ସମାଜର ନଗ୍ନ ରୂପ
ସମାଜର ନଗ୍ନ ରୂପ
ଶୁଣ ଥରେ ଦେଇ କର୍ଣ୍ଣ
ଦୁର୍ନୀତି ଭ୍ରଷ୍ଟାଚାର କରଇ ରାଜୁତି
ଅହଂକାର ପରିପୂର୍ଣ
ମଣିଷ ହୋଇଛି କୁକର୍ମ ବଶୀଭୂତ
ହୃଦୟ କରି ପାଷାଣ ll
ଭ୍ରଷ୍ଟାଚାରେ ପେଟ ପୋଷେ ରାଜନେତା
ଭୋକରେ କାନ୍ଦେ ଜନତା
ଲାଞ୍ଚୁଆ ଏଠି ସରକାରୀ କର୍ମଚାରୀ
ଗରିବ ସାହା ଦେବତା ll
ପଶୁକୁ କରନ୍ତି କେତେ ଯତନ, କିନ୍ତୁ
ନାରୀ ପାଏନି ସମ୍ମାନ
ଯୌତୁକ ନିର୍ଯ୍ୟାତନା ପୁଣି ଧର୍ଷଣ
ସବୁ କରୁଛି ସହନ ll
ବାପପୁଅ ଭାଇଭାଇ ମଧ୍ୟେ ଶତ୍ରୁତା
କଥା କଥାରେ ବଚସା
ନିଜ ଲୋକ ଯଦି ନିଜର ନୁହଇ
କାହାକୁ ଆଉ ଭରଷା ll
କାମନା ରାକ୍ଷସ ଯେବେ ଗ୍ରାସେ
ଭୁଲି ଯାଏ ସବୁ କିଛି
ବାସନା ମୋହେ ହରାଇ ମଣିଷତ୍ୱ
କରେ ପରକୀୟା ପ୍ରୀତି ll
ଲୋକ ଦେଖାଣିଆ ବେଶ୍ୟାକୁ ଘୃଣା
ଅନ୍ଧାରେ ପ୍ରେମ ଆଳାପ
ନିଜ କାମ ସବୁ ପୁଣ୍ୟରେ ଗଣିତ
ଅନ୍ୟ କେହି କଲେ ପାପ ll
ଜାତି ଜାତି ଛୁଆଁ ଅଛୁଆଁ ଭେଦଭାବ
ଧର୍ମ ମଧ୍ୟେ ମତାନ୍ତର
ଧର୍ମ ବଞ୍ଚାଇବା ଆଶେ ହାରୁଛି ଧର୍ମ
କରିଣ ନର ସଂହାର ll
କିଏ ରାସ୍ତା କଡେ ରହିଥାଏ ପଡି
ଖାଇ ମଦ ମାଂସ ଝୋଳ
କିଏ ଜୁଆ ଖେଳେ ସର୍ବସ୍ବ ହାରି
ଘରେ କରେ ଗଣ୍ଡଗୋଳ ll
ଚୋରୀ ଡକାୟତି ହେଲାଣି ପେଶା
ଠକାମୀରେ ଧୁରନ୍ଧର
ବର୍ବରତା ଯାଇ ଚରମ ସୀମାରେ
ଉଜାଡି ସୁନା ସଂସାର ll
ସମାଜର ନଗ୍ନ ରୂପ
ଯେତେ କହିଲେ ନସରେ
କାହା ପାଇଁ ଛାଉଣୀଟେ ନାହିଁ, ତ
କିଏ ରହେ ଉପାସରେ
କପାଳ ଲିଖନକୁ ଦେଇଣ ଦୋଷ
କାନ୍ଦି କାନ୍ଦି ନିଜେ ମରେ ll
