ତୁମେ ରାମ,କୃଷ୍ଣ ତୁମେ ଜଗନ୍ନାଥ
ତୁମେ ରାମ,କୃଷ୍ଣ ତୁମେ ଜଗନ୍ନାଥ
ତୁମେ ରାମ ତୁମେ କୃଷ୍ଣ ତୁମେ ଜଗନ୍ନାଥ
ଯୁଗାବତାରୀ ପୁରୁଷ ଅନାଥର ନାଥ ।
ଯୁଗ ଅନୁସାରେ ତୁମେ ନିଅ କଳେବର
ମାନବୀୟ ଲୀଳା କରି ଢ଼ାଳ ଭକ୍ତି ଝର |
ତ୍ରେତୟାର ମର୍ଯ୍ୟାବନ୍ତ ହେ ପୁରୁଷୋତ୍ତମ
ଜଗତ ଜାଣିଲା ତୁମେ ପୁରୁଷ ଉତ୍ତମ ।
ଶିଖାଇଲ ଭାତୃପ୍ରେମ ଏକ ପତ୍ନୀ ବ୍ରତ
ପିତୃ ସତ୍ୟ ପାଳି ତୁମେ ହେଲ ବନ ଗତ ।
ଭାବମୟ ଭଗବାନ ଶବରୀ ର ପ୍ରିୟ
ଭାବେ ଭାବେ କୈବର୍ତ୍ତର ଇଚ୍ଛା କଲ ଜୟ ।
ତପିକୁ ତାରିଛ ପୁଣି ପାପୀକୁ ମାରିଛ
ମାରିଛ ତାରିଛ ପୁଣି ସୁବାର୍ତ୍ତା ଦେଇଛ ।
ଜୀବନରେ ଯାହାକିଛି କରିବା କଥା
ତ୍ରେତୟାରେ ରାମ ରୂପେ ଦେଇଛ ବାରତା ।
କୃଷ୍ଣରୂପେ ଦ୍ଵାପରରେ କରିଅଛ ଲୀଳା
ଧର୍ମ ସଂସ୍ଥାପନେ ତୁମେ ସହିଛ ଯେ ପୀଡ଼ା ।
ପ୍ରେମ ପରିଭାଷା ତୁମେ ଶିଖାଇଛ ଜନେ
ପତନ ମାର୍ଗ ତ୍ୟାଗ କଥା କୁହ କାନେ ।
ଧର୍ମ ସଂସ୍ଥାପନେ ପ୍ରଭୁ ସର୍ବସ୍ବ ହାରିଛ
ହେଲେ ମୁଖୁ ସ୍ମିତ ହାସ୍ୟ କେବେ ନ ଛାଡିଛ |
ଭାବମୟ କୃଷ୍ଣ ତୁମେ ପ୍ରିୟ ଗୋପୀଙ୍କର
ମୀରା ବାଇ ହୃଦ ତନ୍ତ୍ରେ ତୁମେ ବାସ କର ।
ଅପ୍ରାକୃତ ପ୍ରେମ ମୂର୍ତ୍ତି ହେ ତୁମେ ରାଧା ମାଧବ
ଭାବ ମୟ ପୁଣି ପ୍ରଭୁ ହେ ତୁମେ କୃଷ୍ଣା କେଶବ l
କଳିଯୁଗେ ନୀଳାଚ଼ଳେ ହେ ମହାମହିମ
ଅସଂପୂର୍ଣ୍ଣ ମଧ୍ୟେ ତୁମେ ଅଟ ପୂର୍ଣ୍ଣବ୍ରହ୍ମ ।
ନିଜ ରୂପ ନିଜେ ଗଢି ଉଭା ହୋଇ ଅଛ
ସବୁ ଯୁଗ ଗାଥା କୁ ଯେ ଦୋହରାଉ ଅଛ ।
ଭାବ ଭୋଳିଆ ହେ ତୁମେ ମୋ କଳା ଠାକୁର
ଭାବ ଭାବରେ ବାଲି ରଥେ ବିଜେ କର।
ଭାବରେ ମୋହିତ ହୋଇ ରଥ ଅଟକାଅ
ଭାବରେ ଦାସିଆ ହାତୁ ନଡ଼ିଆ ଯେ ନିଅ |
ଭାବରେ ବିଭୋର ହୋଇ ଅନ୍ନ ଯେ ପରଶ
ଭକତ ମାନ ରକ୍ଷାରେ ତୁମେ ମହାଯଶ ।
ତୁମ ଚ଼କାଡୋଳା ସାଥେ ଏ ଜଗତ ବନ୍ଧା
ଅଧା ହାତେ ମହାବାହୁ କାଟ ଯେତେ ବାଧା ।
ତୁମକୁ ଚାହିଁଲେ ଦିଶେ କହ୍ନେଇର ମୁହଁ
ମୁଣ୍ଡରେ ମୟୁର ପୁଚ୍ଛ ହରିନିଏ ମୋହ ।
କେତେ ବେଳେ ତୁମ ଦେହେ ଦିଶେ ରାମ ରୂପ
ସତେ ଅବା ଧନୁର୍ବାଣେ ତୁମେ ଅପରୂପ ।
କେବେ ଲାଗେ ହସୁଅଛ ଖିଲି ଖିଲି ହସ
କେବେ ପୁଣି ଶାନ୍ତ କାନ୍ତ ମର୍ଯ୍ୟାଦା ପୁରୁଷ ।
ତୁମେ ରାମ ତୁମେ କୃଷ୍ଣ ତୁମେ ଜଗନ୍ନାଥ
ସବୁ ରୂପେ ଅନୁପମ ଦେଖାଇଛ ପଥ ।
ତୁମେ ରାମ ତୁମେ କୃଷ୍ଣ ତୁମେ ଜଗନ୍ନାଥ
ତୁମ ପାଦେ ଏ ଅଧମ କରେ ପ୍ରଣିପାତ |