ସ୍ମୃତିର ଗାର
ସ୍ମୃତିର ଗାର
ସ୍ମୃତିର ପଟରୁ ହଜିନାହିଁ ଆଜି
ବାର ବରଷର ବାଳକ ବାଜି ,
କିଏ ଭରିଥିଲା ବାଳୁତ ମନରେ
ଦେଶପ୍ରେମ ବହ୍ନି ଉଠିଲା ଜାଗି ||
ଜଗିବସିଥିଲା ଟିକି ନାଉରିଆ
ବ୍ରାହ୍ମଣୀ କୋଳରେ ଡଙ୍ଗାକୁ ବାହି,
କାନେ କହିଥିଲା ପରଜାମଣ୍ଡଳ
ବିଦେଶୀଙ୍କୁ ଘାଟ ନକର ପାରି ||
ସବୁଦିନେ ଖେଳେ ବ୍ରାହ୍ମଣୀକୋଳରେ
ମନବ୍ୟଥା ଖୋଲି ତାକୁ କୁହଇ ,
ହସିଗାଇ ଖେଳି ବିତଇ ବାଳୁତ
ତା' ପରି ପିଲାଟେ ସଂସାରେ କାହିଁ ||
ସ୍ୱାଭିମାନ ତାର ପାସାଣର ଗାର
ଦାମ୍ଭୀକ ପଣରେ କିଏ ସେ ସରି ,
ଜାତୀୟତା ଧର୍ମେ ସପଥେ ଅଟଳ
ବିଶାଳ ହୃଦୟ ହୁଏ ତା ବାରି ||
ବାହୁନି ବାହୁନି ନୀରବେ କାନ୍ଦୁଛି
ଏବେବି ବ୍ରାହ୍ମଣୀ ବାଜିକୁ ଖୋଜେ ,
ଦେଖିଛକି କିଏ ବାଜିଆକୁ ମୋର
କହିବ ଡାକୁଛି ବ୍ରାହ୍ମଣୀ ଏବେ ||
ପ୍ରଜାମଣ୍ଡଳର ସଇନ ସାଜିଲା
ରକତ ଧାରରେ ଲେଖିଲା ନାଆଁ,
ଇତିହାସେ ଆଜି ଅଲିଭା ରହିଲା
ନିଳକଂଣ୍ଠପୁର ଛୋଟିଆ ଗାଆଁ ||
ଜାଳିଦେଇ ଗଲା ସ୍ମୃତିର ମସାଲ
ସେଦିନୁ ଜଳୁଛି ସଭିଙ୍କ ମନେ ,
ମରିବି ଅମର ରଖିଛି ସେ ଗାଥା
ସବୁ ଓଡିଆଙ୍କୁ କହୁଛି କାନେ ||
ଦେଶମାତୃକାର ସେବାଧର୍ମ ବ୍ରତ
ଜୀବନ ପଥରେ ରଖିଲେ ଧରି
ମରିବି ଅମର ରହିବ ମୋ ପରି
ଥିବାଯାଏ ବନ ପାହାଡ ଗିରି ||
ଜନମ ଦିନରେ ହୃଦୟ କୋଣରୁ
ତବପାଦେ ଘେନପ୍ରଣାମ ଆମ ,
ଭାରତ ମାର ଗର୍ବ ଗୌରବ ଗାନ
କରୁଥାଉ ସଦା ତୁମରି ନାମ ||
