STORYMIRROR

Biswanath Nayak

Inspirational

4  

Biswanath Nayak

Inspirational

ସ୍ଵାଭିମାନ

ସ୍ଵାଭିମାନ

1 min
56


କୋଣାରକ ଶିଳା

    ନର୍ତ୍ତକୀ ଗୋ ! ତୁମେ

         ନୀରବ ରୁହନା ଆଜି,

ଅତୀତର କୀର୍ତ୍ତି

     କୋଣାର୍କ ସ୍ଥାପତ୍ୟ

          ଦିନୁ ଦିନ ଯାଏ ହଜି। 


ସ୍ଵର୍ଣ୍ଣ ଅକ୍ଷରରେ

      ଲିପିବଦ୍ଧ ଯା'ର

          ଚାରୁ କଳାରାଜି ଗାଥା,

ଭୁଲୁଣ୍ଠିତ ଆଜି

      ସାଗର ବେଳାରେ

           ଦେଖି ନଇଁ ଯାଏ ମଥା। 


ଭଗ୍ନ ମୁଖଶାଳା

    ବିଖଣ୍ଡିତ ତନୁ

        ଉଦାସେ ଚାହେଁ ଆକାଶେ,

ତା ମନ କପୋତ

    ହୋଇଣ କ୍ଷତାକ୍ତ

         ନିରାଶେ ଫେରେ ତା ପାଶେ। 


ଓଡ଼ିଆ ଜାତିର

      କଳା କୁଶଳତା

             ପୂରୁବ ଗରବ ଚୟ,

ଧର୍ମପଦ ସାଥେ

      ସାଗର ଗରଭେ

             ଲଭିଛି କିବା ବିଲୟ !


ଯେଉଁ କୋଣାର୍କର

       ପୂର୍ଣ୍ଣ ଚାରୁ ଚିତ୍ର

              ବିଲୋକିଛି ତୁମ ଆଖି,

କିପରି ସହୁଛ

       ଆଜି ଗୋ ନର୍ତ୍ତକୀ !

              ତା'ର ଏ ଦୁର୍ଦ୍ଦଶା ଦେଖି ?


ଜାଗ ହେ ନର୍ତ୍ତକୀ !

        ଜଗାଅ ଓଡ଼ିଶା

              ନାଚ ତୁମେ ବାହୁ ମେଲି ,

ଘୁଙ୍ଗୁର ଶବଦେ

        ନିନାଦିତ ହେଉ

                ଓଡ଼ିଶାର ପୁରପଲ୍ଲୀ। 


ଅଧୁନାର ଶିଳ୍ପୀ

       ମନେ ସେ ଶବଦ

                ଆଣୁ ନବ ଜାଗରଣ ,

ଗଢନ୍ତୁ ସେମାନେ

         ନୂତନ କୋଣାର୍କ

                 ଧରି ମୁଗୁର ନିହାଣ। 


ବିଶ୍ଵ ଦରବାରେ

         ପ୍ରତିଷ୍ଠିତ ହେଉ

                 ଓଡ଼ିଶାର ସ୍ବାଭିମାନ ,

ନିଷ୍ଫଳ ନହେଉ

        ଚନ୍ଦ୍ରଭାଗା ତୀରେ

                 ଧରମାର ବଳିଦାନ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational