ଶରତର ଆଗମନେ
ଶରତର ଆଗମନେ
ଝିପି ଝିପି ମେଘ ସରିଗଲା ଏବେ
ବରଷା ବିଦାୟ ନେଲା
ଟିକି ଟିକି ଟୋପା ଶିଶିର ବିନ୍ଦୁ ଯେ
ମରତକୁ ଛୁଇଁଗଲା ||
ଦୁନିଆଟା ଆଜି ସୁନ୍ଦର ଲାଗୁଛି
ଶରତର ଆଗମନେ
ନଦୀ ପଠା ପରେ କାଶତଣ୍ଡୀ ଫୁଲ
ମୁରୁକି ହସୁଛି ମନେ ||
ସୁନୀଳ ଆକାଶ ଦିଶିଲାଣି ତୋଫା
ଶୋଭାଶ୍ରୀରେ ବିମଣ୍ଡିତ
କୁମୁଦିନୀ ହସେ ସରୋବର ତଟେ
ଜହ୍ନକୁ ଦେଖି ଲଜ୍ଜିତ ||
ସପନରେ ହଜେ ପାହାଡି ଝରଣା
ମନରେ ଅଭୁଲା ପ୍ରୀତି
ଜୋଛନାରେ ଭିଜି ଗାଇଯାଏ ଆଜି
ଆନନ୍ଦରେ ମଧୁଗୀତି ||
ଜଗତ ଜନନୀ ମାଆ ଦଶଭୁଜା
ଆସିବେ ଧରା ପୃଷ୍ଠକୁ
ଦୁର୍ଗତିନାଶିନୀ ଦୁଷ୍ଟକୁ ବିନାଶି
ଉଦ୍ଧାରିବେ ଜଗତକୁ ||
ସଭିଏଁ ଆସରେ ଆବାହନ କରି
ଡାକିବା ମାଆ ଦୁର୍ଗାଙ୍କୁ
ଜଗତର ଦୁଃଖ କରିଦେବେ ଦୂର
ଆଶିଷ ଦେବେ ଆମକୁ ||