ବସନ୍ତ
ବସନ୍ତ
ଶୀତ ଅନ୍ତେ ଆସି ବସନ୍ତ
ଧରା ତନୁ ଛୁଇଁଲା।
ସେ ଶୁଭ ବାରତା ଧରାରେ
ଧୀରେ ପ୍ରସରିଗଲା।
ମନ ଶିହରାଇ ବହିଲା
ମନ୍ଦ ମଧୁ ମଳୟ।
ଶୀତ ସ୍ଵ କରମ ଆଦରି
ଗଲା ନିଜ ଆଳୟ।
କେତେ ଦର୍ପେ ସିଏ ଧରାରେ
ଥିଲା କାୟା ବିସ୍ତାରି।
ଦର୍ପୀ ଲୋକ ପ୍ରାୟେ ନିମିଷେ
ତାର ତୁଟିଲା ଶିରୀ।
ନବପତ୍ର ପୁଷ୍ପେ ପାଦପେ
ଅଙ୍ଗ ମଣ୍ଡି ଯତନେ।
ଋତୁରାଜେ କଲେ ସ୍ଵାଗତ
ହସି ଆନନ୍ଦମନେ।
ଆମ୍ରକୁଞ୍ଜେ ପିକ ଗାଇଲା
ଆବାହନ ସଙ୍ଗୀତ।
ହଳଦୀବସନ୍ତ କାକଳୀ
ଦେଲା ଶୁଭ ସଙ୍କେତ।
ଶୀତେ ସନ୍ତାପିତ ପ୍ରାଣୀଏ
ଉଲ୍ଲସିତ ପରାଣେ।
ଋତୁରାଜ ସାଥେ ନାଚିଲେ
ଝୁମି ଆନନ୍ଦମନେ।
ବସନ୍ତ ସ୍ଵାଗତ ପାଇଁକି
ମହୀ ହର୍ଷବଦନେ।
ନାନା ଜାତି ଫଳ ସଞ୍ଚିଲା
ଗୃହେ ଆଣି ଯତନେ।
ବସନ୍ତ ଆଗମ ଆନନ୍ଦେ
ଦୋଳେ ରାଧା ମାଧବ।
ଗ୍ରାମେ ଗ୍ରାମେ ଫଗୁ ଖେଳିଲେ
ଆଣି ଶାନ୍ତି ସଦ୍ଭାବ।
ଇଚ୍ଛନ୍ତି ସରବେ ବସନ୍ତ
ସଦା ରହୁ ଧରାରେ।
ଗ୍ରୀଷ୍ମ ଆଗମନେ ତାହାକୁ
କିନ୍ତୁ କେ ରଖିପାରେ !