ଆଜିର ଗାନ୍ଧୀବାଦୀ
ଆଜିର ଗାନ୍ଧୀବାଦୀ
ଆମ ଗାଁ ପାଖରେ ଥିବା ଛୋଟିଆ ବଜାରର ମଧ୍ୟସ୍ଥଳରେ କାହିଁ କେଉଁ କାଳରୁ ସ୍ଥାପିତ ହୋଇଥିବା ଥିବା ଆବକ୍ଷ ପ୍ରତିମୂର୍ତ୍ତିରେ ମୁଁ ଦେଖିଛି ମହାତ୍ମା ଗାନ୍ଧୀଙ୍କୁ ମୋର ହେତୁ ହେବା ଦିନଠାରୁ। ଏହିଠାରୁ ହିଁ ମୋର ଗାନ୍ଧିଜୀଙ୍କ ସହ ପ୍ରଥମ ସାକ୍ଷାତ, ପରେ ପରିଚୟ। ଜେଜେଙ୍କ ଠାରୁ ଶୁଣିବାକୁ ମିଳେ ଯେ, ଦେଶ ସ୍ବାଧୀନ ହେବାର କିଛି ବର୍ଷ ପରେ ଆମ ଅଞ୍ଚଳର ଜଣେ ସ୍ବାଧୀନତା ସଂଗ୍ରାମୀଙ୍କ ଦ୍ବାରା ଆଖାପାଖର ଲୋକମାନଙ୍କ ଠାରୁ ଶ୍ରଦ୍ଧାର ସହିତ ଚାନ୍ଦା ଆଦାୟ କରି ସ୍ଥାପନ କରାଯାଇଥିଲା ଏହି ପ୍ରତିମୂର୍ତ୍ତିଟି।
ସଭିଙ୍କ ପାଇଁ ଏହି ସ୍ଥାନ ଗାନ୍ଧୀ ମଣ୍ଡପ ଭାବେ ପରିଚିତ। ସେତେବେଳେ କିନ୍ତୁ କିଛି ବି ଜାଣି ନ ଥିଲି ତାଙ୍କର ବ୍ଯକ୍ତିତ୍ବର ମହାନତା ଏବଂ ଚମତ୍କାରିତା ବାବଦରେ। ଯେବେ ଅକ୍ଷର ଚିହ୍ନିବା ସହ ବହି ପଢିବା ଆରମ୍ଭ କଲି ସେବେଠୁ ଜାଣିବାକୁ ପାଇଲି ବାଲିହାଟର ମଧ୍ଯଭାଗରେ ଥିବା ପ୍ରତିମୂର୍ତ୍ତି କେବଳ ଏକ ମହାମାନବର ପ୍ରତିକୃତି ନୁହେଁ ବରଂ ଦେବତାଙ୍କ ମୂର୍ତ୍ତି। ଯାହାଙ୍କ ପାଇଁ ପ୍ରସଂଶା କିମ୍ବା ନିନ୍ଦା କୌଣସି ବିଶେଷ ପ୍ରାସଙ୍ଗିକତା ଥିବା ମନେ ହୁଏ ନାହିଁ। ସମସ୍ତ ଆଲୋଚନା ଏବଂ ସମାଲୋଚନାର ଉର୍ଦ୍ଧ୍ବରେ ତାଙ୍କର ଅମଳିନ ବ୍ୟକ୍ତିତ୍ବ।
ଆଖପାଖର ନୀରିହ ଖଟିଖିଆ ମଜୁରିଆ ମେହନତି ଲୋକମାନେ ସେହି ବାଟରେ ଯିବା ଆସିବା କରିବା ସମୟରେ ସେହି ପ୍ରତିମୂର୍ତ୍ତି ପାଖରେ ଦଣ୍ଡେ ରହି ଯାଆନ୍ତି ସ୍ବତଃ ପ୍ରବୃତ୍ତ ଭାବେ। ଯୋଡ଼ ହସ୍ତ ହୋଇ ମଥାନତ କରି ସାଷ୍ଟାଙ୍ଗ ପ୍ରଣିପାତ ହୁଅନ୍ତି, ଭକ୍ତିପୂତ ଅଭିବାଦନ ଜଣାନ୍ତି। ଯିଏ ଅଗଣିତ ବିଶ୍ବବାସୀଙ୍କ ପାଇଁ ଚିର ନମସ୍ଯ, ଅଗଣିତ ମଣିଷମାନଙ୍କ ପାଇଁ ପ୍ରେରଣାର ଉତ୍ସ, ଆମ ଲୋକଙ୍କ ପାଇଁ ନିଃସନ୍ଦେହରେ ଦେବତା ତୁଲ୍ୟ। ଗାନ୍ଧୀ ମଣ୍ଡପ ଆମ ଇଲାକାର ଏକ ପୁଣ୍ଯ ସ୍ଥଳୀ, ଏଥିରେ କାହାରି ଦ୍ବିମତ ନାହିଁ।
