ଚାଇଛି।ତାପରେ ତାର ଫରେନ୍ ରୁ ପଢିବା ପାଇଁ ଡାକରା ଆସିଲା ଏବଂ ତୋତେ ଓ ମୋତେ ଛାଡ଼ି ସେ ସବୁଦିନ ପାଇଁ ଚାଲିଗଲା । ବନ୍ଧନ ରେ ବାନ୍ଧି ହୋଇ ସେ ତା କ୍ୟାରିଅର ବର୍ବାଦ କରିବାକୁ ଚାହୁଁ ନଥିଲା।

ମୁଁ ବି ସେ ଝିଅଟି ଫରେନ୍ ରୁ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରି ପାରିଲି ନାହିଁ।ସତ କହିବାକୁ ଗଲେ ସେ ଝିଅଟି ଫେରି ଆସି ମୋତେ ମ୍ୟାରେଜ୍ କରିବା ପରି ଝିଅ ନଥିଲା।ଖୁବ୍ ଉଚ୍ଚଭିଳାଷୀ।ସମ୍ପର୍କ ଗୋଟିଏ ମୁହୂର୍ତ୍ତର ବୋଲି ସେ ବିଶ୍ୱାସ କରିବା ଝିଅ ଥିଲା।ଏଣୁ ତାକୁ ଅପେକ୍ଷା କରିବା ମୋ ପାଇଁ ବୋକାମୀ ହେବ ଭାବି ତୋତେ ସମ୍ଭାଳିବା ପାଇଁ ମାମା ଟିଏ ନିହାତି ଦରକାର ଚିନ୍ତା କଲି। ସେତେବେଳେକୁ ତୋତେ ମାତ୍ର ଏକ ବର୍ଷ।ଏଣୁ ବାବା ମୋ ବିବାହ କରେଇ ଦେଲେ ପୁର୍ବୀ ସହ।ତୋ ଜନ୍ମିତ ମା ଏବେ ଫରେନ୍ ପ୍ରେମରେ।

କିଏ ସେ ଝିଅ ବାବା ! ଥରେ ତାଙ୍କୁ ଦେଖନ୍ତି।ମାମା ବୋଲି ଡାକନ୍ତି।

ତୁ ତାକୁ ଭଲ ଭାବେ ଜାଣୁ ଅଂଶୁ।

ବିସ୍ମିତ ହୋଇ କହିଲି ମୁଁ ଜାଣେ ! କିଏ ସେ !!

ତୋ ଆଲଭା ମାମ୍।

ଆଲଭା ମାମ୍ ! ମୋ ମାମା !


Rate this content
Log in

Similar oriya story from Tragedy