Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Sambit Srikumar

Tragedy Inspirational

4.3  

Sambit Srikumar

Tragedy Inspirational

ଆଡ଼ମ୍ବର

ଆଡ଼ମ୍ବର

4 mins
11.8K


"ଆଡ଼ମ୍ବର"

ଆଜି ଅମ୍ବିକାନଗରର ପ୍ରତିଟି ସଡ଼କ ଗଳି କନ୍ଦି ଚଳ ଚଞ୍ଚଳ, ଏମିତି ଗହଳ ଚହଳ କେବେ ବି ଆଗରୁ ଦେଖିନାହାଁନ୍ତି ସହରବାସୀ। ବିମାନବନ୍ଦର, ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ ସବୁଠିଁ ଅସମ୍ଭାଳ ଗହଳି। ଆଗନ୍ତୁକମାନଙ୍କ ଲମ୍ବା ପଟୁଆର। ଟ୍ରାଫିକ୍ ନିୟନ୍ତ୍ରଣ କରିବା ପାଇଁ ଅତିରିକ୍ତ କର୍ମଚାରୀ ନିଯୁକ୍ତ କରାଯାଇଛି ପ୍ରଶାସନ ପକ୍ଷରୁ। ବିଭିନ୍ନ ସରକାରୀ ବିଭାଗ ଉତ୍ତମ ସମନ୍ବୟ ରକ୍ଷାକରି ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।

ବିଶିଷ୍ଟ ଶିଳ୍ପପତି ଚତୁରଙ୍ଗ ଚମ୍ପତ୍ତିରାୟଙ୍କ ଏକମାତ୍ର ପୁତ୍ର ସୁରଞ୍ଜୟର ବାହାଘର ଭୋଜି। ସୁରଞ୍ଜୟ, ଚତୁରଙ୍ଗ ବାବୁଙ୍କ ଅୟୁତ ଅୟୁତ କୋଟି ବ୍ୟବସାୟିକ ସାମ୍ରାଜ୍ୟର ଏକଛତ୍ରବାଦୀ ଉତ୍ତରାଧିକାରୀ! ଅଚଳାଚଳ ସମ୍ପତ୍ତି, ଫାକ୍ଟ୍ରୀ, ଗାଡି ଘୋଡା, ହଜାର ହଜାର କର୍ମଚାରୀଙ୍କ ସମ୍ଭାବ୍ଯ ମାଲିକ! ଶିକ୍ଷାଗତ ଯୋଗ୍ୟତା ଯଦିଓ ବିଶେଷ କିଛି ନାହିଁ କିନ୍ତୁ ବ୍ୟବସାୟିକ ବୁଦ୍ଧି ଖୁବ୍ ତୀକ୍ଷ୍ଣ ତାର। ପ୍ରାକ୍ତନ ମନ୍ତ୍ରୀଙ୍କ ଅଲିଅଳି କନ୍ଯା ସହିତ ଶୁଭ ପରିଣୟ। ଦେଶ ବିଦେଶର ମାନ୍ଯ ଗଣ୍ଯ ଅତିଥିମାନେ ନିମନ୍ତ୍ରିତ ଏଥିପାଇଁ। ସହରର ସମସ୍ତ ଲୋକଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି ସ୍ବତନ୍ତ୍ର ଭାବେ।

ଅମ୍ବିକାନଗର ସହରକୁ ନିଜ ହାତରେ ଗଢିଛନ୍ତି ଚତୁରଙ୍ଗ ବାବୁ। ଯେତେବେଳେ ସେ ଠିକାଦାରୀ କାମ କରିବାକୁ ଏଠିକି ଆସିଥିଲେ ତିରିଶ ବର୍ଷ ତଳେ, ଏଠାରେ କିଛି ବୋଲି କିଛି ନଥିଲା। ମଣିଷ ରହିବା ଯୋଗ୍ଯ ନଥିଲା। ଚାରିଆଡ଼େ ଖାଲି ବଣବୁଦା ଆଉ ପଥର। ନିଜର କଠୋର ଅଧ୍ୟବସାୟ, ବିଚକ୍ଷଣ ବୁଦ୍ଧି ଓ ରାଜନୈତିକ ପୃଷ୍ଠପୋଷକତା ବଳରେ ମଣିଷର ବସବାସ ପାଇଁ ଅନୁପଯୋଗୀ ଏଇ ବନ୍ଧୁର ମାଳ ଅଞ୍ଚଳକୁ ଏକ ସମୃଦ୍ଧ ସହରରେ ପରିଣତ କରିପାରିଛନ୍ତି ସେ। ସ୍ବର୍ଗବାସୀ ମାଆ ଅମ୍ବିକା ଦେବୀଙ୍କ ସ୍ମୃତିରେ ନାମିତ କରାଯାଇଛି ଏହି ସୁପରିକଳ୍ପିତ ଶିଳ୍ପନଗରୀଟି।

ପୁଅ ବାହାଘର ଭୋଜି ପାଇଁ ବ୍ଯାପକ ପ୍ରସ୍ତୁତି ଚାଲିଛି ମାସ ମାସ ଧରି। ନିଜର ପ୍ରତିଷ୍ଠା ପ୍ରତିପତ୍ତି ଓ ଆଭିଜାତ୍ୟକୁ ପ୍ରଦର୍ଶନ କରିବା ପାଇଁ ଏଇ ତ ଗୋଟିଏ ନିଆରା ସୁଯୋଗ। ଏହି ସୂବର୍ଣ୍ଣ ସୁଯୋଗକୁ ହାତଛଡା କରିବାକୁ ଆଦୌ ଚାହୁଁ ଚାହାଁନ୍ତି ଚତୁରଙ୍ଗ ବାବୁ। ସାରା ଦୁନିଆଁକୁ ଦେଖେଇ ଦେବାକୁ ସେ ଚାହୁଁଥିଲେ ନିଜର ପାରିବାପଣିଆ ଓ ସମ୍ଭ୍ରାନ୍ତପଣକୁ। ଦିନେ ସେ ଥିଲେ କଣ ଆଉ ଆଜି ହୋଇଛନ୍ତି କଣର ପାର୍ଥକ୍ୟକୁ।

ସହରର ମଧ୍ୟଭାଗରେ ଅବସ୍ଥିତ ବିସ୍ତୀର୍ଣ୍ଣ ପ୍ରାନ୍ତରରେ ଭୋଜିଭାତର ଆୟୋଜନ। ଦେଶର ସବୁଠାରୁ ନାମୀଦାମୀ ଇଭେଣ୍ଟସ୍ ମ୍ଯାନେଜମେଣ୍ଟ୍ ଫାର୍ମ୍ ନେଇଛି ଠିକା ଏଇ ଉତ୍ସବର। ଭବ୍ୟ ରାଜ ପ୍ରାସାଦ ଭଳି ସଜାଯାଇଥାଏ ଅଭ୍ୟର୍ଥନା ସ୍ଥଳକୁ। ରଙ୍ଗ ବେରଙ୍ଗର ଆଲୋକମାଳାରେ ଝଲସି ଉଠୁଥିଲା ପରିବେଶ। ବରବଧୂଙ୍କ ମଣ୍ଡପଟି ଖଚିତ ହୋଇଥାଏ ସୁକ୍ଷ୍ମ କାରୁକାର୍ଯ୍ୟରେ ସୁଦୂର ରାଜସ୍ଥାନରୁ ଆସିଥିବା କାରିଗରମାନଙ୍କ ଦ୍ଵାରା। ବିଦେଶରୁ ଆସିଛି ଦାମୀ ସୁଗନ୍ଧିତ ପୁଷ୍ପ। ବମ୍ବେ ଦିଲ୍ଲୀ ହାଇଦ୍ରାବାଦ କଲିକତା ଆଦି ମହାନଗରୀରୁ ଆସିଥାନ୍ତି ବଛା ବଛା ସେଲିବ୍ରେଟି ସେଫ୍ ସେମାନଙ୍କ ଟିମ୍ ସହ ଖାଦ୍ୟ ପ୍ରସ୍ତୁତି ନିମନ୍ତେ। ନାଚଗୀତର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ଚଳଚ୍ଚିତ୍ର ଜଗତର ବହୁ ଚର୍ଚ୍ଚିତ କଳାକାର ଓ ଗାୟକ ଗାୟିକା ଚୁକ୍ତିବଦ୍ଧ ଅନେକ ସମୟ ପୂର୍ବରୁ ଚଢା ଦାମ ଦେଇ।

