ଆଧୁନିକତା
ଆଧୁନିକତା




କିରେ ବୁବୁ କଣ ଲୁଚେଇକି ପଢ଼ୁଛୁ ?
କାଇଁ ..... ମୋ ଅନ୍ ଲାଇନ୍ ପଢା ବା।
ଦେଖି କେମିତିକା ପଢା ।
ଓ ତୁମେ ବୁଢା ଲୋକ ହେଲଣି; ଆମ ଅନ୍ ଲାଇନ୍ ପଢ଼ାରୁ କଣ ଜାଣି ବ!
ତୁ ଦେଖା ତ ଆଗ।
ନାଇଁ ଦେବି ନାଇଁ ଯାଅ।
ହେ ଟୋକା ଡାକିବି ତୋ ବାପାକୁ।
ଡାକୁନ କିଏ ଡରିଛି !
ଆରେ ଅ....
ହେ ଜେଜେ ରୁହ ରୁହ; କାଇଁକି ସେ ଟିଙ୍ଗା ଅମୀୟକୁ ଡାକୁଛ କହିଲ? ଗୁଡାଏ ଗେଜେରେ ଗେଜେରେ ହେବେ।
ଏ ମେଞ୍ଚଡ ,ମୋ ପୁଅ ନାଁ ଧରି ଡାକୁଛୁ ?
ଉଁ ତୁମକୁ କହିଲି ନା, ତୁମେ ଦେଖିଛ ମୁଁ କଣ ଅମୀୟ ଡାକେ, ବାବା ଡାକେ ନା।
ପୁଣି ନାଁ ଧଇଲୁ?
ମୋ ବାବା ନାଁ କଣ ଯିଏ ପଚାରନ୍ତି ମୁଁ ତ ଅମୀୟ ସାହୁ କୁହେ। ନାଁ ନ ଧରିଲେ କହିବି କେମିତି?
ମୋ ପୁଅର ପୁଅ ବଚା ତୁ।ଭାରି ହୁସିଆରୀ ଦେଖେଉଛୁ?ଦେଖା କଣ ପଢୁଥିଲୁ?
ଜେଜେ ମ ଗୋଟେ ଗୋଟେ ଫିଲ୍ମ ଦେଖୁଥିଲି।ମା ପଚାରିଲେ କହିବ ମୁଁ ଅନ୍ ଲାଇନ୍ କ୍ଲାସ୍ କରୁଥିଲି।
ତ ଭଲ କଥା! ଲୁଚାଉଛୁ କାହିଁକି ? ସବୁ ବେଳେ ପଢୁଥିବ? ମଜା ମସ୍ତି ଟିକେ କରିବ ନା।
ହଁ ଯେ ଏଇଟା ଗୋଟେ ଅଶ୍ଳୀଳ ଫିଲ୍ମ।
ଓହୋ, ଅଶ୍ଳୀଳ; ଅଶ୍ଳୀଳ ମାନେ?
ମାନେ ସେକ୍ସ ଅଛି।
ସେକ୍ସ ଅଛି ? ସେଇଟା କଣ ?
ଓଃ ବୁଢା ଟା ଆଜି ମାଇଲା।ହେଇ ଦେଖ।
ଏ ହେ କି ଅସନା ଛବି।ହଇରେ ଏଇ ଲଙ୍ଗୁଳି ଟୋକା ଟୋକିଙ୍କ ଚଢା ମଡା ଦେଖୁଛୁ।
ବାପା ମୁଣ୍ଡ ଝାଳ ତୁଣ୍ଡରେ ମାରି ପୁଅକୁ ଲ୍ୟାପ ଟପ୍ ଦେଇଛି, କଣ ନା ପୁଅ ପାଢ଼ ପଢିବ।ଏଣେ ପୁଅ ଲଙ୍ଗୁଳି ଦେଖୁଛି।ଛିଃ ଛିଃ ତୋ ବୟସ କେତେ କହିଲୁ?
