STORYMIRROR

Kulamani Sarangi

Comedy

3  

Kulamani Sarangi

Comedy

ରମ୍ୟ ରଚନା

ରମ୍ୟ ରଚନା

2 mins
246


('ମଥୁରାମଙ୍ଗଳ'ର 'ଲେଖି ଅଛନ୍ତି ବ୍ରଜପୁର ମଣ୍ଡନ' ସ୍ୱରରେ ଗାଇଲେ ଭଲ ଲାଗିବ😀)

-------------

ବିପ୍ରଲବ୍ଧା ରାଧାଙ୍କର ମନ ଏବଂ ବର୍ତ୍ତମାନ ସମାଜର ପ୍ରତ୍ୟାଖ୍ୟାତା ରାଧାରାଣୀର ମନ ପ୍ରାୟ ସମାନ।ପ୍ରଭେଦ ଖାଲି କୃଷ୍ଣରେ।ସେ ସମୟରେ କୃଷ୍ଣ ବଂଶୀ ଫିଙ୍ଗିଦେଇ ,ଯମୁନାତଟ ପରିତ୍ୟାଗ କରି ଚକ୍ର ଧରିଥିଲେ କର୍ତ୍ତବ୍ୟ ଆହ୍ୱାନରେ;ଆଜିର କୃଷ୍ଣ, ରାଧାକୁ ପ୍ରତ୍ୟାଖ୍ୟାନ କରି ଫୋନର ସିମ୍ ଫିଙ୍ଗିଦେଇ ଉଭାନ ହୋଇଯାଉଛନ୍ତି ନୂତନ ତୃଣଭୂମି ଅନ୍ୱେଷଣରେ।ସେ କୃଷ୍ଣଙ୍କ ପ୍ରେମ ଥିଲା ଶାଶ୍ବତ, ଆଜିକାର ପ୍ରେମ ସହଜରେ ବହିଷ୍କୃତ।ଗୋଟିଏ ବାସ୍ତବ ଘଟଣା ଉପରେ ଆଧାରିତ ଏହି ରମ୍ୟରଚନାଟି।'ବିପ୍ରଲବ୍ଧା'ଶବ୍ଦଟି ଜ୍ଞାତସାରରେ ବ୍ୟବହାର କରାଯାଇଛି; ପ୍ରତିଶବ୍ଦ ଥିଲେ ମଧ୍ୟ ।ଅନ୍ତତଃ ଗୋଟିଏ ସୁନ୍ଦର ନୂଆ ଓଡିଆ ଶବ୍ଦ ତ ଶିଖିବା।ଏହି ଶବ୍ଦଟି ଭିତରେ ଅନେକ ମନସ୍ତାତ୍ବିକ ଭାବନା ଲୁଚି ରହିଛି ।ଅଭିସାର ସ୍ଥାନକୁ ଯାଇ ସେଠାରେ ପ୍ରିୟତମକୁ ନ ପାଇ ,ବହୁ ସମୟ ଅପେକ୍ଷା କରି ରହେ ଯେଉଁ ଲଳନା,ତାକୁ ବିପ୍ରଲବ୍ଧା କୁହାଯାଏ ।

------------


ଲେଖିଅଛନ୍ତି ବିପ୍ରଲବ୍ଧା ଲଳନା,ନାଟୁଆ ନଟବରଙ୍କୁ,

ଆହେ ପ୍ରାଣଧନ କାହିଁ ଗଲା ଫୋନ ଫିଙ୍ଗିଲକି ଗାଡିଆକୁ,

ହେ ଧନ !

ଯେତେ ଡାକିଲେ ନ ଢାଳ କର୍ଣ୍ଣ ହେ ଧନ, 

କାହିଁ ବନ୍ଧା ଦେଲଣି କି ମନ ହେ ଧନ,

କିପାଁ କର ଏତେ ହୀନିମାନ ହେ ଧନ,

ଗଧ ଶିଙ୍ଗ ପରାୟେ ଉଭାନ ହେ ଧନ।।


ତିତିଲି ଟିଣକୁ ଉଡେଇଲା ପରି ମତେ ତ ଉଡେଇନେଲ,

ତା'ଆଗରୁ ଦିନ ରାତି ନ'ଅଣ୍ଟିଲା ଫୋନରେ କଲ ଗେଲ ,

ହେ ମଣି !

