ସଂକଳ୍ପ ସନ୍ଧ୍ୟାଦୀପର
ସଂକଳ୍ପ ସନ୍ଧ୍ୟାଦୀପର


ତୁମେ ଦେଇଥିବା ସଳିତାକୁ ଛୁଇଁ
ନେଉଛି ଆଜି ଶପଥ ।
ତାଆରି ଆଲୋକେ ତୁମକୁ ସଜେଇ
ଦେଖିବି ନୂଆ ପ୍ରଭାତ ।।
ସେଇ ପ୍ରଭାତର ଉଷା ଆଲୋକରେ
ତୁମ ମିଞ୍ଜି ମିଞ୍ଜି ମୁହଁ ।
ଅତି ଯତନରେ ରଙ୍ଗ ଭରିଦେବି
ଲିଭିଯିବ ତୁମ ଲୁହ ।।
ଲୁହ ସବୁ ତୁମ ପିଇ ପିଇ ଯିବି
ବଦଳରେ ଦେବି ହସ ।
ତୁମେ ହସୁଥିବ ଅଗଣା ହସିବ
ନ ରହିବ କେବେ କ୍ଳେଶ ।।
ବନ୍ଧୁ ଭାବିଛି ମୁଁ, ଭାବି ଚାଲିଥିବି
କରି ମୋ' ମନର ମିତ ।
ଯେଉଁ ରୂପରେ ବି ଆମ ଏ ବନ୍ଧନ
ଦୁନିଆ ଜିତିବ ସତ ।।
ମିଛ ଦୁନିଆରେ କେ ନୁହେ ନିଜର
ସବୁ ଖାଲି ଦେଖାଣିଆ ।
ନିଜର ଭାବିଛି ଭାବି ଚାଲିଥିବି
ନୁହେ ଭାବ ଦି' ଦିନିଆ ।।
ମନ ଅଗଣାରେ ସ୍ନେହଝର ଝରେ
ହୋଇ ମନ ମନ୍ଦାକିନୀ ।
କେବେ ମନ୍ଦାକିନୀ କେବେ ତପସ୍ୱିନୀ
କେବେ ପୁଣି ଅଭିମାନୀ ।।
ଅଭିମାନ ତୁମ କଣେଇ କଣେଇ
ମୋ' ସ୍ୱାଭିମାନକୁ ଚାହେ ।
ନୀରବେ ନୀରବେ ଗୋପନେ ଗୋପନେ
ତୁମ ମନକଥା କୁହେ ।।
ସେଇ ସ୍ୱାଭିମାନ ମୋ' ସୂକ୍ଷ୍ମ ଦର୍ଶନ
ଜୀବନରେ ଅବିଚ୍ଛେଦ୍ୟ ।
ତାକୁ ଛାଡି କ'ଣ ବଞ୍ଚି ମୁଁ ପାରିବି
ଲକ୍ଷ୍ୟ ମୋ' ସଦା ଦୁର୍ଭେଦ୍ୟ ।।
ଜାଣେ ମୁଁ ତୁମରି କେବେ ନୁହେଁ ସରି
ତଥାପି ତୁମରି ପାଇଁ ।
ତୁମ ଜୀବନରେ ଆଲୋକ ଦେବାକୁ
ଜଳୁଥିବି ଦୀପ ହୋଇ ।।
ତୁମେ ତ ତୁଳସୀ ଈଶ୍ୱର ପ୍ରେୟସୀ
ମୁଁ ସାମାନ୍ୟ ସନ୍ଧ୍ୟା ଦୀପ ।
ହସି ହସି ମିଶି ଅର୍ପି ଦେଇଯିବା
ହୃଦୟ ଭକ୍ତି ସଂକଳ୍ପ ।।
ଦୁଃଖ ବି ଆସିବ ସୁଖ ବି ଆସିବ
ଜୀବନ ଦୁଃଖ ସୁଖର ।
ଦୁଃଖରେ ଅଧୀର ସୁଖରେ ବିଭୋର
ନୁହେ ରୀତି ଜୀବନର ।।
କର୍ମ ହିଁ ଜୀବନ କର୍ମ ହିଁ ଧରମ
କର୍ମ ପ୍ରମୁଖ ଈଶ୍ୱର ।
ଜୀବନର ଗତି କର୍ମରେ ମୁକତି
କର୍ମ ହିଁ ଶିବ ସୁନ୍ଦର !!