Satyabati Swain

Tragedy

4  

Satyabati Swain

Tragedy

ଆକସ୍ମିକ ଦୁର୍ଯ୍ୟୋଗ

ଆକସ୍ମିକ ଦୁର୍ଯ୍ୟୋଗ

5 mins
222


ବିରଳ ବିସ୍ମୟ ଚରିତ୍ରଟିଏ ଭେଟିଲି ମୋ ସାଙ୍ଗ ରିଦିମ୍ ଘରେ । 


ଯିଏ ଜୀବନ୍ତ କି ମୃତ ; ମଣିଷ କି ମାଟି ଗଦା ବୁଝିବା ମୁସ୍କିଲ । ପ୍ରତିକ୍ରିୟାହୀନ । ମନକୁ ମନ କଣ ଗୁଣୁ ଗୁଣୁ ହେଉଥିବେ । ନଖରେ ଗାର କାଟୁଥିବେ ବାରଣ୍ଡା ଉପରେ । ହାତ ଠାରି ଆ ଆ ଡାକୁଥିବେ । ଦି ହାତ ଛାତିରେ ଛକି ପକେଇ କାନ୍ଦିବେ । ଶେଷରେ ରଡି ଛାଡିବେ ସିଏ ……


ବସିଥିବେ ବାରଣ୍ଡାରେ ରାସ୍ତାକୁ ଚାହିଁ । ଯିଏ ଯେତେ ବୁଝାଇଲେ ବି ଘର ଭିତରକୁ ନ ଯାଇ ସକାଳୁ ସଂଜ ଯାଏ ସେଇଠି ବସିଥିବେ । ଘର ଭିତରକୁ ଯିବେ ନାହିଁ । ନିଜ ଖାଇବା ପିଇବା, ଗାଧୋଇବା ପ୍ରତି ବି ତାଙ୍କର ଧ୍ୟାନ ନଥାଏ । କିନ୍ତୁ ମୁଣ୍ଡରୁ ଓଢଣୀ କି ଦେହରୁ ଲୁଗା ଆଦୌ ଖସେନି ତାଙ୍କର । ଦିନ ସାରା ଖୁଣ୍ଟକୁ ଆଉଜି ମନକୁ ମନ କାହା ସହ ଗପି ଗପି ସନ୍ଧ୍ୟା ହେଲେ ଚଉରା ପାଖରେ ଢୋ ଢୋ ମୁଣ୍ଡ ବାଡେଇବେ । ଗାଲକୁ ଚାପୁଡ଼ା କଷି ଦେଉଥିବେ । 


ତାଙ୍କ ଆଖ ପାଖରେ ଲୋକ, ଘର, ଜୀଵ ଜନ୍ତୁ କି ଗହଳ ଅଛି ବୋଲି ସେ ଜାଣି ପାରନ୍ତିନି । କେବଳ ସେ ଓ ତାଙ୍କ ନିଜ ସହ ଓଠ ପାକୁ ପାକୁ କରି କଥା ହେବା ତାଙ୍କ ଦୁନିଆଁ । ତାଙ୍କ ଆଖପାଖରେ ଅନ୍ୟ କାହାର ଉପସ୍ଥିତ ସେ ଅନୁଭବ କରି ପାରନ୍ତିନି । 

ସେଇଠି ଅହରହ ରାସ୍ତାକୁ ନିର୍ମିମେଷ ନୟନରେ ଚାହିଁଥିବେ । ରିଦିମ୍ ଘରେ ଲୋକେ ସେଇଠି ତାଙ୍କୁ ଗାଧୋଇ ଓ ଖୁଆଇ ଦିଅନ୍ତି ଛୋଟ ପିଲା ପରି । 

ରିଦିମ୍ ଘରେ ମୁଁ ଚାରିଦିନ ରହିଲି । ଆମ ଘର ବଲାଙ୍ଗିର ଓ ରିଦିମ୍ ଘର ଜଗତସିଂହପୁର । ଆମେ ଦୁହେଁ ଗୋଟେ ଘର ଭଡା ନେଇ ଲାଇଫ୍ ସାଇନ୍ସରେ ଭୁବନେଶ୍ୱରରେ ପିଜି କରୁଛୁ । ଦୁଇ ତିନି ଦିନ ଛୁଟି ପଡ଼ିଥିବାରୁ ବଲାଙ୍ଗରି ଏତେ ବାଟ ନ ଆସି ରିଦିମ୍ ସାଙ୍ଗରେ ପ୍ରଥମ ଥର ତାଙ୍କ ଘରକୁ ଯାଇଥିଲି । ରିଦିମ୍ ମୋତେ ମାଆ ଶାରଳା ଠାକୁରାଣୀ, ଗୋରେଖ ନାଥ, ଧଳ ତରଂଗଡ଼ ଜଙ୍ଗଲ, ଦାସ କୁଦର ଜଗନ୍ନାଥ, ବନ୍ଦରେଇରେ ଜେଠି ଆଦି ଦର୍ଶନୀୟ ସ୍ଥାନ ବୁଲାଇଥିଲା । 


ତାଙ୍କ ଘରେ ମୋତେ ଗୋଟିଏ କଥା ଆଚମ୍ବିତ କରୁଥିଲା । ସେଇଟି ଥିଲା ରିଦିମର ଜେଜେମାଆ ଆ । ବ୍ୟବହାରରେ କୌଣସି ହିଂସାତ୍ମକ ଆଚରଣ କି ଅସ୍ୱାଭିବିକ ନଥିଲେ ବି ସମସ୍ତେ ତାଙ୍କୁ ପାଗେଳିଟା ବୋଲି କହୁଥିଲେ । ଯାହା ମୋତେ ଆଶ୍ଚର୍ଯ୍ୟ କରିଥିଲା । ଯେଉଁଦିନ ରିଦିମ୍ ଘରେ ପହଞ୍ଚିଲି ପ୍ରଥମେ ଭେଟ ହେଲା ତାର ଜେଜେମାଆ ଆ ସହ । ଖୁଣ୍ଟକୁ ଆଉଜି ବସିଥିଲେ । ଆଖି ମେଲା ଥିଲା । ରିଦିମ୍ ତାଙ୍କ ପାଦଧୂଳି ଆଣିବାରୁ ମୁଁ ନ ଚିହ୍ନିଲେ ବି କେହି ତ ଗୁରୁଜନ ଜଣେ ନିଶ୍ଚୟ ଭାବି ତାଙ୍କ ପାଦ ଧୂଳି ଆଣିଲି । ରିଦିମ୍ ଘର ଲୋକଙ୍କ ପାଇଁ ମୁଁ ସମ୍ପୂର୍ଣ୍ଣ ଅଚିହ୍ନା ଥିଲି । ତା ବାପା ବ୍ୟତୀତ ମୋତେ ଅନ୍ୟ ମାନେ କେହି ଦେଖି ନଥିଲେ । ଅଚିହ୍ନା ପୁଅର ସାଙ୍ଗକୁ ଦେଖିଲେ ଗୁରୁଜନ କିଛି କୁହନ୍ତି । ମାତ୍ର ରିଦିମ୍ ଜେଜେମାଆଙ୍କୁ ପ୍ରଣାମ ହେଲେ ବି ସେ କୌଣସି ପ୍ରତିକ୍ରିୟା ପ୍ରକାଶ ନ କରିବା ମୋ ବିସ୍ମୟର କାରଣ ହୋଇଥିଲା । 


ପ୍ରଥମ ପୁଣି ସବୁଠାରୁ ଗୁରୁଜନ ବ୍ୟକ୍ତିଙ୍କର ଏପରି ବ୍ୟବହାରରୁ ରିଦିମ୍ ଘର ଲୋକେ କିପରି ହୋଇଥିବେ ମୁଁ ଅନୁମାନ ଲଗାଇ ପାରୁଥିଲି । ପୁଅର ସାଙ୍ଗକୁ ଦେଖି ଘର ଲୋକେ ଯଦି ଖୁସି ହେବାର ଜଣା ନ ଯିବ ସେମିତି ବନ୍ଧୁ ଘରକୁ ଯିବା ଆଦୌ ଉଚିତ ନୁହେଁ ବୋଲି ଭାବେ । ଆଦର, ମିଠା କଥା, ସ୍ନେହ ମମତା କି ଭଲ ବ୍ୟବହାର ନ ମିଳିଲେ ସେପରି ବନ୍ଧୁ ଘରକୁ ଯିବା ଏକବାରେ ଭୁଲ୍। 


ମୋର ଏ ଧାରଣା ଘର ଭିତରକୁ ଗଲା ପରେ ସମ୍ପୂର୍ଣ୍ଣ ମିଥ୍ୟାରେ ପରିଣତ ହୋଇ ସାରିଥିଲା । 

କୁହନ୍ତି ଗାଁ ପରିମଳ ଧୋବା ତୁଠରୁ ସୁଦୁ ଭୁଲ୍ । କାହିଁକି ନା ରିଦିମର ଜେଜେ, ଛୋଟ ଭାଇ, ବାପ ମାଆ, ଦାଦା ଓ ଖୁଡି ଅତି ସ୍ନେହୀ ମଣିଷ ଥିଲେ । ସେମାନଙ୍କ ବ୍ୟବହାର ମୋର କେବେଠୁ ଅତି ପରିଚିତ ବ୍ୟକ୍ତିଙ୍କ ପରି ଲାଗୁଥିଲା । ବିଲକୁଲ୍ ଲାଗୁ ନଥିଲା ମୁଁ ପ୍ରଥମ ହୋଇ ରିଦିମ୍ ଘରକୁ ଆସିଛି । ଆମ ଘର ପରି ରିଦିମ୍ ଘର ଲାଗୁଥିଲା । ହେଲେ ବାରଣ୍ଡାରେ ବସିଥିବା ମଣିଷ ଜଣଙ୍କ ବ୍ୟବହାର ଏତେ ନିରବ କାହିଁକି ?


ବେଳେବେଳେ ନିରବତା ଖୁବ୍ ମାରାତ୍ମକ ହୋଇଥାଏ । ନିରବତା ଦେହ ଓ ମସ୍ତିଷ୍କ ପାଇଁ ଲାଭଦାୟୀ । ମାତ୍ର ତା ମାନେ ନୁହେଁ ନିଃଶବ୍ଦ ହୋଇଯିବ ଦୁନିଆଁ । ଭାଷା ହଜିଯିବ ଅଭିମାନ କରି । ଏମିତି ହେଲେ ମଣିଷ ଦୁଇଟା ହେବାର ଚାନ୍ସ ହେବାର ଅଛି । ପ୍ରଥମତଃ ଦେବତା, ଦ୍ୱିତୀୟତଃ ପାଗଳ । ରିଦିମ୍ ଜେଜେମାଆ ଏ ଦୁଇଟାରୁ କେଉଁଟା ବୋଲି ମୋତେ 

ଲାଗୁନଥିଲେ ?


ଖାଇପିଇ ରିଦିମ୍ କହିଲା ଚାଲେ ଟିକେ ଶିମିଳି ଗାଦି ଗୋସେଇଁ ଆଡେ ବୁଲି ଆସିବା । ବିଲ ମଝିରେ ମନ ଖୁସି ହୋଇଯିବା ପରି ଜାଗାଟିଏ । ସେଠି ରବି ବାବା ରୁହନ୍ତି । ବହୁତ ଫୁଲ,ଔଷଧିୟ ଓ ଫଳ ଗଛରେ ଗାଦିଟି ପରିପୂର୍ଣ୍ଣ । ସେଠି କେଉଁ ଆବାହମାନ କାଳରୁ ଗୋଟେ କୂଅ ଅଛି । ସେ କୂଅ ପାଣି ପୁରା ପଇଡ଼ ପରି । ଡାହା ମିଛ କଥା । ପାଣି କୁଆଡେ ପଇଡ଼ ପାଣି ପରି ! ମନେ ମନେ ଭାବିଲି ରିଦିମ୍ ମୋତେ ବୋକା ଭାବିଛି । ଇଆଡୁ ସିଆଡୁ ମନ ଗଢ଼ା କଥା ଗୁଡା କହୁଛି । 


ଦୁଇ ସାଙ୍ଗ ଶିମିଳି ଗାଦିରେ ପହଂଚି ଗଛ ତଳେ ହୋଇଥିବା ଧାଡ଼ି ଧାଡ଼ି ମାର୍ବଲ ବସା ସିମେଣ୍ଟବେଞ୍ଚ ଉପରେ ବସିଲୁ । ରିଦିମ୍ କହିଲା ଖରାଦିନେ ଲୋକେ ଖରା ବେଳେ ଓ ସନ୍ଧ୍ୟା ସମୟରେ ଏଠି ଆସି ବସନ୍ତି । ଉପର ବେଳା ପିଲାମାନେ ଆସି ପଢ଼ନ୍ତି ଓ ଖେଳନ୍ତି । ପଢା କମ୍, ଖେଳ ଓ ଆମ୍ବ ଖାଇବା ଆଶାରେ ଅଧିକ ଆସନ୍ତି । ବାବା ପାଚିଲା ଆମ୍ବ ଗାଦିଙ୍କ ପାଖଗେ ଭୋଗ ଲଗେଇ ରଖିଥିବେ । ଯିଏ ଆସନ୍ତି ସେମାନଙ୍କୁ ଭୋଗ ଦିଅନ୍ତି । ଗଛ ଛାଇ ତଳ ପବନ, କୁଅର ମିଠା ପାଣି, ଭୋଗ ଖାଇବା ଲାଳସା ଓ ଶାନ୍ତ ପରିବେଶ ବୁଢ଼ାଠୁ ପିଲା ସମସ୍ତଙ୍କୁ ଏଠିକୁ ଟାଣି ଆଣେ । 


