ପ୍ରିୟତମ
ପ୍ରିୟତମ
ନୀଳ ଆକାଶର
ନୀରବତା ନାହିଁ
କାହିଁକି କେଜାଣି ଆନନ୍ଦେ ଅଛି ।
ହସ୍ତକୁ ପ୍ରସାରୀ
ବାହୁ ବନ୍ଧନରେ
ତୋଳି ନେବାପାଇଁ ମତେ ଡାକୁଛି ।
ଉଡ଼ିଯିବି ସେହି
ନୀଳ ପାରାବାରେ
ମିଶିବା ପାଇଁ କି ନୀଳ ଆକାଶେ ।
ଭସା ବାଦଲଟା
ସ୍ୱାଗତ କରିଣ
ନେଇଯିବ ନିଶ୍ଚେ ମୋ'ପ୍ରିୟ ପାଶେ ।
ପ୍ରିୟତମ ମୋର
କେତେ ଯେ କାତର
ଅଙ୍କେ ଅଙ୍କଶାୟୀ କରିବା ପାଇଁ ।
ଚନ୍ଦ୍ର, ତାରା ମଧ୍ୟ
ସମ୍ମତି ଜଣାଇ
କୁହନ୍ତି ,ଯାଅ ନା ଆଉ ଦୂରେଇ ।
କଳା ମେଘର ସେ
ବଜ୍ର ଧ୍ୱନି ଶୁଣି
ପ୍ରକମ୍ପିତ ହୁଏ ମୋର ଶରୀର ।
କ୍ଲାନ୍ତ, କ୍ଳାନ୍ତି, କ୍ଲେଶ
ନ କରି ଅବଶ
ରବି ରଶ୍ମିରେ ମୁଁ ଆତ୍ମ ବିଭୋର ।
ନିମ୍ନ ମୁଖୀ ହୋଇ
ରହିଛି ଅନାଇ
ପ୍ରିୟ ଅଭିନବ ଆଶା ଜଗାଇ ।
ନିତି ପ୍ରତି କ୍ଷଣେ
ସ୍ମରଣ ବରଣେ
ଉତ୍କଣ୍ଠିତ ଚକ୍ଷୁ ପଲକେ ଥାଇ ।
କଥା ଦେଇ କେବେ
ଅନ୍ୟଥା କରିବା
ନାହିଁ ମୋ ପ୍ରିୟର ଜାତକେ ଲେଖା ।
ବିଧାତା ବିଧିରେ
ବିଧାନ ଭାବରେ
ତାଙ୍କ ପାଇଁ ମତେ କରିଛି ଯୋଖା ।
କୁମୁଦିନୀ ବେହେରା
ଶିକ୍ଷୟିତ୍ରୀ.