STORYMIRROR

Santosh Kumar Ojha

Romance

4  

Santosh Kumar Ojha

Romance

ତମେ ଆସୁଛ ବୋଲି

ତମେ ଆସୁଛ ବୋଲି

1 min
297

ଅଗଣାରେ ମୁରୁଜରେ ସୂରୁଜ ଆଙ୍କିଲି

ଇନ୍ଦ୍ରଧନୁ ତୋରଣରେ ଘର ସଜେଇଲି

ଗଙ୍ଗା ଜଳେ ଚଟାଣକୁ ଧୋଇ ସଫା କଲି

ମନ୍ତୁରା ଚାଉଳ ଫିଙ୍ଗି ଘରକୁ କିଳିଲି

ସିଂହଦ୍ବାରେ ଆମ୍ବ ଡାଳ କଳସ ଥୋଇଲି

ତମେ ଆସୁଛ ବୋଲି ।

ଜହ୍ନଠୁଁ ଜୋଛନା ଆଣି ମୁହଁରେ ବୋଳିଲି

ମେଘଠୁଁ ମୂର୍ଚ୍ଛନା ମାଗି ମନେ ଗୁଣି ହେଲି

ତାରା ଫୁଲ ତୋଳି ଆଣି ଗଭାରେ ଖୋସିଲି

ରାତିଠୁ କଜଳ ଆଣି ଆଖିରେ ନେସିଲି

ରକ୍ତ ମନ୍ଦାରକୁ ଛେଚି ଅଳତା ନାଇଲି

ତମେ ଆସୁଛ ବୋଲି ।

କାଶତଣ୍ଡୀ ଝାଡ଼ୁରେ ମୁଁ ବିଛଣା ଝାଡ଼ିଲି

କିଆଫୁଲ ଅତରକୁ ଶେଯରେ ସିଞ୍ଚିଲି

ଶିଶିର ରଖିଛି ଗୋଡ଼ ଧୋଇ ଦେବି ବୋଲି

ଚନ୍ଦନ ରଖିଛି ପାଦେ ବୋଳି ଦେବି ବୋଲି

ଅନାବନା ମନ ଫୁଲେ ଚାଙ୍ଗୁଡ଼ିଟେ କଲି

ତମେ ଆସୁଛ ବୋଲି ।

ନିଦକୁ କହିଛି ଆଜି ଯିବ ବନବାସ

ସ୍ବପ୍ନକୁ କହିଛି ଦବ ମିଠାମିଠା ହସ

ଜଡ଼େଇ ଧରିବି ବୋଲି ଶୀତକୁ ଡାକିଛି

ରାତି ପାହିବନି ବୋଲି ରାଣ ପକେଇଛି

ବାଟ ଚାହିଁ ବସିଛି ମୁଁ ଚାତକୀଟେ ଭଳି

ତମେ ଆସୁଛ ବୋଲି ।

ତଳେ ମୋ ଲାଗୁନି ପାଦ ପଡ଼େ ଏଠି ସେଠି

ଏକାକୀ ପଢ଼ୁଛି ବସି ତୁମ ଲେଖା ଚିଠି

ସହଳ ସହଳ ସାରି ଦେଲି ମୁଁ ପାଇଟି

ସହି ସଙ୍ଗାତରେ ଆଜି କରି ଦେଲି କଟି

ତମ ସହ ନିରୋଳାରେ ଗପିବି ବୋଲି

ତମେ ଆସୁଛ ବୋଲି ।

ଲାଜକୁ କହିଛି ଜମା ଆସିବ ନାହିଁ

ରଜ ବି ଅଟକି ଯିବ ଦି'ଦିନ ପାଇଁ

ଚୂଡ଼ି ମୁଁ ପିନ୍ଧିନି ରୁଣୁଝୁଣୁ ଶୁଭିବ

ପାଉଁଜି ନାଇନି ଗୁଣୁଗୁଣୁ ଗାଇବ

ପିନ୍ଧିନି ସିନ୍ଦୂର ତମେ ପିନ୍ଧେଇବ ବୋଲି

ତମେ ଆସୁଛ ବୋଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance