ହଳଦୀବସନ୍ତ
ହଳଦୀବସନ୍ତ
ଅମୃତ ବେଳାରେ ହଳଦୀବସନ୍ତ !
ଗଢ଼ିଛନ୍ତି ତୋତେ ବିହି।
ତୋ ରୂପ ଦର୍ଶନେ ମିଳେ ଯେଉଁ ଖୁସି
ଭାଷାରେ ବର୍ଣ୍ଣି ନୁହଇଁ।
ହଳଦୀରଙ୍ଗରେ ମଣ୍ଡିତ ତୋ ତନୁ
ଦେଖି ଆଖି ଯାଏ ଲାଖି।
ରକ୍ତିମ ନୟନ ମଧ୍ୟେ କଳା ଡୋଳା
ଚିତ୍ତେ ହୋଇଯାଏ ଆଙ୍କି।
ଅଙ୍ଗ ସିନା ତୋର ହଳଦିଆ ରଙ୍ଗ
କଳା ତୋର ଡେଣା ଶିର।
କଳା ଡେଣା ପରେ ହଳଦିଆ ଚିହ୍ନ
ଦିଶେ ଅତି ଚମତ୍କାର।
କଳା ଡେଣା ତଳେ ହଳଦିଆ ପୁଚ୍ଛ
ବଢ଼ାଏ ତୋ ରୂପ ଶୋଭା।
ହଳଦିଆ କଳା ବେନି ରଙ୍ଗେ ତୁହି
ଦିଶୁ କେଡ଼େ ମନଲୋଭା।
ସାହାଡ଼ା ବୃକ୍ଷରେ ବସି ନାଲି ଥଣ୍ଟେ
କୋଳି ଯେବେ ଖୁମ୍ପି ଖାଉ।
ସେହି ମନୋରମ ଦୃଶ୍ୟ ଯେ ଦେଖିଛି
ଭୁଲି କି ପାରିବ ଆଉ !
ଏଡାଳୁ ସେଡାଳ ଉଡ଼ି ଯେତେବେଳେ
ତୋଳୁ ମଧୁର କାକଳୀ।
ଅମୃତମୟ ସେ ସ୍ଵରର ମାଧୁର୍ଯ୍ୟ
କେ ଅବା ପାରିବ କଳି !
ଥାଉ ଅବା ତୁହି ସାଥିଙ୍କ ସହିତ
ଥାଉ ଅବା ଏକା ତୁହି।
ଆନନ୍ଦରେ ବୃକ୍ଷଡାଳ ପରେ ବସି
ଗାଉ ତୁହାଇ ତୁହାଇ।
ବସନ୍ତଋତୁର ଶୁଭ ଆଗମନେ
ସ୍ଵାଗତ ସଙ୍ଗୀତ ଗାଉ।
ଦିଗ ଓ ବିଦିଗ ପ୍ରକମ୍ପିତ କରି
ଖୁସି ତୋର ବାଣ୍ଟୁଥାଉ।
ମାଙ୍ଗଳିକ କାର୍ଯ୍ୟେ ହଳଦୀ ଲାଗିଲେ
ସର୍ବ ଶୁଭ ହୁଏ ଯେହ୍ନେ।
ହଳଦୀବସନ୍ତ ! ସର୍ବ ଶୁଭ ହୁଏ
ତୋର ରୂପ ଦରଶନେ।
ଏବେ ଆଉ ଏତେ ଆଗଭଳି ତୁହି
ଦେଖା ଦେଉନୁ କାହିଁକି ?
ପରିବେଶ କିବା ପ୍ରତିକୂଳ ହେଲା
ତୋ ବଂଶ ବୃଦ୍ଧି ପାଇଁକି ?
ପ୍ରକୃତିରାଣୀର ଚାରୁ ଅଳଙ୍କାର
ତୁହି ସୌନ୍ଦର୍ଯ୍ୟର ଖଣି।
କୋଟି ପ୍ରଣିପାତ ବିହି ପାଦେ ତୋତେ
ଗଢ଼ିଛି ସେହି ବିନ୍ଧାଣି।