ପାନରୁ ଚୁନ ଯେପରି ନଖସେ ଏବଂ ସମସ୍ତ ନିମନ୍ତ୍ରିତ ଅତିଥି ସନ୍ତୁଷ୍ଟ ହୋଇ ନବ ଦମ୍ପତ୍ତିଙ୍କୁ ଆଶୀର୍ବାଦ କରିବେ ତାର ପକ୍କା ଯୋଜନା କରିଥାନ୍ତି ଚତୁରଙ୍ଗ ବାବୁ। "ଅତିଥି ଦେବୋ ଭବଃ!" ଅତିଥିମାନଙ୍କୁ ଦେବ ତୁଲ୍ୟ ମଣି ନିଜର ସାଧ୍ୟ ମୁତାବକ ଆତିଥେୟତା ପ୍ରଦାନ କରିବାର ମହନୀୟ ପରମ୍ପରା ଓ ସଂସ୍କୃତିରେ ପ୍ରଚଣ୍ଡ ବିଶ୍ବାସୀ ସେ। ବହାରାଗତ ଅତିଥିମାନଙ୍କ ପାଇଁ ସହରର ସମସ୍ତ ହୋଟେଲ ଓ ଗେଷ୍ଟ୍ ହାଉସ୍ ବହୁଆଗରୁ ସଂରକ୍ଷିତ। ବାହାଘର ଭୋଜି ପାଇଁ ମେନ୍ୟୁକୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ବିଭିନ୍ନ ସ୍ଥାନର ଓ ବର୍ଗର ଅତିଥିଙ୍କ ଅଭିରୁଚିକୁ ଧ୍ୟାନରେ ରଖି। ଲକ୍ଷାଧିକ ଅତିଥିଙ୍କୁ ରାଜକୀୟ ଭୋଜନରେ ଆପ୍ଯାୟିତ କରିବା ପାଇଁ ସହସ୍ରାଧିକ ଦେଶୀ ବିଦେଶୀ ପାରମ୍ପରିକ ଅଣପାରମ୍ପରିକ ଖାଦ୍ୟର ପସରା।

ପାନୀୟ ବ୍ୟବସ୍ଥା ସ୍ବତନ୍ତ୍ର ଭାବେ କରାଇଛି ନିଜେ ସୁରଞ୍ଜୟ ସାର୍ବଜନୀନ ଦୃଷ୍ଟି ଆଢୁଆଳରେ। କେବଳ ବିଶିଷ୍ଟ ଏବଂ ଅତି ବିଶିଷ୍ଟ ଅତିଥିମାନଙ୍କ ନିମନ୍ତେ ଏହି ବ୍ୟବସ୍ଥା। ପୃଥିବୀର କୋଣଅନୁକୋଣର ନାମୀଦାମୀ ସୁସ୍ୱାଦୁ ପାନୀୟର ବନ୍ଦୋବସ୍ତ ହୋଇଛି। ନାନାଦି ରଙ୍ଗର ରଙ୍ଗୀନ୍ ବୋତଲ ସବୁ ଧିମା ଆଲୁଅରେ ଚିକ୍ ମିକ୍ ଦିଶୁଥିଲେ। କାଚର ରୁଣୁଝୁଣୁ ଶବ୍ଦ ଓ ମଦିରାର ବାସ ଏକ ରୋମାଞ୍ଚକର ପରିବେଶ ସୃଷ୍ଟି କରୁଥିଲା।

ବାହାଘର ଭୋଜି, ପୁଣି ଆମିଷ ନଥିବ କେମିତି ଜମିବ? ଏଥିପାଇଁ ଦାୟିତ୍ଵ ଦିଆଯାଇଛି କରୀମ୍ ମିଆଁକୁ। ନିର୍ଭେଜାଲ୍ ତାଜା ଖାସି ଓ ଦେଶୀ କୁକୁଡା ମାଂସ ପାଇଁ ତାଗିଦ କରିଛନ୍ତି ନିଜେ ଚତୁରଙ୍ଗ ବାବୁ। ଖିଲାପ ହେଲେ ସହରରୁ ତଡ଼ିପାର ଦଣ୍ଡ! କରିମ୍ ମିଆଁ ସହରର ସବୁ ବଡ଼ ଛୋଟ ହୋଟେଲ ଓ ରେଷ୍ଟୁରାଣ୍ଟକୁ ଯୋଗାଏ ଖାସି ଦାମରେ ମେଣ୍ଢା କିମ୍ବା ବୁଢୀ ଛେଳିର ମାଂସ। ଏ ଅଦିନିଆ ଛାଡ଼ଖାଇ ପର୍ବ ପାଇଁ ବିଚରା କରୀମ୍ ମିଆଁ ବଡ଼ ମୁସ୍କିଲରେ ଯୋଗାଡ଼ କରିଛି ଗାଁଗଣ୍ଡା ବୁଲି ବୁଲି ହଜାର ହଜାର ଛେଳି ଆଉ ଦେଶୀ କୁକୁଡା। କିଛି କଂସେଇଙ୍କୁ ସାଥିରେ ଆଣି ହାଜର କରିଦେଇଛି ନିର୍ବାକ ଜୀବଗୁଡ଼ାଙ୍କୁ ମଣ୍ଡପ ପଛ ପଟେ ଥିବା ପାକଶାଳ ପାଖରେ ଦି ଦିନ ଆଗରୁ। ସ୍ବାସ୍ଥ୍ୟ ପରୀକ୍ଷା ବି ସରିଛି ଏମାନଙ୍କର ବଳି ପଡ଼ିବା ପୂର୍ବରୁ। ସମସ୍ତେ ଫିଟ୍ ପଶୁ ଡାକ୍ତରବାବୁଙ୍କ ଦସ୍ତଖତ ଓ ମୋହର ସମ୍ବଳିତ ସାର୍ଟିଫିକେଟରେ !

ଉତ୍ସବରେ ଗୋଟିଏ ପଟେ ହର୍ଷୋଲ୍ଲାସ କୋଳାହଳ ନାଚ ଗୀତ ମନୋରଞ୍ଜନର ଚିତାକର୍ଷକ ମାହୋଲ ଅନ୍ୟ ପଟେ ନିସ୍ତବ୍ଧ ନିରବତାର ରାଜୁତି। ହାଣ ମୁହଁକୁ ଯିବା ପୂର୍ବରୁ ଆଖିରୁ ନିଗିଡି ଆସୁଥାଏ ଅବାରିତ ଅବାଧ୍ଯ ଲୁହ ନିଜର ପ୍ରୀୟଜନଙ୍କୁ ଦେଖି ଇତର ପ୍ରାଣୀମାନଙ୍କର। ସେସବୁକୁ ଦେଖିବାକୁ କି ଆର୍ତ୍ତ ଚିତ୍କାର ଶୁଣିବାକୁ କାହାର ନଥିଲା ଆଖି ଆଉ କାନ। ସଭିଏଁ ଉପସ୍ଥିତ ମୁକ ବଧିର ଅତିଥି ଦେବ ଜାନ୍ତବ ଜିହ୍ୱା ଲାଳସା ଚରିତାର୍ଥ କରିବାରେ ମଦମତ୍ତ।

ଖାଦ୍ୟ ଆଉ ଖାଦକର ଏଇତ ପାର୍ଥକ୍ୟ! ଗୋଟିକ ପରେ ଗୋଟିଏ ଜୀବ ଉତ୍ସର୍ଗ କରିବାରେ ଲାଗିଥିଲେ ନିଜର ପ୍ରାଣ ଅତିଥି ରୂପୀ ଦେବତାମାନଙ୍କୁ ତୃପ୍ତ କରାଇବାର ମହାଯଜ୍ଞରେ। ଉଦର ପୂର୍ଣ୍ଣ କରି ଅନ୍ୟ ଜୀବଙ୍କ ଶବରୁ ପ୍ରସ୍ତୁତ ରୁଚିକର ଖାଦ୍ୟ ଖାଇ ନିଜକୁ କୃତାର୍ଥ ମନେକରୁଥିଲେ ଅତିଥିଗଣ। "ଆଃ ଚମତ୍କାର!" ସଭିଙ୍କ ମୁହଁରେ ଭୂୟସୀ ପ୍ରଶଂସା ଚତୁରଙ୍ଗ ବାବୁଙ୍କ ଆୟୋଜନକୁ ନେଇ। ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା କିଛି କମ୍ ନୁହେଁ। ଜୀବଦ୍ଦଶାରେ ଏପରି ଆୟୋଜନ ଦେଖିନଥିବା କଥା କହୁଥିଲେ ବୁଦ୍ଧିଜୀବୀ ପ୍ୟାନେଲିଷ୍ଟମାନେ ସ୍ବତନ୍ତ୍ର କାର୍ଯ୍ଯକ୍ରମରେ।

ଇତର ଜୀବଗୁଡ଼ିକର ସଂସାର ଉଚ୍ଛନ୍ନ କରିଦେଇ ନିଜ ବଂଶ ବିସ୍ତାରର ସୁପରିକଳ୍ପିତ ନୀଳନକ୍ସା ପ୍ରସ୍ତୁତିରେ ଲାଗିଥିଲେ ଚତୁରଙ୍ଗ ଚମ୍ପତ୍ତିରାୟ ଏବଂ ପରିବାର ବର୍ଗ...

©ସମ୍ବିତ୍ ଶ୍ରୀକୁମାର



Rate this content
Log in