ଅଗଷ୍ଟ ପନ୍ଦର, ଜାନୁଆରୀ ଛବିଶି, ଅକ୍ଟୋବର ଦୁଇ ପରି ବିଶେଷ ତିଥିମାନଙ୍କରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭଲ ଭାବରେ ପରିଷ୍କାର କରାଯାଇ ପୁଷ୍ପମାଲ୍ଯ ଅର୍ପଣ କରାଯାଏ ସରକାରୀ ସ୍ତରରେ ଗ୍ରାମ ପଞ୍ଚାୟତର କର୍ମକର୍ତ୍ତାମାନଙ୍କ ଦ୍ବାରା। ଅନ୍ଯାନ୍ଯ ଦିନମାନଙ୍କରେ ଖରା ବର୍ଷା ଶୀତ କାକର ସହି ଧୂଳି ଧୂସରିତ ହୋଇ ସହାସ୍ଯ ଦଣ୍ଡାୟମାନ ହୋଇ ରହିଥାଏ ଗାନ୍ଧୀ ମହାତ୍ମାଙ୍କ ଆବକ୍ଷ ପ୍ରତିମୂର୍ତ୍ତି ବିନା କୌଣସି ପ୍ରତିବାଦ ଅବା ପ୍ରତିକ୍ରିୟାରେ ଏକବାରକେ ତାଙ୍କର ଉତ୍ତୁଙ୍ଗ ବ୍ଯକ୍ତିତ୍ବ ପରି ଉଦାତ୍ତ ଚିତ୍ତରେ।
ଗାଁ ସ୍କୁଲରେ ପଢିବା ବେଳେ ପ୍ରତି ବର୍ଷ ଅଗଷ୍ଟ ପନ୍ଦର ତାରିଖ ଦିନ ସକାଳୁ ସକାଳୁ ପ୍ରଭାତ ଫେରିରେ ହାତରେ ତ୍ରିରଙ୍ଗା ପତାକା ଧରି ଦେଶାତ୍ମବୋଧକ ସଙ୍ଗୀତ ଗାଇ ଗାଇ ଗଗନ ପବନ ପ୍ରକମ୍ପିତ କରି ଆମେ ସବୁ କୁନି କୁନି ପିଲାମାନେ ଆସି ଏଇ ଗାନ୍ଧୀ ମଣ୍ଡପରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ପାଖରେ ଏକତ୍ରୀତ ହୋଇ ଦେଶ ଗଠନ କରିବାକୁ ଦୃଢ଼ ସଂକଳ୍ପ ନେଉଥିଲୁ। ସ୍ବାଧୀନତା ଦିବସରେ ବଣ୍ଟନ କରାଯାଉଥିବା ଲଡୁ ଖାଇ ସ୍ବାଧୀନ ହେବାର ସ୍ବାଦ ଆସ୍ବାଦନ କରୁଥିଲୁ। ଗାନ୍ଧୀ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଶପଥ ନେଉଥିଲୁ। ଦେଶ ପାଇଁ ଜୀବନ ସମର୍ପଣ କରିବା ପାଇଁ ଇଚ୍ଛା ଜାଗି ଉଠୁଥିଲା ସ୍ବତଃ ମନରେ।
