ସାଧୁବାଦ
ସାଧୁବାଦ
ପଲ୍ଲୀରୁ ଦିଲ୍ଲୀ
ରାଜଧାନୀ ରେଳ ଯାତ୍ରା ସମୟରେ
ମନକୁ ଛୁଇଁଲା ନୂଆ ଭାବନା
ପୁରୁଷୋତ୍ତମ ଏକସ୍ ପ୍ରେସରେ
ଫେରିବା ବେଳକୁ
କଥାଟା କେଞ୍ଚିଲା ଆନମନା ।
ସାଧୁବାଦ ଦଣ୍ଡବତ କହିବାକୁ
ହାତ ଯୋଡି ଓଳଗି ହେବାକୁ
କାହିଁକି କେଜାଣି
ଇଚ୍ଛାମାନେ ମୋତେ ଅହରହ
କୁତୁକୁତୁ କରୁଥିଲେ
ଯଦିଓ ଦୁରତ୍ଵ ଥିଲା
ଯୋଜନ ଯୋଜନ ।
ସେହି ଝାପ୍ସା ଝାପ୍ସା
ମନେଥିବା ପ୍ରାତସ୍ମରଣୀୟ
ଭଗାରୀ-ବଇରୀ ମାନଙ୍କୁ
ରାମ୍ ରାମ୍ କହି ସମ୍ବୋଧନ
ଜୟ ଜଗନ୍ନାଥ କହି ସମ୍ଭାଷଣ
କରିବାକୁ ଅସଂଖ୍ୟ ଭଦବେଳନ
କାରଣ
ତାଙ୍କର ଲଗାଣ ବର୍ଷା ପରି
ଇର୍ଷା ଅଶୂୟାର କଟୁ ହଳାହଳ
ଅପମାନ ଗାଳି ଗୁଲଜର
ଗଣ୍ଡାକୁ ଗଣ୍ଡା ତିଳ ତଣ୍ଡୁଳ
ମୋତେ ଜଙ୍ଗ ନିରୋଧକ
ଡବଲ୍ ବୁଲ୍ ସିମେଣ୍ଡ ପରି
ଅସରନ୍ତି ଶକ୍ତି ସାମର୍ଥ୍ୟର ବୁଦ୍ଧିଲିଳା
ଅନବରତ ଜୁଝିବାର ଛକାପଞ୍ଜା ଚାରୁକଳା ।
ଆପେ ଆପେ ଶିଖେଇ କୁହେଇ
ହାତ ଧରେଇ ଖୁଣ୍ଟେଇ ଦେଲା
ବିଞ୍ଚି ବୁଣି ପଡ଼ିଥିବା
କଣ୍ଟକ ଜୀବନର ଚଲାପଥେ
ରାଗ ପାଳିବା ଶିଖେଇ
ସହି ଯିବାର ଯାଦୁମନ୍ତ୍ର
ଅମୃତ ମିଠେଇ ଖୋଏଇ ସାଥେ ସାଥେ ।
ଦମ୍ଭ ସାହସର ଅଙ୍କୁର ରୋପେଇ
ଅଖ୍ୟାତ ପଲ୍ଲୀର ଦୁର୍ବାଦଳକୁ
ପଲ୍ଲବିତ ଦ୍ରୁମରେ ଆପେ ଆପେ
ବଢେଇ ଚାଲିଛି ଆସ୍ତେ ଆସ୍ତେ ।
କୁଖ୍ୟାତ ଅନ୍ଧାରୀ ଗାଁ ପୁଅକୁ
ଦୁନିଆର ବଡ଼ଦାଣ୍ଡରେ
ଛାତି ଫୁଲେଇ ସ୍ଵାଭିମାନୀ
ବନେଇଛି ମାଥେ ମାଥେ ।
କହିଲ ଦେଖି !
ତାଙ୍କର ସେ ଦିନର ସୁବିଧାବାଦ
ମୋ ପାଇଁ ଆଜି ଆଶିର୍ବାଦ
ତାଙ୍କରି ସେ ଦିନର
ସାମ୍ୟବାଦ ଲୁଣ୍ଠନବାଦ
ଦାନବବାଦ
ଆଜି ସାଜିଛି
ସମାଜବାଦ ମାନବବାଦ
ସର୍ବମଙ୍ଗଳ ସାଧୁବାଦ ।