STORYMIRROR

Gopal Das

Romance Fantasy Inspirational

4  

Gopal Das

Romance Fantasy Inspirational

ସ୍ବପ୍ନର ଅଭିସାର!

ସ୍ବପ୍ନର ଅଭିସାର!

1 min
5

ତୁ ଦିନେ ଆସିଥିଲୁ
ମୋ ସ୍ୱପ୍ନର ସୌଦାମିନୀଟିଏ ହୋଇ,
ହେଲେ ଚାଲିଗଲୁ ଚିହ୍ନା ମୁଲକରେ ଅଚିହ୍ନା ପ୍ରଜାପତିଟିଏ ହୋଇ।। ((୧))

ତୁ ଦିନେ ଆସିଥିଲୁ,
ଭିଡ଼ ବଜାରରେ ଏକାକୀ ଚାଲୁଥିବାବେଳର ସାଥୀଟିଏ ହୋଇ,
ହେଲେ ଚାଲିଗଲୁ ଜଣେ ଅଜଣା ଅଚିହ୍ନା ପଥିକଟିଏ ହୋଇ।। ((୨))

ତୁ ଦିନେ ଆସିଥିଲୁ
ଶୀତୁଆ ସକାଳର ଚା କପ୍‌ରେ ଝଡଟିଏ ହୋଇ,
ହେଲେ ଚାଲିଗଲୁ ଦୂର ରାଇଜକୁ ପରୀଟିଏ ହୋଇ।। ((୩))

ତୁ ଦିନେ ଆସିଥିଲୁ,
ଲାଇବ୍ରେରୀର ଶାନ୍ତ କୋଣରେ ଅଧା ପଢା ବହିର ବୁକ୍‌ମାର୍କଟିଏ ହୋଇ,
ହେଲେ ଚାଲିଗଲୁ ଶେଷ ପୃଷ୍ଠାରେ ଏକ ଅସମାପ୍ତ ଗପଟିଏ ହୋଇ।। ((୪))

ତୁ ଦିନେ ଆସିଥିଲୁ
ଜୀବନର ଅନୁଭୂତିକୁ ପାଥେୟ କରି ମୋର ଅଭୁଲା ସ୍ମୃତିଟିଏ ହୋଇ,
ହେଲେ ଚାଲିଗଲୁ ସବୁଦିନ ଅଜଣା ଅଚିହ୍ନା ମଣିଷଟିଏ ହୋଇ।। ((୫))

ତୁ ଦିନେ ଆସିଥିଲୁ
ମୋ ଅଙ୍କ ପରୀକ୍ଷା ଆଗ ରାତିର ରଫ୍‌ ଖାତାଟିଏ ହୋଇ,
ହେଲେ ଭାସି ଚାଲିଗଲୁ ମେଘ ପାଣିରେ କାଗଜର ଡଙ୍ଗାଟିଏ ହୋଇ।। ((୬))

ତୁ ଦିନେ ଆସିଥିଲୁ
ଫିଜିକ୍ସ କ୍ଲାସରେ ଅଙ୍କାବଙ୍କା ଅକ୍ଷରରେ ଲେଖାଥିବା ନୋଟଟିଏ ନେଇ,
ହେଲେ ଚାଲିଗଲୁ ଅନ୍ୟ ଏକ ରାଇଜକୁ ଉଚ୍ଚ ଶିକ୍ଷା ପାଇଁ।। ((୭))

ତୁ ଦିନେ ଆସିଥିଲୁ,
ସେଇ ଶ୍ରାବଣର ପ୍ରଥମ ବର୍ଷାର ଭିଜା ମାଟିର ବାସ୍ନାଟିଏ ହୋଇ,
ହେଲେ ଚାଲିଗଲୁ ଖରାଦିନର ମରୀଚିକା ପଛରେ ଏକ ଶୁଖିଲା ସ୍ୱପ୍ନଟିଏ ହୋଇ।। ((୮))

ତୁ ଦିନେ ଆସିଥିଲୁ,
ଅନ୍ଧାରିଆ ରାସ୍ତାର ମିଞ୍ଜି ମିଞ୍ଜି ଷ୍ଟ୍ରିଟ୍‌ ଆଲୋକରେ ଧ୍ରୁବତାରାଟିଏ ହୋଇ,
ହେଲେ ଚାଲିଗଲୁ ପୁଣିଥରେ ମୋ ସ୍ମୃତିରେ ଉଲ୍କାପିଣ୍ଡଟିଏ ହୋଇ।। ((୯))

ତୁ ଦିନେ ଆସିଥିଲୁ,
ମୋ ଖାଲି ପଡ଼ିଥିବା କାନ୍ଥରେ ଏକ ରଙ୍ଗୀନ ଚିତ୍ରପଟଟିଏ ହୋଇ,
ହେଲେ ଚାଲିଗଲୁ ସମୟର ସ୍ରୋତରେ ଜଣେ ଫିକା ପଡ଼ିଥିବା କାହାଣୀର ନାୟିକାଟିଏ ହୋଇ।। ((୧୦))

ତୁ ଦିନେ ଆସିଥିଲୁ,
ମୋ ନିଶ୍ୱାସରେ ଜୀବନର ସ୍ପନ୍ଦନଟିଏ ହୋଇ,
ହେଲେ ରହିଗଲୁ ଆଜି ମୋ କଲମରୁ ଝରୁଥିବା ଏଇ କିଛି ଶବ୍ଦର କବିତାଟିଏ ହୋଇ!! ((୧୧))


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance