ସରକାରୀ ବାବୁ
ସରକାରୀ ବାବୁ
ପଢି ପାଠଶାଠ ପାଆନ୍ତି ନିଯୁକ୍ତି
ସରକାରୀ ବାବୁ ଜ୍ଞାନୀ
ଶିକ୍ଷକ ସେବକ ପିଅନ ଅର୍ଦ୍ଦଳୀ
ପଦ ହାକିମ କିରାଣୀ ।
ନିର୍ଘଣ୍ଟ ସମୟେ ଅଫିସ ଦପ୍ତରେ
ନୀୟମ ଅନୁପାଳନ
ଯୋଗାଇ ଦିଅନ୍ତି ସେବା ଯଥୋଚିତ
ଦେଇ ନିଜ ଉପସ୍ଥାନ ।
ଖଜୁରୀ ଗଛର ଗୁଣ ଅସରନ୍ତି
ମୂଳରୁ ପାହାଚ ପାହାଚ
ସରକାରୀ ବାବୁ ପଦବୀର ସ୍ତର
ରହିଥାଏ ଉଚ୍ଚ ନୀଚ୍ଚ ।
ସର୍ବେ ଅଧସ୍ତନ ଅତ୍ଯନ୍ତ ବିଶ୍ବସ୍ତ
କରତବ୍ଯ ପରାୟଣ
ତଥ୍ଯ ସତ୍ଯାସତ୍ଯ ଅନୁସାରେ ନଥି
ହୁଅଇ ଚିଠାକରଣ ।
ଖୋଲେ ନାଲିଫିତା ପତ୍ର ନାମାଙ୍କନ
ପ୍ରସ୍ତୁତି ଉତ୍ତର ଫର୍ଦ୍ଦ
ହାକିମ ନିଷ୍କର୍ଷ ଦରଜ ହୋଇଲେ
ଆଦେଶ ହୁଏ ମୁଦ୍ରଣ ।
ସରକାରୀ କଳ କଲମର ଚାଷ
ନଥିପତ୍ର ସଂରକ୍ଷଣ
ବ୍ୟାପାରଟି ନୁହେଁ ସରଳ ପ୍ରକ୍ରିୟା
ସାଧାରଣ ବୋଧଗମ୍ୟ ।
ଶିକ୍ଷା ସ୍ବାସ୍ଥ୍ୟ ସେବା ନ୍ଯାୟ ପ୍ରଶାସନ
ନିର୍ମାଣ ଖଣି ଖାଦାନ
ବିଭିନ୍ନ ବିଭାଗେ ବ୍ଯାପକ ଦୁର୍ନୀତି
ଚାଲୁଛି ବାଟମାରଣ ।
ଦପ୍ତର ଦଉଡି ଛିଣ୍ଡି ଯାଏ ପଛେ
ଚପଲ ଜନତା ପାଦ
ହୁଏ ନାହିଁ କାମ ମିଳେ ନାହିଁ ନ୍ଯାୟ
ବଢେ ଲାଞ୍ଚ ତୋଷାମଦ ।
କମ୍ବଳରୁ ବାଳ ବାଛିବ କିଏ ସେ
ଗଣିବ ଚାଲୁଛି କଣା
କାହାର ରହିଛି ଉତ୍ତରଦାୟିତ୍ଵ
ନିର୍ଦ୍ଧାରଣେ ବୁଦ୍ଧିବଣା ।
ଛାଡଇ ଦୁର୍ଗନ୍ଧ କତରା ବିଛଣା
ମୁତୁରୀ ମୁତୁରା ଏକ
ଚିହ୍ନଟକରଣ ଦୂରୁହ ବ୍ଯାପାର
ମୁରୁଖ ବିଚରା ଲୋକ ।
ଦେଖାନ୍ତି ଆଲୁଅ କିଛି ବାବୁଗିରି
କରାମତି ଠାଣିମାଣି
ଚିକ୍କଣ କରନ୍ତି ଆପଣା ହାତକୁ
ମାରି ଭଲ ପୁଞ୍ଜି ପଣି ।
ମିଛ ଗାଲୁଆମି ଫନ୍ଦି ଓ ଫିକର
ଦେଖାଇ ମୁହଁ ଭୁରୁଡି
ନାଲି ଆଖି କାଢି କିଛି ବଡ଼ବାବୁ
କରିଥାନ୍ତି ଜାଲିଆତି ।
ନିଜ ସ୍ବାର୍ଥ ପାଇଁ ଭୁଲି ହିତାହିତ
ଅବହେଳା ଜନସ୍ବାର୍ଥ
ଜନ ସାଧାରଣ ବୃହତ୍ତର ହିତ
କରଇ ନଷ୍ଟ ବାଧିତ ।
ଭ୍ରଷ୍ଟାଚାର ଗ୍ରସ୍ତ ସରକାରୀ ବାବୁ
ବିକାଶର ବଡ ଶତ୍ରୁ
କଠିନ ଦଣ୍ଡର ରହିଲେ ବିଧାନ
ଯୋଜନା ସ୍ବଚ୍ଛ ସୁଚାରୁ ।