ଆଜି ବି ସେଇ ପିଲା ଦିନର କଥା ମନେ ପଡ଼ିଗଲେ ମନ ପ୍ରାଣରେ ଖେଳି ଯାଏ ଶିହରଣ। ଉଦବେଳନ ତୀବ୍ରତର ହୋଇ ଝରି ପଡେ ଆଖିରୁ ଅବାରିତ ଲୁହ ଧାର। କେତେ ପାଇଛୁ କେତେ ହରେଇଛୁ ତାହାର ହିସାବ ରଖିବାକୁ କାହାକୁ ତର ସହୁନି ଆଜି। ସମୟର ସୁଅରେ ବଦଳି ଯାଏ ସବୁ କିଛି। ପରିବର୍ତ୍ତନ ହିଁ ସୃଷ୍ଟିର ଅପରିବର୍ତ୍ତନୀୟ ନିୟମ। ଆମେ କେହି ବି ଏହାର ବ୍ଯତିକ୍ରମ ନୁହଁନ୍ତି। ପରିସ୍ଥିତିରେ ପଡି ଆମେ ବଦଳି ଯାଇଛୁ, ଗାଁକୁ ଭୁଲି ଯାଇଛୁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଗାଁ ଯେମିତି ଥିଲା, ଯେଉଁଠି ଥିଲା ସେମିତି ସେଇଠି ଅଛି। ଅବଶ୍ୟ ଢେର୍ ଅଗ୍ରଗତି କରିଛି ବିଭିନ୍ନ କ୍ଷେତ୍ରରେ।
ପଙ୍କ କାଦୁଅ ଭରା ସଡ଼କ ଆଜି ପକ୍କା ହୋଇ ଯାଇଛି, ବିଜୁଳି ଆଲୁଅରେ ଝଲସି ଉଠୁଛି ଗାଁଟା ସାରା। ସ୍ଵଜଳ ଧାରା ବହୁଛି ସଭିଙ୍କ ଘରକୁ, ସ୍ୱାସ୍ଥ୍ୟ ପରିମଳ ବ୍ୟବସ୍ଥା ଢେର୍ ଆଗେଇଛି। କୃଷି ଓ କୃଷକର ବି ଉନ୍ନତି ହୋଇଛି। ଗ୍ରାମ୍ୟ ଜୀବନର ସର୍ବାଙ୍ଗୀନ ବିକାଶ ସାଧିତ ହୋଇଛି ଏଇ କିଛି ଦଶନ୍ଧି ମଧ୍ୟରେ। ଆଜି ଗାଁର ବିକାଶ ନକ୍ସା ଦେଖି ଲାଗେ ଯେମିତିକି ଗାନ୍ଧୀଜୀଙ୍କ ସ୍ବପ୍ନ ସାକାର ରୂପ ନେଇଛି ଅନ୍ତତଃପକ୍ଷେ ଗ୍ରାମ୍ଯ ସ୍ବରାଜକୁ ନେଇ। ମନ କୁଣ୍ଢେ ମୋଟ ହୋଇ ଯାଏ। ଖୁସିରେ ଗଦଗଦ ହୋଇଯାଏ ଏସବୁ କଥା ଦେଖି। ଯଦିଓ ଆଜିକାଲି ଆଉ ଗାଁରେ ରହି ହୁଏ ନାହିଁ ବେଶୀ ସମୟ କିନ୍ତୁ ମୁଁ ଗାଁ ବିଷୟରେ ବରାବର ଖବର ରଖେ ସାଙ୍ଗସାଥିମାନଙ୍କ ଠାରୁ।