ତମ ମନ ବଦଳି ଗଲାଣି ହେ ମଣି ,

କହୁଥିଲ ମୁଁ ପୀରତି ଖଣି ହେ ମଣି,

ଏବେ ହେଲି ଅଚଳ ଆଠଣି ହେ ମଣି,

କିଏ କଲା କି ତୁମ୍ଭକୁ ଗୁଣି ହେ ମଣି।।


କହୁଥିଲ ତମେ ବେଙ୍କ୍ ଚାକିରିଆ ଦରମା ଲକ୍ଷରେ ଥୁଆ ,

ଯେଉଁଦିନ ମତେ ଘରୁ ଟେକିନେଲ,ଜାଣିଲି ମିଛ ରାଧୁଆ

ହେ ଭଣ୍ଡ !

ତମେ ବେକାରିଆ ବୁଲା-ଷଣ୍ଢ ହେ ଭଣ୍ଡ,

ତମେ କୋଉ କିଆରୀର ଧଣ୍ଡ ହେ ଭଣ୍ଡ !!

ତମେ ଟାଉଟରିଆ ପ୍ରଚଣ୍ଡ ହେ ଭଣ୍ଡ,

ମତେ ମିଛେ କଲ ଲଣ୍ଡଭଣ୍ଡ ହେ ଭଣ୍ଡ।। 


ମିଠା ଚାଖିସାରି ସିଠାଫିଙ୍ଗିଦେଲ କଲ ବଡ କଲବଲ,

ମନ୍ଦିରକୁ ନେଇ ଫୁଲମାଳ ଦେଇ ବାହାକାମ ସାରିଦେଲ,

ହେ ଚୋର !

କଲ ହୋଟେଲ-ଚଉଠିଘର ହେ ଚୋର,

ମତେ ଶାଶୁଘରୁ କଲ ଦୂର ହେ ଚୋର,

ଗାଁ ଲୋକ ନପାଇଲେ ଟେର ହେ ଚୋର,

ଜାତି କଥା କହି ଦେଲ ଡର ହେ ଚୋର।।


ସେହି ହୋଟେଲରୁ କାହିଁ ଚାଲିଗଲ ଦୂରଭାଷ ବନ୍ଦକରି

ବିକି ବେକ-ମାଳି ହୋଟେଲ-ବିଇଲି ପଇଠ ଦେଇଚି କରି 

ହେ ନଟ,

କୁହ କୁଆଡେ ଦେଲ ଚମ୍ପଟ ହେ ନଟ ?

କିଆଁ କର ଏତେ ଛଟପଟ ହେ ନଟ,

ଚାଲିପାରୁନି ଲାଜରେ ବାଟ ହେ ନଟ,

ବାପା-ମାଆ ମୋ ପାଆନ୍ତି କଷ୍ଟ ହେ ନଟ।।


ନଆସିବ ଯେବେ ଜାଣିଥାଅ ତେବେ କମିଶନକୁ ମୁଁ ଯିବି,

ଶିକୁଳି ପକେଇ ଅର୍ଦ୍ଧଚନ୍ଦ୍ର ଦେଇ ମାମୁଁଘରକୁ ଟାଣିବି 

ହେ ମଣି ,

ବନ୍ଧା ପଡୁ ପଛେ ମଥାମଣି ହେ ମଣି,

ବଡ ଉତୁପାତିଆ ହେଲଣି ହେ ମଣି

ବିପଦର ଘଣ୍ଟି ବାଜିଲାଣି ହେ ମଣି।

ଜେଲ ଯିବା ବେଳ ଆସିଲାଣି ହେ ମଣି ।।


*ତିତିଲି:---ବାତ୍ୟା ବିଶେଷ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy