ଶସ୍ତା
ଶସ୍ତା
ସୁକୁସୁକୁ ହଉଚି ମଙ୍ଗୁଳି ବୁଢ଼ାଟା
ଦାନ ନେଇସାରିଲାଣି ଦିଇଥର
ସାଇ ପଡ଼ିଶାଙ୍କ ମୁହଁ ରେ
ଆହା କେତେ ପୀଡ଼େଇବ ପ୍ରଭୁ
ଡାକି ନିଅ ତମ ପାଖକୁ
ଘରଭିତରେ ଟୁପୁରୁ ଟାପୁରୁ
କେତେ କରିବୁ ଯେ
ଯାଉନି କି ଶାନ୍ତିରେ ରଖେଇ ଦଉନି
କେଇପଦ କାନରେ ପଡ଼େ ବୁଢ଼ାର
ପ ଫାଟିଲା ଆଗରୁ ନିସ୍ତେଜ
କେହି ଜାଣିଲେନି କି
ବୁଝିବାକୁ ଚେଷ୍ଟା କଲେନି ତା' ମନକଥା
ଘରର ଏକମାତ୍ର ପୋଷଣାହାରୀ ପୁଅ
ଆଖି ବୁଜିଲା ରାଜଧାନୀ ର ଘୋରଇ ହସ୍ପିଟାଲରେ
ଘର ପରିବାରକୁ ପଛରେ ଛାଡ଼ି ମହାମାରୀ ରେ
କେତେ ସତ କେତେ ମିଛ
ତା' ମୃତ୍ୟୁ ର କାରଣ ରହିଗଲା ଅଜଣା
ନୁଖୁରା ପିଲାଙ୍କ
ହା ଅନ୍ନ ଚିତ୍କାରରେ ଅତିଷ୍ଠ ହେଇ
ପର ପାଇଟି ପନ୍ଥା ବନ୍ଦ ପରେ
ନରିଆ ବିଧବା ଟା ଯୁଆନ ବଅସ ରେ
ଡେଇଁ ପଡ଼ିଲା କେନାଲ କୁ
ନାଳୁଆରୁ ଅଳିଆ ଗଦାରୁ
ଭାତ ବାସି ଗନ୍ଧିଆ ଡାଲି ତରକାରୀ ରେ
ପେଟ ପୁରଉଥିବା ପାଗିଳୀ ଟା
ପଡ଼ିଛି ନାଳ କଡ଼ରେ ଦି'ଦିନ ହେଲା
କିଏ କେମିତି ସଂସ୍କାର କରିବ କେଜାଣି
ତା' ପୁଣି ଏ ଦ୍ରୋହ କାଳରେ
ପ୍ରତିପତ୍ତି ଘର ପୁଅ ଆଉରି
ନିଜର ଓ ପରିବାରର ନାଁ ଉଜ୍ଜ୍ୱଳ କରି
ସେବା ବାଦାନ୍ୟତା ଦେଖେଇ
ଆଖି ବୁଜିଲା ରାଇଜ ବାହାରେ
ଦାମୀ ହସ୍ପିଟାଲରେ
ପ୍ରବଳ ଗୁଣଗାନ
ଅଧୂରା ରହିଗଲା ବାକି ସପନ
ସମାଜ ପରିବାର ତାଡ଼ନାରେ
ଜୀବନର ସଜ୍ଞା ନବୁଝୁଣୁ
ଗାଁ ବରଗଛ ଡାଳରେ ଝୁଲିଗଲେ
ପ୍ରେମୀ ଯୁଗଳ କୁହାକୁହି ହେଇ...
ମନ ମୋ ଅବୁଝା
ସତରେ ଏଠି
ଜୀବନ ଶସ୍ତା...ନା ଶସ୍ତା ମୃତ୍ୟୁ ଟା !