ଜଷ୍ଟ୍ ଫୋର୍ଟିନ୍।
ଘୁଅ ଛାଡ଼ିଲାଣି ତୋ ଗାଣ୍ଡିରୁ ? ଅଶ୍ଳୀଳ ଫିଲ୍ମ ଦେଖିଲୁଣି!
ମୁଣ୍ଡରେ ହାତ ଦେଇ ବସି ପଡିଲେ ବଂଶୀଧର ବାବୁ।
କି ସମୟ ଆସିଲା କେଜାଣି; ପଇସା ଲୋଭରେ ବାପା ମା ଚାକିରୀ କଲେ।ପିଲା ସମ୍ଭାଳିଲା ଆୟା।ରୋଷେଇ କଲା ରୋଷେଇଆ।ଘର କାମ କଲା କାମ ବାଲି।
ଏବେ ଗୋଟେ କଣ ହୋଇଛି ଯେ ସମୟ କାହା ପାଖେ ନାହିଁ କଥା ହେବାକୁ।ଖାଲି ନିର୍ଜୀବ ଅକ୍ଷର ମଧ୍ୟରେ ମେସେଜେ।ରାସ୍ତା,ଘାଟ, ଗାଡି ଘୋଡ଼ା ଯେଉଁଠି ଦେଖ ଫୋନ୍ ଟିପି ଟିପି ନଲେ ଗପି ଗପି ଯା ଆସ।ଧକ୍କା ବି ଢେର ଏ ପାଇଁ। ରାତି ଦିନ ଲାଗିଛି ମଣିଷ ଯନ୍ତ୍ର ସାଙ୍ଗେ।ଅଫିସ୍ କାମ ବି ଘରକୁ ଆଣୁଛି।ଏଇ ରୋଜଗାର କରି ଭଲ ଚଳିବା ନିଶା ସବୁରି ହସ ଛଡେଇ ନେଇଛି।
ବାହାରୁ ଘରକୁ ଆସିଲେ ନିଜ ନିଜ ରୁମ୍ ରେ ପଶି ଚାଲିଲା ଫୋନ୍ ଖେଳ।ଫେସ୍ ବୁକ୍, ୱାଟସ ଅପ୍ ଖେଂଚା ଖେଂଚି।ରାତି ଅଧରେ ବି ଫୋନ୍ ରେ ହସ ଫାଟି ପଡୁଛି।ପୁଅ ତା ଲ୍ୟାପ ତାପରେ ବ୍ୟସ୍ତ।ବାପା ତା ଫୋନ୍ କି ଲ୍ୟାପ ଟପ୍ କି କମ୍ପୁଟରରେ ଲାଗିଲା।ମା ବି ସେମିତି ତା ଯନ୍ତ୍ରେ ମଜଗୁଲ।
ଦୁଃଖ ସୁଖ ହେବ ଆଉ ନାହିଁ। ଆଧୁନିକତା ଛଡେଇ ନେଇଛି ସମ୍ପର୍କ ସୁଖ। ଦାୟିତ୍ୱ କଣ, କର୍ତ୍ତବ୍ୟ କଣ ଭୁଲିଗଲେଣି ଏ ଆଧୁନିକ ମଣିଷ। ଦିନକୁ ଦିନ ସୁଖ ସ୍ୱାଛନ୍ଦ୍ୟ ଖୋଜୁ ଖୋଜୁ ମଣିଷ ଯନ୍ତ୍ର ହୋଇ ଗଲାଣି।ହୃଦୟ ହିଁନ। ମାନବିକ ମୂଲ୍ୟବୋଧ କାହା ପାଖେ ଆଊ ନାହିଁ। ଘରେ ବସି ସବୁ ଅର୍ଡର କଲେ ମିଳି ଯାଉଛି।