ସ୍ମୃତି
ସ୍ମୃତି
ମନେ ପଡେନି ତମ କଥା କେବେ
କୁହ ତୁମେ ମୋତେ ପ୍ରିୟା
ଆଖି ଖୋଲିଲେ ,ଆଖି ମୂଜିଲେ
ସ୍ଵପ୍ନରେ ତୁମରି ଛୁଆଁ।
ତୁମ ପାଇଁ ପ୍ରିୟା ଗଢିଛି ଜୀବନେ
ପ୍ରେମର ଅସୀମା ସିନ୍ଧୁ
ବନ୍ଧୁ ଭାବିଥିଲି କେତେବେଳେ ହେଲ
ମୋ ମନ ବାଳିକା ବଧୂ।
ମନ୍ଦିର ଗଲେ ତୁମରି ନାଆଁଟି
ମନେ ପଡ଼ିଯାଏ କାଇଁ
ଜଉଠେ ବି ଥାଅ ଭଲରେ ଥାଅ
ମନାସି ଥାଏ ମୁଇଁ।
ଚାନ୍ଦିନୀ ରାତିରେ ଚାନ୍ଦ ବି ଦେଖିଲେ
ମୁରୁକି ମୁରୁକି ହସେ
ଗାଁ ନଈ କୁଳେ ଚାଲିଗଲେ ଥରେ
ଶେଫାଳୀ ଶେଫାଳୀ ବାସେ।
ଦିନ ଥିଲା ଆମେ ଥିଲେ ପାଖାପାଖି
କହିଥିଲି ମନ କଥା
କେହି ତା ନଥିଲେ ଗୋଲାପଟି ଥିଲା
ଶୁଣୁଥିଲା ଆମ ବାର୍ତ୍ତା।
ଆଜି ତୁମେ ଦୂରେ ମୁଁ ଅଛି ଦୂରେ
ସେ ଗୋଲାପ ରହିଛି ସାକ୍ଷୀ
ପ୍ରେମର ତୃଷ୍ଣା ଏବେ ବି ବଞ୍ଚିଛି
ଝୁରୁଛି ଅଲୋଡା ଆଖି ।