ଦିନେ ମୋର ବାଲ୍ୟ ବନ୍ଧୁ ଅମ୍ରିତ୍ ଫେସବୁକରେ ଗୋଟିଏ ଆନ୍ଦୋଳନର ଚଳଛବି ଲାଇଭ୍ ପୋଷ୍ଟ୍ କରିଥିବାର ଦେଖିବାକୁ ପାଇଲି। ତୁରନ୍ତ ତାକୁ ଫୋନ୍ କରି ଏହି ବିଷୟରେ ଜିଜ୍ଞାସା କରିବାରୁ ଶୁଣିବାକୁ ପାଇଲି ଯେ, କେହି ଜଣେ ଦୁବୃର୍ତ୍ତ ଗାନ୍ଧୀମଣ୍ଡପରେ ସ୍ଥାପିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଗତକାଲି ରାତିରେ ଭାଙ୍ଗି ଦେଇଛି। ସେଥିପାଇଁ ସମବେତ ଜନତା ଶାନ୍ତିପୂର୍ଣ୍ଣ ଧାରଣାରେ ବିଡିଓଙ୍କ ଅଫିସ୍ ସମ୍ମୁଖରେ ଧାରଣାରେ ବସିଛନ୍ତି। ଦୋଷୀକୁ ତୁରନ୍ତ ଗିରଫ କରାଯାଇ ଦଣ୍ଡ ଦିଆଯିବା ସହିତ ନୂତନ ପ୍ରତ୍ତିମୂର୍ତ୍ତି ସ୍ଥାପନା ନହେବା ଯାଏଁ ଆନ୍ଦୋଳନରୁ ନହଟିବା ପାଇଁ ପଣ କରିଛନ୍ତି ଲୋକେ।
ମନଟା ମୋର କ୍ଷୋଭରେ ଭରିଗଲା। ମନେ ମନେ ଭାବିଲି ଶେଷରେ ଏମିତି କେଉଁ ପରିସ୍ଥିତି ଉପୁଜିଲା ଯେ, ଯେଉଁ ପ୍ରତିମୂର୍ତ୍ତିକୁ ଲୋକେ ଦେବତା ମଣି ପୂଜା କରୁଥିଲେ ତାହାକୁ କିଏ ଅବା ଭାଙ୍ଗି ପକାଇବ? କାହାର ବା ହାତ ଗଲା? ତା'ର ବିବେକ କଣ ଟିକିଏ ବି ବାଧା ଦେଲା ନାହିଁ? ସ୍ଥାନୀୟ ପ୍ରଶାସନର ଦୃଢ଼ ପ୍ରତିଶ୍ରୁତି ପରେ ଆନ୍ଦୋଳନ ହଟିଲା। ଘଟଣାଟିର ଗୁରୁତ୍ବକୁ ଉପଲବ୍ଧି କରି ପୋଲିସ୍ ନିଜ ଆଡୁ ମାମଲା ରୁଜୁ କଲା। ତାହାର ଚିରାଚରିତ ଢଙ୍ଗରେ ତଦନ୍ତ ଜାରି ରଖିଲା ଏହି ମାମଲାରେ।
ଗାଁ ଲୋକେ ଟୁପୁରୁଟାପର ହେଉଥିଲେ କି କେହି ଜଣେ ନିଶାସକ୍ତ ଅବସ୍ଥାରେ ଏପରି କାଣ୍ଡ ଭିଆଇଛି ବୋଲି। ଏହା ଅମୂଳକ ବି ନଥିଲା। ବଜାର ପାଖରେ ଥିବା ସରକାରୀ ସ୍ବୀକୃତି ପ୍ରାପ୍ତ ଠିପି ବନ୍ଦ ବିଦେଶୀ ମଦ ଦୋକାନରେ ଦିବାନିଶି ଭିଡ଼ ପରିଲକ୍ଷିତ ହୁଏ। ଏପରିକି କିଛି ଉଦଭ୍ରାନ୍ତ ଯୁବକ ଗାନ୍ଧୀମଣ୍ଡପରେ ରାତିରେ ମଦ୍ୟପାନ କରିବାର ଦୃଷ୍ଟି ଗୋଚର ହୋଇଥିଲା। ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ଆପୋଷ ସମାଧାନ ହୋଇଥିଲା। କିନ୍ତୁ ସେହି ଉଦଭ୍ରାନ୍ତ ଯୁବକମାନେ ଯେ ଏହି କାଣ୍ଡ ଘଟାଇଥିବେ, ସେଥିନେଇ କାହା ପାଖରେ କିଛି ବି ପ୍ରମାଣ ନଥିଲା।
