ନାଆ ଓ ନାଉରିଆ
ନାଆ ଓ ନାଉରିଆ
ନାଆ କହେ ଆରେ ନାଉରିଆ ଭାଇ
ଧନ୍ୟ ତୋ ଜୀବନ ସତେ।
ଏହି ନଦୀରେ ତୁ ପାରି କରୁଅଛୁ
ନିତି ନରନାରୀ କେତେ !
କହେ ନାଉରିଆ ଏ ନଦୀରେ ସିନା
ଲୋକଙ୍କୁ ମୁଁ କରେ ପାରି।
ମୁଁ କିନ୍ତୁ ବସିଛି ଭବସିନ୍ଧୁ ତଟେ
ହୋଇଣ ନିଜେ ପଝାରି।
ଅତି ଦୁସ୍ତର ଏ ଭବସାଗରକୁ
ହୋଇଯିବା ପାଇଁ ପାରି !
ଖୋଜି ମୁଁ ପାଏନା ନାଆ ଓ ନାଉରି
ରହିଛି ଅପେକ୍ଷା କରି।
ନାଆ କହେ ଆରେ ନାଉରିଆ ଭାଇ
ଦୁର୍ଲ୍ଲଭ ଏ ତୋ ଶରୀର।
ନାବ ରୂପେ ପରା ବନ୍ଧା ହୋଇଅଛି
ଏହି ଭବସିନ୍ଧୁ ତୀର।
ତୋ ଦେହ ଭିତରେ ପରମାତ୍ମା ରୂପେ
ଅଛି ସେ ନାଉରି ରହି।
ସେ ନାଉରି ସହ ଚିହ୍ନା ହୋଇଗଲେ
ପାରି ସେ କରି ଦିଅଇ।
ଥାଉ ପାଶେ ଯେତେ ଧନ ପ୍ରତିପତ୍ତି
ନଥିଲେ ମନେ ଭକତି।
ଚିହ୍ନା ହେବାପାଇଁ ସେ ନାଉରି ସହ
ନାହିଁ କାହାର ଶକତି।
ଯେବେ ତୁ ଚାହୁଁଛୁ ଏ ଭବସାଗରୁ
ପାରି ହୋଇଯିବା ପାଇଁ।
ସେ ନାଉରି ସହ ଚିହ୍ନା ହୋଇ ଯାଆ
ଯିବୁ ସୁଖେ ପାରି ହୋଇ।।