ଏମିତିକି ତରକାରୀ ପାଇଁ କଟା ପରିବା ଅର୍ଡର କଲେ ସାଙ୍ଗେ ସାଙ୍ଗେ ହାଜର। ଅନ୍ ଲାଇନ୍ କ୍ଲାସ୍, ଅନ୍ ଲାଇନ୍ ସପିଙ୍ଗ୍,ଅନ୍ ଲାଇନ୍ ଇଲେକ୍ଟ୍ରି ବିଲ୍ ଠୁ ଆରମ୍ଭ କରି ଟଙ୍କା ବିଭିନ୍ନ ଜାଗାକୁ ପେମେଂଟ କଲେଣି ଘରେ ବସି। ସବୁ କାମ କଲାନି ଏଇ ଅନ୍ ଲାଇନ୍। ଏପପରିକି ମଦ ବି ଅନ୍ ଲାଇନ୍ ରେ ମିଳୁଛି। ଅନ୍ ଲାଇନ୍ ରୁ ବିବାହ ପାଇଁ ପାତ୍ର ପାତ୍ରୀ ବି ଯୋଗାଡ଼ ହୋଇ ପାରୁଛି। ଆଧୁନିକତା ରେ ବୁଡି ଜଙ୍କ୍ ଫୁଡ୍ ବା ଫାଷ୍ଟ୍ ଫୁଡ୍ ବିଭିନ୍ନ ରୋଗର କାରଣ ହେଉଛି। ଯନ୍ତ୍ର ମଣିଷ ରୋବର୍ଟ ନିର୍ଦ୍ଦେଶ ମାତ୍ରେ ଚା ଦେବା ସହ ଡ୍ୟାନ୍ସ କରି ମନୋରଞ୍ଜନ ବି କରୁଛି। ନିମିଷେ ସବୁ ହୋଇ ଯାଉଛି। ଆଧୁନିକ ଜୀବନ ଶୈଳୀ ମଣିଷ କୁ ସ୍ଥାଣୁ କରିଦେଲାଣି। ସମୟର ଘୋର ଅଭାବ ଏ ଆଧୁନିକ ମଣିଷ ପାଖରେ।
ସ୍ନେହ ମମତା ପ୍ରେମ ହିଁନ ମଣିଷ। ବେଶୀ ହତାଶା ବୋଧ, ଅବସାଦ ଗ୍ରସ୍ତ ମଣିଷ ଏବେ। ସୁଖର ସଉଦା କରିବାକୁ ଯାଇ ନିଜ ଅଜାଣ ତେ ଖାଲି ଦୁଃଖ ପୁଳାଏ କିଣି ପକାଇଛି। ମମତାର ମୂଲ୍ୟ ତା ପାଖେ ତୁଚ୍ଛ।ବୁଢା ବାପା ମା ମୁହଁକୁ ଚାହୁଁ ନାହିଁ।ସେବା ଯତ୍ନ କରିବାକୁ ପଡିବ ବୋଲି ଅନାଥ ଆଶ୍ରମରେ ଛାଡି ଆସୁଛି। ଆଧୁନିକ ଜୀବନ ଶୈଳୀ ରେ ବାପା ମା ବୋଝ ! ନିଷ୍ଠୁର ସମୟ, ନିଷ୍ଠୁର ସମ୍ପର୍କ। ସହଭାଗୀତା କାହିଁ? ଅନ୍ତରଙ୍ଗତା ଓ ଆତ୍ମୀୟ ତା କାହିଁ ! ଅଣୁ ବିଭାଜନ ପରିବାର। ଦୁସ୍ଥ ଜୀବନ ବିପର୍ଯ୍ୟସ୍ତ ଜୀଇଁବା। ବୁବୁ ପରି ଛୁଆ ଆଉ କଣ କରନ୍ତା। ମା ବାପା କି ଅଜା ଆଈ ଙ୍କ ପାଖରୁ ଗପ ଶୁଣିବା ର ତ ନାହିଁ।ସାଙ୍ଗ ବି ନାହିଁ।ଏଣୁ ଫୋନ୍,ଲାପଟପ ଟିଭି କି କମ୍ପୁଟରଙ୍କ ସହ ସେମାନଙ୍କ ବନ୍ଧୁତା । ଖରାପ କଥା ଦେଖିଲେ,ଖରାପ କଥା ଶିଖିଲେ।
ପିଲା ସମ୍ମୁଖରେ ବାବା ମା କଳି ଝଗଡା କଲେ।କେହି କାହାକୁ ସମ୍ମାନ ଦେଇ ଶିଖିଲେନି।ପିଲା ସମ୍ମାନ କଣ ଭୁଲିଗଲା। ଏକାଠି ବସିବା,ଖାଇବା,କଥା ହେବା କି ଦୁଃଖ ସୁଖ ବାଣ୍ଟିବା ଆଉ ନାହିଁ।ଆହା କି ବିଡ଼ମ୍ବିତ ! ଗରିବ ଖାଇବା ପାଇଁ ଦୌଡୁଛି।ବଡ଼ ଲୋକେ ଖାଇ ଝଡ଼ିବା ପାଇଁ ଦୌଡୁଛି। ଈଶ୍ବର ବିଶ୍ବାସ ବି କମି ଯାଉଛି। ଭାବପ୍ରବଣ ଆଦୌ ନାହିଁ। କଟା ଫଟା ପେଣ୍ଟ୍ ସାର୍ଟ ପରି ଜୀବନ ଏବେ। ସନ୍ଦେହ ,ଅସହିଷ୍ଣୁତା,ଈର୍ଷାରେ ସଢ଼ୁଛି ପ୍ରତି ହୃଦ। ଏବେ ବିନା ହୃଦୟର ମଣିଷ ମାନେ ମେସିନ୍ ହୋଇଗଲେଣି। ଦାମ୍ପତ୍ୟ ଜୀବନରେ ଆସ୍ଥା,ବିଶ୍ୱାସ ଓ ଭରସା ଉଜୁଡି ଗଲାଣି। ଟିକେ ଟିକେ କଥାରେ ଡିଭୋର୍ସ। ଶୈଶବ ଆକ୍ତା ମାକ୍ତା। କୈଶୋର କ୍ଷତାକ୍ତ ଯୌବନ ଅପରାଧୀ, ଅଶ୍ଳୀଳ। ପୋଢ଼ତ୍ୱ ରେ ଦୌଡା ବଢିବା, ଗଢିବାର ବ୍ୟସ୍ତ। ବାର୍ଦ୍ଧକ୍ୟ ଏକାନ୍ତ ଅସହାୟ, ନିଃସଙ୍ଗ। ଆଧୁନିକତା ଠିକ୍ ଭାବେ ବ୍ୟବହୃତ ନ ହେବାରୁ ଧର୍ଷଣ, ବଳତ୍କାର ବଢି ସାମାଜିକ ଅସ୍ଥିରତା ଦୋହଲାଇ ଦେଲାଣି ନୈତିକତାର ମେରୁଦଣ୍ଡ।
ଆଧୁନିକତା ଯେତିକି ସୁଖ ସ୍ୱାଛନ୍ଦ୍ୟ ଦେଉଛି, ତାଠୁ ଅଧିକ ଦେଉଛି ଦୁଃଖ। ପରିବେଶ ପ୍ରଦୂଷଣ ହେଉ କି ପ୍ରାକୃତିକ ବିପର୍ଯ୍ୟସ୍ତ ସବୁ ଆଧୁନିକତାରୁ ଜନ୍ମ।ଏବେ ତ ସଂକ୍ରମଣ ଭୟରେ ମୃତ୍ୟୁଭୟ ଜୀବନ ବଞ୍ଚୁଛି ଆଧୁନିକ ଜୀବନ।
ହେ ପ୍ରଭୁ ରକ୍ଷାକର ଏ ଆଧୁନିକ ନାମର ଉତ୍ସୁଙ୍ଖଳିତ ବିଶୃଙ୍ଖଳିତ ସମାଜର ଅଧୋପତନ।
ବଂଶୀଧର ବାବୁ ଠିକ୍ କଲେ ଆଉ ଗାଁ କୁ ଯିବେନି।ପ୍ରଥମେ ସଜାଡ଼ିବାକୁ ପଡିବ ଅବାଟକୁ ଯାଉଥିବା ନାତି ଟୋକାକୁ।