ସ୍ଥାନୀୟ ପ୍ରଶାସନ ବିଫଳ ହୋଇଥିଲା ଦୋଷୀକୁ ଗିରଫ କରି ଆଇନର ଜିମା ଦେବା ପାଇଁ। ଦିନକୁ ଦିନ ବଢିବାରେ ଲାଗିଥିଲା ଜନ ଅସନ୍ତୋଷ। ଧାରଣା, ରାସ୍ତାରୋକ ଏମିତି ନିୟମିତ ବ୍ୟବଧାନରେ ଅନୁଷ୍ଠିତ ହେଉଥିଲା। କିନ୍ତୁ ଅପରାଧୀ ଆଇନର ଜାଲରୁ ବହୁ ଦୂରରେ କେଉଁଠି ଲୁଚି ରହିଥିଲା ଅଥବା ସ୍ପଷ୍ଟ ଦିବାଲୋକରେ ଘୁରି ବୁଲୁଥିଲା। ଏହି ପ୍ରକରଣରେ ସୃଷ୍ଟି ହୋଇଥିବା ଜନ ଆକ୍ରୋଶକୁ ସଫଳତାର ସହିତ ମୁକାବିଲା କରିବା ପାଇଁ ଗାନ୍ଧୀମଣ୍ଡପରେ ପୁନର୍ବାର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରିବାର ନୀତିଗତ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ସର୍ବସାଧାରଣରେ ଘୋଷଣା କରାଗଲା।
ଗାନ୍ଧୀ ଜୟନ୍ତୀର ପାବନ ମୁହୁର୍ତ୍ତରେ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଲୋକାର୍ପିତ ହେବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହେଲା। ଗାଁ ଗଣ୍ଡାରେ ଡାକବାଜି ଯନ୍ତ୍ର ବ୍ୟବହାର କରି ଏହି ବିଷୟରେ ପ୍ରଚାର କରାଗଲା। ଅକ୍ଟୋବର ମାସ ଦୁଇ ତାରିଖ ଦିନ ସକାଳେ ବାଲିହାଟ ବଜାରରେ ଅସମ୍ଭବ ଜନଗହଳି। ସରକାରୀ ଛୁଟି ଥିବାରୁ ମୁଁ ମଧ୍ଯ ଗାଁକୁ ଯାଇଥାଏ ଏହି ଉତ୍ସବର ମୁକସାକ୍ଷୀ ରହିବା ପାଇଁ। ଉତ୍ସବସ୍ଥଳରେ ଯାହା ଦେଖିଲି ମୋର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବରେ ମଞ୍ଚାସୀନ ଅତିଥିବୃନ୍ଦଙ୍କ ମଧ୍ୟଭାଗରେ ଉପବେଶନ କରିଥାନ୍ତି ଆମ ଅଞ୍ଚଳର ବିଶିଷ୍ଟ ବ୍ଯବସାୟୀ ଗୋରାଚାନ୍ଦ ଗନ୍ତାୟତ। ଡାକବାଜିରେ ଘନ ଘନ ପ୍ରଚାରିତ ହେଉଥାଏ କାଳେ ଗୋରାଚାନ୍ଦ ବାବୁ ଗାନ୍ଧିଜୀଙ୍କ ନୂତନ ପ୍ରତ୍ତିମୂର୍ତ୍ତି ସ୍ଥାପନା ନିମନ୍ତେ ସମସ୍ତ ଖର୍ଚ୍ଚ ବହନ କରିଛନ୍ତି ବୋଲି। ଉନ୍ମୋଚନ ଫଳକରେ ତାଙ୍କର ନାମ ବିଶେଷ ଯତ୍ନର ସହିତ ଖୋଦିତ ହୋଇଥାଏ।
କହିବା ନିଷ୍ପ୍ରୟୋଜନ ବିଶିଷ୍ଟ ବ୍ଯବସାୟୀ ରୂପେ ପରିଚିତ ଗୋରାଚାନ୍ଦ ଗନ୍ତାୟତ ମହୋଦୟ ହେଉଛନ୍ତି "ନିଖିଳ ଓଡ଼ିଶା ଠିପି ବନ୍ଦ ବିଦେଶୀ ମଦ ଦୋକାନ ବ୍ଯବସାୟୀ ସଂଘ"ର ଅବୈତନିକ ସାଧାରଣ ସମ୍ପାଦକ। ଯେଉଁ ଗାନ୍ଧୀ ମହାତ୍ମା ସାରାଜୀବନ ସମାଜରୁ ନିଶା ନିବାରଣ ନିମନ୍ତେ ଲଢିଥିଲେ ଆଜି ତାଙ୍କର ପ୍ରତିମୂର୍ତ୍ତି ନିଶା କାରବାର ସହ ଜଡିତ ଲୋକଙ୍କ ଦ୍ୱାରା ସ୍ଥାପିତ ହେଉଛି। ଏହା ଠାରୁ ବଳି ଦୁର୍ଭାଗ୍ଯଜନକ କଥା ଆଉ କଣ ଥାଇପାରେ? ମନକୁ ମନ ମୁଁ ଭାଳି ହେଉଥିଲି ଯାହା। ସର୍ବସାଧାରଣରେ ପ୍ରକାଶ କରିବା ପାଇଁ ମୋର ସାହାସ କି ସାମର୍ଥ୍ୟ ନଥିଲା।
ନିଜସ୍ବ ପାଣ୍ଠିରୁ ନୂତନ ଗାନ୍ଧୀ ମୂର୍ତ୍ତି ନିର୍ମାଣ କରି ଗନ୍ତାୟତ ମହାଶୟ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଥିଲେ। ପ୍ରଥମତଃ ଅଞ୍ଚଳବାସୀଙ୍କ ମନରେ ବିଶ୍ୱାସ ଜନ୍ମାଇ ନିଜର ରାଜନୈତିକ ଜୀବନର ଦୃଢ଼ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଆଗାମୀ ବିଧାନସଭା ନିର୍ବାଚନରେ ବିଧାୟକ ପ୍ରାର୍ଥୀ ଭାବେ ନିଜକୁ ପ୍ରତିଷ୍ଠିତ କରେଇଥିଲେ। ଦ୍ବିତୀୟତଃ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ଭଙ୍ଗା ମାମଲାର ପ୍ରକୃତ ଅପରାଧୀକୁ ସୁରକ୍ଷା ଦେବାକୁ ସକ୍ଷମ ହୋଇଥିଲେ। ସ୍ଵଳ୍ପ ସ୍ମରଣ ଶକ୍ତି ସମ୍ପନ୍ନ ଜନସାଧାରଣ ପୂର୍ବ ଘଟଣାବଳୀକୁ ଭୁଲିଯାଇଥିଲେ। ଗନ୍ତାୟତ ବାବୁଙ୍କ ଭାବମୂର୍ତ୍ତି ନୂତନ ଭାବେ ସ୍ଥାପିତ ଗାନ୍ଧୀଙ୍କ ମୂର୍ତ୍ତି ସହିତ ସମଭାବରେ ଚମକୁଥିଲା।