ସତରେ ରିଦିମ୍ ଯାହା ଯାହା ଗାଦିଙ୍କ ବିଷୟରେ ଯାହା କହିଥିଲା ସବୁ ସତ । ବେଶୀ ଚମତ୍କୃତ କଲା ସେଠିକାର କୂଅ ପାଣି । ଘରେ ବାରଣ୍ଡା ବସା ଜେଜେମାଆ ବିଷୟରେ ପଚାରିବାର ସୁଯୋଗ ପାଇ ନଥିଲି । କଥାବାର୍ତ୍ତା ହେବା ମଉକାରେ ପଚାରି ଦେଲିଜେଜେମାଆଙ୍କ ବିଷୟରେ । 


ରିଦିମ୍ ତୋ ଜେଜେମାଆ କଣ ମୁକ ! ନା ମୁଣ୍ଡ ଟିକେ ଖରାପ ଅଛି !


ନା ସେ ମୁକ ନା ସେ ପାଗଳ । ଅବସ୍ଥା ଚକ୍ରରେ ପଡି ସେ ପଥର ହୋଇ ଯାଇଛନ୍ତି । ସେ ନିଜେ ବଞ୍ଚିଛନ୍ତି କି ମରିଛନ୍ତି ଜାଣି ପାରନ୍ତିନି । 


ମାନେ !!


ମୋ ଜେଜେମାଆ ଏ ଖଣ୍ଡ ମଣ୍ଡଳର ସବୁଠୁ ପାଠୁଆ ଓ ସୁନ୍ଦରୀ ବୋହୁ ଥିଲେ । ଜେଜେ ପରା ତାଙ୍କୁ ଲବ୍ ମ୍ୟାରେଜ୍ କରିଥିଲେ !


ସତେ ! ଜେଜେ ତାହେଲେ ଖୁବ୍ ରୋମାଣ୍ଟିକ ଥିଲେ ତ !


ହଁ ରାଧାକୃଷ୍ଣଙ୍କ ପରି ଦୁହିଁଙ୍କ ଭିତରେ ପ୍ରେମ । କ୍ଷଣେ ଜଣେ ଅନ୍ୟ ଜଣଙ୍କୁ ଛାଡି ରହି ପାରନ୍ତି ନାହିଁ । ଏବେ ଜେଜେମାଆ ଜେଜେଙ୍କ ଉପସ୍ଥିତକୁ ବି ଅନୁଭବ କରି ପାରନ୍ତିନି କି ପଦେ କଥା ହୁଅନ୍ତିନି । ଜାଣିଛୁ ମନୋଜ! ଜେଜେ ସେତେବେଳେ ଜଣେ ଲେକ୍ଚର ଥିଲେ । ତା ସହ ଜମିଜମା ଗୁଡ଼େ ଅଛି । ଏଣୁ ଜେଜେଙ୍କ ଭାରି ଖାତିରି । କେତେ ଝିଅର ବାପ ଖୁବ୍ ଯାନିଯୌତୁକ ଦେଇ ଜ୍ୱାଇଁ କରିବାକୁ ଧାଡ଼ି ଲଗେଇଥିଲେ । କିନ୍ତୁ ମୋ ରସିକିଆ ଜେଜେ ମୋ ଜେଜେମାଆଙ୍କୁ ତାଙ୍କରି କଲେଜ ସେଣ୍ଟରରେ ଏକାଦଶ ପରୀକ୍ଷା ଦେଲା ବେଳେ ଦେଖି ପୁରା ରସି ଯାଇଥିଲେ । ନାଁ, ଗାଁ ସେଇଠୁ ବୁଝି ନେଇଥିଲେ ଜେଜେମାଆଙ୍କ ଠାରୁ । ତାପରେ ତ ସେଇଠି ବାହା ହେବି ଅଡ଼ି ବସିଲେ ଆଉ । 


ଓଃ ଏମିତି କଥା । କିନ୍ତୁ ଜେଜେମାଆ ଙ୍କ ଏପରି ଅବସ୍ଥା ହେଲା କେମିତି !


