ଶେଫାଳୀ
ଶେଫାଳୀ
ଝଡି ଯିବା ପାଇଁ ଜନ୍ମ ତୁମର,
ସୁନ୍ଦର ଅଥଚ ଅଲୋଡା।
ବେଳେବେଳେ ସନ୍ଦେହ ହୁଏ;
ଯେଉଁ ସୈାନ୍ଦର୍ଯ୍ୟ ଜହ୍ନ ଦେଖିପାରେ
କ'ଣ ଦେଖିପାରେନା ସୂର୍ଯ୍ୟ?
ଯେଉଁ ମହକ କବି ବାରିପାରେ
କ'ଣ ବାରିପାରେନା ଏ ସମାଜ?
ଅନେକ ପ୍ରଶ୍ନ ଅଛି ତୁମ ପାଇଁ
ଦ୍ୱେଷ କିମ୍ବା ଅଭିମାନ ବି ଭାବିପାର।
ପ୍ରକୃତି ର କେଉଁ ଉପକାରର ବୋଝ ଏତେ ଅଣନିଃଶ୍ବାସୀ କଲା ଯେ
ଅଜାଡ଼ି ଦେଲ ନିଜ ଅସ୍ତିତ୍ଵ କୁ ଧରଣୀ ବୁକୁରେ?
କେମିତି ହସି ହସି ଚାପି ହେଇପାର,
କେଉଁ ଅଜଣା ର ପାଦତଳେ?
ପୁଣି ନିଶ୍ଚିହ୍ନ ହୋଇଯାଅ,
ଅଜସ୍ର ଧୂଳି ମାନଙ୍କ ଭିତରେ?
ଅନ୍ଧ ଏ ଦୁନିଆ
ନା ଅଭିଶପ୍ତ ତୁମେ?
ବୁଝିବାର ଚେଷ୍ଟା ବାରମ୍ବାର କରି ମଧ୍ୟ ବିଫଳ ହେଇଛି,
ଅବୁଝା ଏ ମନ କେବଳ ତୁମ ଉତ୍ତର ର ଅପେକ୍ଷା କରିଛି।
ରାତିର ସେ ଶିଶିର ଠୋପା ଯେ ତୁମ ଲୁହ,
ଚିହ୍ନିବାକୁ ଆଉ ବାକି ନାହିଁ;
କାହିଁକି ଯେ ବାଛିଲ ଶରତ,
ଜାଣିବାକୁ ଆଉ ବାକି ନାହିଁ।
ତୁମେ ଯେ ଖୋଜୁଥାଅ ଗୋଟେ ସୈାନ୍ଦର୍ଯ୍ୟ ର ଉପାସକ,
ବୁଝିବାକୁ ଆଉ ବାକି ନାହିଁ।
ସେଥିପାଇଁ ଆଜି ଗୋଟେଇ ଆଣିଛି ମୁଁ;
କେଉଁ ଅଜଣା ର ପାଦତଳେ
ଦଳି ହେଇଯିବା ଆଗରୁ
ଅଜସ୍ର ଧୂଳି ମାନଙ୍କ ଭିତରେ
ନିଶ୍ଚିହ୍ନ ହେଇଯିବା ଆଗରୁ।
ପାଣି ଫରୁଆ ରେ ଆଜି ସଜେଇ ଦେଇଛି ମୁଁ;
ହୁଏତ ଜୀବନକୁ ଟିକେ ଦେଖିନେବି,
ତୁମେ ମଉଳି ଯିବା ଆଗରୁ....
