ମନ
ମନ
ସୁନ୍ଦର ବା ଅସୁନ୍ଦର ହେଉ ନର
ହେଉ ଧନୀ ବା ନିର୍ଦ୍ଧନ।
ସଭିଙ୍କ ଭିତରେ ଲୁଚି ରହିଅଛି
ଗୋଟିଏ ସୁନ୍ଦର ମନ।
ସାଗର ପରାୟେ ସେ ମନ ଗଭୀର
ଆକାଶ ପରି ଅନନ୍ତ।
ନଦୀ ସ୍ରୋତ ସମ ଅଟେ ସେ ଚଞ୍ଚଳ
ନପାଏ କେହି ତା ଅନ୍ତ।
କେବେ ଧ୍ୟାନରତ ମୁନିଙ୍କ ପରାୟ
ଲାଗଇ ସେ ଶାନ୍ତ ସ୍ଥିର।
କେବେ କାଳବଇଶାଖୀ ବାତ ସମ
ଲାଗେ ସେ ଅତି ଅସ୍ଥିର।
ସେ ମନ-ବନରେ ଚୋରା ଚଇତାଳି
ବେଳେବେଳେ ବହେ ଧୀରେ।
କେବେ ଝାଞ୍ଜି ବହି ସେହି ମନ-ବନେ
ତାହାକୁ କ୍ଷତାକ୍ତ କରେ।
କେବେ ସେହି ମନ ସରଳ ଓ ଶାନ୍ତ
ଶିଶୁ ସମ ହୋଇଯାଏ।
କେବେ ଅହଂକାରୀ ହୋଇ ସେହି ମନ
ଅନ୍ୟକୁ ଯନ୍ତ୍ରଣା ଦିଏ।
ମନକୁ ଜିତିଲେ ମନ ହୁଏ ମିତ୍ର
ନ ଜିତିଲେ ଶତ୍ରୁ ହୁଏ।
ମିତ୍ର-ମନ ସଦା ସୁପଥ ଦେଖାଏ
ଶତ୍ରୁ କୁପଥରେ ନିଏ।
ଖୁସି ଥିଲେ ମନ ଏ ସାରା ଜଗତ
ଲାଗଇ ଅମୃତମୟ।
ମନ ଅନୁସାରେ ସଂସାର ସ୍ଵରୂପ
ଏହା ଚିରନ୍ତନ ନ୍ୟାୟ।
ଫୁଲଠୁ ହାଲୁକା କରି ସେ ମନକୁ
ସମର୍ପିଲେ ପ୍ରଭୁ ପାଦେ।
ମଣିଷ ଜନମ ହୋଇଯାଏ ଧନ୍ୟ
ନ ରହେ ନର ବିଷାଦେ।।