ଦିନକର କଥା । ମୋ ଦାଦାଙ୍କ ଶଳା ବାହାଘର ହେଉଥାଏ । ଆମେ ସପରିବାର ଖୁଡିଙ୍କ ବାପଘରକୁ ଭୋଜି ଖାଇବାକୁ ଯାଇଥାଉ । ଜେଜେମାଆ ଭାରି ରକ୍ଷଣଶୀଳ । ସେ କୁଆଡେ ବନ୍ଧୁବାନ୍ଧବ ଘର ଯାଏନି । ଦାଦାଙ୍କର ଶତାବ୍ଦୀ; ସିତୁ ନାମରେ ଏକମାତ୍ର ଝିଅଟିଏ ଥିଲା । ଆମ ଦାଦା ଓ ବାପାଙ୍କର ଆମେ ଦୁଇ ଭାଇ ଓ ସେ ଆମ ଏକମାତ୍ର ଗେହ୍ଲା ଭଉଣୀ । ଡିଟୋ ଜେଜେମାଆଙ୍କ ପରି ଦେଖିବାକୁ । ଗୋଟେ ଝିଅ ବୋଲି ଭାରି ଗେହ୍ଲୀ । ଜେଜେମାଆକୁ ସେ ଘଡ଼ିଏ ଛାଡେନି । ଆମେ ସମସ୍ତେ ସିତୁ ମାମୁଁ ଘର ବାହାଘର ଭୋଜି ଖାଇବାକୁ ଗଲେ ବି ସିତୁ ଜେଜେମାଆକୁ ଛାଡି ଗଲାନି । 


ଆମ ଘର କାମ ଓ ଜମିଜମା ବୁଝୁଥିବା କୋଠିଆ ବିନ ଦାଦା, ସୁମୀ ଖୁଡି, ଜେଜେମାଆ ଓ ସିତୁ ଘରେ ରହିଲେ । ସିତୁକୁ ଚାରିବର୍ଷ । ଅହରହ ଦୌଡୁଥିବ । ବଲ୍ ଗଡେଇ ଖେଳିବାକୁ ସେ ଭାରି ଭଲ ପାଏ । ବଲ୍ ଗଡେଇ ଗଡେଇ ସେ ଦୌଡୁଥିବ, ତା ପଛେ ପଛେ ଜେଜେମାଆ । ସବୁ ଦିନେ ସେମାନେ ଏମିତି ଖେଳନ୍ତି । ଆମେ ସମସ୍ତେ ସକାଳୁ ସକାଳୁ ଖୁଡିଙ୍କ ବାପ ଘରକୁ ଚାଲି ଯାଇଥିଲୁ । ଉପରବେଳା ସିତୁ ଓ ଜେଜେମାଆ ବଲ୍ ଗଡା ଗଡି ସବୁଦିନ ପରି ଖେଳୁଥିଲେ । 


ସେଦିନ ବଲ୍ ଗଡାଇ ଗଡାଇ ସିତୁ ରାସ୍ତାକୁ ଜୋରେ ଦୌଡ଼ିଗଲା । ତା ପଛେ ପଛେ ଜେଜେମାଆ । ହଠାତ୍ ଏକ ନାଲି କାର ତେଣୁ ଦ୍ରୁତ ଗତିରେ ଆସି ସିତୁ ଉପରେ ମାଡି ଗଲା । ଜେଜେମାଆ ମୋ ସିତୁ ମୋ ସିତୁ କହି କାର ସାଇଡ଼ରେ ବାଡେଇ ହୋଇ ବେହୋସ୍ ହୋଇ ଗଲେ । ତିନି ଚାରିଦିନ ପରେ ହସ୍ପିଟାଲରେ ଜେଜେମାଆ ଆଖି ଖୋଲି ଖାଲି ସି ସି ହେଲେ । କିନ୍ତୁ ସିତୁ କଣ ଥିଲା ! ସେତେବେଳେକୁ ସିତୁ ମଣିଷ ଛୁଆରୁ ଫଟୋ ହୋଇ ଯାଇଥିଲା । 


 ଏବଂ ସେଇ ଅତି ଦୁଃଖଦ ଆକସ୍ମିକ ଦୁର୍ଯୋଗ ପରଠୁ ମୋ ଜେଜେମାଆ ଏମିତିମୁକ ଓ ପ୍ରତିକ୍ରିୟାହୀନ ।



Rate this content
Log in

Similar oriya story from Tragedy