ପିକ
ପିକ
ଆମ୍ରକୁଞ୍ଜେ କାହିଁ ବସିଥିଲୁ ପିକ
ଦେଖି ମୁଁ ପାରିଲି ନାହିଁ।
କିନ୍ତୁ କୁହୁ କୁହୁ ତୋ ମଧୁ ମୂର୍ଚ୍ଛନା
ନେଲା ମୋ ଚିତ୍ତ ଚୋରାଇ।
ଆମ୍ବ ବଉଳର ଆମୋଦ ସଙ୍ଗତେ
ତୋର ବୀଣା ଜିଣା ସ୍ଵର।
ଦେଉଥିଲା ଯେଉଁ ସ୍ଵର୍ଗୀୟ ଆନନ୍ଦ
କି ବର୍ଣ୍ଣିବି ମୁହିଁ ଛାର।
କଣ୍ଠତଟେ ତୋର କଳା-ଠାକୁରାଣୀ
ବୀଣାପାଣି ସତେ ବସି।
ବିପଞ୍ଚୀର ତାନେ ସ୍ଵର ତୋଳୁଥିଲେ
ଜନମନକୁ ଆକର୍ଷି।
ତୋ ମଧୁ କୂଜନେ ଶୁଭୁଥିଲା କର୍ଣ୍ଣେ
ବସନ୍ତର ପଦଧ୍ଵନି।
ଫୁଲ ସବାରୀରୁ ଓହ୍ଲାଇ ସତେକି
ଭ୍ରମୁଥିଲା ସେ ଧରଣୀ।
ମଧୁମଳୟର ଛନ୍ଦେ ଝୁମି ଝୁମି
ତୋଳୁଥିଲୁ ଯେଉଁ ତାନ।
ସେ ତାନର ତାଳେ ଆମୋଦିତ ହୋଇ
ଝୁମୁଥିଲା ମୋର ମନ।
ତ୍ରିତାପେ ତାପିତ ଏ ସଂସାର ମଧ୍ୟେ
ଏତେ ଯେ ଆନନ୍ଦ ଅଛି !
ଏକାନ୍ତରେ ଯିଏ ହଜିଛି ତୋ ସ୍ଵରେ
ସେ ଏକା ତାହା ଜାଣିଛି।
ଦରଦଭରା ତୋ ସଙ୍ଗୀତର ସ୍ଵର
ହୃଦୟକୁ ଗଲା ଛୁଇଁ ।
ଜାଣେନା ତୋ ଭାଷା କିପରି ବୁଝିବି
ତୋ ଗୀତର ମର୍ମ ମୁହିଁ ?
ତୋ ମରମ ତଳେ ରହିଛି କି ପିକ !
କିଛି ଅକୁହା ବେଦନା ?
ଯାହା ଶୁଣିଲେ ବି ବୁଝି ମୁଁ ପାରୁନି
ବିଧିର କି ବିଡମ୍ବନା !