ଯୁଗ ବଦଳି ଗଲାଣି
ଯୁଗ ବଦଳି ଗଲାଣି


ଏ ଦୁନିଆ ଆଉ ବଡ ହୋଇ ନାହିଁ
ଆମରି ପାଇଁ,
ଅସମ୍ଭବ ସବୁ ସମ୍ଭବ ହେଲାଣି
ଦେଖୁନା ଭାଇ |
ଜୀବନ ଜିଇଁବା ସତରେ ଗଲାଣି
ସହଜ ହୋଇ,
ସାରା ଜଗତ କୁ ଦେଖୁଅଛୁ ଘରେ
ଟିଭି କୁ ଚାହିଁ |
ଇଣ୍ଟରନେଟ ରୁ କେତେକଥା ଆମେ
ପାରୁଛୁ ଜାଣି,
କମ୍ପ୍ୟୁଟର କରେ ଯେଉଁ କାମ ଲାଗେ
ମଣିଷ ଠାଣି |
ବନ୍ଧୁ ପରିଜନ ଯିଏ ଯେତେ ଦୂରେ
ଥିଲେ ବି ରହି,
ଘରେ କି ବାହାରେ ମୋବାଇଲ ଦିଏ
ଖବର କହି |
ଦୂର ଦେଶେ ବେଗେ ଉଡ଼ାଜାହାଜ ରେ
ଯାଉଛୁ ବସି,
ନାନା ଖାଦ୍ୟତକ ଫ୍ରିଜ ରେ ରଖୁ
ରାନ୍ଧିକି ବେଶୀ |
ସେଥିପାଇଁ ନିତି ତରକାରୀ ରନ୍ଧା
ହେଉନି ଘରେ,
ତଳେ ବସି ଖାଦ୍ୟ ନ ଖାଇ, ଖାଆନ୍ତି
ଡାଇନିଂ ରେ
|
ଗ୍ରାଇଣ୍ଡର ଯୋଗେ କଟା, ବଟା ପେସା
ହେଉଛି ଛାଆଁ,
ଶୀଳ ଶୀଳପୁଆ କେଉଁଠି ପଡିଛି
ଖୋଜେନି ମାଆ |
ଗରା ବାଲିଟି ରେ କୂଅରୁ ପାଣି କେ
କାଢ଼ିବ କେତେ,
ପାଇପ ରେ ପାଣି ଭସ ଭସ ଆସେ
ଯାହାକୁ ଯେତେ |
ଗଛ କଟାହୋଇ କଳ କାରଖାନା
ବସି ଗଲାଣି ,
ଆଗପରି ଆଉ ଛୋଟଠାରୁ ବୁଢ଼ା
. ଭୋକେ ରହୁନି |
ପାଣି ଜମୁଥିବା ଗାଡ଼ିଆ ପୋଖରୀ
କୋଠା ହେଲାଣି,
ପ୍ରତ୍ୟେକ ସହରେ ବୃଦ୍ଧାଶ୍ରମ କେନ୍ଦ୍ର
ଖୋଲି ଗଲାଣି |
ଗାଆଁ କି ସହର ଜଣା ପଡୁନାହିଁ
ସବୁ ସୁବିଧା,
ଯୁଗ ଟା ତ ପୁରା ବଦଳି ଗଲାଣି
ନାହିଁ ରେ ବାଧା |
ଯୁଗ ସହ ତାଳ ଦେଇ କି ଚଳିବା
ଆମରି କାମ,
ଜାତିଭେଦ ଆସ ଦୁରେଇ ରଖିବା
. ନିଜ ସୁନାମ |